Unknown

 

 

 

 

 

 

 

 

ସବୁଜ ଦ୍ୱୀପର ରାଜା

ମୂଳଲେଖା

ସୁନୀଲ ଗଙ୍ଗୋପାଧ୍ୟାୟ

 

ଭାଷାନ୍ତର

ଶ୍ରୀ ରମାକାନ୍ତ ପାଢ଼ୀ

 

‘‘ଜାହାଜରେ ଯିବୁ ନା ପ୍ଳେନ୍‌ରେ?’’

 

ଦାଦାଙ୍କର କଥାଟା ଶୁଣି ସନ୍ତୁର ଛାତି ଭିତରଟା ଧକ୍‌ ଧକ୍ କରି ଉଠିଲା । ଖୁବ୍‌ ବେଶୀ ଆନନ୍ଦ ଅନୁଭବ କଲେ ଛାତିଟା ଏଭଳି ଧପ୍‌ ଧପ୍‌ କରି ଉଠେ । ଯେପରି କି ଅତି ଭୟ ପାଇଗଲେ ମଣିଷର ଛାତି ଭିତରଟା କମ୍ପିଯାଏ । ମନେ ହୁଏ ହେବ ତ ? ଶେଷ ପର୍ଯ୍ୟନ୍ତ ହେବ ତ ?

 

ପରୀକ୍ଷାଟା ଏଇମାତ୍ର ଶେଷ ହୋଇଛି । କ୍ଳାସ୍‍ ନାଇନ୍‌ରୁ ସନ୍ତୁ ଏଥର କ୍ଳାସ୍‍ ଟେନ୍‌କୁ ଉଠିବ । ଶେଷ ପରୀକ୍ଷାଟା ଦେଲାବେଳକୁ ଦାଦା ପଚାରିଥିଲେ—‘‘ସନ୍ତୁ, ଏବେ ତ ତୋର ଛୁଟି ହୋଇଯିବ । ମୋ ସାଥୀରେ ବୁଲିଯିବୁ ଗୋଟାଏ ନୂଆ ଜାଗାକୁ ?’’

 

ସନ୍ତୁ ଏକାବେଳକେ ରାଜି । ଦାଦାଙ୍କ ସାଙ୍ଗରେ ବୁଲି ବାହାରିବା ମାନେ ଏକ ଅଦ୍ଭୁତ ଘଟଣା । କୌଣସି ଏକ ନୂଆ ଆଡ଼ଭେନ୍‌ଚର ନିଶ୍ଚୟ ହେବ । ଅନ୍ୟ କେହି ଭ୍ରମଣରେ ଗଲେ ସୁନ୍ଦର ସୁନ୍ଦର ସ୍ଥାନମାନ ବୁଲିଥାନ୍ତି; କିନ୍ତୁ ଦାଦା ତାର ଯାଆନ୍ତି କୌଣସି ଏକ ଖାସ୍‌ ଉଦ୍ଦେଶ୍ୟ ନେଇ-

 

ସନ୍ତୁ ସାଥୀରେ ଗଲେ ଦାଦାଙ୍କର ଅନେକ ସୁବିଧା ହୁଏ । ଦାଦାଙ୍କ ବୟସ ତେପନ କିମ୍ବା ଚଉବନ ଭିତରେ । ତାଙ୍କୁ ଯେ କେହି ଦେଖିଲେ ସେ ଯେ ଏତେ ବୁଢ଼ା ମଣିଷ ବୋଲି ଭାବି ପାରିବ ନାହିଁ । ଶରୀରରେ ଖୁବ୍‌ ଜୋର୍‌ ଅଛି, ମୁହଁରେ ଅଛି ଗୋଟିଏ କଳାଯାଇ, କିନ୍ତୁ ଦାଦାଙ୍କର ଗୋଟିଏ ଗୋଡ଼ ନାହିଁ । ଦିଲ୍ଲୀରେ ପୁରାତତ୍ତ୍ୱ ବିଭାଗରେ ଆଗେ ସେ ଚାକିରୀ କରୁଥାନ୍ତି । ଥରେ ଆଫଗାନ୍‌ସ୍ତାନର ଏକ ପାହାଡ଼ିଆ ରାସ୍ତାରେ ତାଙ୍କର ଜିପ୍‌ ଗାଡ଼ିଟା ଓଲଟି ପଡ଼ି ଗୋଟିଏ ଖାତ ଭିତରେ ପଡ଼ିଗଲା । ସେଥିରୁ ସେ ମରୁ ମରୁ ବଞ୍ଚିଗଲେ ସତ ହେଲେ ଗୋଟେ ଗୋଡ଼ କାଟି ବାଦ୍‌ ଦେବାକୁ ହେଲା । ଏବେ ସେ କ୍ରାଚରେ ଭରାଦେଇ ଚାଲୁଛନ୍ତି ।

 

ସେହି ଦୁର୍ଘଟଣା ପରେ ପରେ ସେ ଚାକିରୀ ଛାଡ଼ିଦେଲେ । କିନ୍ତୁ ଘରେ ଚୁପ୍‌ଚାପ ହେଇ ବସି ରହିବା ତାଙ୍କ ପକ୍ଷରେ ଅସହ୍ୟ ବୋଧ ହେଲା । ଆବିଷ୍କାର ନିଶାଟା ଏବେ ସୁଦ୍ଧା ତାଙ୍କୁ ଛାଡ଼ି ପାରିନି । ଘରେ କେତେ ଯେ ପୁରୁଣା ପୁରୁଣା ବହି ଅଛି ତା’ର କଳନା ନାହିଁ । ସେ ସମସ୍ତ ବହି ପଢି ଯେଉଁ ସବୁ ରହସ୍ୟର ଆଜି ସୁଦ୍ଧା ସମାଧାନ ହୋଇ ପାରିନାହିଁ, ସେ ଗୁଡ଼ିକର ଅନୁସନ୍ଧାନରେ ବାହାରି ପଡ଼ିବାକୁ ଚାହାନ୍ତି, କିନ୍ତୁ ଏଥରକ କେଉଁଠିକି ଯିବେ ? କେଉଁ ଅଜଣା ସନ୍ଧାନରେ ? ସନ୍ତୁ ଏକଥା ଏବେ ବି ଜାଣିପାରିନି, ଦାଦାଙ୍କର ଏଇଟା ହେଲା ଗୋଟିଏ ବଦ୍‌ଗୁଣ । ଆଗରୁ କିଛି ହେଲେ କହିବେ ନାହିଁ । ବଡ଼ ଏକବାଗିଆ ଲୋକ ।

 

ଦାଦା ଯେତେବେଳେ ପଚାରିଲେ ଜାହାଜରେ ନା ପ୍ଳେନ୍‍ରେ ଯିବୁ ସେତେବେଳେ ସନ୍ତୁ ଏକବାରକେ ଅଡ଼ୁଆରେ ପଡ଼ିଗଲା । ସେ କେବେହେଲେ ଜାହାଜରେ ଚଢ଼ିନି କି ଏରୋପ୍ଳେନ୍‍ରେ ବି ଉଡ଼ିନି । କେଉଁଟା ଯେ ସବୁଠାରୁ ରୋମାଞ୍ଚକର କିଛି ଠିକ୍‌ କରି ପାରିଲା ନାହିଁ ।

 

ଜାହାଜରେ କିମ୍ବା ପ୍ଳେନ୍‍ରେ ଯିବା ହେଉଛି ଯେତେବେଳେ ନିଶ୍ଚୟ କୌଣସି ଏକ ଦୂର ବିଦେଶକୁ ଏଥରକ ଯାଉଛନ୍ତି ଦାଦା । ଆଫ୍ରିକା ? ନା ଦକ୍ଷିଣ ଆମେରିକା ? ଆନନ୍ଦରେ ସନ୍ତୁ ଡେଇଁବାକୁ ଲାଗିଲା । ତା’ ସ୍କୁଲର ସାଙ୍ଗମାନଙ୍କ ଭିତରୁ କେହିହେଲେ କେବେ ଏତେ ଦୂର ବିଦେଶକୁ ଯାଇ ନାହାନ୍ତି ।

 

‘‘ଦାଦା ଆମେ ଏଥର କୁଆଡ଼େ ଯିବା କି?’’

 

‘‘ଗଲା ବେଳେ ଜାଣିବୁନି ।’’

 

ସନ୍ତୁ ଜାଣେ ଦାଦା ତାକୁ ଏଇ ଉତ୍ତର ଦେବେ । ତଥାପି କିଛି ନ ପଚାରି ରହିପାରିଲା ନାହିଁ । ଶେଷରେ କହିଲା—ତେବେ ଏଥରକ ପ୍ଳେନ୍‍ରେ ଯିବା ଦାଦା ।

 

‘‘ଆଚ୍ଛା ଠିକ୍‌ ଅଛି ।’’ ଦାଦା କହିଲେ ।

 

ସନ୍ତୁର ଜାହାଜରେ ମଧ୍ୟ ଯିବାପାଇଁ ଖୁବ୍‌ ଇଚ୍ଛା ଥିଲା । ହେଲେ ପ୍ଳେନ୍‌ରେ ଯିବା କଥା ହିଁ ଶେଷକୁ କହିଦେଲା । ପ୍ଳେନ୍‌ରେ ଗଲେ ଶୀଘ୍ର ଯାଇ ପହଞ୍ଚି ହେବ । ଫେରିଲା ବେଳକୁ ଜାହାଜରେ ଫେରିଲେ କିଛି କ୍ଷତି ନାହିଁ ।

 

ଏହାପରେ ପ୍ରାୟ ଦୁଇଦିନ ପର୍ଯ୍ୟନ୍ତ ଦାଦାଙ୍କର ଆଉ ଦେଖା ମିଳିଲା ନାହିଁ । ସେ ଖୁବ୍‌ ବ୍ୟସ୍ତଥିବାର ମନେ ହେଲା । ସକାଳୁ ସକାଳୁ କେଉଁଆଡ଼େ ଚାଲି ଯାଆନ୍ତି ଯେ, ଫେରନ୍ତି ଯାଇ ଅନେକ ରାତିରେ । ସନ୍ତୁ ବୁଝି ଜାଣି ପାରିଲା, ଏହା ଭିତରେ ଦାଦା ସମସ୍ତ ବ୍ୟବସ୍ଥା କରି ସାରିଲେଣି । ସରକାରୀ ଲୋକେ ଦାଦାଙ୍କୁ ଖୁବ୍‌ ଖାତିର କରନ୍ତି ତ । ସେଥିପାଇଁ କିଛି ଅସୁବିଧା ହେଲାନି ।

 

ରାସ୍ତାରେ ଦିନେ ବିନି ସାଙ୍ଗରେ ସନ୍ତୁର ଦେଖା ହୋଇଗଲା । ବିନି, ସୁବ୍ରତ ଭାଇ ଓ ସ୍ନିଗ୍‌ଧା ଅପା ସମସ୍ତେ କିଛିଦିନ ପାଇଁ ଗୋଆ ବୁଲିଯିବେ । ସେମାନେ ସମସ୍ତେ ଟ୍ରେନରେ ବମ୍ବେ ପର୍ଯ୍ୟନ୍ତ ଯିବାପରେ ସେଇଠୁ ପୁଣି ଜାହାଜରେ ଗୋଆ ଯିବେ । କଥାଟା ଶୁଣି ସନ୍ତୁକୁ କିମିତିକା କିମିତିକା ଲାଗିଲା । ଗୋଆକୁ ତାହାହେଲେ ଜାହାଜରେ ଯିବାକୁ ହୁଏ । ତେବେ ଦାଦା ଗୋଆ ଯିବାକୁ ଯୋଗାଡ଼ କରୁଛନ୍ତି । ଗୋଆ ଗଲେ ବିନି ସାଙ୍ଗରେ ନିଶ୍ଚୟ ଦେଖାହେବ । ସେଥରକ ଯେମିତିକା କାଶ୍ମୀରରେ ଦେଖା ହୋଇଯାଇଥିଲା ।

 

ବିନି ସନ୍ତୁକୁ ପଚାରିଲା—‘‘ତୁ ଏଥରକ କୁଆଡ଼େ ଯାଉଛୁ କିରେ ?

 

ଯାଗାର ନାଁ’ଟା ଏବେ ସୁଦ୍ଧା ସନ୍ତୁ ଜାଣିନି । ତେଣୁ ଠିକ୍‌ ନିଶ୍ଚିତ ଭାବି କହି ପାରୁନି । ତେଣୁ ଦୋଦ ପାଞ୍ଚ ହୋଇ କହିଲା—‘‘କେଜାଣି । ଏ ପର୍ଯ୍ୟନ୍ତ କିଛି ଠିକ୍‌ ହୋଇନାହିଁ ।’’

 

ସେଦିନ ରାତିରେ ଦାଦା ଡାକି ସନ୍ତୁକୁ କହିଲେ—‘‘କିରେ, ତୋ ପାଖରେ ତୋର ଫଟୋ ଅଛି ?’’

 

ମାସକ ତଳେ ସୁବ୍ରତ ଭାଇ ତା’ କାମେରାରେ କେତୋଟି ଫଟୋ ଉଠାଇ ଥିଲା । ସନ୍ତୁ ଦୌଡ଼ିଯାଇ ସେଥିରୁ ଗୋଟିଏ ନେଇ ଆସିଲା । ଦାଦା ଫଟୋଟିକୁ ଖୁଣ୍ଟିନାଣ୍ଟି ଦେଖିବା ପରେ କହିଲେ—‘‘ନା, ଏ ଫଟୋ ଚଳିବ ନି । ଦୁଇଟା ଯାକ କାନ ଦେଖା ଯାଉଥିବା ଭଳି ଫଟୋ ଦରକାର ।’’

 

ସନ୍ତୁ ଶୁଣି ଏକାବରକେ ଅବାକ । କାନ ? ଲୋକେ ତ ମୁହଁଟାର ଛବି ଦେଖନ୍ତି । କାନ ଦି’ଟା ଅଲଗା କରି ଦେଖନ୍ତି ନା ? ଅଜାଣତରେ ସନ୍ତୁ ତା କାନ ଦି’ଟାକୁ ହାତ ମାରିଲା ।

 

ଦାଦା ପୁଣି କହିଲେ—‘‘ମୁଁ ଖଣ୍ଡିଏ ଚିଠି ଲେଖି ଦେଉଛି ନେଇ ଯା, କାଲି ସକାଳେ ଯାଇ ରାସବିହାରୀ ଏଭିନ୍ୟୁରେ ଯେଉଁ ଜୁବୁଲି ଫୋଟ ଷ୍ଟୁଡ଼ିଓ ଅଛି ସେଇଠି ଫୋଟ ଉଠାଇ ଆସିବୁ-। ସଞ୍ଜ ବେଳକୁ ଯାଇ ସେଇଠୁ ନେଇ ଆସିବୁ ଛ ଖଣ୍ଡି ଫୋଟ । ଖୁବ୍‌ ଜରୁରୀ ।’’

 

ଦାଦା ଛ ଖଣ୍ଡ ଫୋଟ ନେଇ ଯେ କ’ଣ କରିବେ ସେ କଥା ସନ୍ତୁ ଆକାଶ ପାତାଳ ଭାବି କିଛି ବୁଝି ପାରିଲା ନାହିଁ । ଯାହାହେଉ ତା’ ଆରଦିନ ଜୁବୁଲି ଫୋଟ ଷ୍ଟୁଡ଼ିଓ ଯାଇ ଫୋଟ ଉଠାଇ ଫେରି ଆସିଲା । ଆଉ ସଞ୍ଜବେଳେ ଯାଇ ନେଇ ଆସିଲା ଛ ଖଣ୍ଡି ଫୋଟ । ଫୋଟଗୁଡ଼ାକ ଏକାପରି । ଗୋଟାଏ କପିର ଛବି । କେବଳ ମୁହଁଟାର ଛବି । ଦୁଇଟା ଯାକ କାନ ଫୋଟରେ ସ୍ପଷ୍ଟ ଦେଖା ଯାଉଥାଏ ।

 

ସନ୍ତୁ କୌତୂହଳଟା ଚାପି ରଖି ନ ପାରି ରାତିରେ ମା’ କୁ ଚୁପ୍‌ଚାପ ପଚାରିଲା—‘‘ମା, ମା’ମା, ଏଥର ଆମେ କୁଆଡ଼େ ବୁଲି ଯାଉଛୁ କି ?’’

 

ମା କହିଲେ—‘‘ଏଥର ଦାର୍ଜିଲିଂ ଯିବାର ହେଉଛି ।’’

 

ଦାର୍ଜିଲିଂ ! ଦାର୍ଜିଲିଂ ତ ପାହାଡ଼ ଉପରେ । ସେଠିକୁ ଜାହାଜ ମଧ୍ୟ ଯାଏ ନା କ’ଣ ? ପ୍ଳେନ୍‌ରେ ତ ଯାଇହେବ । କିନ୍ତୁ ଜାହାଜରେ ଯିବାକଥା ମଧ୍ୟ ପଚାରୁଥିଲେ । ସନ୍ତୁଏକାଥରକେ ହତାଶ ହୋଇପଡ଼ିଲା ।

 

ମା’ ପୁଣି କହିଲେ—‘‘ଦାର୍ଜିଲିଂରେ ତୋ ସାନ ମାମୁଁ ଅଛନ୍ତି । ସାନ ମାମୁଁଙ୍କ ତୋର ମନେ ନାହିଁ ? ସେଇ ଯେ ସେଇଥର ତୋତେ ଛୋଟ ବଂଶୀଟିଏ କିଣେଇ ଦେଇଥିଲେ । ସେ ଏବେ ଅଫିସ ତରଫରୁ ଗୋଟିଏ ବଡ଼ କ୍ୱାଟର ପାଇଛନ୍ତି । ଆମେ ସମସ୍ତେ ଯାଇ ସେଇଠି ରହିବା-।’’

 

ସନ୍ତୁ ପଚାରିଲା—‘‘ତୁ ବି ଯିବୁ ନା କ’ଣ ?’’

 

‘‘ତା ମାନେ, ମୁଁ ଯିବିନି ତ ଆଉ ଯିବ କିଏ?’’ ମା’ କହିଲେ—

 

‘‘ଦାଦା ବି ତୋ ସାଥୀରେ ଯିବେ?’’

 

‘‘ଓ, ସେଇଆ କହ । ସେ ଆମ ସାଙ୍ଗରେ ଯିବେ କାହିଁକି? ସେ ତ ପ୍ଳେନ୍‌ରେ କେଉଁଠିକୁ ଯିବେ ବୋଲି କହୁଥିଲେ । ସିଙ୍ଗାପୁର ନା ଆସାମ କେଉଁଠିକି ? ତୋ ବାବା ସାଥୀରେ କଥା ହେଉଥିବାର ମୁଁ ଶୁଣିଛି ।’’

 

ସନ୍ତୁ ହସିଦେଲା—‘‘ମା ଏକାବେଳକେ ଭୂଗୋଳ ଭୁଲି ଯାଇଛୁ ?’’

 

‘‘ସିଙ୍ଗାପୁର ଆଉ ଆସାମ କ’ଣ ପାଖା ପାଖିଯାଗା ।’’

 

‘‘ମୁଁ କିନ୍ତୁ ଦାଦା ସାଙ୍ଗରେ ଯିବି ।’’

 

ମା ରାଗିଯାଇ କହିଲେ—‘‘ହଁ, ସେ କଥା ସମସ୍ତଙ୍କୁ ଜଣା । ତୁ ଆମ ସାଙ୍ଗରେ ଯିବାକୁ କେବେହେଲେ ବାହାରିବୁ ନି ।’’

 

କଥାଟି ସତ । ସନ୍ତୁ ଖୁବ୍‌ ଛୋଟ ଥିଲାବେଳେ ମା ଆଉ ବାବାଙ୍କ ସାଥୀରେ ବୁଲି ବାହାରୁ ଥିଲା । ସେତେବେଳେ ତାକୁ ଖୁବ୍‌ ଭଲ ଲାଗୁଥିଲା । ଏବେ କିନ୍ତୁ ଭଲ ଲାଗୁନାହିଁ । ବର୍ତ୍ତମାନ ଦାଦାଙ୍କ ସାଙ୍ଗରେ ଯିବାପାଇଁ ଭାରି ଇଚ୍ଛା ।

 

ସୋମବାର ଦିନ ସକାଳୁ ସକାଳୁ ଦାଦା କହିଲେ—‘‘ତୁ ଖିଆପିଆ ସାରି ଜାମାପଟା ପିନ୍ଧି ରେଡ଼ି ହେଇ ଯାଇଥିବୁ । ମୋ ସାଥିରେ ଆଜି ଯିବୁ ।’’

 

ସନ୍ତୁ ସଙ୍ଗେସଙ୍ଗେ ଭାବିନେଲା ସେଦିନ ହିଁ ସେମାନେ ବାହାରି ପଡ଼ିବେ ବୋଲି । ବ୍ୟସ୍ତ ହୋଇପଡ଼ି କହିଲା—‘‘ବାକ୍‌ସ ପ୍ରଭୃତି ସବୁ ଠିକ୍‌ ଠାକ୍‌ କରି ରଖି ଦେଇଥିବି ତ ?’’

 

ଦାଦା କହିଲେ—‘‘ଆରେ ନା, ନା । ସେ ସବୁର ବର୍ତ୍ତମାନ ଦରକାର ନାହିଁ । ଗୋଟିଏ ଯାଗାକୁ ମୋ ସାଙ୍ଗରେ ଯିବୁ । ବାକ୍‌ସ କ’ଣ ଦରକାର ?’’

ଦି ପହର ବେଳେ ଟ୍ୟାକ୍‌ସିଟିଏ ଧରି ସେମାନେ ଆସିଲେ ଡେଲହାଉସୀ ସ୍କୋୟାରକୁ । ସିଡ଼ି ଚଢ଼ି ଦୋତାଲା ଉପରେ ଥିବା ଗୋଟିଏ ଅଫିସ ରୁମ୍‌ ଭିତରେ ପଶିଗଲେ । ସିଡ଼ିରେ କ୍ରାନ୍ତଧରି ଉଠିବାକୁ ଦାଦାଙ୍କୁ ସେତେ କଷ୍ଟ ହେଲାନାହିଁ । ବେଶ୍‌, ସାଧାରଣ ମଣିଷ ଭଳି ଠକ ଠକ୍‌ କରି ଉଠି ଯାଆନ୍ତି । କିନ୍ତୁ ପାହାଡ଼ ଉଠିଲାବେଳେ ଖୁବ୍‌ କଷ୍ଟ ହୁଏ । ସେଥର ଦାଦା ଯାଇଥିଲେ କାଶ୍ମୀର । କନିଷ୍କଙ୍କ ମୁଣ୍ଡଟାର ସନ୍ଧାନରେ । ପାହାଡ଼ ଉପରକୁ ଉଠୁ ଉଠୁ ପଡ଼ିଗଲେ ସେ । ତେବେ ଯେତେବେଳେ ବଡ଼ ବଡ଼ ପଥର ଉପର ଦେଇ ଉଠିବାକୁ ହୁଏ, ସେତେବେଳେ ହାତ ଦି’ଟାରେ ଭରା ଦେଇ ଖପ୍‌ କରି ଉଠି ପଡ଼ନ୍ତି । ଗୋଟିଏ ଗୋଡ଼ ନାହିଁ ବୋଲି ତ ଦାଦାଙ୍କ ହାତ ଦି’ଟାରେ ସାଙ୍ଘାତିକ ଭାବରେ ଜୋର ଅଛି ।

ଦାଦା ଅଫିସ ଘର ଭିତରକୁ ପଶିଯିବା ମାତ୍ରକେ ଚେୟାରରେ ବସିଥିବା ଜଣେ ଭଦ୍ରବ୍ୟକ୍ତି ସଙ୍ଗେ ସଙ୍ଗେ ଉଠିଯାଇ ସମ୍ମାନ ଦେଖାଇ କହିଲେ—‘‘ଆସନ୍ତୁ, ଆସନ୍ତୁ ମିଃ ରାୟ ଚୌଧୁରୀ । ଏଇଟି କିଏ, ଆପଣଙ୍କ ପୁତୁରା ।’’

ଦାଦା କହିଲେ—‘‘ହଁ । ଆ’ ନାଁ ସୁନନ୍ଦ ଚୌଧୁରୀ । ଏ ମଧ୍ୟ ମୋ ସାଙ୍ଗରେ ଯିବ ।’’

ସନ୍ତୁ ଯାଇ ଦାଦାଙ୍କ ପାଖ ଚେୟାରରେ ବସି ପଡ଼ିଲା । ତା’ ପରେ ଅଫିସର ଜଣକ ତାକୁ କେତେଗୁଡ଼ିଏ କାଗଜ ପତ୍ର ଦସ୍ତଖତ କରିବାକୁ ବଢାଇ ଦେଲେ । କିଛି ସମୟ ପରେ ସୁନ୍ଦର ବନ୍ଧେଇ ହେଇଥିବା ନୀଳରଙ୍ଗର ବହି ଦିଟା ଦାଦାଙ୍କ ହାତକୁ ବଢାଇ ଦେଇ କହିଲେ—‘‘ଏଇ ନିଅନ୍ତୁ,ମିଃ ରାୟ ଚୌଧୁରୀ । ଆଚ୍ଛା, ଆମର ଶୁଭେତ୍ସା ରହିଲା ।’’

ଅଫିସର ଜଣକୁ ଧନ୍ୟବାଦ ଜଣାଇ ଦାଦା ବାହାରକୁ ଆସିଲେ । ସନ୍ତୁ ଏତେବେଳକେ ଯାଇ ବୁଝି ପାରିଲା ଯେ, ଏଇଟା ହେଉଛି ପାସପୋର୍ଟ ଅଫିସ । ପାସପୋର୍ଟ କଥାଟା ଆଗରୁ ଶୁଣିଛି ହେଲେ ଜିନିଷଟା ଯେ କି ଭଳି କେବେହେଲେ ଦେଖିବାକୁ ପାଇନି ।

ଦାଦା ସେ ନୀଳ ବହିରୁ ଖଣ୍ଡିଏ ସନ୍ତୁକୁ ବଢ଼ାଇ ଦେଇ କହିଲେ—‘‘ଏଇ ଦେଖ, ତୋ ପାସପୋର୍ଟ । ଖୁବ୍‌ ସାବଧାନରେ ଏଟାକୁ ପାଖରେ ରଖିଥିବୁ ।’’

ସନ୍ତୁ ବହି ଭିତରଟା ଖୋଲି ଦେଖିଲା । ସବୁ ପୃଷ୍ଠାରେ ବଡ଼ ବଡ଼ ଅଶୋକ ଚକ୍ର ଚିହ୍ନ ମରାଯାଇଛି । ପ୍ରଥମ ପୃଷ୍ଠାର ବାଁ ପାଖରେ ରହିଛି ସନ୍ତୁର ଫୋଟଟା । ସେଇ ଦୁଇ କାନ ଥିବା ଫୋଟରୁ ଗୋଟିଏ ।

 

ବାହାରକୁ ଆସି ଟ୍ୟାକ୍‌ସିଟିଏ ଧରିବାକୁ ହେବ । ଏତେବେଳେ ଖାଲି ଟ୍ୟାକ୍‌ସିଟିଏ ପାଇବା କଷ୍ଟକର । ଗୋଟିଏ ହେଲେ ଟ୍ୟାକ୍‌ସି ରଖିବେ ନି । ଏଣେ ଦାଦା ମଧ୍ୟ କ୍ରାଚଧରି ବସ ଭିତରକୁ ଉଠି ପାରିବେ ନି । ବଡ଼ ଅଡ଼ୁଆ କଥା । ବହୁ ସମୟ ଗଲାପରେ ଗୋଟିଏ ଟ୍ୟାକ୍‌ସି ଆସି ପାସପୋର୍ଟ ଅଫିସ ସାମନାରେ ଠିଆ ହେଲା । ତା ଭିତରୁ କେତେଜଣ ଲୋକ ଓହ୍ଳାଇ ପଡ଼ିଲେ । ସନ୍ତୁ ସେ ଟ୍ୟାକ୍‌ସିଟାକୁ ବୁଝିବା ପାଇଁ ଦୌଡ଼ିଗଲା ପାଖକୁ । ଏତିକିବେଳେ କାହା ସହିତ ଧକ୍‌କା ଖାଇ ବୁଲେଇ ହୋଇ ଯାଇ ପଡ଼ୁ ପଡ଼ୁ ନିଜକୁ ସମ୍ଭାଳି ନେଲା, କିନ୍ତୁ ହାତରେ ଧରିଥିବା ପାସପୋର୍ଟ ବହିଟା ଛିଟିକି ହେଇ ପଡ଼ିଗଲା ।

 

ସନ୍ତୁ ଠିଆ ହେଇ ଲୋକଟାକୁ ଦେଖିବାକୁ ଲାଗିଲା । ଲୋକଟା ବିଦେଶୀ ପରି ଜଣା ଯାଉଛି । ସନ୍ତୁ ଏବେ ସ୍ପଷ୍ଟ ଜାଣିପାରିଲା, ଲୋକଟା ଜାଣିଶୁଣି ସନ୍ତୁକୁ ଧକ୍‌କା ଦେଲା । ସାଧାରଣତଃ ସାହେବମାନେ ଏଭଳି ଅଭଦ୍ର ନୁହନ୍ତି, ସନ୍ତୁ ଲୋକଟାକୁ କିଛି ପଚାରିବ ପଚାରିବ ବୋଲି ମଧ୍ୟ ସମୟ ପାଇଲା ନାହିଁ । ଲୋକଟିକୁ କିଛି ପଚାରିବା ଆଗରୁ ସେ ଟ୍ୟାକ୍‌ସିରେ ବସିସାରିଥିଲା । ଲୋକଟା ତେବେ ଟ୍ୟାକ୍‌ସି ପାଇଁ ତାକୁ ଧକ୍‌କା ମାରିଲା ।

 

ସନ୍ତୁ ଦେଖିଲା ପାସପୋର୍ଟ ବହିଟା ଛିଟିକି ଯାଇ ପଡ଼ିଛି ଫୁଟ୍‌ପାଥର ଧାର ଉପରେ । ଆଉ ଟିକିଏ ଜୋର ହେଇଥିଲେ ସେଇଟା ଯାଇ ପଡ଼ିଯାଇ ଥାଆନ୍ତା ନଳା ଭିତରେ । ସନ୍ତୁ ଦୌଡ଼ିଯାଇ ବହିଟାକୁ ଉଠାଇ ଆଣିବା ଆଗରୁ ଆଉଜଣେ ମଇଳା ଜାମା ପିନ୍ଧିଥିବା ଭିକାରୀ ଛୁଆଟିଏ ଉଠାଇ ନେଇଗଲା ଓ ସଙ୍ଗେ ସଙ୍ଗେ ଦୌଡ଼ି ପଳାଇ ଯିବାକୁ ଚେଷ୍ଟାକଲା । କିନ୍ତୁ ପିଲାଟା ଖସି ଯାଇ ପାରିଲା ନାହିଁ । ଏହା ଭିତରେ ଦାଦା ଆଗେଇ ଆସି କ୍ରାଚରେ ପିଲାଟାର ହାତଟାକୁ ଖୁବ୍‌ ଜୋରରେ ପାହାଚରେ ପିଟିଦେଲେ । ପିଲାଟା ‘‘ଉଃ’’ କରି ଗୋଟିଏ ଶବ୍ଦ କରି ପାସପୋର୍ଟ ବହିଟା ଫୋପାଡ଼ି ଦେଲା । ଆଉ ସଙ୍ଗେ ସଙ୍ଗେ ଲୋକ ଗହଳିରେ ମିଶିଗଲା । ଏହି ଘଟଣା ଘଟିଯିବା ଭିତରେ ସେ ବିଦେଶୀ ଜଣକ ଟ୍ୟାକ୍‌ସିରେ କେଉଁଆଡ଼େ ଚାଲିଗଲେଣି ।

 

ଘଟଣାଟା ଏଭଳି ହଠାତ୍‌ ଘଟିଗଲା ଯେ, ପ୍ରକୃତ କଥାଟା ଜାଣିବାକୁ ଖୁବ୍‌ ଡ଼େରି ଲାଗିଲା । ସାହେବଟା ତାକୁ ଧକ୍‌କା ମାରିଲା ଆଉ ଠିକ୍‌ ସେତିକିବେଳେ ଭିକାରୀ ଛୁଆଟା ତା’ ପାସପୋର୍ଟ ବହିଟା ଉଠାଇ ନେଇ ପଳାଇ ଯିବାର ଚେଷ୍ଟା କରୁଥିଲା । ଏହି ଦୁଇଟି ଘଟଣା ଭିତରେ କୌଣସି ଯୋଗାଯୋଗ ନାହିଁ ତ ? ନା, ଦୁଇଟାଯାକ ଅଲଗା ଅଲଗା ଘଟଣା । ଭିକାରୀ ପିଲାଟା ପାସ୍‌ପୋର୍ଟ ଚୋରି କରି ଲାଭ ବା କ’ଣ ?

 

ଦାଦା ଖୁବ୍‌ ରାଗିଯାଇ ପାଟିକରି ଉଠିଲେ—‘‘ତୋତେ କହିଥିଲି ନା ପାସପୋର୍ଟଟା ଖୁବ୍‌ ସାବଧାନରେ ରଖିବୁ ବୋଲି ।’’

 

ମା ଯେପରି ତା’ ଛୁଆକୁ ସ୍ନେହ ଓ ଆଦର କରେ ସେ ଭଳି ସନ୍ତୁ ପାସପୋର୍ଟ ବହିଯା ଉଠାଇ ଆଣିବା ପରେ ତା’ ଦେହରେ ହାତଟା ମରି ଆଣିଲା । ଭାଗ୍ୟକୁ ବହିଟା ନଳା ଭିତରେ ପଡ଼ିଯାଇନି । ନହେଲେ ଏଭଳି ସୁନ୍ଦର ବହିଟା ନଷ୍ଟ ଭ୍ରଷ୍ଟ ହୋଇଯାଇଥାନ୍ତା ।

 

ସେମାନେ ପରେ ପରେ ଆଉ ଗୋଟିଏ ଟ୍ୟାକ୍‌ସିରେ ଘରକୁ ଫେରିଲେ । ଟ୍ୟାକ୍‌ସିରେ ବସି ବସି ଏଇ କେତେ ସମୟ ତଳେ ଘଟି ଯାଇଥିବା ଘଟଣାଟିକୁ ମନେ ମନେ ସନ୍ତୁ ଭାବିବାକୁ ଲାଗିଲା । ଶେଷ ପର୍ଯ୍ୟନ୍ତ ଘଟଣାଟା ଏଇମିତିକା ଘଟିଯାଇଥିବା ଗୋଟିଏ ସାଧାରଣ ଘଟଣା ବୋଲି ମନେହେଲା । ଅଥଚ ପ୍ରକୃତ କଥାଟା ଜାଣି ପାରିଲା ବହୁତ ଦିନ ପରେ ।

 

ଯାହା ହେଉ ପାସପୋର୍ଟ ଦେଖିବା ପରେ ସନ୍ତୁର ଆଉ ତିଳେ ହେଲେ ସନ୍ଦେହ ରହିଲା ନାହିଁ ଯେ, ସେମାନେ ଏଥରକ ବିଦେଶ ଯାଉଛନ୍ତି ବୋଲି । ଆସାମ କିମ୍ବା ଦାର୍ଜିଲଂ ଗଲେ ତ ପାସ୍‌ପୋର୍ଟ ଦରକାର ହୁଏନା । କେବେ ଯେ ଯିବେ ସେଇଟା ଏପର୍ଯ୍ୟନ୍ତ ଠିକ୍‌ ହେଇନି । କିନ୍ତୁ ଆଗରୁ ସବୁ ଠିକ୍‌ଠାକ୍‌ କରି ରେଡ଼ି ହେଇ ଚାହିଁ ବସିଛି । ଜିନିଷପତ୍ର ଗୁଡ଼ାକ ପୁଣି ଥରେ ଏପଟ ସେପଟ ଖେଳାଇବାକୁ ପଡ଼ିଲା । କାରଣ ଶୁକ୍ରବାର ରାତିରେ ଦାଦା କହିଲେ—‘‘ସନ୍ତୁ, କା’ଲି ଭୋରରୁ ଯିବା । ଠିକ୍‌ ଛଅଟା ବେଳେ ଆମ ପ୍ଳେନ୍‌ । ସାଢ଼େ ଚାରିଟା ରାତିରୁ ଉଠି ସବୁକାମ ଶେଷ କରି ଦେଇଥିବୁ । ଜିନିଷ ପତ୍ର ସବୁ ଏବଠୁ ସଜାଡ଼ି ରଖି ଦେଇ ଥା ।’’

 

ସନ୍ତୁ ଆନନ୍ଦରେ ଏକାବେଳକେ ଘରଟାସାରା ନାଚିବାକୁ ଲାଗିଲା । କହିଲା—‘‘ମୋ ଲୁଗାପଟା କେବେଠୁ ବାନ୍ଧିବୁନ୍ଧି ରଖିଛି ଦାଦା ।’’

 

‘‘ତେବେ ଯା । ବାକ୍‌ସଟାକୁ ନେଇଆସେ ଏଠିକି । ମୁଁ ଦେଖେ କ’ଣ କ’ଣ ସବୁ ନେଇଛୁ-।’’

 

ଦାଦା ବାକ୍‌ସ ଖୋଲି ଦେଖିବା ପର କହିଲେ—‘‘ଆରେ,ଏତେଟା କୋଟ୍‌ ସ୍ୱେଟର ସବୁ ନେଉଛୁ କାହିଁକି ? ସେଠି ଗରମ ପୋଷାକ ଆଦୌ ଦରକାର ହେବନି । ବରଂ ଗଞ୍ଜି ଫଞ୍ଜି ବେଶି ନେଇ ଥା ।’’

 

ବିଦେଶ ଯିବେ ଅଥଚ ଗରମ ପୋଷାକ ଲୋଡ଼ା ହେବ ନାହିଁ । ଏ କି କଥା ? ତାହାହେଲେ ଆମେ କ’ଣ କେଉଁ ମରୁଭୂମି ଅଞ୍ଚଳକୁ ଯାଉଛୁ ? ସେଗୁଡ଼ାକ ବି ଅବଶ୍ୟ ବିଦେଶରେ ଅଛି ।

ଠିକ୍‌ ସମୟରେ ନିଦଟା ଭାଙ୍ଗି ନ ପାରେ । ତେଣୁ ସାରା ରାତିଟା ସନ୍ତୁ ଆଉ ଶୋଇଲା ନାହିଁ । ଚେଇଁ ରହି ଘଣ୍ଟାର ଶବ୍ଦଟାକୁ କାନେଇ ରହିଲା ।

ଗୋଟାଏ—ଦି’ଟା—ତିନିଟା—ତା’ପରେ ସନ୍ତୁ ଆଉ ସମ୍ଭାଳି ରହି ପାରିଲା ନାହିଁ, ଆଖିକୁ ନିଦ ମାଡ଼ି ଆସିଲା ଓ ସେ ଟିକିଏ ଘମେଇ ପଡ଼ିଲା । ମା’ ଯେତେବେଳେ ତାକୁ ଉଠାଇଲେ ସେତେବେଳକୁ ଘଣ୍ଟାରେ ସାଢ଼େ ଚାରିଟା ବାଜି ସାରିଲାଣି । ଘଣ୍ଟାଟାକୁ ଦେଖି ଦେଇ ସନ୍ତୁ ଖୁବ୍‌ ଭୟ ପାଇଗଲା । ଦାଦା ତାକୁ ଛାଡ଼ି ଚାଲି ଯାଇ ନାହାନ୍ତି ତ ?

ନା, ଦାଦା ଯାଇ ନାହାନ୍ତି । ମା ଦାଦାଙ୍କୁ ମଧ୍ୟ ତାକୁ ଉଠାଇବା ପରେ ଉଠାଇ ଦେଇ ଆସିଛନ୍ତି । କୁଆଡ଼େ ବାହାରକୁ ଯିବାକୁ ହେଲେ, ମା ଠିକ୍‌ ସମୟରେ ସମସ୍ତଙ୍କ ନିଦ ଭାଙ୍ଗି ଦିଅନ୍ତି । ତାଙ୍କର କେବେହେଲେ ଏଥିରେ ଭୁଲ ହୁଏନା ।

ଖୁବ୍‌ ଶୀଘ୍ର ଜାମା ପ୍ୟାଣ୍ଟ ପିନ୍ଧି ସନ୍ତୁ ରେଡ଼ି ହୋଇ ବାହାରି ପଡ଼ିଲା । ଏହା ଭିତରେ ମା ଖାଇବା ପାଇଁ କେତେ କ’ଣ କରି ସାରି ଥା’ନ୍ତି । କିନ୍ତୁ ଉତ୍ତେଜନା ଯୋଗୁ ସନ୍ତୁର ଖାଇବାକୁ ଆଦୌ ଇଚ୍ଛା ହେଲା ନାହିଁ ।

ମା’ଙ୍କୁ ଉତ୍କଣ୍ଠାରେ ପଚାରିଲା—‘‘ଏଥରକ ଆମେ କୁଆଡ଼ିକି ଯାଉଛୁ କି ମା ?’’

ମା କହିଲେ—‘‘ଏଇତ ଶୁଣିକରି ଆସିଲି, ସିଙ୍ଗାପୁର ନା କେଉଁଠିକି ଯିବାର ହେଉଛି, ଦେଖ ପୁଅ, ଖୁବ୍‌ ସାବଧାନ ହେଇ ଚଳିବୁ । ଦାଦାଙ୍କ ପାଖେ ପାଖେ ସଦାବେଳେ ଥିବୁ । ତୋ ଦାଦା ଯେମିତିକା ଲୋକ ନା......’’

 

ଦାଦା ଖାଇବା ଘର ଭିତରକୁ ପଶି ଆସି କହିଲେ—‘‘ସନ୍ତୁ ରେଡ଼ ? ବାଃ ପାଞ୍ଚଟା ବାଜିଗଲାଣି, ଆଉ ଡ଼େରି କରି ଲାଭ ନାହିଁ । ଯା, ଟ୍ୟାକ୍‌ସିକୁ ଡାକି ଆଣେ, ଯିବା ।’’

 

ସନ୍ତୁ ରାସ୍ତା ଉପରକୁ ଆସିଲା । ଭୋର ବେଳଟାରେ ଟ୍ୟାକ୍‌ସି ପାଇବାରେ ଅସୁବିଧା କିଛି ନାହିଁ । ଟ୍ୟାକ୍‌ସିଟିକୁ ଦାଣ୍ଡ ଦୁଆରେ ଠିଆ କରାଇ ଦେଇ ସନ୍ତୁ ଦୌଡ଼ ଆସିଲା ଦାଦାଙ୍କ ପାଖକୁ । ଦାଦା କେତେବେଳୁ ତାଙ୍କ ରୁମ୍‌କୁ ଚାଲିଗଲେଣି । ସନ୍ତୁ ଦେଖିଲା ଦାଦାଙ୍କ ଦରଜାଟା ବନ୍ଦ ଅଛି, କବାଟଟାକୁ ଟିକିଏ ଭିତରକୁ ଠେଲି ଦେଇ ଦାଦାଙ୍କୁ ଡାକିବାକୁ ଯାଇ ଅଟକି ଗଲା ସେ ।

 

ବଡ଼ ଲୁହା ଆଲମାରିଟା ଖୋଲା ହୋଇ ପଡ଼ିଛି । ସେଇଠି ଦାଦା ଠିଆ ହୋଇ ରିଭଲ୍‌ଭର୍‌ରେ ଗୋଟିଗୋଟି କରି ଗୁଳି ଭର୍ତ୍ତି କରିବାରେ ଲାଗିଛନ୍ତି ।

 

ସନ୍ତୁ ଅବାକ୍‌ ହୋଇଯାଇ କିଛିକ୍ଷଣ ଠିଆ ହେଲା । ଏହା ଆଗରୁ ବହୁତଥର ଦାଦାଙ୍କ ସାଙ୍ଗରେ ସେ ଯାଇଛି । କାହିଁ କେବେ ତ ଦାଦା ରିଭଲ୍‌ଭର୍‌ ନେବାର ସେ ଦେଖିନି । ଏଥର ବୋଧହୁଏ କୌଣସି ଏକ ବିପଦଜ୍ଜନକ ଯାଗାକୁ ଯିବାର ହେଉଛି !

 

ଗୁଳି ଭର୍ତ୍ତିକରି ସାରିବା ପରେ ସେଟାକୁ ସୁଟକେଶର ଲୁଗାତଳେ ଯତ୍ନରେ ଲୁଚାଇ ରଖିଦେଲେ ।

 

ପ୍ଳେନ୍‌ରେ ଯିବାକଥା ଭାବି ସନ୍ତୁ ଏତେ ଆନନ୍ଦ ହୋଇଗଲା ଯେ ତା’ ମୁହଁଟାସାରା ଝାଳଗୁଡ଼ାକ ଗମ୍‌ଗମ୍‌ ହୋଇ ବାହାରି ପଡ଼ୁଥାଏ । ଜୀବନରେ ପ୍ରଥମଥର ପାଇଁ ସେ ପ୍ଳେନ୍‌ରେ ଯାଉଛି । ପ୍ଳେନ୍‌ଟା ଯେତେବେଳେ ବଙ୍କେଇ ଯାଇ ଭୂଇଁ ଛାଡ଼ି ଆକାଶକୁ ଉଠି ଉଡ଼େ ସେତେବେଳେ ଭିତରେ ବସିଥିବା ଲୋକେ ଗଡ଼ି ପଡ଼ନ୍ତି ନାହିଁ ?

 

ଦମ୍‌ଦମ୍ ବିମାନଘାଟିରେ ପ୍ଳେନ୍‍ରେ ଉଠିବା ଆଗରୁ ପ୍ରଥମେ ସମସ୍ତଙ୍କୁ ଗୋଟାଏ ଛୋଟ ଘରଭିତର ଦେଇ ଯିବାକୁ ହେଲା । ସେ ଘରର କବାଟ ଉପରେ ଲେଖାଯାଇଥିଲା–‘‘ସିକ୍ୟୁରିଟ୍‌ ଚେକିଙ୍ଗ୍‌ ରୁମ୍‌ ।’’ ଜଣ ଜଣ କରି ଯାତ୍ରୀ ସେ ଘର ଭିତରକୁ ପଶୁଥାନ୍ତି-। ଦାଦା ଯିବା ଆଗରୁ ସନ୍ତୁ ପ୍ରଥମେ ସେଇ ଘର ଭିତରେ ପଶିଗଲା । ପୋଲିସ୍‌ ପୋଷାକ ଭଳି ପିନ୍ଧିଥିବା ଜଣେ ଲୋକ କାନ୍ଧରେ ଝୁଲୁଥିବା ବ୍ୟାଗଟାକୁ ଆଙ୍ଗୁଠି ଦେଖାଇ କହିଲା–‘‘ଦେଖି, ଏ ଭିତରେ କ’ଣ ସବୁ ଅଛି ?’’

 

ବ୍ୟାଗ୍‌ ଭିତରେ ଥିଲା କେତୋଟି ଗପ ବହି, ଢଉଲିଆ ଆଉ ଏଣୁ ତେଣୁ କେତୋଟି ଜିନିଷ । ଲୋକଟି ସେଗୁଡ଼ିକ ଉପରେ ଆଖି ପକାଇ ଆଣିଲା ଥରେ । ତା’ ପରେ ସନ୍ତୁର ଦେହଟାକୁ ତଳୁ ଉପର ପର୍ଯ୍ୟନ୍ତ ଚିପି ଚିପି ଦେଖିଲା । ପ୍ରଥମେ ସନ୍ତୁ ଏଭଳି ଦେଖିବାର ଉଦ୍ଦେଶ୍ୟଟା ଆଦୌ ବୁଝିପାରିଲା ନାହିଁ । କେତେବେଳେ ଯାଇ ମନେ ପଡ଼ିଗଲା, ପୋଲିସ୍‌ ଜଣକ ଦେଖୁଛି ସନ୍ତୁ ଜାମା ପ୍ୟାଣ୍ଟ ଭିତରେ କୌଣସି ରିଭଲ୍‌ଭର୍‌ ବା ବୋମା ପ୍ରଭୃତି ଲୁଚେଇ ରଖିଛି କି ନାହିଁ ? ସେ ଖବରକାଗଜରେ ପଢ଼ିଛି—‘‘ଆଜିକାଲି ପ୍ରାୟ ପ୍ଳେନ୍‌ ଡକାୟତ ହୁଏ । ପ୍ଳେନ୍‌ଟା ଉଡ଼ୁଥିବା ସମୟରେ ଡକାୟତମାନେ ପାଇଲଟ୍‌କୁ ରିଭଲ୍‌ଭର୍‌ ବା ବୋମା ଦେଖାଇ, ଭୟ କରାଇ ଦେଇ, ପ୍ଳେନ୍‌ଟାକୁ ଅନ୍ୟ ଏକ ଅଜଣା ସ୍ଥାନକୁ ନେଇ ଚାଲି ଯାଉଛନ୍ତି ।

 

ଦାଦାଙ୍କ ପାଖରେ ରିଭଲ୍‌ଭର୍‌ ଅଛି, ଏମାନେ ତେବେ ସେଇଟାକୁ ନେଇଯିବେ ? ଓଃ, ବୁଝିଲି, ସେଇଥିପାଇଁ ବୋଧହୁଏ ଦାଦା ନିଜ ପାଖରେ ରିଭଲ୍‌ଭର୍‌ଟିକୁ ନ ରଖି ସୁଟକେଶ ଭିତରେ ଲୁଚେଇ ରଖି ଦେଇଛନ୍ତି । ସୁଟକେଶ୍‌ ଗୁଡ଼ାକ ତ ଆଗରୁ ସବୁ ଜମା ଦିଆ ହୋଇଯାଇଛି । ସେଇଟାକୁ ମଧ୍ୟ ଏମାନେ ପୁଣି ଖୋଲି ଚେକିଙ୍ଗ୍‌ କରିବେ ନାହିଁ ତ ?

 

ଯା ହେଉ,ସମସ୍ତଙ୍କ ସାଥୀରେ ଲାଇନ୍‌ କରି ଓୟାର୍‌ ସିଡ଼ି ଦେଇ ପ୍ଳେନ୍‌କୁ ଉଠିଲେ । ସିଡ଼ିର ଉପର ମୁଣ୍ଡାରେ ଖୁବ୍‌ ଅସମାନ୍ୟା ସୁନ୍ଦର ସ୍ତ୍ରୀ ଲୋକଟିଏ ହାତଯୋଡ଼ି ପ୍ରତ୍ୟେକଙ୍କୁ କହୁଥାଏ–‘‘ନମସ୍କାର ।’’ ସନ୍ତୁ ଜାଣେ ଏଇ ସ୍ତ୍ରୀଲୋକ ଜଣକୁ କହନ୍ତି, ‘‘ଏୟାର୍‌ ହୋଷ୍ଟେସ୍‌ ।’’

 

ପ୍ଳେନ୍‌ ଭିତରଟା ହାଲୁକା ନୀଳରଙ୍ଗର ଆଲୁଅରେ ଭରପୂର । ମଝି ଅଂଶଟାରେ କାର୍‌ପେଟ୍‌ ବିଛା ଯାଇଛି । ସମସ୍ତେ ଏଠି ଫିସ୍‌ଫିସ୍ କରି କଥାବାର୍ତ୍ତା କରନ୍ତି । ସନ୍ତୁ ଓ ଦାଦାଙ୍କ ପାଇଁ ପାଖାପାଖି ଦୁଇଟି ସିଟ୍‌ ରିଜର୍ଭ ହୋଇଥିଲା । ଦାଦା ଝରକା ପାଖ ସିଟ୍‌ଟା ସନ୍ତୁକୁ ଛାଡ଼ିଦେଇ କହିଲେ—‘‘ପାଖରେ ବେଲ୍‌ ଟ ଅଛି, ସେଇଟାକୁ ଅଣ୍ଟାରେ ବାନ୍ଧିପକା ।’’

 

ସନ୍ତୁ ଖୋଜି ଖୋଜି କେତେବେଳେ ପରେ ଯାଇ ବେଲ୍‌ଟଟା ପାଇଲା । ବେଶ୍‌ ଖୁବ୍‌ ଚଉଡ଼ା ବେଲ୍‌ଟ । ସାଧାରଣ ବେଲ୍‌ଟ ପରି କିନ୍ତୁ ସେଇଟା ନୁହେଁ । କିମିତିକା ଅଲଗା ପ୍ରକାରର । ଦାଦା ବେଲ୍‌ଟଟା କିପରି ବାନ୍ଧିବାକୁ ହୁଏ ଶଖାଇ ଦେଲେ । ଖୋଲା ପଟଟା ଖାପ ଭିତରେ ଢୁକିଗଲେ ଖପ୍‌କରି ଗୋଟିଏ ଶବ୍ଦହୁଏ । ଓଃ, ବୁଝିଲି । ଏଭଳି ବେଲ୍‌ଟ ବନ୍ଧାହୁଏ ବୋଲି ଲୋକେ ତଳେ ଗଡ଼ି ପଡ଼ନ୍ତି ନି ।

 

ବହୁତ ସମୟ ବିତି ଯାଇଥିଲେ ମଧ୍ୟ ପ୍ଳେନ୍‌ଟା ଛାଡ଼ୁ ନ ଥାଏ । ସମସ୍ତ ଯାତ୍ରୀ ଆସି ଗଲେଣି । ପ୍ଳେନ୍‌ର ଦରଜା ମଧ୍ୟ ବନ୍ଦ କରି ଦିଆଗଲାଣି । ତେବେ ଏତେ ଡ଼େରି ହେଉଛି କାହିଁକି ? ସନ୍ତୁ ଆଉ ସହ୍ୟ କରି ପାରୁ ନ ଥିଲା । ଝରକା ଦେଇ ବାହାରେ ଦେଖିବାଭଳି କୌଣସି ଦୃଶ୍ୟ ନାହିଁ-। ଏଠି ତ ମାଟି ନାହିଁ । ସବୁଗୁଡ଼ାକ ସିମେଣ୍ଟ କରାଯାଇଛି । ଏଥି ଉପରେ ସୂର୍ଯ୍ୟକିରଣ ପଡ଼ି ଚକ୍‌ ଚକ୍ କରି ଆଖି ଝଲସେଇ ଦେଉଛି ।

 

ସନ୍ତୁ ମୁଣ୍ଡଟାକୁ ଟିକିଏ ଉପରକୁ ଉଠାଇ ପ୍ଳେନ୍‌ ଭିତରେ ବସିଥିବା ଯାତ୍ରୀମାନଙ୍କୁ ଦେଖିବାକୁ ଲାଗିଲା । କେତେ କିସମର ଲୋକ ଅଛନ୍ତି । ବଙ୍ଗାଳୀ, ମାରଓ୍ୟାଡ଼ୀ, ନେପାଳୀ, ମେମ୍‌, ସାହେବ, ଏପରିକି ନିଗ୍ରୋ ପର୍ଯ୍ୟନ୍ତ ଅଛନ୍ତି । ସେହି ଏୟାର୍‌ ହୋଷ୍ଟସ୍‌ ଜଣକ ଯାତ୍ରୀମାନଙ୍କୁ ଗଣି ଗଣି ଯାଉଛି ।

 

‘‘ଦାଦା ପ୍ଳେନ୍‌ଟା ଛାଡ଼ୁନି କାହିଁକି?’’

 

ଦାଦା ପ୍ଳେନ୍‌ ଭିତରକୁ ଆସିବା ପରେ ପରେ ମାଗାଜିନ୍‌ ଓ ଖବରକାଗଜ ଓଲଟାଇବାରେ ଲାଗିଛନ୍ତି, ସେ ସନ୍ତୁକୁ ନ ଚାହିଁ କହିଲେ—‘‘ସମୟ ହେଲେ ଛାଡ଼ିବ ।’’

 

ଏତିକିବେଳେ ପ୍ଳେନ୍‌ର ଦରଜାଟା ପୁଣିଥରେ ଖୋଲିଲା । ଜଣେ ପୋଲିସ୍‌ ଅଫିସର୍‌ ଭିତରକୁ ପଶିଆସି ଇଂରାଜୀରେ କହିଲେ—‘‘ମିଷ୍ଟର ନରିନ୍ଦର ପାଲ ସିଂ କିଏ ଅଛନ୍ତି ?’’

 

ସାମନାପଟୁ ଜଣେ ଲମ୍ବାଧରଣର ଲୋକ ଉଠିପଡ଼ି କହିଲା—‘‘ହାଁ, ହୈ । କ୍ୟା ହୁଆ-?’’

 

‘‘ଆପଣଙ୍କ ପାସ୍‌ପୋର୍ଟ ଦେଖାନ୍ତୁ ।’’

 

‘‘ଆଉଥରେ ଦେଖାଇବାକୁ ପଡ଼ିବ । ଥରେ ତ ଦେଖାଇ ସାରିଛି ।’’

 

‘‘ପୁଣିଥରେ ଦେଖାନ୍ତୁ ।’’

 

ଲୋକଟି ପିନ୍ଧିଥାଏ ଧୋତି ଉପରେ ଲମ୍ବା ପ୍ରିନ୍‌ସ କୋଟ୍‌ଟିଏ । ପ୍ରଥମେ କୋଟ୍‌ର ସବୁଗୁଡ଼ିକ ପକେଟ ଖୋଜିଗଲା । ତା’ ପରେ ହାଣ୍ତବ୍ୟାଗଟା ଖୋଲି ଦେଖିଲା । ଆଉଥରେ ପୁଣି ପକେଟ ଗୁଡ଼ାକ ଉପରେ ହାତ ମାରିଲା, କାହିଁ କେଉଁଠି ହେଲେ ତ ପାଉନି ।

 

ଲୋକଟି ପାଠିକରି ଉଠିଲା—‘‘ଆରେ, ମେରା ପାସ୍‌ପୋର୍ଟ କଉନ୍‌ ଲିୟା ? ପକେଟମେ ତୋ ଥା ।’’

 

ବର୍ତ୍ତମାନ ପ୍ଳେନ୍‌ର ପ୍ରତ୍ୟେକ ଯାତ୍ରୀ ଲୋକଟିକୁ ଦେଖିବାକୁ ଲାଗିଲେ । ଲୋକଟି ତା’ ପାସ୍‌ପୋର୍ଟ ବହି ଖୋଜି ପାଉନାହିଁ । ପୋଲିସ ଅଫିସର୍‌ ଜଣକ ଗମ୍ଭୀର ହୋଇଯାଇ କହିଲେ–‘‘ଆପଣ ତେବେ ମୋ ସାଙ୍ଗରେ ତଳକୁ ଓହ୍ଳାଇ ଆସନ୍ତୁ ।’’

 

ଲୋକଟି ପ୍ରଥମେ ଖୁବ୍‌ ଆପତ୍ତି କଲା । ତା’ର ଖୁବ୍‌ ଜରୁରୀ କାମ ଅଛି । ଯେ କୌଣସିମତେ ତାକୁ ଯିବାକୁ ହିଁ ପଡ଼ିବ । ପାସପୋର୍ଟ ତ ତା’ ପାଖରେ ଥିଲା । କେମିତି କୁଆଡ଼େ ଯେ ଉଭାନ ହୋଇଗଲା କିଛି ଜାଣି ହେଉନାହିଁ ।

 

ପୋଲିସ ଅଫିସର୍‌ ଜଣକ ଆଉ କିଛି ଶୁଣିଲେ ନାହିଁ । ଲୋକଟିକୁ ଧରି ଓହ୍ଳାଇ ପଡ଼ିଲେ ତଳକୁ ।

 

ସନ୍ତୁ ଫିସ୍‌ ଫିସ୍ କରି ପଚାରିଲା—‘‘ଦାଦା ! ପୋଲିସ୍‌ ଲୋକଟାକୁ ଧରି ନେଇଗଲା କାହିଁକି ?’’

 

‘‘ପାସ୍‌ପୋର୍ଟ ଖୋଜି ପାଇଲେ ଛାଡ଼ିଦେବ ।’’

 

‘‘ଯଦି ନ ମିଳେ?’’

 

ତାହାହେଲେ ଯିବାକୁ ଦେବେ ନାହିଁ । ଏଇ ଦେଖେ—ଦାଦା ଆଙ୍ଗୁଠିରେ ଖବର କାଗଜର ଗୋଟିଏ ସ୍ଥାନକୁ ଦେଖାଇ ଦେଲେ । ସେଇଠି ଲେଖା ଯାଇଥାଏ ‘ପାସପୋର୍ଟ ଚୋରୀ’ । କଲିକତାର ବିଭିନ୍ନ ସ୍ଥାନରେ ଆଜି କାଲି ପାସ୍‌ପୋର୍ଟ ସବୁ ଚୋରୀ ହେବାରେ ଲାଗିଛି । ପୋଲିସିର ଦୃଢ଼ ଧାରଣା ଯେ, କୌଣସି ଏକ ଅସାମାଜିକ ଦଳ ଏକ ବିଶେଷ ଉଦ୍ଦେଶ୍ୟ ନେଇ ଏ ସବୁ ଚୋରୀ କରୁଛନ୍ତି । ....ଇତ୍ୟାଦି......ଇତ୍ୟାଦି ।

 

ସନ୍ତୁ ଭାବିଲା ଆରେ ବାବା । ପାସପୋର୍ଟ ଜିନିଷଟା ତାହାହେଲେ ଏତେ ଦାମିକା ? ହଜାଇ ଦେଲେ ତାକୁ ମଧ୍ୟ ପ୍ଳେନ୍‌ରୁ ଓହ୍ଳାଇ ଦେବେ । ସଙ୍ଗେ ସଙ୍ଗେ ପକେଟରେ ହାତ ମାରି ତା’ ପାସପୋର୍ଟ ଅଛି କି ନାହିଁ ଦେଖିନେଲା ।

 

ସେଦିନ ତାହାହେଲେ ସେ ଯେଉଁ ଭିକାରୀ ପିଲାଟା ପାସପୋର୍ଟ ନେଇଯିବା ପାଇଁ ଧରିଥିଲା, ତେବେ କ’ଣ ସେ ଚୋରୀ କରିବା ପାଇଁ ଚେଷ୍ଟା କରୁଥିଲା । ସାହେବଟା ଜାଣିଶୁଣି ତାକୁ ଧକ୍‌କାମାରିଲା ବା କାହିଁକି ? ସମସ୍ତେ କହନ୍ତି ସାହେବମାନେ କେବେହେଲେ ଅଭଦ୍ର ନୁହନ୍ତି । ହଠାତ୍‌ ଧକ୍‌କା ଲାଗିଗଲେ ‘‘ସରି’’ କହି ସେମାନେ କ୍ଷମା ମାଗି ନିଅନ୍ତି । କିନ୍ତୁ ସେ ସାହେବଟା ତ କାହିଁ ତା’ଠୁ କ୍ଷମା ମାଗି ନ ଥିଲା ।

 

ସନ୍ତୁ ଦାଦାଙ୍କ ମୁହଁଟାକୁ ଅନେକକ୍ଷଣ ଚାହିଁ ରହିଲା । ଦାଦା ପୁଣି ଖବର କାଗଜ ପଢ଼ାପଢ଼ିରେ ମନ ଦେଇଛନ୍ତି । ସବୁ ସିଟ୍‌ର ପଛପାଖ ମୁଣିରେ ବିଭିନ୍ନ ପ୍ରକାରର ମାଗାଜିନ୍‌, ଖବରକାଗଜ ପ୍ରଭୃତି ରଖାଯାଇଥାଏ ।

 

ଟିକିଏ ପରେ ପ୍ଳେନ୍‌ର ଦରଜାଟା ବନ୍ଦ ହେଲା । ଆଉ ପରେ ପରେ ଗଁ ଗଁ ହେଇ ଶବ୍ଦ କଲା ଇଞ୍ଜିନ୍‌ଟା । ନରିନ୍ଦ୍ର ପାଲ ସିଂ କିନ୍ତୁ ଆଉ ଫେରି ଆସିଲା ନାହିଁ । ଲୋକଟା ପାଇଁ ସନ୍ତୁର ଭାରି ଦୁଃଖ ହେଲା । ଇଶ୍‌ କି ଦୁର୍ଭାଗ୍ୟ ! ପ୍ଳେନ୍‌ର ଟିକଟ କାଟି ମଧ୍ୟ ଲୋକଟା ଯାଇ ପାରିଲା ନାହିଁ-

 

ଏଥର ପ୍ଳେନ୍‌ଟା ମାଟି ଉପର ଦେଇ ଦୌଡ଼ିବାକୁ ଲାଗିଲା । ପ୍ରଥମେ ଧୀରେ ଧୀରେ ଓ ପରେ ପରେ ଖୁବ୍‌ ଜୋର୍‌ରେ । ଦୌଡ଼ୁଛି ତ ଦୌଡ଼ୁଛି । କେତେବେଳେ ଯେ ପ୍ଳେନ୍‌ଟା ଭୂଇଁ ଛାଡ଼ି ଆକାଶ ଛୁଇଁଲା ସନ୍ତୁ ତା’ର ଟେର ମଧ୍ୟ ପାଇ ପାରିଲା ନାହିଁ । ଅଣ୍ଟାରେ ବାନ୍ଧିଥିବା ବେଲ୍‌ଟଟା ମଧ୍ୟ କୌଣସି ଅଡ଼ୁଆ ତଡ଼ୁଆ ଲାଗିଲା ନାହିଁ ।

 

ହଠାତ୍‌ ଦେଖିଲା ତଳେ ଚାଲୁଥିବା ମଣିଷ ଗୁଡ଼ାକ ଛୋଟ ଛୋଟ ହେଇ ଯାଉଛନ୍ତି । ଏୟାରପୋର୍ଟ ଆଉ ନାହିଁ । ତା’ ବଦଳରେ ଦେଖାଯାଉଛି କେତେ ଗଛ, ବୃକ୍ଷ, ଗୋରୁ, ଗାଈ ଗୋଠ ଓ ସରୁ ସରୁ ରାସ୍ତା ଉପର ଦେଇ ମେତେ ଗାଡ଼ି ଯିବା ଆସିବା କରୁଛି । ଗାଡ଼ି ଗୁଡ଼ାକ ଦେଖାଯାଉଛି ଠିକ୍‌ ଖେଳନା ଗାଡ଼ି ଭଳି । ଗୋରୁ ଗୁଡ଼ାକ ତ ଯେମିତି ମାଟି ତିଆରି କଣ୍ଢେଇ । ଉପରୁ ନଦୀଟା ଧଳା ରିବନ୍‌ ଫିତା ପରି ଦେଖା ଯାଉଥାଏ । ତା’ପରେ ଆଉ କିଛି ଦେଖାଗଲା ନାହିଁ । ଆଗକୁ ଦୃଷ୍ଟି ପଡ଼ିଯିବାକ୍ଷଣି ଦେଖାଗଲା ଏକ କଳା ପାହାଡ଼ ଆଗରେ ଠିଆ ହୋଇଛି । ପ୍ଳେନ୍‌ଟା ସିଧା ତା’ରି ଆଡ଼କୁ ଦୌଡ଼ୁଛି । କଲିକତା ନିକଟରେ ଏଡ଼େ ବଡ଼ ପାହାଡ଼ ବା ଆସିଲା କୁଆଡ଼ୁ ? ସନ୍ତୁ ଭଲକରି ଦେଖି ବୁଝି ପାରିଲା, ସେଇଟା ପାହାଡ଼ ନୁହେଁ, ମେଘଟାଏ । କି ଭୟଙ୍କର ସତେ ଏ ମେଘର ରୂପଟା ।

 

ଦାଦା ଏଣେ ପ୍ଳେନ୍‌ ଭିତରେ ଘୁମାଇବାରେ ଲାଗିଛନ୍ତି । ଖୁବ୍‌ ଭୋର୍‌ରୁ ଉଠିଛନ୍ତି ତ । କିନ୍ତୁ ବାହାରେ ଏ ଯେଉଁ ଚମତ୍କାର ଦୃଶ୍ୟ ସବୁ ନ ଦେଖି କେବେ କିଏ ଘୁମେଇ ପାରେ ? ହାଲୁକା ହାଲୁକା ମେଘ ଗୁଡ଼ାକ ଭାସି ଭାସି ଯାଉଛନ୍ତି ପ୍ଳେନ୍‌ ପାଖ ଦେଇ । ଗୋଟିଏ ଗୋଟିଏ ମେଘ ଏଭଳି ଦେଖାଯାଉଥାଏ ଯେ, ଦେଖିଲେ ମନେ ହେବ ସତେ ଅବା ଧଳା ରଙ୍ଗର ଗୋଟିଏ ଦୁର୍ଗ ଠିଆ ହୋଇଛି ଆଗରେ । ଆଉ କେଉଁ ମେଘ ଗୁଡ଼ାକ ମନେ ହେଉଥାଏ ଜଙ୍ଗଲ ପରି ।

 

ଏତେ ସମୟ ଧରି ଇଞ୍ଜିନ୍‌ ପାଖରେ ଦୁଇଟି ଲାଲ୍‌ ଆଲୁଅର ଲେଖା ଝୁଲୁଥିଲା । ‘‘ଧୂମପାନ କରନ୍ତୁ ନାହିଁ’’, ‘‘ସିଟ୍‌ ବେଲ୍‌ଟ ବାନ୍ଧି ରଖନ୍ତୁ’’ । ଏବେ ସେ ଆଲୁଅଟା ଲିଭି ଗଲାଣି । ମାଇକ୍ରୋଫୋନ୍‌ରେ ଜଣେ ସ୍ତ୍ରୀ ଲୋକର କଣ୍ଠସ୍ୱର ଶୁଣାଗଲା । ‘‘ନମସ୍କାର । ବିମାନର କ୍ୟାପ୍‌ଟେନ୍‌ ଦିଲ୍ଲୀପ୍‌ କୁମାର ଦତ୍ତ ଓ ଅନ୍ୟ କର୍ମଚାରୀମାନଙ୍କ ତରଫରୁ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ । ଆମେ ତିନିଘଣ୍ଟା ଦଶ ମିନିଟ୍‌ ଭିତରେ ରେଙ୍ଗୁନ୍‌ରେ ପହଞ୍ଚିଯିବା । ବର୍ତ୍ତମାନ ଆପଣଙ୍କର ସିଟ୍‌ ବେଲ୍‌ଟ ଗୁଡ଼ିକ ଇଚ୍ଛାକଲେ ଖୋଲି ଦେଇ ପାରନ୍ତି ।’’

 

ରେଙ୍କୁନ୍‌ । ସନ୍ତୁର ଛାତି ଭିତରଟା ଧପ୍‌ ଧପ୍‌ କରିବାକୁ ଲାଗିଲା । ତେବେ ସେମାନେ ରେଙ୍ଗୁନ୍‌ ଯାଉଛନ୍ତି । ରେଙ୍ଗୁନ୍‌ମାନେ ବର୍ମାଦେଶ । ସେଠିତ ଖାଲି ରହିଛି ପାଗୋଡା । ଆଉ କି କି ଜିନିଷ ସେଠାରେ ଅଛି ଦେଖିବା ପାଇଁ ।

 

ଘୋଷଣାଟି ପରେ ପରେ ଦାଦା ଆଖି ଖୋଲିଲେ ଓ ସିଗାରେଟରେ ନିଆଁ ଧରେଇଲେ-। ସନ୍ତୁ ଏତିକିବେଳେ ପଚାରିଲା—‘‘ଦାଦା, ଆମ ରେଙ୍ଗୁନ୍‌ ଯାଉଛେ ?’’

 

‘‘ନା ।’’

 

କି ଆଶ୍ଚର୍ଯ୍ୟ କଥା । ସନ୍ତୁ ନିଜ କାନରେ ଶୁଣିଛି । ପ୍ଳେନ୍‌ ରେଙ୍ଗୁନ୍‌ ଯିବ ଅଥଚ ଦାଦା କହୁଛନ୍ତି ‘ନା’ । ତେବେ ଏହାର ମାନେଟା କ’ଣ ।

 

ଏହାପରେ ଏୟାର ହୋଷ୍ଟେସ୍‌ ଜଣକ ଗୋଟିଏ ଟ୍ରେରେ କିଛି ଲଜେନ୍‌ସ ସମସ୍ତଙ୍କୁ ଦେଖାଗଲା । ତା’ପରେ ପରେ ନେଇ ଆସିଲା ଚା ଓ କଫି ।

 

ଦାଦା କହିଲେ—‘‘ଏଠି ଚା ଭଲ ହୁଏନି । ତେଣୁ କଫି ଖା ।’’ ସନ୍ତୁର କାନ ପାଖକୁ ମୁହଁଟା ଆଣି ଦାଦା ପୁଣି କହିଲେ......‘‘ଯଦି ବାଥ୍‌ରୁମ୍‌ ଯିବାକୁ ଇଚ୍ଛାକରୁ ତେବେ କହିବୁ । ଲାଜ କରିବୁ ନି । ପ୍ଳେନ୍‌ର ପଛପଟେ ବାଥ୍‌ରୁମ୍‌ ଅଛି ।’’

 

ବର୍ତ୍ତମାନ ବାହାରେ ଦେଖିବା ଭଳି କିଛି ଦୃଶ୍ୟ ନାହିଁ । ଯୁଆଡ଼େ ଦେଖ ଖାଲି ମେଘ ଦେଖାଯାଉଛି । ତେଣୁ ସନ୍ତୁ ଠିଆହୋଇ ପଡ଼ି କହିଲା—‘‘ଦାଦା, ତାହା ହେଲେ ମୁଁ ଟିକିଏ ଯିବି ।’’

 

ଦାଦା କହିଲେ—‘‘ମନକୁ ମନ ଯାଇ ପାରିବୁ ତ ?’’

 

‘‘ହଁ ।’’

 

‘‘ଏଇ ଦେଖ । ଟଏଲଟ୍‌ ଲେଖା ହେଇଛି । ସିଧା ତା’ ଭିତରକୁ ଚାଲିଯା ।’’

 

ଏତେ ଉଚ୍ଚରେ ପ୍ଳେନ୍‍ଟା ଉଡ଼ୁଛି ହେଲେ ଭିତରେ ଆଦୌ ବାରି ହେଉନାହିଁ । ଭିତରଟା ଜଣା ପଡ଼ୁଛି ଏକଦମ ସ୍ଥିର । ଭିତରେ ଚାଲବୁଲ କଲେ ବି ଗୋଡ଼ ଏପଟ ସେପଟ ହେଇ ଯାଉନାହିଁ ।

 

ସନ୍ତୁ ଚାଲି ଚାଲି ପ୍ଳେନ୍‌ର ଲାଞ୍ଜପଟକୁ ଚାଲିଗଲା । ତା’ ପରେ ଟଏଲଟ୍‌ ରୁମ୍‌ର ଦରଜାଟା ଖୋଲିବ କି ନାହିଁ ଭାବୁଛି, ଏତିକିବେଳେ ତା’ର ନଜର ପଡ଼ିଗଲା ପାଖ ସିଟ୍‌ ଉପରେ । ଦେଖିଦେବା ପରେ ପରେ ତା’ ଦେହଟା ଝିମ୍‌ ଝିମ୍‌ ହେଇଗଲା । ମୁହଁଟା କଳା କାଠ ପଡ଼ିଗଲା ।

 

ଏକବାର ଶେଷ ସିଟ୍‌ ଦୁଇଟାରେ ବସିଥିଲେ ଦୁଇଜଣ ସାହେବ, ସନ୍ତୁ ସେମାନଙ୍କୁ ଚିହ୍ନି ପାରିଲା । ତାଙ୍କୁ ଭିତରେ ଥିଲା ସେ ଦିନର ପରିଚିତ ସାହେବଟି, ଯେ କି ପାସ୍‌ପୋର୍ଟ ଅଫିସ ଆଗରେ ସନ୍ତୁକୁ ଧକ୍‌କା ମାରି ଚାଲି ଯାଇଥିଲା । ସନ୍ତୁ ଦାଦାଙ୍କ ପାଖକୁ ଗୋଟିଏ କଥା ଶିଖିଛି—ଥରେ କାହାକୁ ଦେଖିନେଲେ, ତା’ ମୁହଁଟାକୁ ମନେ ରଖିବାର ଚେଷ୍ଟା । ସନ୍ତୁ ଠିକ୍‌ ମନେ ରଖି ପାରିଛି, ଏ ସେଇ ସାହେବ ।

 

ସାହେବ ଜଣକ ଆଜି କିନ୍ତୁ ଅଲଗା ଜାମାପଟା ପିନ୍ଧିଛି । କେବଳ ଖଣ୍ଡିଏ ହାପ୍‌ ପ୍ୟାଣ୍ଟ ଓ ଖଣ୍ଡେ ହାପ୍‌ ସାର୍ଟ । ଚାରି ପାଞ୍ଚଦିନ ହେଲା ଦାଢ଼ି କାଟିନାହିଁ । ଦେଖିଲେ ମନେହେବ ଖୁବ୍‌ ସାଧାସିଧା ଲୋକଟିଏ । କିନ୍ତୁ ସେଦିନ କୋଟ୍‌ ପିନ୍ଧି ସାହେବ ଭଳି ଦେଖା ଯାଉଥିଲା । ନିଶ୍ଚୟ ଛଦ୍ମବେଶ ଧରିଛି । ପାଖର ସାହେବ ଜଣକ ବି ପିନ୍ଧିଛି ଏକା ଧରଣର ପୋଷାକ । ଦୁଇଜଣ ଯାକ ଖୁବ୍‌ ମନଯୋଗ ସହ ଫିସ୍‌ ଫିସ୍‌ କରି କଥାବାର୍ତ୍ତା ହେଉଛନ୍ତି । ସନ୍ତୁକୁ ସେମାନଙ୍କର ନଜର ନାହିଁ ।

 

ସନ୍ତୁ ବାଥରୁମ୍‌ ଭିତରୁ ପଶି ଅଳ୍ପ ସମୟ ପରେ ଫେରିଆସିଲା । ସେଠି ଦେଖିବା ଭଳି କୌଣସି କୌତୁଳ ଜିନିଷ ନାହିଁ । ବାଥରୁମ୍‌ଟା ଖୁବ୍‌ ଛୋଟ ।

 

ଧୀରେ ଧୀରେ ନିଜ ସିଟ୍‌ ପାଖକୁ ଫେରିଆସି ମୁହଁକୁ ତଳକୁ କରି ଫିସ୍‌ ଫିସ୍‌ କରି ଦାଦାଙ୍କୁ କହିଲା— ‘‘ଦାଦା, ସେ ସାହେବ ଦିଟା’’...

 

‘‘କେଉଁ ସାହେବ?’’

 

‘‘ସେଇ ଯେ, ସେ ଦିନ ପାସ୍‌ପୋର୍ଟ ଅଫିସ ସାମନାରେ ଯାଉଁ...’’ ସନ୍ତୁ ପଛକୁ ବୁଲିପଡ଼ି ସହେବ ଦିଟାଙ୍କୁ ଦେଖିବାକୁ ଲାଗିଲା ।

 

ଦାଦା ଧମକ ଦେଇ କହିଲେ—‘‘ସେ ଆଡ଼େ ଅନାନା । ତୋତେ ସେମାନେ ଚିହ୍ନି ପାରିଛନ୍ତି କି ?’’

 

‘‘ନା । ମୋତେ ସେମାନେ ଦେଖି ପାରିନାହାନ୍ତି ।’’

 

ଦାଦା ଏକ ଦୀର୍ଘଶ୍ୱାସ ପକାଇ କହିଲେ—‘‘ମୋତେ କିନ୍ତୁ ସେମାନେ ବେଶ୍‌ ଚିହ୍ନି ପାରିବେ ।’’

 

କଥାଟା ନିରାଟ ସତକଥା ଦାଦାଙ୍କର ଗୋଟେ ଗୋଡ଼ ନାହିଁ । କ୍ରାଚରେ ଭରା ଦେଇ ଚାଲିବାକୁ ହୁଏ । ଏଭଳି ଲୋକଙ୍କୁ ଥରେ ଦେଖିଦେଲେ ସହଜରେ ମନେ ରହିଯାଏ । କିନ୍ତୁ ସନ୍ତୁ ପରି ଛୋଟ ପିଲାଟିକୁ କେହି ମନେ ରଖି ନ ପାରନ୍ତି ।

 

ପ୍ଳେନ୍‌ର ଗତି କମି ଆସିଲାଣି । ଆଉଥରେ ବେଲ୍‌ଟ ବାନ୍ଧିବାକୁ ପଡ଼ିବ । ରେଙ୍ଗୁନ୍‍ ଆସିଗଲାଣି ବୋଧହୁଏ । ସନ୍ତୁ ତଳକୁ ଚାହିଁ ଦେଖିଲା, ସହରଟା ଗୋଟିଏ ଛବି ଭଳି ଦେଖାଯାଉଛି-। ଏପରିକି ପାଗୋଡ଼ାର ଶୀର୍ଷଭାଗଟା ମଧ୍ୟ ସ୍ପଷ୍ଟ ଦେଖି ହେଉଛି ।

 

ରେଙ୍ଗୁନ୍‌ ଭିତରକୁ ବୁଲିଯିବା ପାଇଁ ସମୟ ହେଲାନି । ପ୍ଳେନ୍‍ ଏଠାରୁ ତେଲ ନେବ । ଏଥିପାଇଁ କେବଳ ଏୟାର ପୋର୍ଟରେ ଅଧଘଣ୍ଟାଏ ବିଶ୍ରାମ । ଏତେ କମ୍‌ ସମୟ ଭିତରେ ସହରଟା ସମ୍ପୂର୍ଣ୍ଣ ଦେଖି ଫେରିଆସି ହେବ ନାହିଁ ।

 

ସମସ୍ତ ଯାତ୍ରୀ ଓହ୍ଲାଇ ବଡ଼ି ଏୟାର ପୋର୍ଟ ଲଜ୍‌ରେ ଏପଟ ସେପଟ ଘୂରିବାକୁ ଲାଗିଲେ । ଦାଦା ସନ୍ତୁକୁ ଗୋଟିଏ ସୋଫା ଦେଖାଇ ଦେଇ କହିଲେ—‘‘ଏଇଠି ବସିଥା, କୁଆଡ଼େ ଚାଲି ଯିବୁନି ।’’

 

ଖଣ୍ଡେ ଦୂରରେ ସେ ସାହେବ ଦିଜଣ କ’ଣ କଥାବାର୍ତ୍ତା ହେଉଥାନ୍ତି । ଦାଦା ତାଙ୍କରି ପାଖଦେଇ କ୍ରାଚରେ ଠକ୍‌ ଠକ୍‌ କରି ଚାଲି ଯାଉଥିଲା ବେଳେ ପୁଣି କ’ଣ ଭାବି ହଠାତ୍‌ ଠିଆ ହୋଇ ସାହେବ ଦିଟାକୁ ନିରେଖି ଦେଖିବାକୁ ଲାଗିଲେ । ହାତ ଘଣ୍ଟାଟାକୁ ଦେଖି ସେମାନଙ୍କୁ ପଚାରିଲେ—‘‘ମୋ ଘଣ୍ଟାଟା ଠିକ୍‌ ଚାଲୁନି । ଆପଣଙ୍କ ଘଣ୍ଟାରେ କେତେଟା ବାଜିଛି କି ?’’

 

ସାହେବ ଦିଟା ମୁହଁକୁ ବିକୃତ କରି ଦାଦାଙ୍କୁ ଚାହିଁଲେ । ତାଙ୍କ ଭିତରୁ ଜଣେ ଘଣ୍ଟା ଦେଖି ସମୟ କହିଦେଲା ।

 

ଦାଦାଙ୍କର ଏଭଳି ସାହସ ଦେଖି ସନ୍ତୁ ଏକାବେଳକେ ଅବାକ୍‌ । ଦାଦା ନିଜେ ସେମାନଙ୍କ ପାଖକୁ ଯାଇ କଥା ଆରମ୍ଭ କଲେ । ସାହେବ ଦିଜଣ ଯେ ଭଲ ଲୋକ ନୁହନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ନ ହେଲେ, ଚାରି ପାଞ୍ଚ ଦିନର ଦାଢ଼ି ନ କାଟି କିଏ କେବେ ପ୍ଳେନ୍‌ରେ ବୁଲି ଯାଇପାରେ ?

 

କିଛି ସମୟ ପରେ ଦାଦା ଫେରି ଆସିଲେ । ଏଥର ପୁଣି ଏରୋପ୍ଳେନ୍‍ ଚଢ଼ିବାକୁ ହେବ-

 

ପୁଣି ଆଉଥରେ ବେଲ୍‌ଟ ବନ୍ଧା ଏବଂ ବାହାରକୁ ଚାହିଁ ରଖି ଅପେକ୍ଷା କରିବାର ଉତ୍କଣ୍ଠା-। ଏଥରକ ପ୍ଳେନ୍‍ କିନ୍ତୁ ଶୀଘ୍ର ଛାଡ଼ିଲା । ମାଇକ୍ରୋଫୋନ୍‌ରେ ସ୍ତ୍ରୀ ଲୋକଟି ଘୋଷଣା କଲା–ନମସ୍କାର । ଆଉ ଦୁଇ ଘଣ୍ଟା ଦଶ ମିନିଟ୍ ବାଦେ ପ୍ଳେନ୍‌ ପୋର୍ଟ ବ୍ଳେୟାରରେ ପହଞ୍ଚିବ । ବାଟରେ ଯଦି ଝଡ଼ ବତାସର କୌଣସି ସୂଚନା ନ ମିଳେ ଡେରି ହେବାର କୌଣସି କାରଣ ନାହିଁ ।

 

ପୋର୍ଟ ବ୍ଳେୟାର ।

 

ପୋର୍ଟ ବ୍ଳେୟାର ଯାଗାଟା କେଉଁଠି ? ସିଙ୍ଗାପୁରରେ ନା ଜାପାନରେ ? ନାଁ’ଟା ତ କିମିତିକା ଚିହ୍ନାଚିହ୍ନା ଜଣାପଡ଼ୁଛି ।

 

‘‘ଦାଦା, ପୋର୍ଟବ୍ଳେୟାର କେଉଁଠି ?’’

 

‘‘ଆଣ୍ଡାମାନରେ ।’’

 

ତା’ ପରେ ଟିକିଏ ରହିଯାଇ କହିଲେ—‘‘ଆମେ ସେଇଠି ଓହ୍ଲେଇ ଯିବା ।’’

 

ସନ୍ତୁର ଛାତିଟା ହଠାତ୍‌ ବନ୍ଦ ହୋଇଗଲା ଯେମିତି । ଏତେ କଳ୍ପନା ଜଳ୍ପନା ଯାଇ ଶେଷରେ ଆଣ୍ଡାମାନରେ ? ଏଇଟା ତ ଡକାୟତମାନଙ୍କ ଯାଗା । ଖାଲି ଚୋର, ଡକାୟତ ଓ କୟେଦୀମାନେ ହିଁ ରହିଥାନ୍ତି । ସେଇଠିକି ଯିବା ମାନେ କ’ଣ ?

 

ସନ୍ତୁର ତଳକୁ ଚାହିଁ ଦେଖିଲା, ଗାଢ଼ ନୀଳ ରଙ୍ଗର ସମୁଦ୍ର । ଯେତେଦୂର ଆଖି ପାଉଛି ସେ ପର୍ଯ୍ୟନ୍ତ ଖାଲି ଯାଉଛି ସମୁଦ୍ର । ମଝିରେ ମଝିରେ ପାଣି ଉପରେ ସୂର୍ଯ୍ୟ କିରଣ ପଡ଼ି ଚିକ୍‌ ଚିକ୍‌ କରି ଆଖି ଝଲସେଇ ଦେଉଛି ।

 

ଆଣ୍ଡାମାନ ତ ଭାରତବର୍ଷ ଭିତରେ । ତେବେ ସେଠାକୁ ଯିବା ପାଇଁ ପାସପୋର୍ଟ ପ୍ରଭୃତିର ଏତେ ଝାମେଲା କାହିଁକି ? ସାହେବ ଦୁଇଜଣ ବା ସେଠାକୁ ଯାଉଛନ୍ତି କାହିଁକି ? କ’ଣ ସବୁ ଅଛି ସେଠାରେ ?

 

ଆଣ୍ଡାମାନ ନାମଟା ଶୁଣିବା ମାତ୍ରକେ ସନ୍ତୁ ଭାବିଥିଲା ଯେ, ଗୋଟିଏ ଲମ୍ବାହେଇ ଦ୍ୱୀପଟିଏ ଦେଖିବ । ଯେଉଁ ଯାଗାରେ କେବଳ ଚୋର ଡକାୟତ ରହନ୍ତି ସେ ଯାଗାଟା ତ ଆଉ ସେତେ ରମଣୀୟ ହେଇ ନ ଥିବ । ଆଗକାଳେ ଯେଉଁମାନଙ୍କୁ ବନ୍ଦୀକରି ଆଣ୍ଡାମାନକୁ ପଠାଇ ଦିଆ ଯାଉଥିଲା ସେମାନେ ଆଉ ଜୀବନ ଧରି ପୁଣି ଦେଶକୁ ଫେରି ପାରୁ ନଥିଲେ । ସେ ଭଳି ଏକ ସ୍ଥାନକୁ କିଏ କେବେ ବୁଲି ଆସିପାରେ ।

 

କିନ୍ତୁ ପ୍ଳେନ୍‌ଟା ଯେତେବଳେ ବୁଲି ବୁଲି ତଳକୁ ଓହ୍ଲାଇବାକୁ ଲାଗିଲା, ସେତେବେଳେ ଝରକା ଦେଇ ସନ୍ତୁ ଯାହା ଦେଖିଲା ଅବାକ୍‌ ହୋଇଗଲା । ଛବି ବହି ଏଭଳି ରମଣୀୟ ଦୃଶ୍ୟ ଆଉ କେଉଁଠି ଦେଖିନାହିଁ ।

 

ପୁରୀ ଓ ଦୀଘାର ସମୁଦ୍ର ସେ ଦେଖିଛି । କିମିତିକା ଗୋଳିଆ ଗୋଳିଆ ପାଣି । କିନ୍ତୁ ଏଠାରେ ପାଣି ଦେଖା ଯାଉଛି ଗାଢ଼ ନୀଳରଙ୍ଗର । ଏତେ ଗାଢ଼ ଯେ, ମନହେବ କଲମଟା ବୁଡ଼ାଇ ଅନାୟାସରେ କାଗଜ ଉପରେ କାଳି ଭଳି ଲେଖି ହେବ । ସମୁଦ୍ରର ନୀଳ ରଙ୍ଗର ଆସ୍ତରଣ ଉପରେ ଛୋଟ ଛୋଟ ଦ୍ୱୀପ ଦେଖାଯାଉଛି । ଆଣ୍ଡାମାନ ତାହାହେଲେ ଗୋଟିଏ ଦ୍ୱୀପ ନୁହେଁ । ସନ୍ତୁ ଗଣିଲା ପ୍ରାୟ ଏଗାରଟା ଦ୍ୱୀପ, କିନ୍ତୁ ପରେ ଶୁଣିବାକୁ ପାଇଲା ଏଠାରେ ଦୁଇଶହରୁ ଅଧିକ ଦ୍ୱାପ ରହିଛି । ପ୍ରତ୍ୟେକ ଦ୍ୱୀପରେ ରହିଛି । ଛୋଟ ଛୋଟ ପାହାଡ଼ । ପାହାଡ଼ଟା ଗଛଲଟାରେ ଏତେ ଘଞ୍ଚ ଯେ, ତାହା ଯେ ପୃଥିବୀ ଉପରେ ଅଛି ଭାବି ହେଉନାହିଁ । ବିରାଟ ବିରାଟ ଝଙ୍କାଳିଆ ଗଛ ପତ୍ରରେ ପରିପୂର୍ଣ୍ଣ ଦ୍ୱୀପ ଗୁଡ଼ାକ, ନୀଳ ସମୁଦ୍ର ଦେହରେ ସବୁଜ ଦ୍ୱୀପ ଭଳି ଦେଖାଯାଉଛି । ଦ୍ୱୀପର ଧାରରେ ସମୁଦ୍ର ଲହଡ଼ିଗୁଡ଼ାକ ଧକ୍‌କା ଖାଇ ଧଳା ଫେଣ ଭିତରେ ଦ୍ୱୀପ ଗୁଡ଼ାକ ବାରି ହୋଇପଡୁଛି ।

 

ଅଧିକାଂଶ ଦ୍ୱୀପରେ ଘରଦ୍ୱାର ମୋଟେ ନାହିଁ । ତା’ ପରେ ଗାଟିଏ ବଡ଼ ଦ୍ୱୀପରେ କିଛି କିଛି କୋଠାଘର ଥିବାର ଆଖିରେ ପଡ଼ିଲା । ପ୍ଳେନ୍‌ଟା ସେହି ସ୍ଥାନରେ ଓହ୍ଳାଉ ଅଛି, ତେବେ ଏ ଜାଗାଟାର ନା ପୋର୍ଟବ୍ଳେୟାର୍‌, ଗୋଟିଏ ଝଙ୍କ ଦେଇ ପ୍ଳେନ୍‌ ଭୂଇଁ ଛୁଇଁବା ମାତ୍ରକେ ଦାଦାଙ୍କ ଦେଖାଦେଖି ସନ୍ତୁ ଅଣ୍ଟାର ବେଲ୍‌ଟ ଖୋଲିଦେଲା କାନ ଦି’ଟା ଶବ୍ଦରେ ଭଁ ଭଁ କରୁଛି । ମଝିରେ ମଝିରେ ଚଟ୍‌ଚଟ୍‌ କରି କୋହଲା ପବନ ଗୁଡ଼ାକ କାନଭିତରୁ ବାହାରି ପଡ଼ୁଛି । ବାହାରର ଶବ୍ଦ ବା ଭିତରେ କଥାବାର୍ତ୍ତାର ଆବାଜ୍‍ ଖୁବ୍‌ ଧୀରେ ଧୀରେ ଶୁଣା ଯାଉଛି । ବେଶ୍‌ ମଜା ଲାଗୁଛି ସନ୍ତୁକୁ ।

 

ଅନ୍ୟ ଯାତ୍ରୀମାନେ ଓହ୍ଲାଇବା ଆରମ୍ଭ କରିବା ପରେ ପରେ ସନ୍ତୁ ଶୀଘ୍ର କବାଟପାଖକୁ ଚାଲିଗଲା । ତା’ ପରେ ସିଡ଼ିଦେଇ ତଳକୁ ଓହ୍ଳେଇଗଲା । ଦାଦା ଆସିଲେ ସମସ୍ତଙ୍କ ପଛରେ । କାରଣ ଦାଦାଙ୍କୁ କ୍ରାଚରେ ଭରାଦେଇ ଖୁବ୍‌ ଆସ୍ତେ ଆସ୍ତେ ସାବଧାନରେ ପାହାଚ ଗୁଡ଼ାକ ଓହ୍ଳାଇବାକୁ ପଡ଼େ । ସନ୍ତୁ କିନ୍ତୁ ଲାଜରା ହୋଇଗଲା । ଆଗେ ଆଗେ ପଳାଇ ନ ଆସି ତା’ର ଉଚିତ୍‌ ଥିଲା ଦାଦାଙ୍କୁ ସିଡ଼ି ଓହ୍ଳେଇବାରେ ସାହାର୍ଯ୍ୟ କରିବା । ଏକଥା ଭାବି ସନ୍ତୁ ପୁଣି ସିଡ଼ି ଚଢ଼ିବାକୁ ଆରମ୍ଭ କଲାବେଳକୁ ଦାଦା ତଳେ ପହଞ୍ଚି ସାରିଥିଲେ ।

 

ଜଣେ ମୋଟା, ଗୋଲଗାଲ ଚେହେରା ଥିବା ଲୋକ ଦାଦାଙ୍କ ନିକଟକୁ ଆଗେଇ ଆସି ହାତଟାକୁ ଧରି ପକାଇ କହିଲା—‘‘ଆପଣ ନିଶ୍ଚୟ ରାୟଚୌଧୁରୀ ହେବେ । ମୁଁ ଦାସଗୁପ୍ତ । ଆପଣଙ୍କ ପାଇଁ ଗାଡ଼ି ନେଇ ଆସିଛି ।

 

ଦାଦା ସନ୍ତୁକୁ ଦେଖାଇ ଦେଇ କହିଲେ—‘‘ଏଇଟି ହେଉଛି ମୋ ପୁତୁରା । ଆ, ନା—ସୁନନ୍ଦ ରାୟ ଚୌଧୁରୀ, ଡାକ ନା ସନ୍ତୁ ।’’

 

ଦାସଗୁପ୍ତ ନାମଧାରୀ ଲୋକଟି ସନ୍ତୁର ପିଠିରେ ହାତଟା ବୁଲାଇ ଆଣତ କହିଲେ–‘‘ବୁଲିବାକୁ ଆସିଛି ? ବେଶ୍‌ ଭଲ କଥା । ଯାଗାଟା ଖୁବ୍‌ ଭଲ ଲାଗିବ ।’’

 

ଦାଦା ଦାସଗୁପ୍ତ ବାବୁଙ୍କୁ ନିଜ ପାଖକୁ ଟାଣି ନେଇ ଖୁବ୍‌ ଧୀର କଣ୍ଠରେ କହିଲେ—‘‘ଏ ଯେଉଁ ଦୁଇଜଣ ବିଦେଶୀ ସାହେବଙ୍କୁ ଦେଖୁଛନ୍ତି, ତାଙ୍କ ଉପରେ ଟିକିଏ ନଜର ରଖିବାକୁ ପଡ଼ିବ । ଏମାନେ କେଉଁଠାକୁ ଯିବେ, କେଉଁଠି ରହିବେ ଆଉ କାହା ସହିତ ମିଶିବେ ସେ ସମସ୍ତ ଖବର ଯୋଗାଡ଼ କରିବାକୁ ହେବ ।’’

 

ଦାସଗୁପ୍ତ ବାବୁ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇ କହିଲେ—‘‘ଏ ପ୍ଳେନ୍‌ରେ ବିଦେଶୀ କେହି ଆସି ନାହାନ୍ତି ସାର୍‌, ଆମ ଆଗରୁ ଏ ସମ୍ବାଦ ପାଇ ସାରିଛୁ ।’’

 

ଦାଦା ପଚାରିଲେ—‘‘ତେବେ ଏ ଦୁହେଁ ?’’

 

‘‘ସେମାନେ ନିଶ୍ଚୟ ଏଙ୍ଗ୍ଳୋଇଣ୍ଡିଆନ ହେବେ । ଏଠି ଗୋଟିଏ ଦିଆସିଲ୍‌ କାରଖାନା ଅଛି । ସେଇଠି କେତେଜଣ ଏଙ୍ଗ୍ଳୋଇଣ୍ଡିଆନ୍‌ କାମ କରନ୍ତି । ସେମାନେ ମଝିରେ ମଝିରେ କଲିକତା ମଧ୍ୟ ଯିବା ଆସିବା କରନ୍ତି ।’’

 

‘‘ତେବେ ସେ ଯାହାହଉ, ଏମାନେ କେଉଁଠି ଯେ ରହନ୍ତି ସେ ଖବର ମୁଁ ଜାଣିବାକୁ ଚାହେଁ ।’’

 

ଦାସଗୁପ୍ତ ବାବୁ ହସିଦେଇ କହିଲେ—‘‘ଏ କଥା ଅତି ଶୀଘ୍ର ଜଣା ପଡ଼ିଯିବ ସାର୍‌ । ଏଇଟା ତ ଖୁବ୍‌ ଛୋଟ ଯାଗା । ଏଇଠି ସମସ୍ତେ ସମସ୍ତଙ୍କୁ ସଦାବେଳେ ପ୍ରାୟ ଦେଖିଥାନ୍ତି । ସେମାନେ ନିଶ୍ଚୟ ଯାଇ ଦିଆସିଲି କାରଖାନାର କ୍ୱାଟରର୍ସରେ ରହିବେ ।’’

 

ଦାଦା କେତେସମୟ ଧରି ସାହେବ ଦି’ ଜଣଙ୍କୁ ଦେଖିବାକୁ ଲାଗିଲେ । ସେ ଦୁଇଜଣ ଏପଟ କେବଳ ଘୂରୁଛନ୍ତି । ଜଣା ଯାଉଛି କାହାର ଅପେକ୍ଷାରେ ଅଛନ୍ତି । କିନ୍ତୁ ଦୁର୍ଭାଗ୍ୟକୁ ସେମାନଙ୍କୁ ଦେଖା କରିବାକୁ କେହି ଆସି ନାହାନ୍ତି । କେତେ ସମୟ ଅପେକ୍ଷା କରିବା ପରେ ସେମାନେ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ମାଲ୍‌ପତ୍ର ସହିତ ସନ୍ତୁ ଓ ଦାଦା ବାହାରେ ଥିବା ଜିପ୍‌ଗାଡ଼ିରେ ଉଠିଲେ । ଦାଦା ପଚାରି ବୁଝିଲେ—‘‘ରହିବାପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି ତ ?’’

 

ଦାସଗୁପ୍ତ ବାବୁ କହିଲେ—‘‘ହଁ ସାର୍‌ । ‘ଟୁରିଷ୍ଟ ହୋମ୍‌’ରେ ରହିବା ପାଇଁ ବୁକ୍‌ କରାଯାଇଛି । ଏଇଟା ସହରର ସବୁଠାରୁ ଭଲ ହୋଟେଲ । ଖାଇବା ପିଇବାରେ କୌଣସି ଅସୁବିଧା ହେବନାହିଁ । ବେଶ୍‌, କିଛିଦିନ ଏଠି ରହିବେ ତ ?’’

 

‘‘ଦେଖାଯାଉ’’—ଦାଦା କହିଲେ ।

 

ଉଡ଼ାଜାହାଜ ଉପରୁ ଆଦୌ ଜଣାପଡ଼ୁ ନ ଥିଲା ଯେ, ଏ ଦ୍ୱୀପଟା ଭିତରେ ଏଭଳି ଏକ ସୁନ୍ଦର ସହର ଅଛି । ବେଶ୍‌ ଚମତ୍କାର ପିଚୁ ରାସ୍ତା । ରାସ୍ତାର ଦୁଇ କଡ଼ରେ ନୂଆ ନୂଆ ଗଢ଼ି ଉଠୁଥିବା କୋଠାଘରମାନ ଠିଆ ହୋଇ ରହିଛି । ରାସ୍ତାଟି ପାହାଡ଼ିଆ ରାସ୍ତା ଭଳି ଉଚ୍ଚା ନିଚା । ରାସ୍ତାର ମଝିରେ ଫାଙ୍କ ଜାଗାମାନଙ୍କରେ ସମୁଦ୍ରଟାକୁ ସ୍ପଷ୍ଟ ଦେଖି ହେଉଛି ।

 

ଟୁରିଷ୍ଟ ହୋମ୍‌ ହୋଟେଲଟା ଗୋଟିଏ ପାହାଡ଼ ଉପରେ । ଟିକି ଜଙ୍ଗଲଟିଏ ପାର ହୋଇ ଏଠିକୁ ଆସିବାକୁ ହୁଏ । ହୋଟେଲର ସାମନାରେ ଅଛି ଫୁଲ ବଗିଚା । ପଛପାଖକୁ ଗଲେ ସମୁଦ୍ରଟା ଦେଖାଯାଉଛି । ଖୁବ୍‌ ନିକଟରେ । ସମୁଦ୍ରରେ ଲଙ୍ଗର ପକାଇ ରହିଛି ଛୋଟ ବଡ଼ କେତେ ଜାହାଜ । ଚମତ୍କାର ଯାଗା । ଯେ କୌଣସି ଦିଗକୁ ଚାହିଁଲେ ଆଖି ଫେରାଇବାକୁ ଇଚ୍ଛା ହୁଏନା । ଆଖି କିଛି ସମୟ ପାଇଁ ଅଟକି ରହିଯାଏ ।

 

ସେମାନଙ୍କ ପାଇଁ ଡବଲ ବେଡ଼୍‌ ଥିବା ଗୋଟିଏ ରୁମ୍‌ ଠିକ୍‌ କରା ଯାଇଥିଲା । ହୋଟେଲର ବେହେରା ମାଲପତ୍ର ସବୁ ଆଣି ରୁମ୍‌ରେ ରଖିଦେଇ ଗଲା । ଦାଦା ବେହେରାଟିକୁ ଟଙ୍କାଟିଏ ବକ୍‌ସିସ୍‌ ଦେବା ମାତ୍ରକେ ବେହେରା ଜଣକ ଅତି ଲାଜରା ହୋଇଯାଇ କହିଲା–‘‘ନା–ନା, ସାବ୍‌ ।’’

 

ଦାଦା କହୁଥାନ୍ତି, ‘‘ଆରେ ନିଅ । ଚା ଖାଇବା ପାଇଁ ଦେଉଛି ।’’

 

ଲୋକଟି ଆହୁରି ଶଙ୍କିଯାଇ କହିଲା—‘‘ନା ନା, ଆପ୍‌ ରଖ୍‌ ଦିଜିଏ, ସାବ୍‌ ।’’

 

ଏ ପୁଣି କି କଥା । ହୋଟେଲ ବେହେରା ସେ ପୁଣି ବକ୍‌ସିସ୍‌ ଚାହେଁନି ? ଦାଦାଗୁପ୍ତ ବାବୁଙ୍କୁ ଚାହିଁ କହିଲେ—‘‘ଟଙ୍କାଟିଏ ବୋଧହୁଏ କମ୍‌ ହୋଇଯାଇଛି । ଆହୁରି ବେଶି ଚାହୁଁଛି କି ?’’

 

ଦାସଗୁପ୍ତ ବାବୁ କହିଲେ—‘‘ସାର୍‌, ଏମାନେ ବକ୍‌ସିସ୍‌ ନିଅନ୍ତି ନାହିଁ । ଦେଖିବେନି କି ଏଠା ଲୋକମାନେ ଖୁବ୍‌ ଭଲ । ଟଙ୍କା ପଇସା ପାଇଁ ଏମାନଙ୍କର ଆଦୌ ଲୋଭ ନାହିଁ । ଖୁବ୍‌ ଶାନ୍ତି ଓ ସରଳ ଏମାନେ ।’’

 

ଲୋକଟି ଚେହେରା ଦେଖିବାକୁ କିଚିରି ମିଚିରି କଳା । ଦେଖିଲେ ମନେହୁଏ ଦକ୍ଷିଣ ଭାରତର ଲୋକ ଭଳି ଅଥଚ ହିନ୍ଦୀରେ କଥା କହୁଛି ।

 

ଦାଦା ପଚାରିଲେ—‘‘ତମ ନାଁ କ’ଣ । ବଙ୍ଗଳା ବୁଝିପାରୁଛି ?’’

 

ଲୋକଟି କହିଲା—‘‘ହଁ ସାବ୍‌ । ବୁଝିପାରେ । ମୋ ନାଁ କଡ଼କଡ଼ି ।’’

 

ସନ୍ତୁ ଫିସ୍‌କରି ହସି ଉଠିଲା—‘‘କଡ଼କଡ଼ି ଫେରେ ଗୋଟିଏ ଲୋକର ନାଁ ହୋଇପାରେ-

 

ଦାସଗୁପ୍ତ ବାବୁ କହିଲେ—‘‘ହ ସତକଥା । ଆ ନାଁ’ଟା କଡ଼କଡ଼ି । ଏଇ ଦେଖ କଡ଼କଡ଼ି, ସାହେବଙ୍କୁ ଖୁବ୍‌ ଭଲ ଖାଇବାକୁ ଦେବୁ । ଆଜି କ’ଣ କ’ଣ ସବୁ ହେଇଛି ଖାଇବାର ।’’

 

‘‘ଭାତ ଓ ମାଛ ଝୋଳ ମିଳିପାରିବ?’’ ଦାଦା ପଚାରିଲେ ।

 

ଦାସଗୁପ୍ତ କହିଲେ—‘‘ମାଛ ଯେତେ ଇଚ୍ଛା ସେତେ ପାଇ ପାରିବେ । ଏଟା ତ ମାଛର ଦ୍ୱୀପ । ଏଠାରେ ରାନ୍ଧୁଣିଆ, ବେହେରା ସମସ୍ତେ ପ୍ରାୟ କେରଳର ଲୋକ । ତେଣୁ ଆମ ଭଳି ଏମାନେ ମଧ୍ୟ ମାଛ ଝୋଳ କରନ୍ତି । ଭଲ ଭଲ ମାଛ ତ ଏଠି ମିଳିବ ତା’ ଛଡ଼ା କୁକୁଡ଼ା ବା ହରିଣ ମାଂସ ଯେଉଁଦିନ ଯେଉଁଟା ଇଚ୍ଛା ସେଇଟା ଅଡ଼ର ଦେଲେ ମିଳିବ ।’’

 

ଦାଦା କହିଲେ—‘‘ବାଃ, ତାହା ହେଲେ ତ ଖୁବ୍‌ ଚମତ୍କାର ବ୍ୟବସ୍ଥା ।’’

 

ଦାସଗୁପ୍ତ ବାବୁ ତା’ ପରେ ବିଦାୟ ନେଇ ଚାଲିଗଲେ । ପୁଣି ଯାଇ ସନ୍ଧ୍ୟାବେଳକୁ ଆସିବେ । ସନ୍ତୁ ସୁଟ୍‌କେଶରୁ ସବୁ ଲୁଗାପଟା ବାହାର କରି ରଖିଦେଲା । ଦୁଇଟି ପାଖାପାଖି ଖଟରେ ବିଛଣା ପରା ଯାଇଛି । ବେଶ୍‌ ଚଉଡ଼ା ଚଉଡ଼ା ଖଟ ।

 

ଦାଦା ଖଟ ଉପରେ ମ୍ୟାପ ଖଣ୍ଡିଏ ବିଛାଇ ଦେଇ ଖୁବ୍‌ ମନଯୋଗ ସହ ଦେଖିବାକୁ ଲାଗିଲେ । ସନ୍ତୁ ପଛପାଖ କବାଟ ଖୋଲି ବାହାରକୁ ଆସିଲା । ପଛପାଖେ ମଧ୍ୟ ଗୋଟିଏ ଛୋଟ ଫୁଲ ବଗିଚା ରହିଛି । ପାହାଡ଼ଟା ଧୀରେ ଧୀରେ ଢାଲୁ ହୋଇ ଯେଉଁଠି ଶେଷ ହୋଇଯାଇଛି ସେହିଠାରୁ ଆରମ୍ଭ ହୋଇ ଯାଇଛି ସମୁଦ୍ର । ବାଁ ପଟରେ ଅଳ୍ପ ଦୂରରେ ଆଉ ଗୋଟିଏ ଦ୍ୱୀପ । ଦ୍ୱୀପଟି ବଣ ଜଙ୍ଗଲରେ ପୂର୍ଣ୍ଣ । ସନ୍ତୁର ଇଚ୍ଛାହେଲା ଯେମିତି ହେଲେ ଥରେ ସେ ଦ୍ୱୀପଟା ବୁଲି ଆସିବ । ସନ୍ତୁ ଦ୍ୱୀପଟି ଆଡ଼କୁ ଏକ ଲୟରେ ଚାହିଁ ରହିଥାଏ । ଏତିକିବେଳେ ହଠାତ୍‌ ଶୁଣିବାକୁ ପାଇଲା ହାତୀ ରଡ଼ି, ଲାଗେ ଲାଗେ ଦୁଇଥର । ସେ ଭୟରେ ଶିତେଇ ଉଠିଲା । ଏଡ଼େ ପାଖରେ ବଣୁଆ ହାତୀ ଅଛନ୍ତି । ବାଘ, ସିଂହ ବି ଥାଇ ପାରନ୍ତି । ନିକଟରେ ଏତେ ବଡ଼ ଭୟଙ୍କର ଜଙ୍ଗଲ । ପାଖରେ ଦୂରବୀକ୍ଷଣ ଯନ୍ତ୍ରଟିଏ ଥିଲେ ସେ ହାତୀଗୁଡ଼ାକ ମଧ୍ୟ ଦେଖି ହୁଅନ୍ତା ।

 

ସନ୍ତୁ ସେଇଠି ବେଶି ସମୟ ଠିଆହୋଇ ରହି ପାରିଲା ନାହିଁ । କଥା ନାହିଁ ନାହିଁ ହଠାତ୍‌ କାହୁଁ ମାଡ଼ି ଆସିଲା ବର୍ଷା । ପ୍ରଥମେ ପ୍ରଥମେ ବରଫ ଗୁଣ୍ଡି ବର୍ଷା ଓ ପରେ ପରେ ଝରଝର ପାଣି । ସନ୍ତୁ ଦୌଡ଼ି ଦୌଡ଼ି ଚାଲି ଆସିଲା ହୋଟେଲର ରୁମ୍‌ ଭିତରକୁ ।

 

 

ଦାଦା ସେତେବେଳେ ଯାଏଁ ମ୍ୟାପଟାକୁ ଦେଖିବାକୁ ଲାଗିଛନ୍ତି । ସନ୍ତୁ ଆନନ୍ଦରେ କହି ଉଠିଲା—‘‘ଦାଦା, ଦାଦା, ସାମନା ଦ୍ୱୀପଟାରେ ହାତୀ ଅଛି ।’’

 

ଦାଦା ମୁହଁ ନ ଉଠାଇ କହିଲେ—‘‘ହଁ । ଥାଇପାରେ ।’’

 

‘‘ଥାଇପାରେ ମାନେ! ଏଇକ୍ଷଣି ହାତୀ ରଡ଼ି ମୁଁ ଶୁଣି ଆସିଛି । ନିଜ କାନ ଦୁଇଟାରେ, ଏଠି ବାଘ, ସିଂହ ହେରିକା ଅଛନ୍ତି ?’’

 

ଦାଦା ଏଥରକ ମୁହଁ ଉଠାଇଲେ—‘‘ନା, ଆଣ୍ଡାମାନରେ କୌଣସି ହିଂସ୍ର ଜନ୍ତୁ ନାହାନ୍ତି । ଏ ହାତୀଗୁଡ଼ାକ ବି ପୋଛା ହାତୀ । ବଡ଼ ବଡ଼ ଗଛ ଗୁଡ଼ାଏ କଟା ଯାଏ ତ, ସେହି କାଠଗଣ୍ଡିମାନ ବୋହି ନେବା ପାଇଁ ହାତୀ ଦରକାର ହୁଏ । ମୋର ଜଣେ ଅତି ପରିଚିତ ବନ୍ଧୁ ପଚାଶଟା ହାତୀ ଧରି ଏଠିକୁ ଆସିଥିଲେ, ମୁଁ ଜାଣେ ।’’

 

ପୋଷା ହାତୀ କଥା ଶୁଣି ସନ୍ତୁର ମନଟା ଫିକା ପଡ଼ିଗଲା । ପୋଷାହାତୀ ଆଉ ବଣୁଆ ହାତୀ ବଣରେ ଦେଖିବା ଏକା କଥା ନୁହେଁ ସେ ଯାହାହେଉ ରିନି ପାଖକୁ ଚିଠି ଲେଖିଲା ବେଳେ ବଣୁଆ ହାତୀର ଡାକ ଶୁଣିଛି ବୋଲି ଲେଖିଦେବ । ଜଙ୍ଗଲ ଭିତରେ ପୋଷା ହାତୀକୁ ବା କିଏ ଏବେ ଦେଖିଛି ଯେ ?

 

ଦାଦା କହିଲେ ସନ୍ତୁ, ସେ ଲୋକଟାକୁ କପେ ଚା ଦେବାପାଇଁ କହି ଦେ ତ ।

 

ଏଇ ଯେ ଲୋକଟାର ନାଁ’ଟା ଯେ କ’ଣ, ଟିକିଏ ଆଗରୁ କ’ଣ ତ ବୋଲି କହୁଥିଲା । ଏଇନେ ମନେ ପଡ଼ୁନାହିଁ । ଗଡ଼ାଗଡ଼ି ? ସୁଡ଼ସୁଡ଼ି ? ନା କାତକୁତ । ନା ତାହାହେଲେ ଧରାଧରି ହେବ । ମରାମରି ?

 

ବାହାର ବାରଣ୍ଡାକୁ ଆସି ସନ୍ତୁ ପାଟିକଲା—ଏଇ ଯେ, ଇୟେ, ଟିକିଏ ଶୁଣିଯା ।

 

ଭାଗ୍ୟ ଭଲ । ଲୋକଟା ହାଁ କରି ପାଟିକଲା । ଡାଇନିଂ ହଲ୍‌ ଭିତରୁ ବାହାରି ଆସି କହିଲା—କ’ଣ କହୁଛ ସାବ୍‌ ?

 

ସନ୍ତୁ ଚା ଆଣିବା ପାଇଁ ଅର୍ଡର ଦେଲା । ତଥାପି ନାଁ’ଟା ତାର ମନେ ପଡ଼ୁନି ।

 

ଆଶ୍ଚର୍ଯ୍ୟ କଥା, ଏହା ଭତରେ କେତେବେଳୁ ବର୍ଷା ବନ୍ଦ ହୋଇଗଲାଣି । ଆକାଶରେ ଖଣ୍ଡେହେଲେ ବାଦଲ ଦେଖାଯାଉନାହିଁ ।

 

ଭୋରବେଳେ ସନ୍ତୁ ଥିଲା କଲିକତାରେ । ନିଜ ଘରେ, ଆଉ ଏବେ ଦ୍ୱିପ୍ରହରବେଳକୁ ସେ ଆସି ଅଛି ଆଣ୍ଡାମାନରେ । ହଠାତ୍‌ ଭାବି ବସିଲେ ବିଶ୍ୱାସ କରି ହୁଏନା । ପ୍ରକୃତରେ ସେ ଟୁରିଷ୍ଟ ହୋମ୍‌ର ବାରଣ୍ଡାରେ ଠିଆ ହୋଇଥିଲା । କିନ୍ତୁ ଏ କଥାଟା ତାକୁ ସ୍ୱପ୍ନ ଭଳି ଲାଗୁଛି । ସନ୍ତୁ ନିଜର ହାତଟାକୁ ଚିମୁଟି ଦେଖିଲା । ନା ଏଟା ସ୍ୱପ୍ନ ନୁହେଁ, ନିରାଟ ବାସ୍ତବ । ଏବେ ସେ ଏଠି ଅଛି-

 

ଦାଦା ଗାଧୋଇବା ପାଇଁ ଯିବା ଆଗରୁ ସନ୍ତୁ ଆଗ ଚାଲିଗଲା ବାଥ୍‌ରୁମ୍‌ ଭିତରକୁ । ସେଠି ପୁଣି ଆହୁରି ଏକ ଅଜବ କଥା । ସାୱାର ଖୋଲିବାକୁ ଯାଇ ଉପରକୁ ଚାହିଁଲା । ଦେଖିଲା କାନ୍ଥ ଦେହରେ ସବୁଜ ରଙ୍ଗର ଏକ ଶକ୍ତ ଝିଟିପିଟି । ପ୍ରଥମେ ପ୍ରଥମେ ସେ ମନେ କରିଥିଲା କୌଣସି ଏକ ନୂଆ ଜୀବଟିଏ ବୋଲି । କିନ୍ତୁ ନା । ଏଇଟା ସାଧାରଣ ଝିଟିପିଟି ଭଳି ଦେଖା ଯାଉଛି, ଦେହର ରଙ୍ଗଟା ଯାହା ସାଗୁଆବର୍ଣ୍ଣ । ଝିଟିପିଟିଟା ହଲଚଲ ହେଉନାହିଁ କି କୁଆଡେ ଚାଲି ଯାଉନି, କେବଳ ତାକୁଇ ଅନେଇ ରହିଛି । ସବୁଜ ରଙ୍ଗର ଝିଟିପିଟି ଥିବା କଥା କେବେ କାହାଠୁ ସନ୍ତୁ ଶୁଣିନାହିଁ । ସେ ଏଡ଼େ ଆଶ୍ଚର୍ଯ୍ୟ ହୋଇଗଲା ଯେ, କଥାଟାକୁ ମନ ଭିତରେ ଚାପି ରଖି ପାରିଲା ନାହିଁ । ସେଇ ଓଦା ଦେହରେ, ତଉଲିଆଟିକୁ ଗୁଡ଼ାଇ ଦେଇ ବାଥ୍‌ରୁମ୍‌ ଭିତରୁ ବାହାରିଆସି ପାଟିକରି ଦାଦାକୁ କହିଲା ଦାଦା, ଦାଦା ମ, ଗୋଟିଏ ଅଦ୍ଭୁତ ଜୀବ ଦେଖିବ ଆସ ।

 

ସନ୍ତୁ କଥାଗୁଡ଼ାକ ଏଡ଼େ ତରବରରେ କହିଗଲା ଯେ, ଦାଦା ତା’ ଆସିବାକୁ ଅପେକ୍ଷା ନ କରି ଶୀଘ୍ର ଉଠି ଆସିଲେ ବାଥ୍‌ରୁମ୍‌ ପାଖକୁ । ଝିଟିପିଟିଟାକୁ ଦେଖିଦେଇ କହିଲେ—ଉଃ, ପ୍ରକୃତରେ ଦେଖିବାକୁ ଅଦ୍ଭୁତ ହୋଇଛି । ଏଠିତ ଆହୁରି ଏଭଳି କେତେ ଆଶ୍ଚର୍ଯ୍ୟଜନକ ଜିନିଷମାନ ଦେଖିବାକୁ ମିଳିବ । ଏପରି ଏଇଠି ଧଳା କୁମ୍ଭୀର ମଧ୍ୟ ଦେଖାଯାନ୍ତି ।

 

ସେଦିନ ଖାଇବା ପରେ ପରେ ଖରାବେଳଟା କେବଳ ବିଶ୍ରାମରେ କଟିଲା । ଏଇଠି ସନ୍ଧ୍ୟା ଖୁବ୍‌ ଶୀଘ୍ର ହୋଇଯାଏ । ଉପରଓଳି ହେଉ ନ ହେଉଣୁ ସନ୍ଧ୍ୟା ।

 

ଦାସଗୁପ୍ତ ବାବୁ ଯାଇଁ ଆସିଲେ ସନ୍ଧ୍ୟାବେଳକୁ । ତାଙ୍କୁ ଧରି ବଜାର ଗଲୁ । ପୋର୍ଟବ୍ଲେଆର ବେଶ୍‌ ଏକ ଆଧୁନିକ ସହର । ଫୋନ୍‌ କଲେ ଟାକ୍‌ସି ଆସି ଦୁଆରେ ହାଜର ହୋଇଟାଏ । ବଜାରରେ ସମସ୍ତ ପ୍ରକାର ଜିନିଷ କିଣିବାକୁ ମିଳେ । ଅବଶ୍ୟ ଏ ସମସ୍ତ ଜିନିଷ ସୁଦୂର ମାନ୍ଦ୍ରାଜ ଓ କଲିକତାରୁ ଆସିଥାଏ ।

 

ସହରରେ ବିଭିନ୍ନ ପ୍ରକାରର ଲୋକ ବାସ କରନ୍ତି । ବଙ୍ଗାଳୀ, ମାଡ୍ରାସୀ, କେରଳୀ, ପଞ୍ଜାବି ଓ ଏପରିକି ବିହାରୀ ଓ ବର୍ମୀ ମଧ୍ୟ ଅଛନ୍ତି । ତେବେ ବଙ୍ଗାଳୀଙ୍କ ସଂଖ୍ୟା ଟିକିଏ ବେଶୀ ଥିବାର ମନେହୁଏ । ଆଗ କାଳରେ କଏଦୀମାନଙ୍କ ବଂଶଧର ମଧ୍ୟ ଏମାନଙ୍କ ଭିତରେ ଅଛନ୍ତି । ଦାସଗୁପ୍ତ ବାବୁ କହିଲେ, ଆଶ୍ଚର୍ଯ୍ୟ କଥା—ଏଠାରେ ଚୋରୀ କିମ୍ବା ଡକାୟତ ଆଦୌ ହୁଏନି । ରାସ୍ତାର ଦୁଇକଡ଼ରେ, ମଝିରେ ମଝିରେ ବଡ଼ ବଡ଼ ବ୍ୟାରକ୍‌ମାନ ଅଛି । ଚୀନା ସ୍ତ୍ରୀ ପୁରୁଷମାନେ ସେଇଠି ରହିଛନ୍ତି । ସେମାନେ ଲମ୍ବା ଲମ୍ବା ଜାମାପଟା ପିନ୍ଧ, ବଡ଼ ବଡ଼ ଆଖିରେ ଡବ ଡବ କରି ଏମାନଙ୍କୁ ଦେଖିବାରେ ଲାଗିଥାନ୍ତି ।

 

ଦାଦା ପଚାରିଲେ—‘‘ଦାସଗୁପ୍ତ ବାବୁ, ଏମାନେ ବୋଧହଏ ତାୱାନିଜ୍‌ ।’’

 

ଦାସଗୁପ୍ତ କହିଲେ—‘‘ହଁ, ଆଜ୍ଞା ।’’

 

ସନ୍ତୁ ଠିକ୍‌ ବୁଝି ପାରିଲା ନାହିଁ । କହିଲା–‘‘ଦାଦା, ତାୱାନିଜ୍‌ ମାନେ କ’ଣ ?’’

 

ଦାଦା କହିବା ପୂର୍ବରୁ ଦାସଗୁପ୍ତ ବାବୁ କହିଲା—‘‘ତାୱାନିଜ୍‌ ବୋଲି ଚୀନ୍‌ରେ ଗୋଟିଏ ଦେଶ ଅଛି । ସେ ଦେଶ ସହିତ ଆମ ଦେଶର କୌଣସି କାରବାର ହୁଏ ନାହିଁ । ବେଳେ ବେଳେ ସେ ଦେଶରୁ ଆଠ ଦଶ ଜଣ ତାୱାନିଜ ମାଛଧର୍‌ ନୌକା ସାହାର୍ଯ୍ୟରେ ଏ ଆଡ଼କୁ ଚାଲି ଆସନ୍ତୁ । ଏଇ ବ୍ୟାରେକ୍‌ରେ ସେମାନଙ୍କୁ ଅଟକାଇ ରଖି ଦିଆଯାଏ ।’’

 

‘‘ସେମାନେ ମାଛ ଧରି ଆସନ୍ତି ବୋଲି ସେମାନଙ୍କୁ ଅଟକାଇ ଦିଆହୁଏ କାହିଁକି?’’

 

‘‘ଗୋଟାଏ ଦେଶର ନୌକା ଅନ୍ୟ ଏକ ଦେଶର ଅଞ୍ଚଳ ଭିତରକୁ ଆସିବା ନିୟମ ବିରୁଦ୍ଧ । ଏହାଛଡ଼ା, ସେମାନେ ଯେ ଖାଲି ମାଛ ଧରିବା ଉଦ୍ଦେଶ୍ୟରେ ଆସନ୍ତି ନା ଗୁପ୍ତଚର କାର୍ଯ୍ୟର ଆସନ୍ତି, ସେ କଥାଟା ମଧ୍ୟ ଆମର ଜାଣିବା ଦରକାର ।’’

 

କିନ୍ତୁ ଏମାନଙ୍କ ଘରର କବାଟ ବା ଝରକା ଯେ ନାହିଁ । ଚାରିପଟ ଖୋଲା । ଏମାନେ କେଉଁଆଡ଼େ ପୁଣି ପଳାଇ ଯାଆନ୍ତି ନାହିଁ ।’’

 

ଯିବେ କିମିତି ? ସେମାନଙ୍କର ନୌକା ଗୁଡ଼ାକ ତ ଜବତ୍‌ ହୋଇ ରଖାଯାଇଛି । ସମୁଦ୍ରରେ ତ ଆଉ କୌଣସି ଉପାୟରେ ଖସି ପଳାଇ ଯିବାର ଉପାୟ ନାହିଁ । ସେମାନଙ୍କର ଭିତରୁ ଯେ ବେଶି ଗଡ଼ଗଡ଼ କରେ ବା ଗୋଳମାଳିଆ ବୋଲି ସନ୍ଦେହ ହୁଏ ତାକୁ ହିଁ କେବଳ ଜେଲ୍‌ରେ ରଖାଯାଏ ।

 

ଦାସଗୁପ୍ତ ବାବୁ ଏଥର ଦାଦାଙ୍କ ଆଡ଼କୁ ବୁଲିପଡ଼ି କହିଲେ—ସାର୍‌, ଆପଣ ଏଠାର ଜେଲ୍‌ଟାକୁ ଦେଖିବାକୁ ଯିବେନି, ସମସ୍ତେ ପ୍ରାୟ ପ୍ରଥମେ ଏ ବିଖ୍ୟାତ ଜେଲ୍‌ଟାକୁ ଦେଖିଥାନ୍ତି । କେବେ ଯିବେ ସାର୍‌ ? କାଲି ?

 

ଦାଦା ଗମ୍ଭୀର ହେଇଯାଇ କହିଲେ—ନା । କାଲି ସକାଳେ ଆମର ପ୍ରଥମ କାମ ହେବ, ଦିଆସିଲି କାରଖାନାଟାକୁ ଦେଖିବା । ସେଠି କାହା ସହିତ ଆପଣଙ୍କ ପରିଚୟ ଅଛି ?

 

ଦାସଗୁପ୍ତ ବାବୁ କହିଲେ—ହଁ ସାର୍‌ । ଆସିଷ୍ଟାଣ୍ଡ ମ୍ୟାନେଜର ମିଃ ଭାର୍ଗବ ବାବୁଙ୍କୁ ମୁଁ ଖୁବ୍‌ ଭଲଭାବେ ଜାଣେ ।

 

କାଲି ସକାଳୁ ତାହାହେଲେ ପ୍ରଥମେ ସେଇଠିକୁ ଯିବା ।

 

ପରଦିନ ସକାଳୁ ସକାଳୁ ବାହାରି ପଡ଼ିଲୁ ଯିବା ପାଇଁ । ଦାଦାଙ୍କ ସହିତ ଚାଲି ଚାଲି ଯିବାକୁ ପଡ଼ିଲା । ସକାଳ ବେଳାଟା ଟିକିଏ ଚାଲିକରି ଗଲେ ଭଲ ଲାଗେ । ଦାଦାଙ୍କୁ ଚାଲି ଚାଲି ଯିବାକୁ କଷ୍ଟ ହେଉଥିଲେ ବି ସେ ଚାଲିବାକୁ ଖୁବ୍‌ ଭଲ ପାଆନ୍ତି । କିନ୍ତୁ ଆରାମରେ ଚାଲିକରି ଯିବାପାଇଁ ଉପାୟ କାହିଁ ? ମଝିରେ ମଝିରେ କୁଆଡ଼େ ପୁଣି ବର୍ଷା ଆସି ଯାଉଛି । ଏତିକିବେଳେ କୌଣସି ଗଛମୂଳେ ଟିକିଏ ଆଶ୍ରୟ ନେବାକୁ ହୁଏ । ଅବଶ୍ୟ ଦୁଇ ତିନି ମିନିଟ୍‌ରୁ ବେଶି ସମୟ ବର୍ଷା ହୁଏ ନାହିଁ ।

 

ବଡ଼ ରାସ୍ତାରେ ହିଁ ବାବୁଙ୍କ ସହିତ ଦେଖା ହୋଇଗଲା । ସେ ପାଖକୁ ଆସୁଥିଲେ । ଲୋକଟି ଟିକିଏ ମୋଟା ଯୋଗୁଁ ଚାଲି ଚାଲି ହାଲିଆ ହୋଇ ପଡ଼ିଥିଲେ । ସେ କହିଲେ—ଦିଆସିଲି କାରଖାନାଟା ଏଠାରୁ ଖୁବ୍‌ ଦୂର । ସେଠିକୁ ଚାଲିଚାଲି ମୋଟେ ଯାଇ ହେବ ନି । ଏଇଠି ଅପେକ୍ଷା କରନ୍ତୁ । ଏ ବାଟରେ ଗୋଟିଏ ବସ୍‌ ଯିବ ।

 

ସତକୁ ସତ ପନ୍ଦର ମିନିଟ ପରେ ଗୋଟିଏ ବସ୍‌ ଆସିଗଲା । ଭିଡ଼ ମୋଟେ ନାହିଁ । ବସ୍‌ରେ ଲେଖା ଯାଇଥାଏ—ବ୍ୟାଥମ୍‌ ଆଇଲ୍ୟାଣ୍ଡ । ତା’ ମାନେ ବସ୍‌ ଅନ୍ୟ ଏକ ଦ୍ୱୀପକୁ ଯିବ । ସମୁଦ୍ର ଉପରେ ବସ୍‌ ଚାଲେ କିପରି ?

 

ଦିଆସିଲି କାରଖାନାଟା ପୋର୍ଟବ୍ଳେୟାର ସହରର ଉପକଣ୍ଠରେ । ବନ୍ଦରର ପାଖାପଖି । ସାମନାରେ କାରଖାନାର ବଡ଼ ଗେଟ୍‌ ଓ ଡାହାଣ ପଟେ ସମୁଦ୍ର ।

 

କାରଖାନାର ମୁଖ୍ୟ ଫାଟକ ପାଖରେ କ’ଣ ଭାବି ଦାଦା ହଠାତ୍‌ କିଛି ସମୟ ଠିଆହୋଇ ରହିଲେ । —ସନ୍ତୁକୁ ସାଥିରେ ଆଣି ଭୁଲ ହୋଇଛି । ତାକୁ ହୋଟେଲରେ ଛାଡ଼ିଦେଇ ଆସିଥିଲେ ଖୁବ୍‌ ଭଲ ହୋଇଥାନ୍ତା ।

 

ସନ୍ତୁ ଚୁପ୍‌ ହୋଇ ଠିଆ ହୋଇ ରହିଥାଏ ।

 

ଦାସଗୁପ୍ତ ବାବୁ କହିଲେ— ଠିଆହୋଇ ରହିଲେ କାହିଁକି । ଭିତରକୁ ଚାଲନ୍ତୁ ନା ସାର୍‌-

 

ନା ଯେ । ଆମେ କାରଖାନା ଭିତରକୁ ଯାଇ କଥାବାର୍ତ୍ତା ହେବା ସେଠି, ସନ୍ତୁ ରହି କ’ଣ କରିବ ? ପିଲା ଲୋକ, ତାର ସେଇଠି ରହିବା ଉଠିଚ ନୁହେଁ ।

 

ତା’ ତ ସତ ।

 

ସନ୍ତୁ, ତୁ ଏଠୁ ପୁଣି ବସ୍‌ ଧରି ହୋଟେଲକୁ ଯାଇ ପାରିବୁନି ?

 

ଦାସଗୁପ୍ତ ବାବୁ ବାଧା ଦେଇ କହିଲେ—ନା, ନା ସାର୍‌ । ଦରକାର ନାହିଁ । ସେ ଏଇଠି ବୁଲାବୁଲି କରୁଥାନ୍ତୁ । ଆଣ୍ଡାମାନରେ ଭୟର କୌଣସି କାରଣ ନାହିଁ ।

 

ଭୟ କଥା ମୁଁ କହୁନି ।

 

ଦାସଗୁପ୍ତ ବାବୁ ସନ୍ତୁକୁ କହିଲେ—ଟିକିଏ ଆଗକୁ ସିଧା ଚାଲିଗଲେ, ଗୋଟିଏ ପୋଲ ଦେଖିବ । ପୋଲ ଆରପାଖଟା ହେଉଛି ବ୍ୟାଥାମ ଆଇଲାଣ୍ଡ ସେ ପାଖଟା ଥରେ ବୁଲିଆସ ଯାଅ-

 

ଦାଦା କହିଲେ—ବେଶ୍‌ ସେଇଆ କର । ସେ ଯାଗାଟା ଦେଖି ପୁଣି ଶୀଘ୍ର ଏଇଠିକୁ ଫେରି ଆସିବୁ ।

 

ସେମାନେ କାରଖାନା ଭିତରକୁ ଯିବା ପରେ ପରେ ସନ୍ତୁ ଆଗକୁ ପାଦ ବଢ଼ାଇଲା । ଟିକିଏ ଯିବାପରେ ଦେଖିଲା ବାଁ ପଟେ ସମୁଦ୍ର ଉପରେ ଗୋଟିଏ କାଠ ବ୍ରୀଜ୍‌ । ତା’ ଆରପାଖେ ଛୋଟ ଦ୍ୱୀପଟିଏ । ଅତି ବଡ଼ ହେଲେ ଗୋଟିଏ ଫୁଟବଲ ପଡ଼ିଆ ପରି ହେବ ।

 

ପୋଲ ଉପରେ ଗୋଡ଼ ଦେଉ ଦେଉ ତାକୁ କିମିତିକା କିମିତିକା ଲାଗିଲା । ସମୁଦ୍ର ଉପରେ ପୁଣି ପୋଲ । ରାମାୟଣରେ ବାନରସେନା ସମୁଦ୍ରରେ ସେତୁବନ୍ଧ ବାନ୍ଧିଥିଲେ । ସନ୍ତୁର ମନେ ପଡ଼ିଗଲା ଏ କଥାଟା । ପୋଲଟା ଛୋଟ ହେଲେ ବି ଦୁଇଟା ଦ୍ୱୀପକୁ ତ ସଂଯୋଗ କରୁଛି । ଆଉ ତା’ ତଳେ ଅଛି ସମୁଦ୍ର ।

 

ତଳକୁ ଚାହିଁଲେ ଆଖି ଫେରାଇ ଆଣିବାକୁ ଇଚ୍ଛା ହୁଏ ନାହିଁ । ସମୁଦ୍ରର ପାଣି ଘନ ନୀଳ ରଙ୍ଗର ନୁହେଁ, କାଚବୋତଲ ପରି ହାଲୁକା ସବୁଜ । ସମୁଦ୍ର ଭିତରେ ପହଁରୁଛନ୍ତି ଲକ୍ଷ ଲକ୍ଷ ମାଛ । ସବୁଗୁଡ଼ାକ ଫେରେ ରଙ୍ଗିନ୍‌ ମାଛ । ଲାଲ୍‌, ସବୁଜ, ହଳଦିଆ ମୟୂରକଣ୍ଠୀ ଏଭଳି ଅନେକ ପ୍ରକାରର । ମନେହେବ ସାରା ସମୁଦ୍ରଟା ଗୋଟିଏ ୟାଓକୋରିୟମ୍‌ । ପୋଲର କାଠ ଦେହରେ ଲାଗି ରହିଛନ୍ତି କଙ୍କଡ଼ା ଗୁଡ଼ାକ । ସେଗୁଡ଼ାକ ମଧ୍ୟ ସାଧାରଣ କଙ୍କଡ଼ା ଭଳି ନୁହଁନ୍ତି, ମାଛ ପରି ବିଭିନ୍ନ ରଙ୍ଗର ।

 

ସନ୍ତୁ ତନ୍ମୟ ହେଇ ମାଛମାନଙ୍କର ଖେଳ ଦେଖିଥିଲା । ହଠାତ୍‌ ଆସିଗଲା ବର୍ଷା । ଦୌଡ଼ି ଦୌଡ଼ି ସେ ଚାଲିଗଲା ପୋଲର ଆରପଟକୁ । ବ୍ୟାଥାମ୍‌ ଦ୍ୱୀପଟା କାଠ ଗୋଦାମରେ ଭର୍ତ୍ତି-। କୋଉଁଠି କାଠ କଟା ଚାଲିଛି ଆଉ କୋଉଁଠି କାଠ ଚିରା ଚାଲିଛି । ଦ୍ୱୀପର ଅନ୍ୟ ପଟେ ରହିଛି କେତେଗୁଡ଼ାଏ ଜାହାଜ । କେଉଁଟାର ନାଁ ଏସ୍‌. ଏସ୍‌. ହରିଆନା, ଆଉ କାହାର ନାମ ଚୁଲାଙ୍ଗା ପୁଣି ଆଉ କେଉଁଟାର ନାମ ଗଙ୍ଗା । ଜାହାଜରେ କୌଣସି ଲୋକଥିବାର ଦେଖାଗଲା ନାହିଁ-। ଟିକିଏ ଦୂରରେ ଦେଖାଯାଉଛି କେତୋଟି ମାଛଧରା ନୌକା ।

 

ସନ୍ତୁ ସବୁଠାରୁ ବଡ଼ ଜାହାଜଟା ପାଖକୁ ଚାଲିଯାଇ ଜାହାଜଟା ଉପରେ ହାତ ବୁଲାଇ ଛୁଇଁବାକୁ ଲାଗିଲା । ସେ କେବେ ଜାହାଜରେ ଚଢ଼ିନି । ସେ ନିଶ୍ଚୟ,ଥର ଜାହାଜରେ ଫେରିବ । କିନ୍ତୁ କେବେ ଫେରିବ ?

 

ହଠାତ୍‌ ସନ୍ତୁର ମନେ ପଡ଼ିଗଲା ଯେ, ସେ ଖୁବ୍‌ ଡେରି କରି ଦେଲାଣି । ଦାଦାଙ୍କ କାମ କେତେବେଳୁ ଶେଷ ହୋଇଯିବଣି । ସେମାନେ ତାକୁ ଅପେକ୍ଷା କରି ରହିଥିବେ । ସେ ଶୀଘ୍ର ଶୀଘ୍ର ଫେରିବାକୁ ଲାଗିଲା ।

 

ଦେଖିଲା ଦାଦା ଓ ଦାସଗୁସ୍ତ ବାବୁ କାରଖାନାର ଗେଟ୍‌ ଦେଇ ଏଇମାତ୍ର ବାହାରି ଆସୁଛିନ୍ତି । ଦାଦାଙ୍କ ମୁହଁଟା ଗମ୍ଭୀର ଦେଖା ଯାଉଥାଏ । କ୍ରାଚ୍‌ଟାକୁ ଖଟ୍‌ ଖଟ୍‌ କରି ଦାଦା ସିଧା ସିଧା ଚାଲିଗଲେ ସମୁଦ୍ର ନିକଟକୁ । କୂଳରେ ଛିଡ଼ା ହୋଇ ଯେତେଦୂର ଆଖି ପାଏ, ସେତେଦୂର ପର୍ଯ୍ୟନ୍ତ ଅନାଇ ରହିଲେ ।

 

ସନ୍ତୁ ଫିସ୍‌ ଫିସ୍ କରି ଦାସଗୁପ୍ତ ବାବୁଙ୍କୁ ପଚାରିଲା—ସେ ସାହେବ ଦି ଜଣଙ୍କୁ ଦେଖିଲେ ?

 

ଦାସଗୁପ୍ତ ବାବୁ ମୁଣ୍ଡ ହଲାଇ କହିଲେ—ନା ।

 

ସେମାନେ ତାହାହେଲେ ଏଠିକୁ ଆସି ନାହାନ୍ତି ?

 

ଉଁ ହୁଁ । ଗତ ଦୁଇମାସ ଭିତରେ ଏଠାରୁ କେହିହେଲେ ବାହାରକୁ ଯାଇ ନାହାନ୍ତି କି ଅନ୍ୟ ନୂଆ ଲୋକ ବି କେହି ଏଠିକୁ ଆସି ନାହାନ୍ତି । ଏ କାରଖାନାଟିରେ କେବଳ ତିନିଜଣ ଆଙ୍ଗ୍ଳୋଇଣ୍ଡିଆନ କାମ କରନ୍ତି । ସେମାନଙ୍କୁ ଦେଖିଲୁ, କିନ୍ତୁ ସେମାନେ ସମସ୍ତେ ଅଲଗା ଲୋକ ।

 

ତେବେ ସେ ସାହେବ ଗୁଡ଼ାକ କୌଣସି ହୋଟେଲରେ ରହିଥିବେ ନିଶ୍ଚୟ ।

 

ସାହେବମାନଙ୍କ ରହିବା ଭଳି ଭଲ ଆଧୁନିକ ହୋଟେଲ୍‌ ତ ଏଠି ମୋଟେ ନାହିଁ । ସେମାନେ ବିଦେଶୀ ହୋଇଥିଲେ ବଡ଼ ଅଡ଼ୁଆରେ ପଡ଼ିବେ । କୌଣସି ବିଦେଶୀ ବିନା ଅନୁମତିରେ ଏଠିକୁ ଆସିବା ନିଷିଦ୍ଧ ।

 

ଦାସଗୁପ୍ତ ବାବୁ ଦାଦାଙ୍କ ପାଖକୁ ଚାଲିଯାଇ କହିଲେ—ସାର୍‌ ! ଆପଣ ଆଉ ବେଶି ଚିନ୍ତିତ ହୁଅନ୍ତୁ ନାହିଁ । ମୁଁ ସେମାନଙ୍କୁ ଖୋଜି ନିଶ୍ଚୟ ବାହାର କରିଦେବି । ଦ୍ୱୀପଟା ଏକଦମ୍‌ ଛୋଟ ଯାଗା । ସେମାନେ ଏଇଠୁ କୁଆଡ଼େ ଖସି ପଳାଇବେ ?

 

ଦାଦା ମୁହଁରେ ଗାମ୍ଭୀର୍ଯ୍ୟ ଫୁଟାଇ କହିଲେ—ଏଠି ତ ଅନେକ ଦ୍ୱୀପ ଅଛି । ଯେ କୌଣସି ଗୋଟିକରେ ଆତ୍ମଗୋପନ କରି ରହିଯିବା ଅତ୍ୟନ୍ତ ସହଜ ।

 

କିନ୍ତୁ ଏଠିକୁ ଆସି ସେମାନେ ଲୁଚିବାକୁ ଚେଷ୍ଟା କରିବେ ବା କାହିଁକି ? କ’ଣ ସବୁ ଏଠି ଅଛି କି ?

 

ଦାଦା କିନ୍ତୁ ପାଟି ନ ଫିଟାଇ ଗୁଣୁ ଗୁଣୁ ହେବାକୁ ଲାଗିଲେ—ଅଛି—କାରଣ ନିଶ୍ଚୟ ଅଛି । ସେଇଥିପାଇଁ ତ ମୋର ଆଗମନ ଏଠିକୁ ।

 

ଏତିକିବେଳେ ବ୍ୟାଥେଲ ଦ୍ୱୀପର ପଛ ପାଖରୁ ଗୋଟିଏ ମଟର ଲଞ୍ଚ ଭଟ୍‌ ଭଟ୍‌ ଶବ୍ଦ କରି ବାହାରି ଆସିଲା । ଲଞ୍ଚଟା ଖୁବ୍‌ ଛୋଟ । ଗୋଟିଏ ହାଙ୍ଗର ମାଛ ଭଳି ଦେଖାଯାଉଥାଏ । ସମୁଦ୍ର ପାଣି ଗୁଡ଼ାକୁ କାଟି କାଟି ଖୁବ୍‌ ଜୋର୍‌ରେ ଦୂରକୁ ଦୂରକୁ ଚାଲିଗଲା । ଏତେ ଦୂରରୁ ମଧ୍ୟ ସନ୍ତୁ ଦେଖିପାରିଲା, ସେହି ଦୁଇ ସାହେବଙ୍କ ଛଡ଼ା ଅନ୍ୟ ଦୁଇଜଣ ସେ ମଟର ଲଞ୍ଚ ଉପରେ ଠିଆ ହୋଇ ରହିଥିଲେ । ଦାଦା ମଧ୍ୟ ଦେଖିଦେଇ ପାଟିଠାଏ କରି ଉଠିଲେ—ଦାସଗୁପ୍ତ ବାବୁ, ଦାସଗୁପ୍ତ ବାବୁ, ମୋଟର ଲଞ୍ଚଟାଏ ଯୋଗାଡ଼ କରି ପାରିବେନି, ଏଇକ୍ଷଣି । ଏଇ ସାଙ୍ଗେ ସାଙ୍ଗେ ।

 

ଦାସଗୁପ୍ତ ବାବୁ ଆଶ୍ଚର୍ଯ୍ୟ ହୋଇଯାଇ କହିଲେ—ମୋଟର ବୋଟ୍‌ ! ଆପଣ କ’ଣ ସେମାନଙ୍କ ପିଛା ଧରିବେ ନା କ’ଣ ?

 

ଦାଦା ବିରକ୍ତ ହୋଇଯାଇ କହିଲେ—ଆଃ, ଯୋଗାଡ଼ ହୋଇପାରିବ କି ନା କୁହ । ସେମାନେ ଲୁଚିଗଲେ ଖୋଜିବା କଷ୍ଟକର ହୋଇପଡ଼ିବ । ଏଇ ତ ବ୍ରୀଜ୍‌ ତଳେ ରହିଛି ଗୋଟିଏ ମଟର ଲଞ୍ଚ୍‌ । ସେଇଟାକୁ ନେଇ ହେବନି ?

 

ତାହାହେଲେ ତ ଅନେକ ଡେରି ହୋଇଯିବ ସାର୍‌ ।

 

ଦାଦା ହତାଶିଆ ଆଖିରେ ସମୁଦ୍ରକୁ ଦେଖିବାକୁ ଲାଗିଲେ । ମୋଟର ଲାଞ୍ଚଟା କ୍ରମଶଃ ଅଦୃଶ୍ୟ ହୋଇଯାଇଛି । ମୋଟରଟା ଅନ୍ୟ ଗୋଟିଏ ଦ୍ୱୀପ ଆଡ଼କୁ ମୁହାଁଇ ଚାଲିଯିବାରୁ ଆଉ ଦେଖାଗଲା ନାହିଁ ।

 

ଦାଦା ନିଜ ବାଁ ହାତଟାରେ ଡାହାଣ ହାତଟାକୁ ଘୁଷି ମାରି ମାରି କହିଲେ—ସେମାନେ ଯେ ଲୁଚିଯିବାକୁ ଚେଷ୍ଟା କରିବେ । ଏକଥା ଆମକୁ ଆଗରୁ ଜାଣିବାର ଉଚିତ ଥିଲା । ଏଠି ତ ଲୁଚିଯିବା ବଡ଼ ସହଜ । ସେମାନେ ଯେଉଁ ବୋଟରେ ଗଲେ ସେ ବୋଟାଟା କାହାର ଓ ଏଥିପାଇଁ ଅନୁମତି ଦିଆଯାଇଛି କି ନାହିଁ ସେ ସବୁ ଖବର ମିଳି ପାରିବ ।

 

ହଁ । ମିଳିପାରିବ । ହାରବର ମାଷ୍ଟରଙ୍କ ସାଙ୍ଗରେ ଦେଖାକଲେ ସେ ସବୁ କହି ପାରିବେ–ଦାସଗୁପ୍ତ ବାବୁ କହିଲେ । ତେବେ ବର୍ତ୍ତମାନ ଯାଇ ଖବରଟା ଯୋଗାଡ଼ କରି ଆଣ ।

 

ଦାସଗୁପ୍ତ ବାବୁ କିଛିକ୍ଷଣ ଗୁମ୍‌ମାରି ରହିଗଲେ । କିଛି ଚିନ୍ତା କଲାବେଳେ ଲୋକଟାର ଆଖି ଦିଟା ଟେରା ହୋଇଯାଏ । ସେହିଭଳି ପାଣିକୁ ଚାହିଁ ଚାହିଁ କହିଲେ—ଗୋଟିଏ କାମ କରନ୍ତୁ ସାର୍‌ । ଆପଣ ଟୁରିଷ୍ଟ୍‌ ହୋମ୍‌କୁ ଚାଲି ଯାଆନ୍ତୁ । ବ୍ରେକ୍‌ଫାଷ୍ଟ ଖାଇନେବେ । ମୁଁ ଭିତରେ ସମସ୍ତ ଖବର ବୁଝି ସେଠାରେ ପହଞ୍ଚିଯିବି । ଦିଲ୍ଲୀରୁ ମୁଁ ଅଡ଼ର ପଇଛି, ଏଇଠି ଆପଣଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ । ତେବେ ଆପଣ ଯେ କେଉଁ ରହସ୍ୟ ଉଦ୍‌ଘାଟନ ପାଇଁ ଏଠିକୁ ଆସିଛନ୍ତି, ସେହିଟା ଏପର୍ଯ୍ୟନ୍ତ ମୁଁ ଜାଣିପାରିଲି ନାହିଁ ।

 

ଟିକିଏ ପରେ ତୁମେ ଯେତେବେଳେ ଟୁରିଷ୍ଟ ହୋମ୍‌ରେ ପହଞ୍ଚିବ ସେତେବେଳେ ସବୁ କଥା କହିବି । ଚାଲେ ସନ୍ତୁ ।

ଟିକିଏ ଦୂରରେ ଗୋଟିଏ ଟ୍ୟାକ୍‌ସି ଛିଡ଼ା ହୋଇଥିଲା । ସେମାନେ ଆଉ ବସ୍‌କୁ ଅପେକ୍ଷା ନ କରି ଟ୍ୟାକ୍‌ସିରେ ଯାଇ ବସିଲେ—

ଟୁରିଷ୍ଟ ହୋମ୍‌ରେ ଅଛି ଗୋଟିଏ ମସ୍ତବଡ଼ ଡାଇନିଂ ହଲ୍‌ । ଖାଇବାକୁ ହେଲେ ସମସ୍ତେ ଏଇ ଡାଇନିଂ ହଲ୍‌କୁ ଆସନ୍ତି । ହଲ୍‌ରୁ ସମୁଦ୍ର ଓ ପାହାଡ଼ ପ୍ରଭୃତି ଦେଖି ଦେଖି ଖିଆଯାଇ ପାରେ ।

ଡାଇନିଂ ହଲ୍‌ରେ ସେତେବେଳକୁ ଲୋକ ଭର୍ତ୍ତି ହୋଇସାରିଲେଣି । ଦାଦା ଏମିତିକା ଲୋକ ଗହଳିକୁ ପସନ୍ଦ କରନ୍ତି ନାହିଁ । ତେଣୁ ସନ୍ତୁକୁ କହିଲେ ବେହେରାକୁ କହିଦେଇ ଆସେ, ଆମର ଖାଇବାଟା ଆମ ରୁମ୍‌ରେ ଦେଇ ଆସିବ ।

ଏଇଯେ, ସେ ବେହେରାର ନାଁ’ଟା ପୁଣି କ’ଣ । ମନେ ପଡ଼ୁନି । ଏମିତିକା କିଚିର ମିଚିର ନାଁ ମନେ ରଖାଯାଇ ପାରେନା । କ’ଣ ଯେ ନାଁଟା—ଗୁଟଗୋଟୀ, ମିଟିମିଟି, ଟୁମିଟୁମି ହେବ, ନା ଟୁଙ୍ଗାଝୁଲା— ଧେ ତେରିକି ଏଭଳି କାହାର ନାଁ’ ହୋଇପାରେ ? ଅଥଚ ଏଭଳି ସବୁ ନାଁ ଗୁଡ଼ାକ ମନେ ପଡ଼ୁଛି, କିନ୍ତୁ ତା ନାଁ’ଟା ପାଟିରେ ପଶୁନାହିଁ । ସନ୍ତୁ ଡାକ ଛାଡ଼ିଲା—ଏଇ ଯେ, —ଏଇରେ—

ରନ୍ଧାଘର ଭିତରୁ ବାହାରି ଆସିଲା ବେହେରା ଜଣକ । ସନ୍ତୁ ହାତଠାରି ତାକୁ ପାଖକୁ ଡାକିଲା । କହିଲା, ତୁମ ନାଁ’ ଟା କ’ଣ ବୋଲି କହିଥିଲ ଟି ?

ବେହେରାଟି ଟିକିଏ ହସିଦେଲା । ସେ ହସିଲାବେଳେ ମୁହଁଟା ଅଦ୍ଭୁତ ପ୍ରକାର ଦେଖାଯାଏ । କାରଣ ତା’ ଦାନ୍ତରେ କେତେଟା ସୁନାଖୀଲ ମରାଯାଇଛି । ଦେହର ରଙ୍ଗ କଳା ମଚମଚ ସାଙ୍ଗକୁ ପାଟିର ଦୁଇଧାଡ଼ି ଧଳା ଦାନ୍ତ ଭିତରେ ମଝିରେ ଗୋଟିଏ ଗୋଟିଏ ସୁନେଲୀ ଦାନ୍ତ ଅଦ୍ଭୁତ ଦେଖାଯାଉଛି ।

ବେହେରାଟି କହିଲା—ସାବ୍‌, ମୋ ନାଁ ପରା କଡ଼କନି ।

କଡ଼କଡ଼ି । ହଁ କଡ଼କଡ଼ି ତ । ଆଚ୍ଛା କଡ଼କଡ଼ି, ଆମ ଖାନାଟା ଆମ ରୁମ୍‌ରେ ଦେଇ ଆସ-

ଏଇ ସାଙ୍ଗେ ସାଙ୍ଗେ ଦେଇ ଆସୁଚି ସାବ୍‌ । ହଁ ଗୋଟିଏ ନୂଆ ଜିନିଷ ଦେଖିବ ?

କି ଜିନିଷ ?

ଆସ ନା ମୋ ସାଥିରେ ।

ଡାଇନିଂ ହଲର ଡାହାଣ ପଟକୁ ରହିଚି ଗୋଟିଏ ସୁନ୍ଦର ବଗିଚା । ତା’ପରେ ପାହାଡ଼ଟା ଢାଲୁହୋଇ ସମୁଦ୍ରରେ ମିଶି ଯାଇଛି । ସନ୍ତୁ ଦେଖିଲା ବଗିଚାର ଗୋଟିଏ ବଡ଼ ଗଛ ଦେହରେ ବନ୍ଧା ହୋଇଛି ଗୋଟିଏ ଅଦ୍ଭୁତ ଜୀବ । ଜୀବଟା ଦେଖିବାକୁ ବଡ଼ କଇଁଚ ଭଳି । ସେଟାକୁ କଡ଼କଡ଼ି ଧରିବା ମାତ୍ରକେ କ୍ରୋକ୍‌ କ୍ରୋକ୍‌ କରି ରଡ଼ି ଛାଡ଼ିଲା ।

ସନ୍ତୁ ପଚାରିଲା—ଏଇଟା କି ଜୀବ ।

କ୍ରାବ୍ ସାବ୍‌, କ୍ରାବ୍‌ ।

କ୍ରାବ୍‌ ! ତା’ମାନେ କଙ୍କଡ଼ା । ଏଡ଼େ ବଡ଼, କଙ୍କଡ଼ା ପୁଣି ରଡ଼ି ଛାଡ଼େ ନା କ’ଣ

ହଁ ସାବ୍‌ । ଆଜି ଏଟାକୁ ରାନ୍ଧି ତୁମକୁ ଖୁଆଇବି । ଖାଇବ ତ ?

ଏଭଳି ଏକ ନୂଆ ଜୀବ ଦାଦା ମଧ୍ୟ ଥରେ ଦେଖିବା ଉଚିତ । ତେଣୁ ସେ ଦୌଡ଼ିଯାଇ ଦାଦାଙ୍କୁ ଡାକି ନେଇ ଆସିଲା ।

ଦାଦା ପ୍ରଥମେ ସେଟାକୁ ଦେଖିଦେଇ ଚମକି ପଡ଼ିଲେ । ପାଖକୁ ଯାଇ, ଝୁଙ୍କିପଡ଼ି ଭଲଭାବେ ଦେଖି ସାରିଲା ପରେ କହିଲେ—ହଁ ନାଁଟା ଶୁଣିଥିଲି । ଏଟାକୁ କହନ୍ତି ‘କୋକାନଟ୍‌ ରବର’ । ଏମାନେ ନଡ଼ିଆଗଛ ଚଢ଼ି ନଡ଼ିଆ ସବୁ ଖାଇ ଯାଆନ୍ତି, ଏମାନଙ୍କ ଦେହଟା ଖୁବ୍‌ ଟାଣ ।

କଡ଼କଡ଼ି କହିଲା, ହଁ ସାବ୍‌ । ଏମାନେ ନଡ଼ିଆ ଖାଇଯା’ନ୍ତି ।

ଏଇଟାକୁ ଧରିଲ କିମିତି ? ଦୌଡ଼ି ଚାଲି ଗଲାନି ?

ପଥରଟିଏ ମାରି ତାକୁ ପ୍ରଥମେ ଓଲଟେଇ ଦେଇଥିଲି ।

ଇଶ୍‌, ଛି, ଛି, ଏଭଳି ଗୋଟିଏ ସୁନ୍ଦର ଜୀବକୁ ମାରୁଛ ।ଏଗୁଡ଼ାକ ଖୁବ୍‌ ରେଆର । ମାନେ ଏମାନଙ୍କର ସଂଖ୍ୟା ପୃଥିବୀରେ ଖୁବ୍‌ କମ୍‌ । ଏଭଳି ଭାବେ ସେଗୁଡ଼ାକୁ ମାରିଦେଲେ ସେମାନଙ୍କର ବଂଶ ପୃଥିବୀରୁ ଲୋପ ପାଇଯିବ ।

ସନ୍ତୁ କହିଲା—ଦାଦା, କଡାକଡ଼ି କହୁଛି ଏଟାକୁ ଆଜି ରାନ୍ଧି ଖୁଆଇବ ।

ଦାଦା ପ୍ରତିବାଦ କରି କହିଲେ—ଆରେ ନ–ନା–ନା—ଏଟାକୁ ମାରିଦେନି । ଫିଟାଇ ଛାଡ଼ି ଦେ । ମୁଁ ଏଥିପାଇଁ ପଇସା ଦେବି ।

କଡାକଡ଼ି ଖୁବ୍‌ ଅନିଚ୍ଛା ସତ୍ୱେ ଛୁରୀଟିଏ ଆଣି ଦୌଡ଼ିଟା କାଟିଦେଲା । କଙ୍କଡ଼ାଟି ତା’ର ଗୁଲୁ ଗୁଲିଆ ଆଖିରେ ଏପଟ ସେପଟ ଥରେ ଦେଖିଲା । ତା’ ପରେ ବାହାର କଲା ପେଟତଳୁ ଦୁଇଟା ଗୋଡ଼ । ଗୋଡ଼ ଦି’ ଟା ମଣିଷ ହାତଠାରୁ ମଧ୍ୟ ମୋଟା ହେବ ।

ଦାଦା ପାଟିକରି ଉଠିଲେ—ସାବଧାନ ସନ୍ତୁ,ଦୂରେଇ ଛିଡ଼ା ହୁଅ,ଗୋଡ଼ ଦି’ଟାରେ ଯଦି ଚାପି ଧରେ ନା, ସେଇଠୁ ମୁକୁଳେଇବା କଷ୍ଟକର ହୋଇପଡ଼ିବ ।

କଙ୍କଡ଼ାଟା କ୍ରୋବ୍‌ କ୍ରୋବ୍‌ କରି ଦୁଇଥର ରଡ଼ି ଛାଡ଼ିଲା । ତା’ପରେ ବୁଢ଼ିଆଣୀପରି ତରତର ହୋଇ ପାହାଡ଼ ତଳକୁ ଚାଲିଗଲା

ସନ୍ତୁ ଓ ଦାଦା ତାଙ୍କ ରୁମ୍‌କୁ ଫେରି ଆସିଲେ । ଖାଇବା ପରେ ପରେ ଦୁଇ ତିନିଟା ବହି ଓ ଗୋଟିଏ ମ୍ୟାପ୍‌ ଧରି ଖଟ ଉପରେ ବସି ପଡ଼ିଲେ । ସନ୍ତୁକୁ ଚାହିଁ କହିଲେ—ତୋର ଯଦି ଇଚ୍ଛା ହେଉଛି, ଯା, ଏପଟ ସେପଟ ଟିକିଏ ଘୂରି ଆସେ ।

 

ସନ୍ତୁର କୁଆଡ଼େ ଯିବାକୁ ଆଦୌ ଇଚ୍ଛା ନାହିଁ । କାରଣ ଅଳ୍ପ ସମୟ ପରେ ଦାସଗୁପ୍ତ ବାବୁ ଆସିବେ ଆଉ ଦାଦା ତାଙ୍କୁ କେଉଁ ଉଦ୍ଦେଶ୍ୟରେ ଏଠିକୁ ଆସିଛନ୍ତି ତାହା କହିବେ । ସେ ଏ ବିଷୟଟା ଶୁଣିବ ନି ? ଦାଦା ତ ତାକୁ କେବେ ମନକୁ ମନ ଡାକି କହିବେ ନାହିଁ । ସନ୍ତୁ ମଧ୍ୟ ବହି ଖଣ୍ଡିଏ ଧରି ଦାଦାଙ୍କ ପାଖରେ ବସି ପଡ଼ିଲା ।

 

କିଛି ସମୟ ପରେ ଟିକିଏ ପବନ ହେବା ପରେ ମ୍ୟାପ୍‌ଟା ଉଡ଼ି ଯାଇ ପଡ଼ିଲା ଖଟ ତଳେ । ସନ୍ତୁ ଉଠିପଡ଼ି ମ୍ୟାପ୍‌ଟାକୁ ଦାଦାକୁ ଦେଇଦେଲା ।

 

ଦାଦା ପଚାରିଲେ—ସନ୍ତୁ, ତୁ ମ୍ୟାପ୍‌ ଦେଖି ଜାଣୁ ?

 

ହଁ ଜାଣେ । ମ୍ୟାପ୍‌ର ଉପର ପାଖଟା ସବୁବେଳେ ଉତ୍ତର ଦିଗକୁ ହିଁ ସୂଚାଇ ଥାଏ ।

 

ଦାଦା ହସି ହସି କହିଲେ—ତା’ ତ ସତ । ଏଇ ଦେଖ, ଏଇଟା ହେଉଛି ଭାରତବର୍ଷର ମ୍ୟାପ୍‌ । ଠିକ୍‌ ଏହାରି ତଳକୁ ଛିଟିକା ଭଳି ଯେଉଁ ଦାଗ ଗୁଡ଼ିକ ସମୁଦ୍ର ଭିତରେ ଦେଖାଯାଉଛି, ସେ ଗୁଡ଼ାକ ହେଉଛି ଆଣ୍ତାମାନ ନିକୋବର ଦ୍ୱୀପପୁଞ୍ଜ । ସେ ଦ୍ୱୀପ ଗୁଡ଼ାକୁ ଏଇ ଦେଖ, ଏଇ ମ୍ୟାପ୍‌ଟାରେ ବଡ଼ କରି ଦିଆଯାଇଛି । ଏ ଲମ୍ବା ହୋଇ ଦେଖା ଯାଉଥିବା ଦ୍ୱୀପଟା ପ୍ରକୃତରେ ଗୋଟିଏ ଦ୍ୱୀପ ନୁହେଁ ତିନୋଟି ଦ୍ୱୀପ । ଏମାନଙ୍କ ନାମ ହେଉଛି ନର୍ଥ ଆଣ୍ଡାମାନ, ମିଡ଼ଲ୍‌ ଆଣ୍ଡାମାନ, ଓ ସାଉଥ ଆଣ୍ଡାମାନ । ଏ ଦେଖେ, ସାଉଥ ଆଣ୍ଡାମାନରେ ପୋର୍ଟବ୍ଳେୟାର । ଏହି ପୋର୍ଟ ବ୍ଳେୟାର ସହରରେ ଆମେ ରହିଛେ । ଏହାଛଡ଼ା ଆହୁରି ଅନେକ ଗୁଡ଼ାଏ ଦ୍ୱୀପ ଅଛି । ଯେମିତିକି ଦ୍ୱାବଲକ, ରସ । ଏ ସବୁ ଗୋଟିଏ ଗୋଟିଏ ସାହେବର ନାଁ । ସାହେବମାନେ ଯେ କେବଳ ଏ ଦ୍ୱୀପ ଗୁଡ଼ାକ ଥିଲା ଜଳଦସ୍ୟୁମାନଙ୍କର ଏକ ଆଡ଼୍‌ଡ଼ା ସ୍ଥଳ । ଜଳଦସ୍ୟୁ କଥାଟା ଶୁଣି ସନ୍ତୁ ଚମକି ପଡ଼ିଲା । ଜଳଦସ୍ୟୁ ତା’ ମାନେ ତ ଗୁପ୍ତଧନ । ‘ଟ୍ରେଜରର ଆଇଲ୍ୟାଣ୍ଡ’ର ବହି କଥାଟା ସନ୍ତୁର ମନେ ପଡ଼ିଗଲା । ଦାଦା ତାହାହେଲେ ଗୁପ୍ତଧନର ସନ୍ଧାନରେ ଆସିଛନ୍ତି । ଦାଦା ତ ସଦାବେଳେ ପୁରୁଣା ପୁରୁଣା ବହିପତ୍ର ଓ ଇତିହାସ ବହି ସବୁ ପଢ଼ିବାକୁ ଭଲ ପାଆନ୍ତି । ହୁଏତ ସେଭଳି ଗୋଟିଏ ବହିରେ ଏଇ ଆଣ୍ଡାମାନରେ ଗୁପ୍ତଧନ ଥିବା କଥା ଲେଖାଥିବ ।

 

ଦାଦା କହି ଚାଲିଥାନ୍ତି—ଏପଟ ସମୁଦ୍ର ଦେଇ ଯେଉଁସବୁ ଜାହାଜ ଯିବା ଆସିବା କରେ, ଜଳଦସ୍ୟୁମାନେ ସେ ଜାହାଜ ଗୁଡ଼ାକ ଉପରେ ହଠାତ୍‌ ଚଢ଼ାଉ କରି ଦିଅନ୍ତି । ଏମିତି କେତେ ପର୍ତ୍ତୁଗୀଜ ଜାହାଜ ଗୁଡ଼ାକୁ ନିଆ ଲଗାଇ ଦିଆ ଯାଇଥିଲା । ଏହି ଜଳଦସ୍ୟୁମାନଙ୍କ ଆକ୍ରମଣରୁ ଜାହାଜକୁ ରକ୍ଷା କରିବା ପାଇଁ ବ୍ରିଟଶ୍‌ ସରକାର ଏଇଠି ଘାଟି ବସାଇବା ପାଇଁ ମନସ୍ଥ କଲେ । କିନ୍ତୁ ଜଳଦସ୍ୟୁମାନଙ୍କୁ ଛାଡ଼ିଦେଲେ ଅନ୍ୟ ଯେଉଁ ବିପଦ ଥିଲା ଥିଲା ତାହା ହେଉଛିଚ ଏଠାକାର ବାସ କରୁଥିବା ହିଂସ୍ର ଆଦିବାସୀ । ବାହାରର କୌଣସି ସଭ୍ୟ ମାନବକୁ ଦେଖିଲା ମାତ୍ରେ ସେମାନଙ୍କୁ ଆକ୍ରମଣ କରି ହତ୍ୟା କରୁଥିଲେ ।

 

ସନ୍ତୁ ଆଉ ତା’ ମନ କଥାଟାକୁ ଚାପି ରଖି ପାରିଲା ନାହିଁ । ପଚାରିଲା ଦାଦା, ଏଠି ଗୁପ୍ତଧନ ଅଛି ?

Unknown

 

ଦାଦା ଅବାକ୍‌ ହୋଇଯାଇ ସନ୍ତୁଙ୍କୁ ଚାହିଁ କହିଲେ, ଗୁପ୍ତଧନ ! କାହାର ଗୁପ୍ତଧନ ?

 

କାହିଁକି ଜଳସ୍ୟୁମାନଙ୍କର । ସେମାନେ ଯେଉଁ ସୁନା, ମୋତି, ମାଣିକ ସବୁ ଲୁଟି କରି ମଣୁଥିଲେ ସେଗୁଡ଼ାକ ପୁଣି କେଉଁଠି ଲୁଚେଇ ରଖୁଥିବେ, ଯଦି ଏଠି ମଧ୍ୟ କେଉଁଠି ଥାଏ, ଆଉ ସେମାନଙ୍କର ଧନରତ୍ନ କଥା ମନେ ନାହିଁ, ଏବେ ସୁଦ୍ଧା ସେମିତି ପଡ଼ି ରହିଥିବ ।

 

ଦାଦା ଚଷମାଟାକୁ ଟିକିଏ ତଳକୁ ଖସାଇ ଦେଇ ଉପର ପଟେ ଦେଖି ହସି ହସି କହିଲେ—ଏ ସବୁ ତ ଯେ କୌଣସି ଗପ ବହିରେ ପଢ଼ିବାକୁ ମିଳିବ । ଆଜିକାଲି କିଏ ସତରେ ଗୁପ୍ତଧନ ପାଉଛି ?

 

ଆମେ ଯଦି ଚେଷ୍ଟା କରି ପାଇଯାଉ ।

 

ଏମିତିକା ଯଦି ବିନା କଷ୍ଟରେ କେଉଁଠୁ ଗୁପ୍ତଧନ ମିଳି ଯାଉଥାଆନ୍ତା ତେବେ ତ ଅନେକ ଆଗରୁ ସେ ସବୁ ଶୂନ୍ୟ ହୋଇ ସାରିଥିବ । ଶୁଣ୍‌ ସନ୍ତୁ, ହଠାତ୍‌ ଗୁଡ଼ାଏ ଟଙ୍କା ପଇସା ପାଇଯାଇ ବଡ଼ଲୋକ ହୋଇଯିବା ପାଇଁ କେବେ ଚେଷ୍ଟା କରିବୁ ନି । ଟଙ୍କା ପଇସା କେବଳ ବୁଦ୍ଧି ଖଟେଇ ପରିଶ୍ରମ କରି ରୋଜଗାର କରାଯାଏ । ହଉ ସେ ସବୁ ବାଜେ କଥା ଗୁଡ଼ା ଛାଡ଼ । ହଁ ଯେଉଁ କଥା କହୁଥିଲି ସେହି କଥା ଶୁଣ । ଏ ମାନଚିତ୍ରରେ ଦେଖା ଯାଉଥିବା ଛୋଟ ଛୋଟ ବିନ୍ଦୁ ଗୁଡ଼ାକ ମଧ୍ୟ ଗୋଟିଏ ଗୋଟିଏ ଦ୍ୱୀପ । ଏଭଳି ଅନେକ ଆହୁରି କେତେଗୁଡ଼ାଏ ଦ୍ୱୀପ ଅଛି, ଯେଉଁ ଗୁଡ଼ାକ ମାନଚିତ୍ରରେ ଦେଖାଇ ଦିଆଯାଇ ନାହିଁ । ଏ ଦ୍ୱୀପ ଭିତରୁ ଅଧିକାଂଶ ଦ୍ୱୀପରେ କୌଣସି ମଣିଷ ବାସ କରନ୍ତି ନାହିଁ । ଏପରିକି ମଣିଷର ପାଦ ମଧ୍ୟ ସେ ଦ୍ୱୀପରେ କେବେ ହୋଇ ପଡ଼ିନାହିଁ-। ଦ୍ୱୀପ ଗୁଡ଼ାକ କେବଳ ପାହାଡ଼, ଜଙ୍ଗଲରେ ପୂର୍ଣ୍ଣ । ଏଭଳି ଏକ ଦ୍ୱୀପରେ ଯଦି ସେ ସାହେବମାନେ ଲୁଚି ରହି ଯାଆନ୍ତି କେବେ, କେହିହେଲେ ସେମାନଙ୍କୁ ଖୋଜି ବାହାର କରି ପାରିବ-

 

ସାହେବମାନେ ଏଠିକୁ ଆସି ଲୁଚିବେ ବା କାହିଁକି ? ଏଥିରେ ସେମାନଙ୍କର ଲାଭ ?

 

ଦାଦା ଉତ୍ତର ଦେବାକୁ ଯାଉଛନ୍ତି, ଏତିକବେଳେ ଦରଜା ବାହାରେ କାହାର ପାଦଶବ୍ଦ ଶୁଣାଗଲା, ଦାଦା ସେ ଆଡ଼କୁ କାନେଇ ଚୁପ୍‌ ହୋଇ ରହିଗଲେ ।

 

ପରଦାଟାକୁ ଟିକିଏ ଆଡ଼େଇ ମୁଣ୍ଡଟାକୁ ଗଳାଇ ଦେଇ ଦାସଗୁପ୍ତ ବାବୁ କହିଲେ—ଭିତରକୁ ଆସିପାରେ କି ସାର୍‌ ।

 

ଦାଦା ବ୍ୟସ୍ତ ହୋଇ ପଡ଼ି କହିଲେ—ଆରେ । ହ, ହଁ, ଆସ । ଭିତରକୁ ଆସ । କିଛି ଖବର ପାଇଲ ?

 

ଦାସଗୁପ୍ତ ବାବୁ ବେଶି ଗୁଡ଼ାଏ ବାଟ ଚାଲି ଚାଲି ଆସିଥିବାରୁ ତାଙ୍କ ମୁହଁଟା ରଙ୍ଗା ପଡ଼ିଯାଇଥାଏ । ପକେଟ୍‌ରୁ ରୁମାଲ୍‌ଟାଏ ବାହାର କରି ମୁହଁଟାକୁ ପୋଛୁ ପୋଛୁ କହିଲେ—ବଡ଼ ଆଶ୍ଚର୍ଯ୍ୟର କଥା ସାର୍‌ । ଆମେ ସ୍ୱଚକ୍ଷୁରେ ଦେଖିଲେ ମୋଟର ଲଞ୍ଚଟା ବ୍ୟାଥମ୍‌ ଆଇଲାଣ୍ଡ ପାଖ ଦେଇଗଲା । ଅଥଚ ହାରବର ମାଷ୍ଟର କହିଲେ ଆଜି ସକାଳ ସୁଦ୍ଧା କୌଣସି ବୋଟ୍‌ ଯାଇନି ?

 

ଦାଦା କହିଲେ—ତା’ ମାନେ ?

 

ଦାସଗୁପ୍ତ ଗୋଟିଏ ଚେୟାର ଟାଣି ଆଣି ବସି ପଡ଼ିବା ପରେ କହିଲେ—କଥାଟା ଆପଣଙ୍କୁ ବୁଝାଇ କହୁଛି ସାର୍‌ । ଏଠି ଅନେକ ପ୍ରକାର ମୋଟର ବୋଟ୍‌ ଓ ଷ୍ଟିମର ଆଛି, ସେଥି ଭିତରୁ କେଉଁଟା ଯାତ୍ରୀବାହି ତ ଆଉ ପୁଣି କେଉଁଟା ମାଲ୍‌ପତ୍ର ନବା ଆଣିବା ପାଇଁ ବ୍ୟବହୃତ ହୋଇଥାଏ ଓ ଆଉ କେଉଁଟା ପୁଣି ମାଛ ଧରିବା ପାଇଁ । ଏହାଛଡ଼ା ଅଛି ପୁଣି ପୋଲିସ ବୋଟ୍‌ । ସବୁଗୁଡ଼ାକ ରେଜିଷ୍ଟ୍ରେସନ୍‌ କରାଯାଇଛି । କେଉଁଟା କେତେବେଳେ କେଉଁଠିକୁ ଛାଡ଼େ ଓ କେଉଁଟା କେତେବେଳେ କେଉଁଠାରୁ ଆସି ପହଞ୍ଚେ ତାହା ମଧ୍ୟ ରେକର୍ଡ଼ କରାଯାଇଥାଏ । କିନ୍ତୁ ହାରବର ମାଷ୍ଟ୍ର ଆଜି ସକାଳେ କେବଳ ଗୋଟିଏ ଯାତ୍ରୀବାହୀ ଜାହାଜ ଯାଇଛି ବୋଲି କହିଲେ । କୌଣସି ବୋଟ୍‌ ଯିବାର ସେ ଜାଣନ୍ତି ନାହିଁ ଏପରିକି ଅନ୍ୟ ବୋଟ୍‌ ସବୁ କେଉଁଟା କେଉଁଠି ରହିଛି ତା’ର ହିସାବ ମଧ୍ୟ ମିଳି ଯାଉଛି । ତେଣୁ ସକାଳ ଆଠଟାରେ କୌଣସି ବୋଟ୍‌ ଯାଇନି ।

 

ଦାଦା ରାଗିଯାଇ କହିଲେ—ଯାଇ ନାହିଁ, ମାନେ ? ତାହାହେଲେ ଯେଉଁଟା ଦେଖିଲେ ସେହିଟା କ’ଣ ?

 

ଦାସଗୁପ୍ତ ବାବୁ କହିଲେ—ମୁଁ ମଧ୍ୟ ସେହି କଥା କହିଲି । ଆପଣ ଦେଖିଛନ୍ତି, ମୁଁ ଦେଖିଛି ଆଉ ସନ୍ତୁ ମଧ୍ୟ ଦେଖିଛି ଏବଂ ଆହୁରି ଅନେକ ଲୋକ ଦେଖିଛନ୍ତି । ତାହାହେଲେ ସାର୍‌ ! ଅଧିକା ବୋଟ୍‌ ଫୋଟ୍‌ ଅଛି ଯାହାର କି ନମ୍ୱର ନାହିଁ । ଏଇଟା କ’ଣ ସମ୍ଭବ ହୋଇପାରେ ।

 

ଦାଦା କହିଲେ—ଖୁବ୍‌ ସମ୍ଭବ ହୋଇପାରେ । ଅନ୍ୟ ଏକ ମୋଟର ବୋଟ୍‌ ପରି ବୋଟ୍‌ଟାକୁ ରଙ୍ଗିନ କରି ଗୋଟିଏ ଜାଲ୍‌ ବୋଟ୍‌ କରାଯାଇଛି । ସେହି ଜାଲ୍‌ ବୋଟ୍‌ ଖଣ୍ଡକ ନେଇ ସେହି ସାହେବମାନେ ଚାଲି ଯାଇଛନ୍ତି । ତୁମେ କଥାଟାକୁ ପୋଲିସ କାନରେ ପକାଇ ଦେଇ ଆସିଛ ତ ?

 

ହଁ, ଆଜ୍ଞା । ଖବରଟା ଜଣାଇଦେଇ ଆସିଛି । ପୋଲିସ ଆପଣଙ୍କ ନିକଟକୁ ଆସିପାରେ । ପୋଲିସ ଆପଣଙ୍କ ବିଷୟରେ କେତେ କ’ଣ ଜାଣିବାକୁ ଚାହୁଁଥିଲା ।

 

ଦାଦା ଗୋଟିଏ ଚୁରୁଟ ମୁହଁରେ ଧରି ଧୁଆଁ ଛାଡ଼ୁ ଛାଡ଼ୁ କହିଲେ—ମୋ ପରିଚୟଟା ସେତେ ବଡ଼ କଥା ନୁହେଁ । ମୁଁ ଏକଦା ଭାରତ ସରକାରଙ୍କ ଅଧୀନରେ ଚାକିରୀ କରୁଥିଲି । ଗୋଟାଏ ଦୁର୍ଘଟଣାରେ ଗୋଡ଼ଟିଏ ହରାଇବାରୁ ଚାକିରୀ ଛାଡ଼ିବାକୁ ହେଲା । ତା’ ପରେ, କେବଳ ହସିଖେଳି ସମୟଗୁଡ଼କ ବିତାଇ ନ ଦେଇ, କେତେ ଗୁଡ଼ିଏ ରହସ୍ୟର ସମାଧାନ ଦିଗରେ ଚେଷ୍ଟା କରୁଛି । ଏ ସମସ୍ୟଗୁଡ଼ିକ ସାଧାରଣ ସମସ୍ୟା ନୁହେଁ । ପୃଥିବୀରେ ଏପରି କେତେଗୁଡ଼ାଏ ରହସ୍ୟମୟ ଘଟଣା ରହିଛି, ଯାହାର ସମାଧାନ ମଣିଷ ଆଜି ବି କରି ପାରିନାହିଁ । ଯେମିତିକା କି ଧର–ସାଙ୍ଘାଇ ବଜାରରେ ଜଣେ ବ୍ୟକ୍ତି ବହୁଦିନ ତଳେ ଜଡ଼ିବଟି, ପଶୁପଷୀଙ୍କ ହାଡ଼ଗୋଡ଼ ଓ କେତେ କ’ଣ ଚେରମୁଳି ପ୍ରଭୁତି ବିକ୍ରି କରୁଥାଏ । ଥରେ ତା’ ଦୋକାନରେ ଦୁଇଟି ଦାନ୍ତ ଦେଖିବାକୁ ମିଳିଲା । ସେ ଦାନ୍ତ ଦି’ଟା ଦେଖିଲେ ଜଣାଯାଏ, ମଣିଷ ଦାନ୍ତ ଛଡ଼ା ଅନ୍ୟ କାହାର ଦାନ୍ତ ହୋଇ ନପାରେ । କିନ୍ତୁ ଦାନ୍ତ ଦି’ଟା ଥିଲା ଅସମ୍ଭବ ଧରଣର ଲମ୍ବ । ପ୍ରାୟ ଏଇଇଞ୍ଚ ଲମ୍ବ । ଏତେବଡ଼ ମନୁଷ୍ୟର ଦାନ୍ତ କିଏ କେବେ ଦେଖିନି । କେବଳ ଦଶଫଟ ଉଚ୍ଚା ମଣିଷର ଏଭଳି ଦାନ୍ତ ହୋଇପାରେ । ଏଡ଼େ ଲମ୍ୱା ମଣିଷ ତେବେ ପୃଥିବୀରେ ଥିଲେ ? ନା ଦାନ୍ତ ଦିଟା ଜାଲ୍‌ ଦାନ୍ତ ? ଅନେକ ପରୀକ୍ଷା ପରେ ଦେଖା ଯାଇଛି ଯେ, ସେ ଦାନ୍ତ ଦିଟା କିନ୍ତୁ ମଣିଷର । ଏ ଦାନ୍ତ ଦି’ଟାର ରହସ୍ୟ ଆଜି ସୁଦ୍ଧା ସମାଧାନ ହୋଇ ପାରିନାହିଁ ।

 

ଦାସଗୁପ୍ତା ବାବୁ ଆବାକାବା ହୋଇ ଆଁ ଟାଏ କରି ଦାଦାଙ୍କ ମୁହଁଟାକୁ ଅନାଇ ରହିଥିଲେ । ତାଙ୍କର ସବୁ ଦାନ୍ତ ଗୁଡ଼ାକ ବାହାରି ପଡ଼ିଛି ଓ ଆଖିଟି ଟେରା ହୋଇଯାଇଛି । ଜଣା ପଡ଼ୁଛି, ସେ ଖୁବ୍‌ ତନ୍ମୟ ହୋଇ ଶୁଣି ଯାଉଛନ୍ତି । ସାହେବ ଓ ମୋଟର ବୋଟ୍‌ ସାଙ୍ଗରେ ଏ ଲମ୍ୱା ଦାନ୍ତର ଯେ କି ଯୋଗାଯୋଗ ଅଛି ବୁଝି ହେଉନି । ସନ୍ତୁ ମଧ୍ୟ କିଛି ବୁଝି ପାରୁନାହିଁ ।

 

ଦାଦା ପୁଣି କହି ଚାଲିଲେ—ଆଉ ଗୋଟିଏ କଥା । ଦକ୍ଷିଣ ଆମେରିକାର ଗୋଟିଏ ଯାଗାରେ ପଥର ତିଆରି ବଡ଼ବଡ଼ ବଲ୍‌ ବା ପେଣ୍ଡୁ ଅଛି । ସେଗୁଡ଼ାକ କେତେ ବଡ଼ ଜାଣ ? ଗୋଟିଏ ମନୁଷ୍ୟଠାରୁ ବି ଆହୁରି ବଡ଼ । ବଲ୍‌ଟି ଦରଜା ଦେଇ ଘରେ ପଶି ପାରିବ ନାହିଁ । ପଥର ବଲ୍‌ ଗୁଡ଼ାକ ଏଡ଼େ ଚିକ୍‌କଣ ଓ ଗୋଲାକାର ଯେ ନ ଦେଖିଲେ ବିଶ୍ୱାସ କରି ହେବନି । ଏଥିର ରହସ୍ୟ ହେଲା ଯେ ଏଡ଼େ ବଡ଼ ବଡ଼ ପଥର ବଲ୍‌ କେବେ କିଏ ଓ କାହିଁକି ତିଆରି କରିଥିଲା ? ଏଭଳି ବଲ୍‌ରେ ତ ଆଉ ଫୁଟବଲ୍‌ ଖେଳି ହେବନାହିଁ । ମଣିଷ ଏହାର ରହସ୍ୟଟା ଆଜି ପର୍ଯ୍ୟନ୍ତ ବି ଜାଣି ପାରିନାହିଁ । ତା’ ପରେ ଧରନ୍ତୁ କନିଷ୍କଙ୍କ ମୂର୍ତ୍ତିଗୁଡ଼ିକରେ ତାଙ୍କର ମସ୍ତକଟା ନାହିଁ କାହିକିଁ ? କେଉଁଠି ହେଲେ ତ ତାଙ୍କର ମୁହଁର ଛବିଟା ଦେଖିବାକୁ ମିଳେନା । ଏଇଟା ମଧ୍ୟ ରହସ୍ୟ । ମୁଁ ଏହିଭଳି ଗୋଟିଏ ରହସ୍ୟ ଗୁଡ଼ାକର ସମାଧାନ କରିବାରେ ମନ ଦିଏ । ଯଦି କୌଣସି ସମ୍ୱାଦ ମୋ ଚକ୍ଷୁରେ କେବେ ପଡ଼େ, ସେ ସବୁର ବିବରଣୀ ଭାରତ ସରକାରଙ୍କୁ ଚିଠି ଲେଖି ଜଣାଇ ଦିଏ-। ସରକାର ମଧ୍ୟ ମୋତେ ଏଥିରେ ସାହାର୍ଯ୍ୟ କରନ୍ତି । ଏ ସବୁ ତୁମକୁ କହିଲି ସତ, କିନ୍ତୁ ଅନ୍ୟମାନେ ଏହାର ଯେମିତି ଟେର ନ ପାଆନ୍ତି ।

 

ଦାଦା ଟିକିଏ ରହିଯାଇ ଚୁରୁଟ୍‌ ଟାଣିଲେ ।

 

ଦାସଗୁପ୍ତ ବାବୁ ଓ ସନ୍ତୁ ଦିଜଣ ଯାକ କୌତୁକ ଦୃଷ୍ଟିରେ ତାଙ୍କୁ ଅନାଇ ରହିଥାନ୍ତି ।

 

ଦାଦା ପୁଣି ଆରମ୍ଭ କଲେ—ତୁମର ଏଥରକ ଖୁବ୍‌ ଇଚ୍ଛା ହେବଣି ଯେ, ମୁଁ କି ଉବ୍ଦେଶ୍ୟ ନେଇ ଅଣ୍ଡାମାନକୁ ଆସିଛି ? ନୁହେଁ । ଏହା ପୂର୍ବରୁ ଆଣ୍ଡାମାନର ଇତିହାସଟା ଟିକିଏ ଅଧ୍ୟୟନ କରିବା ଉଚିତ୍‌ । ଇଂରେଜମାନେ ଶହେ କି ଦେଢ଼ଶହ ବର୍ଷ ପୂର୍ବେ ଅଣ୍ଡାମାନକୁ ଆସିଥିଲେ । କିନ୍ତୁ ତାଙ୍କ ପୂର୍ବରୁ ଅନ୍ୟମାନେ ମଧ୍ୟ ଏଠିକୁ ଆସିଥିବାର ପ୍ରମାଣ ମିଳେ । ଏପରିକି ଦେଢ଼ହଜାର ବର୍ଷ ପୂର୍ବେ ଏକ ଭ୍ରମଣକାରୀଦଳ ଏହି ଦ୍ୱୀପଦେଇ ଯାଇଛନ୍ତି । କିନ୍ତୁ ସେମାନେ ଆଣ୍ଡାମାନ ଦ୍ୱୀପକୁ ‘ସୋନାଲି’ ଦ୍ୱୀପ ବୋଲି କହୁଥିଲେ । ସେଥିପାଇଁ ଅନେକ ଏହାକୁ ସୁବର୍ଣ୍ଣ ଦ୍ୱୀପ ବୋଲି ଜାଣନ୍ତି, କିନ୍ତୁ ଏହାର କାରଣ କ’ଣ ? ତା’ ପରେ ଦେଖ—ଏ ଦ୍ୱୀପରେ ବାସ କରୁଥିବା ଲୋକମାନଙ୍କର ମୁଣ୍ଡର ବାଳ ନିଗ୍ରୋମାନଙ୍କ ପରି ଟାଆଁସା ଓ କୁଞ୍ଚକୁଞ୍ଚି । ଏଇଟା ବା କିମିତି ସମ୍ଭବ ହେଲା । ଆଣ୍ଡାମାନର ପାଖା ପାଖି ଦେଶଗୁଡ଼ାକ ହେଲା, ଭାରତ, ବର୍ମା କିମ୍ୱା ଇଣ୍ଡୋନେସିଆ—କିନ୍ତୁ ଏ ସବୁ ଦେଶର ଲୋକମାନଙ୍କର ମୁଣ୍ଡର କେଶ ତ ଏପରି ନୁହେଁ । ତେବେ ଏ ଲୋକ ଗୁଡ଼ାକ ଆସିଲେ କେଉଁଠୁ । ଏଇଟା ମଧ୍ୟ ଗୋଟିଏ ଅଦ୍ଭୁତ କଥା ନୁହେଁ ?

 

ଦାସଗୁପ୍ତ ବାବୁ ଧୀର ସ୍ୱରରେ କହିଲେ—ହଁ ସାର୍‌ ଏଇଟ ଚିନ୍ତା କରିବା ଭଳି ଗୋଟଏ ବିଷୟ ।

 

ଦାଦା କହିଲେ—ମୁଁ କିନ୍ତୁ ଏ ସବୁର ରହସ୍ୟ ଉଦ୍‌ଘାଟନ ପାଇଁ ଏଠିକୁ ଆସି ନାହିଁ । ମୁଁ ଆସିଛି ଅନ୍ୟ ଏକ କାରଣ ନେଇ ।

 

ଦାଦା ଉଠିଯାଇ ସୁଟକେଶ ଭିତରୁ ନେଇ ଆସିଲେ ଗୋଟିଏ ଫାଇଲ୍‍ । ଫାଇଲ୍‍ ଭିତରେ ରଖାଯାଇଥିଲା—ପୁରୁଣା ଖବର କାଗଜର ସମ୍ୱାଦ ଗୁଡ଼ାକର କଟିଙ୍ଗ୍‌ । ସେଗୁଡ଼ାକ ଲେଉଟାଇ ଲେଉଟାଇ କହିଲେ—ଏଇ...ଏଇଟା ଦେଖ । ଅନେକ ଆଗକାର ଖବର ଉଣେଇଶ ପଚିଶ ସାଲର କଥା । ତା’ ମାନେ ପ୍ରାୟ ଏକାବନ ବର୍ଷ ତଳର କଥା । ଡକ୍ଟର ସ୍ୱନରଭ ନାମକ ଜଣେ ରୁଷ ବୈଜ୍ଞାନିକ ଏଠାକୁ ଭ୍ରମଣରେ ଆସିଥିଲେ । କିନ୍ତୁ ପରେ ପରେ ସେ ନିରୁଦ୍ଦିଷ୍ଟ ହୋଇଯାଆନ୍ତି । ତାଙ୍କୁ ତା’ ପରଠାରୁ ଆଉ କେହି ଦେଖି ନାହାନ୍ତି । ଅନେକ ମନେ କରନ୍ତି ଯେ, ସେ ସମୁଦ୍ରରେ ଡ଼ୁବି ମରି ଯାଇଛନ୍ତି ତେବେ ତାଙ୍କାର ମୃତ ଶରୀରଟା ଖୋଜିବାରେ ମିଳି ନ ଥିଲା । ସେ ଥିଲେ ଖୁବ୍‌ ନାମଯାଦା ବୈଜ୍ଞାନିକ । ତା’ ପରେ ଦେଖ ଏ ସମ୍ବାଦଟାକୁ । ଊଣେଇଶହ ସତତ୍ରିଶ ମସିହାରେ ପୋଲାଣ୍ଡ ଦେଶରୁ ଆସିଥିଲେ ଦୁଇଜଣ ବୈଜ୍ଞାନିକ । ସେ ଦୁଇଜଣଙ୍କ ଭିତରୁ କେବଳ ଜଣକର ନାମ ଖବରକାଗଜରେ ଛପା ଯାଇଛି—ମିଃ ଜାର୍‌ ସେକିଜ ଓ ତାଙ୍କ ସାଥୀ । ଏମାନେ ମଧ୍ୟ କିଛିଦିନ ପରେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ତା’ ପରେ ଉଣେଇଶହ ଏକଚାଳିଶ ସାଲରେ ରୁଷିଆ ଦେଶରୁ ଆସିଲେ ବୈଜ୍ଞାନିକ ଅଧ୍ୟାପକ ଜୁସ୍‌କଭ । ସେ ମଧ୍ୟ ଶେଷରୁ ନିରୁଦ୍ଦିଷ୍ଟ ହୋଇଗଲେ । କିନ୍ତୁ ଏହାଙ୍କ ବେଳକୁ ସାରା ପୃଥିବୀରେ ଚହଳ ପଡ଼ିଗଲା । ଜାହାଜ ନେଇ ସମୁଦ୍ର ଭିତରେ ଖୋଜା ଚାଲିଲା । ତଥାପି କୌଣସି ପତ୍ତା ମିଳିଲାନାହିଁ । ଏହା ପରେ ପରେ ଊଣେଇଶହ ତେପନ ମସିହାରେ ଦୁଇଜଣ, ସତାବନ ମସିହାରେ ଜଣେ, ଅଣଚାଣ ମସିହାରେ ଏକା ସାଙ୍ଗରେ ତିନିଜଣ କେଉଁଆଡ଼େ ଉଭାନ ହୋଇଗଲେ । ଏଗୁଡ଼ିକ ସବୁ ପୁରୁଣା ଖବରକାଗଜର ତଥ୍ୟରୁ ସଂଗୃହୀତ କରାଯାଇଛି । ବର୍ତ୍ତମାନ ପ୍ରଶ୍ନ ହେଉଛି, କେଉଁଥିପାଇଁ ଏତେଗୁଡ଼ାଏ ବୈଜ୍ଞାନିକ ଏଠିକୁ ଆସି ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି ?

 

ଦାସଗୁପ୍ତ ବାବୁ ସାଙ୍ଗେ ସାଙ୍ଗେ କହି ଉଠିଲେ—ସାର୍‌, ଏମିତିକା ଦୁଇ ତିନିଟା ଘଟଣା ମୁଁ ମଧ୍ୟ ଜାଣିଛି । ତେବେ ଏସବୁର ମୀମାଂସା କରିଦେବା ଏଡ଼େ ସହଜ ନୁହେଁ । ଏସବୁ ଅନୁସନ୍ଧାନ କରିବା ପୋଲିସର କାମ । ଆପଣ ଜାରୋୟାମାନଙ୍କ ସମ୍ୱନ୍ଧରେ କିଛି ଶୁଣିଛନ୍ତି କେବେ ?

 

ଦାଦା କହିଲେ—ହଁ ଶୁଣିଛି ?

 

ଏକ ସମୟରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବାସ କରୁଥିଲେ ପାଞ୍ଚ ପ୍ରକାରର ଅଧିବାସୀ-। ଏମାନଙ୍କ ମଧ୍ୟରୁ ତିନୋଟି ଜାତି ଖୁବ୍‌ ଶାନ୍ତ ଓ ଅନ୍ୟ ଦୁଇଜାତି ହୋଇ ଉଠିଥିଲେ ହ୍ରିଂସ-। ଏମାନେ ହେଲେ ସେଣ୍ଟିନେଲିଜ ଓ ଜାରୋୟା । ସେଣ୍ଟନେଲିଜମାନେ ଅନ୍ୟ ଏକ ଦ୍ୱୀପରେ ରହନ୍ତି-। କିନ୍ତୁ ଜାରୋୟାମାନେ ରହନ୍ତି ଆଣ୍ଡାମାନର ଦକ୍ଷିଣ ଓ ମଧ୍ୟ ଆଣ୍ଡାମାନର ଥିବା ଗଭୀର ଜଙ୍ଗଲ ମଧ୍ୟରେ । ଏ ଜାରୋୟାମାନେ ସବୁଠାରୁ ହ୍ରିଂସ ଅଟନ୍ତି । ଏମାନେ ଯେ କୌଣସି ସଭ୍ୟ ମାନବକୁ ଦେଖିବା ମାତ୍ରକେ ହତ୍ୟା କରନ୍ତି । ତେଣୁ ସାଧାରଣ ଲୋକ ତାଙ୍କ ସୀମା ଭିତରକୁ ଯିବାପାଇଁ ଭୟ କରିଥାନ୍ତି । ସାହେବମାନେ ତ ଖୁବ୍‌ ସାହାସୀ । ସେମାନଙ୍କ ଭିତରୁ କେହି କେହି ଜଙ୍ଗଲ ଭିତରେ ପ୍ରବେଶ କରି ବିଷବୋଳା ତୀରର ଶିକାର ହୋଇ ମରିଛନ୍ତି । ଏଇଟା ତ ଏଠି ଖୁବ୍‌ ସାଧାରଣ କଥା-। ଭାବି ଦେଖନ୍ତୁ, ସାର୍‌, ଜାରୋୟାମାନେ ଏତେ ଦୁର୍ଦ୍ଦାନ୍ତ ଜାତି ଯେ, ପୋଲିସ୍‌ ର୍ଫୋସ ବି ସେ ଅଞ୍ଚଳକୁ ଯିବାକୁ ଭୟ କରନ୍ତି, ଏପରିକି ଜାରୋୟାମାନଙ୍କର ସଂଖ୍ୟା କେତେ ହୋଇପାରିବ ତାହା ମଧ୍ୟ ଆଜିପର୍ଯ୍ୟନ୍ତ ସଠିକ କଳନା କରାଯାଇ ପାରିନାହିଁ ।

 

ଦାଦା ଶୁଣିସାରି ଶାନ୍ତ ଭାବରେ କହିଲେ—କଥାଟା ବୁଝିବା ଏଡ଼େ ସହଜ ନୁହେଁ । କେତେଟା ଲୋକ ଖୁନ୍‌ ହୋଇ ଯାଇଛନ୍ତି ବା ନିରୁର୍ଦ୍ଦିଷ୍ଟ ହୋଇଯାଇଛନ୍ତି, ଏ ବିଷୟଟା ଜାଣିବାପାଇଁ ଏଠିକୁ ଆସି ନାହିଁ । ଏସବୁ କାମ ତ ପୋଲିସ୍‌ର । ପ୍ରକୃତ କଥାଟା ହେଲା—ଏସବୁ ବୈଜ୍ଞାନିକ ଏ ଦ୍ୱୀପକୁ ଆସୁଛନ୍ତି କାହିଁକି ? ପ୍ରାୟ ପଚାଶ ବର୍ଷଧରି କେବଳ ଖୁନ୍‌ ଉଦ୍ଦେଶ୍ୟରେ ବା ଆତ୍ମଗୋପନ ଉଦ୍ଦେଶ୍ୟ ରଖି ବୈଜ୍ଞାନିକଗଣ ଏଠିକୁ ଆସିଛନ୍ତି ? ଦେଖିବାକୁ ଗଲେ ବୈଜ୍ଞାନିକମାନେ ଏଡ଼େ ବୋକା ନୁହନ୍ତି । ସେମାନେ ଆସିଥିଲେ କୌଣସି ଏକ ଖାସ୍‌ ଲକ୍ଷ୍ୟ ନେଇ । ସେହି ଲକ୍ଷ୍ୟଟା ଯେ କ’ଣ, ମୁଁ ଆସିଛି ଏହାରି ସନ୍ଧାନରେ ।

 

ଦାସଗୁପ୍ତ ବାବୁ ଚେଇଁ ଚେଇଁ ଉଠିଲେ—ଏଇଯେ...ସାହେବ... ଦି’ଜଣ......

 

ହଁ ତୁମେ ଠିକ୍ ଧରି ପାରିଛ । ଏ ସାହେବ ଦିଟାର ମଧ୍ୟ କୌଣସି ଉଦ୍ଦେଶ୍ୟ ରହିଛି । କେବଳ ଏ ଦୁଇଜଣ ମାତ୍ର ନୁହନ୍ତି, ଏହା ମଧ୍ୟରେ ଆହୁରି ଅନେକ ଆସିଛନ୍ତି ଓ ଆତ୍ମଗୋପନ କରି ରହିଛନ୍ତି ମଧ୍ୟ ।

 

ଫାଇଲଟା ବନ୍ଦକରି ଦେଇ ଦାଦା ପୁଣି କହିଲେ—ଆମପାଇଁ ଲଞ୍ଚର ବ୍ୟବସ୍ଥା ହୋଇସାରିଛି ତ ?

 

ଦାସଗୁପ୍ତ ବାବୁ କହିଲେ, ହଁ ସାର୍‌, ଲଞ୍ଚ ରେଡ଼ି । ଆପଣଙ୍କ ଖୁସି ଯେତେବେଳେ ଚାହିଁବେ ସେତେବେଳେ ବ୍ୟବହାର କରି ପାରିବେ ।

 

ଦାଦା ଠିଆ ହୋଇପଡ଼ି କହିଲେ—ତେବେ ଚାଲ, ମୁଁ ଏଇକ୍ଷଣି ବାହାରି ପଡ଼ିବାକୁ ଚାହେଁ ।

 

କୂଳ ନିକଟରେ ସମୁଦ୍ରପାଣି ଟିକିଏ ହାଲୁକା ନୀଳ ଓ ସବୁଜ ମିଶା ରଙ୍ଗ । କିନ୍ତୁ ସମୁଦ୍ର ଭିତରକୁ ଚାଲିଗଲେ ପାଣିଟା ଦେଖାଯାଏ ଗାଢ଼ ନୀଳ । ବହୁ ଦୂରରେ ଦେଖାଯାଉଛି ଛୋଟ ଛୋଟ ଦ୍ୱୀପ ଗୁଡ଼ାକ । ଅଳ୍ପ ସମୟ ପରେ ଲଞ୍ଚଟା ପ୍ରବେଶ କଲା ସମୁଦ୍ର ଭିତରେ ।

 

ମୋଟର ବୋଟଟା ପ୍ରାୟ ଛୋଟ । ତେବେ ଖୁବ୍‌ ଜୋରରେ ଯାଏ । ବିରାଟ ବିରାଟ ଢେଉ ଉପରେ ଦେଇ ଅନାୟାସରେ ଚାଲି ଯାଉଛି । ବୋଟକୁ ଚଲାଉଥାଏ ଶଙ୍କର ନାରାୟଣ ନାମକ ଜଣେ ଦକ୍ଷ ବୋଟ୍‌ ଚାଳକ । ତାକୁ ସାହାଯ୍ୟ କରିବାପାଇଁ ରହିଥିଲେ ଆହୁରି ଦୁଇଜଣ ଲୋକ ।

 

ସନ୍ତୁ ଭାବିଥିଲା ମୋଟର ବୋଟ୍‌ଟା ଢେଉ ଉପରେ ଦେଇ ଗଲାବେଳେ ତାକୁ ଖୁବ୍‌ ମଜା ଲାଗିବ । କାରଣ ତା’ ସାଙ୍ଗ ସାଥୀମାନଙ୍କ ମଧ୍ୟରୁ କାହାରି ହେଲେ ଏଭଳି ଅନୁଭୂତି ହୋଇ ନ ଥିବ । କିନ୍ତୁ କିଛି ସମୟ ବୋଟ୍‌ ଚାଲିଲା ପରେ, ତାକୁ କିମିତିକା କିମିତିକା ଲାଗିଲା । କିଛି ଭଲା ଲାଗିଲା ନାହିଁ । ମୁଣ୍ଡଟା ବୁଲେଇବାକୁ ଲାଗିଲା । ପେଟ ଭିତରଟା ମଧ୍ୟ ଘୁଡ଼ୁ ଘୁଡ଼ୁ ହେଉଛି, ଆଖି ଦିଟା ମୁଦି ହୋଇଆସୁଛି । ଯେଉଁଠି ପାରେ ସେଇଠି ଶୋଇ ଯିବାପାଇଁ ଇଚ୍ଛା । ସନ୍ତୁ ନିଜେ ସବୁ ଜାଣିପାରେ ମଧ୍ୟ ଆଶ୍ଚର୍ଯ ହୋଇଗଲା । ବୁଲିବାକୁ ଆସି ତା’ର ଏମିତିକା କେବେ ହୋଇନାହିଁ ।

 

ସମୁଦ୍ରକୁ ଚାହିଁ ଚାହିଁ କାଠ ବେଞ୍ଚଟା ଉପରେ ଶୋଇ ପଡ଼ିଲା ସନ୍ତୁ । ଦାଦା ତା’ ଆଗରେ ବସି ସମୁଦ୍ରକୁ ଏକ ଲକ୍ଷ୍ୟରେ ଅନାଇ ରହିଥାନ୍ତି । ଥରେ ପଛକୁ ଚାହିଁ ଦେଖିଲେ, ସନ୍ତୁ ଶୋଇଛି । ହଠାତ୍‌ ଉଠି ଆସିଲେ ସନ୍ତୁ ପାଖକୁ । ହାତଟା ଥରେ ବୁଲାଇ ଆଣି କହିଲେ—ଏ ସନ୍ତୁ, ସନ୍ତୁ, ଏସବୁ କ’ଣ ହେଉଛି । ତୋତେ ଖରାପ ଲାଗୁଛି ?

 

ସନ୍ତୁ ଲାଜରା ହୋଇ ଯାଇ କହିଲା–ନା–ନା ଦାଦା, ଟିକିଏ ନିଦ ନିଦ ମାଡ଼ୁଛି । ହଠାତ୍‌ ଉଠିପଡ଼ି ବସିବାକୁ ଚେଷ୍ଟା କଲା । ତା’ର ଭାରି ଭୟ, ଦାଦା ଯଦି ଜାଣନ୍ତି ଯେ, ତା ଦେହ ଖରାପ ବୋଲି ତେବେ ତାକୁ ହୋଟେଲରେ ଛାଡ଼ିଦେଇ ଆସିବେ ।

 

ଦାଦା ପଚାରିଲେ—ମୁଣ୍ଡଟା ବୁଲେଇ ହେଉଛି ତ, ଆଉ ପେଟ ମୋଡ଼ି ହେଉଛି ?

 

ସନ୍ତୁ ଉତ୍ତର ଦେବା ପୂର୍ବରୁ ଦାସଗୁପ୍ତ ବାବୁ କହିଲେ—ଓଃ, ତାହାହେଲେ ଜଣାଗଲା, ଆଗରୁ ସେ କେବେ ସମୁଦ୍ରରେ ଯାଇ ନାହାନ୍ତି ।

 

ନା ।

 

ତାହାହେଲେ ତ ସି. ସିକ୍‌ନେସ୍‌ ହୋଇଥିବ । ଏଠି ଏତେ ବଡ଼ ବଡ଼ ଢେଉ । ଦେଖେ, ମୋ ପାଖରେ କେତୋଟି ଟ୍ୟାବଲେଟ୍‌ ଅଛି ।

 

ଦାଦା ତାଙ୍କର ବଡ଼ ଚମଡ଼ା ବ୍ୟାଗ ଭିତରୁ ଖୋଜି ବାହାର କରି ଆଣିଲେ ଦୁଇଟି ବଟିକା । ଏ ମୁଣିଟା ଭିତରେ ସବୁ କିଛି ରହିଥାଏ । ଏପରିକି କଇଁଚି, ଗୁଲିସୂତାଠାରୁ ଆରମ୍ଭ କରି ଅଠା ଶିଶି ପର୍ଯ୍ୟନ୍ତ ଥିବାର ସନ୍ତୁ ଦେଖିଛି ।

 

ଦାଦା କହିଲେ—ନେ, ଏ ଦି’ଟା ଟ୍ୟାବଲେଟ୍‌ ପାଟିରେ ପକେଇ ଦେ । ତା’ପରେ ଟିକିଏ ଶୋଇ ରହ । ଯଦି ବାନ୍ତି ବାନ୍ତି ଲାଗେ ବାନ୍ତି କରିବୁ । ଏଥିରେ ଲାଜ କରିବାର କ’ଣ ଅଛି-?

 

ସନ୍ତୁର ପେଟଟା ଢେଉ ପରି ଉଠୁଥାଏ ପଡ଼ୁଥାଏ । ତାକୁ ବାନ୍ତି ବାନ୍ତି ମାଡ଼ୁଥାଏ । ସନ୍ତୁ ଆଉ ସମ୍ଭାଳି ନ ପାରି ଶୋଇ ପଡ଼ିଲା । କିନ୍ତୁ ହଠାତ୍‌ ଦାସଗୁପ୍ତ ବାବୁଙ୍କ ଚିତ୍କାରରେ ତା’ ନିଦ ଭାଙ୍ଗିଗଲା ।

 

ଦାସଗୁପ୍ତ ବାବୁ କହୁଥିଲେ—ଏଇ ଦେଖନ୍ତୁ ସାର୍‌, ଦେଖନ୍ତୁ ।

 

ସନ୍ତୁ ଧଡ଼ପଡ଼ ହୋଇ ଉଠି ପଚାରିଲା—କ’ଣ ଟା ?

 

ଦାସଗୁପ୍ତ ବାବୁ ସମୁଦ୍ରର ଗୋଟିଏ ସ୍ଥାନକୁ ଆଙ୍ଗୁଠି ଦେଖାଇ କହିଲେ—ଏଇ ଯେ,... ଦେଖିପାରୁଛ ?

 

ସନ୍ତୁ ଦେଖିଲା ଟିକିଏ ଦୂରରେ ପାଣି ଭିତରେ ତିନିକୋଣିଆ ହୋଇ ଗୋଟିଏ ଜିନିଷ ଦେଖାଯାଉଛି ।

 

କ’ଣ ସେଇଟା ?

 

ହାଙ୍ଗର । ଏଇ ଦେଖ ପୁଣି ଆଉ ଗୋଟାଏ ।

 

ହାଙ୍ଗର ଦେଖିବାକୁ ତେବେ ଏଇପରି ।

 

ଗୋଟିଏ ସ୍ପଷ୍ଟ ଦେଖାଯାଉଛି । ଅତି ପାଖରେ । ଆଉ ଅନ୍ୟଟା ପାଣି ଭିତରେ ଅଛି । କ୍ରମେ ଏକାବେଳେ ଦଶ ବାରଟା ହାଙ୍ଗର ପାଣି ଉପରକୁ ଉଠି ଆସିଲେ ।

 

ଦାସଗୁପ୍ତ ବାବୁ ସନ୍ତୁକୁ ଡ଼ରାଇ ଦେଇ କହିଲେ—ଦେଖୁଛ ତ । ଥରେ ଏ ସମୁଦ୍ର ଭିତରେ ପଡ଼ିଗଲେ ବଞ୍ଚି ବାହାରିବାର ଉପାୟ ନାହିଁ । ହାଙ୍ଗର ଗୁଡ଼ାକ ନିମିଷକ ମାତ୍ରେ ଶେଷ କରିଦେବେ ।

 

ଦାଦା ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ମୁହଁରେ ଦେଇ ଦେଖିବାରେ ଲାଗିଥାନ୍ତି । ଅଳ୍ପ ଦୂରରେ ଗୋଟିଏ ଛୋଟ ଦ୍ୱୀପ ଦେଖାଯାଉଛି । ଦାଦା ଦାସଗୁପ୍ତ ବାବୁଙ୍କ ଧମକ ଦେଇ କହିଲେ—ହଠାତ୍ ଏ ଭଳି ପାଟି କରି ଉଠନ୍ତୁ ନାହିଁ । ମୁଁ ଭାବିଲି କୌଣସି ମଣିଷ ତୁମ ଆଖିରେ ପଡ଼ିଛି ବୋଲି ।

 

ଦାସଗୁପ୍ତ ଏଥରକ ଚୁପ୍‌ ହୋଇ ବସି ରହିଲେ ।

 

କିଛି ସମୟ ଗଲା ପରେ ଦାଦା ପୁଣି କଥା ଆରମ୍ଭ କଲେ—ଏଇଯେ ଦ୍ୱୀପ ଗୁଡ଼ାକ ଦେଖାଯାଉଛି, ସେଇଠି ଓହ୍ଲେଇ ହେବ ନାହିଁ ?

 

ଦାସଗୁପ୍ତ କହିଲେ—ନା ସାର୍‌, ବୋଟ୍‌ ସେତେବାଟ ଗଲେ ତ ଆପଣ ଓହ୍ଲେଇବେ । ବାଲି ଯୋଗୁ ବୋଟ୍‌ ସେ ଦ୍ୱୀପ କୂଳକୁ ଆଦୌ ଯାଇ ପାରିବ ନାହିଁ ।

 

ବୋଟ୍‌କୁ ଏକଦମ୍‌ ଦ୍ୱୀପ ପାଖକୁ ନ ନେଇ, କିଛି ଦୂରରେ ରଖିଦେଇ, ସେଇଠୁ ପାଣିରେ ଚାଲି ଚାଲି ଗଲେ କ’ଣ ହେବ ।

 

ଦାସଗୁପ୍ତ ଏକାବେଳେ ଆତଙ୍କିତ ହୋଇଯାଇ କହିଲେ—ନା-ନା ସାର୍‌, ତା’ କେବେ କରିବେ ନାହିଁ । ଏଠି ଯେଉଁଠି ପାରେ ସେଇଠି ଓହ୍ଲାଇବାକୁ ଚେଷ୍ଟା କରିବେ ନାହିଁ, ତାହାହେଲେ ହାଙ୍ଗର କାଚ୍‌ କରି ଗୋଡ଼ ଦି’ଟା କାଟି ନେଇଯିବ ।

 

ସତ ନା କ’ଣ !

 

ହଁ ସାର୍‌ । ନିରାଟ ସତ କଥା । ଥରେ ମୋର ଜଣେ ବନ୍ଧୁଙ୍କର ଗୋଡ଼ କାଟି ନେଇ ଯାଇଥିଲା ।

 

ଦାଦା ବ୍ୟଙ୍ଗକରି କହିଲେ—ଆରେ ମୋର ତ ଆଗରୁ ଗୋଟିଏ ଗୋଡ଼ ନାହିଁ । ହାଙ୍ଗର କ’ଣ ମଣିଷର ଦୁଇଟାଯାକ ଗୋଡ଼ କାଟି ନେଇଯାଏ ? ମୁଁ ଶୁଣିଛି ହାଙ୍ଗର କେବଳ ଗୋଟିଏ ମାତ୍ର ଗୋଡ଼ କାଟି ନେଇଯାଏ, ଆଉ ଆର ଗୋଡ଼ଟା ଛାଡ଼ି ଦେଇଯାଏ ।

 

ଦାସଗୁପ୍ତ ଦାଦାଙ୍କ ପରିହାସଟା ବୁଝି ପାରିଲେ ନାହିଁ । ସେ ଉତ୍ତେଜିତ ହୋଇ କହିଲେ–ସେ ସବୁ ଛାଡ଼ନ୍ତୁ ସାର୍‌ । ଆପଣ କ’ଣ ଏହି ଦୁଇଶହଟା ଯାକ ଦ୍ୱୀପରେ ଓହ୍ଳେଇ ଦେଖିବାକୁ ଚାହାନ୍ତି ? ତେବେ ତ ଅସମ୍ଭବ ବ୍ୟାପାର ।

 

ଏ ଦ୍ୱୀପମାନଙ୍କରେ ମଣିଷ ବାସ କରନ୍ତି ?

 

କରିବେ କେମିତିକା ସାର୍‌ । ପିଇବା ପାଇଁ ଜଳ କାହିଁ ? ସମୁଦ୍ର ଜଳ ତ ପିଇ ହେବ ନାହିଁ । ଚତୁର୍ଦ୍ଦିଗ ଜଳ ଦେଖି ଦେଖି ଚିତ୍ତ ବିନୋଦନ କରାଯାଇପାରେ, ଏ ଦ୍ୱୀପ ଗୁଡ଼ାକରେ ଦିନକରୁ ଦିଦିନ ରହିଗଲେ ମଣିଷ ପାଣିବିନା ଶୁଖି ଶୁଖି ମରିଯିବ ।

 

ତାହାହେଲେ ଯେଉଁସବୁ ଦ୍ୱୀପଗୁଡ଼ିକରେ ମଣିଷ ରହନ୍ତି, ସେଠି ପାଣି କିମିତି ମିଳେ ?

 

ସେଠି ତ ଝରଣା ପାଣି ଅଛି, ଯେଉଁ ଦ୍ୱୀପ ଗୁଡ଼ାକରେ ବଡ଼ବଡ଼ ପାହାଡ଼ମାନ ରହିଛି ସେଇଠି ଝରଣା ପାଣି ମିଳେ, ପାଣି ଖୁବ୍‌ ମିଠା ମଧ୍ୟ ।

 

ଦାଦା କେବଳ ହୁଁ ମାରିଲେ ।

 

ମୋଟର ବୋଟ୍‌ଟା ଏବେ ମୂଳ ସମୁଦ୍ର ଛାଡ଼ି ଖାଡ଼ିରେ ପ୍ରବେଶ କଲା । ଖାଡ଼ି ମାନେ ଦୁଇ ପାର୍ଶ୍ୱରେ ଦ୍ୱୀପ ଓ ତା ମଝିରେ ସରୁ ସମୁଦ୍ର ରାସ୍ତାଟିଏ । ଦୁଇ କଡ଼ର ଦ୍ୱୀପ ଗୁଡ଼ାକ ଭୀଷଣ ଜଙ୍ଗଲ । ଗୋଟିଏ ଗୋଟିଏ ଗଛ ପ୍ରକାଣ୍ଡ ପ୍ରକାଣ୍ଡ ଲମ୍ୱ, ଗଛ ଗୁଡ଼ାକରେ କେତେ ପ୍ରକାର ଲତା ଗୁଡ଼ାଇ ହୋଇ ଫୁଲମାନ ଫୁଟିଛି । ଗଛ ଗୁଡ଼ାକ ଚିହ୍ନାଗଛ ନୁହେଁ, ସବୁ ଗୁଡ଼ାକ ନୂଆ ନୂଆ ଗଛ ।

 

ଦାସଗୁପ୍ତ ବାବୁ ଫିସ୍‌ ଫିସ୍‌ କରି ସନ୍ତୁକୁ କହିଲେ—ଏମିତି ଦେଖୁଥାଅ । ଟିକିଏ ପରେ କେତେ କୁମ୍ଭୀର ଦେଖିବ ।

 

କୁମ୍ଭୀର ପାଣି ଉପରେ ଭାସୁଥିବେ ନା କ’ଣ ?

 

ନା, କୂଳରେ ବାଲି ଉପରେ ଶୋଇ ଖରା ପୋଉଁଥିବେ । ଲଞ୍ଚ ଶବ୍ଦ ହେବାକ୍ଷଣି ଝପ୍‌ଝପ୍‌ କରି ପାଣି ଭିତରକୁ ଡେଇଁ କାହିଁ କୁଆଡ଼େ ଗାଏବ ହୋଇଯିବେ ।

 

ସନ୍ତୁ ଏକାବାରକେ ବାହାରକୁ ଝୁଙ୍କିପଡ଼ି ଦେଖିବାକୁ ଲାଗିଲା ।

 

ଦାସଗୁପ୍ତ କହିଲେ—ଭାଗ୍ୟରେ ଯଦି ଥାଏ, ଆମେ ଧଳା କୁମ୍ଭୀର ମଧ୍ୟ ଦେଖିପାରିବା ।

 

ଦାଦା ପୁଣିଥରେ ପାଟିକରି ଉଠିଲେ—କ’ଣ ଗୁଡ଼ାଏ ବାଜେକଥା ଗପି ଚାଲିଛ । ଧଳା କୁମ୍ଭୀର ଅଛି ।

 

ହଁ ସାର୍‌ ! ଅଛନ୍ତି । କେବେ କିମିତିକା ଦେଖାଯାଆନ୍ତି । ଥରେ ତ ଏକ ବିରାଟ ତିମି ମାଛ ନିକୋବାର କୂଳକୁ ଉଠି ଆସିଥିଲା । ତା’ କଙ୍କାଳଟା ପୋର୍ଟବ୍ଳେୟାରରେ ରଖାଯାଇଛି । ଆଉ କୁମ୍ଭୀର ଓ ହାଙ୍ଗରଙ୍କର ଲଢ଼େଇ ଦେଖିବେ ନା ସେଟା ଗୋଟିଏ ଦେଖିବା ଭଳି ଦୃଶ୍ୟ ।

 

ଦାଦା ଡାହାଣ ପଟକୁ ବୁଲିପଡ଼ି ହଠାତ୍‌ ପାଟିକରି ଉଠିଲେ—ମଣିଷଟା, ଏଇ ଯେ ମଣିଷ ଦେଖାଯାଉଛି ।

 

ସନ୍ତୁ କୁମ୍ଭୀର ଦେଖିଥିଲେ ଯେତେଟା ଆନନ୍ଦ ଅନୁଭବ କରି ଥାଆନ୍ତା, ତାହାଠାରୁ ଆହୁରି ଆନନ୍ଦରେ ଦାଦା ପାଟିକରି ଉଠିଲେ ମଣିଷଟାଏ ଦେଖି । ପ୍ରକୃତରେ ଦେଖାଗଲା ଦୁଇଜଣ ଲୋକ ଖାକି ପୋଷାକ ପିନ୍ଧି ଜଙ୍ଗଲ ଭିତରକୁ ଚାଲି ଯାଉଛନ୍ତି ।

 

ଦାସଗୁପ୍ତ କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେଲେ ନାହିଁ । କହିଲେ—ହଁ ଆଜ୍ଞା ! ଏ ଆଡ଼କୁ ବନ ବିଭାଗର କେତେକ କର୍ମଚାରୀ କାଠପାଇଁ ବେଳେବେଳେ ଚାଲି ଆସନ୍ତି । କିନ୍ତୁ ସେମାନଙ୍କୁ ତ ଏ ବାଁ ପଟେ ଦେଖିବାକୁ ପାଇବେ । ଏ ଡାହାଣ ପଟେ ତ କେବେ ନୁହେଁ ।

 

କାହିଁକି ?

 

ଏ ପାଖ ଜଙ୍ଗଲରେ ପ୍ରବେଶ କରିବା ସଂପୂର୍ଣ୍ଣ ମନା । କାରଣ ଏ ଦ୍ୱୀପଟାରେ ହିଁ ଜାରୋୟାମାନେ ବାସ କରନ୍ତି ।

 

ସନ୍ତୁ ପଚାରିଲା, ଜାରୋୟାମାନେ କ’ଣ ?

 

ଏଇରେ, ଏହା ଭିତରେ ଭୁଲି ଗଲଣି । ସେତେବେଳେ କହିଥିଲି ଯେ, ଜାରୋୟାମାନେ ଏକ ପ୍ରକାର ହ୍ରିଂସ ଆଦିବାସୀ ଜାତି । ସେମାନେ କୌଣସି ଲୁଗାପଟା ପିନ୍ଧନ୍ତି ନାହିଁ । ଆଉ ଅସ୍ତ୍ର ରୂପେ ବିଷାକ୍ତ ତୀର ବ୍ୟବହାର କରିଥାନ୍ତି । ଆମଭଳି ସଭ୍ୟ ମାନବ ଦେଖିବା ମାତ୍ରକେ ହତ୍ୟା କରନ୍ତି ।

 

ଦାଦା କହିଲେ—ତେବେ ଯେତେବେଳେ ଏଇ ବାଟଦେଇ ମୋଟର ଲଞ୍ଚ ଯିବା ଆସିବା କରେ, ସେତେବେଳେ ଜାରୋୟାମାନେ ମୋଟର ଲଞ୍ଚ ଉପରକୁ ତୀର ଛାଡ଼ନ୍ତି ନାହିଁ ? ହଠାତ୍‌ ଯଦି ତୀରମାରିବା ଆରମ୍ଭ କରି ଦିଅନ୍ତି ?

 

ସେଥିପାଇଁ ଦେଖିବେ ସାର୍‌ । ଟିକିଏ ପରେ ରହିଛି ପୋଲିସ୍‌ କ୍ୟାମ୍ପ । ପୋଲିସ୍‌ ସେମାନଙ୍କୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଆସିବାକୁ ଦିଅନ୍ତି ନାହିଁ । ଆସିଲେ ଗୁଳିମାରି ଭୟ ଦେଖାଇ ସେମାନଙ୍କୁ ତଡ଼ି ଦିଆଯାଏ । ଜାରୋୟାମାନେ ବନ୍ଧୁକ ଗୁଳିକୁ ଖୁବ୍‌ ଭୟ କରନ୍ତି ।

 

ସନ୍ତୁ ଏଥରକ ପଚାରିଲା—ସେମାନଙ୍କର ବନ୍ଧୁକ ନାହିଁ ।

 

ବନ୍ଧୁକ କ’ଣ ଏପରିକି ସେମାନେ ନିଆଁ ମଧ୍ୟ ଜାଳି ଜାଣନ୍ତି ନାହିଁ । ଲୁହାର ଛୁରୀଟିଏ ମଧ୍ୟ ତାଙ୍କ ପାଖରେ ନାହିଁ । ସେମାନେ ଯେଉଁ ତୀର ବା ଶର ବ୍ୟବହାର କରନ୍ତି ସେଥିରେ ଲୁହାର ଚିହ୍ନବର୍ଣ୍ଣ ନାହିଁ । ସବୁ ଗୁଡ଼ାକ ବାଉଁଶ ତିଆରି ଶର । କିନ୍ତୁ ଏଇ ଶରଗୁଡ଼ାକରେ ବୋଳା ହୋଇଥାଏ ସାଘାଂତିକ ବିଷ । ଅନେକ ସମୟରେ ସମୁଦ୍ର ଜଳରେ ଭଙ୍ଗା ବୋତଲ, ଶିଶି ସବୁ ଭାସି ଭାସି ଆସେ ତ, ସେଗୁଡ଼ାକ ଭାଙ୍ଗି ଛୁରୀ କରିଥାନ୍ତି, ନଚେତ୍‌ ଗୋଜିଆ ପଥର ସବୁ ଘସି ଘସି ମୁନିଆ ଛୁରୀ କରିଥାନ୍ତି । ଶୁଣିଯାଏ ଏବେ ସେମାନେ ଏପଟକୁ ଆସି ଲୁହା ଚୋରୀକରି ଘସି ଘସି ଧାରୁଆ କରି ଛୁରୀ କରିଥିବା ଶିଖି ଗଲେଣି ।

 

ଦାଦା କିଛି ସମୟ ଚିନ୍ତା କରିବା ପରେ କହିଲେ—ଜାରୋୟାମାନଙ୍କ ଦ୍ୱୀପକୁ କୌଣସି ସଭ୍ୟ ମଣିଷ ଏବେ ସୁଦ୍ଧା ଯାଇ ନାହାନ୍ତି ?

 

କାହାର ଛାତିରେ ଦମ୍ଭ ଅଛି ସାର୍‌ ! ଏ ଭିତରକୁ ଥରେ ପଶିଗଲେ ଜୀବନ ଧରି ଫେରିଆସିବା ଅସମ୍ଭବ । ଚାଲନ୍ତୁନା, ଟିକିଏ ଦୂରରେ ମୁଁ ଆପଣଙ୍କୁ ଆଉ ଗୋଟାଏ ସ୍ଥାନ ଦେଖାଇବି ।

 

ତାହାହେଲେ ମନେ କରାଯାଇପାରେ ଯେ, ଯେଉଁ ବୈଜ୍ଞାନିକଗଣ ଏ ପର୍ଯ୍ୟନ୍ତ ନିରୁଦ୍ଦଷ୍ଟ, ସେମାନେ ଏ ଦ୍ୱୀପ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ ନିଶ୍ଚୟ ।

 

ସେଇଟା ବି ଗୋଟିଏ କାରଣ ହୋଇପାରେ, ସାର୍‌ ।

 

ଯେଉଁ ସାହେବ ଦି ଜଣଙ୍କ କଥା କହୁଛି ସେମାନେ ମଧ୍ୟ ଏଠିକୁ ଆସିଥାଇ ପାରନ୍ତି । କାହିଁକି ନା ତାଙ୍କ ପାଖରେ ବନ୍ଧୁକ ଗୁଳାଗୁଳି ସବୁ ଅଛି ।

 

ସେ କଥା କହିବା କଷ୍ଟକର ସାର୍‌ । ମାତ୍ର ଦୁଇ ତିନିଟା ସାହେବ ଗୋଟିଏ ଦିଟା ବନ୍ଧୁକ ବା ପିସ୍ତଲ ଧରି ଏଠି ଆସି କ’ଣ କରିବେ । ପାଞ୍ଚ ଛ ଶହ ଜାରୋୟାମାନଙ୍କ ତୁଳନାରେ ।

 

ଏ ଦ୍ୱୀପଟାର ଆର ପାଖଟା ବି ତ ସମୁଦ୍ର । ସେପାଖକୁ ଥରେ ଯାଇ ହେବନାହିଁ ।

 

ହଁ, ଯାଇହେବ, ହେଲେ ସେପାଖେ ପୋଲିସ ପହରା ଦିଏନାହିଁ । ଜାରୋୟାମାନେ ଯେତେବେଳେ ସେତେବେଳେ ସମୁଦ୍ର କୂଳକୁ ଚାଲି ଆସନ୍ତି ।

 

ମୁଁ ସେ ପାଖଟାରୁ ବୁଲି ଆସିବାକୁ ଚାହୁଁଛି ।

 

ଦାସଗୁପ୍ତ ଆହୁରି ଅବାକ୍‌ ହୋଇଯାଇ କହିଲା—ଏଇକ୍ଷଣି ସାର୍‌ ?

 

ଦାଦା କହିଲେ—କାହିଁକି, ବର୍ତ୍ତମାନ ଯାଇ ହେବନି ।

 

ତାହାହେଲେ ସାର୍‌ ଖୁବ୍‌ ଡେରି ହୋଇଯିବ । ଆପଣଙ୍କର ଖାଇବା ପିଇବାର ବ୍ୟବସ୍ଥା କରିବାକୁ ପଡ଼ିବ ।

 

ଖାଇବା ପାଇଁ ବ୍ୟସ୍ତ ହେବାର କିଛି ନାହିଁ ।

 

ତେବେ ବି ସାର୍‌—ବୋଟ୍‌ଟା କେବଳ ଏଇ ଦ୍ୱୀପ ପାଖ ଦେଇ ଯିବାପାଇଁ ଅନୁମତି ମିଳିଛି । ଆର ପାଖକୁ ଯିବାକୁ ହେଲେ ପୁଣି ଥରେ ପରିମିସେନ ନେବାକୁ ପଡ଼ିବ । ତେବେ ଚାଲନ୍ତୁ, ରଙ୍ଗେତ୍‌ରୁ ଫେରିଲା ବେଳକୁ ଯଦି ଅନୁମତି ମିଳେ ତାହାହେଲେ ଭଲ ।

 

ଦାସଗୁପ୍ତ ରହିଯାଇ ଥଙ୍ଗେଇ ଥଙ୍ଗେଇ କହିଲେ—ଗୋଟିଏ କଥା ସାର୍‌ । ଏହି ଜାରୋୟାମାନଙ୍ଗ ଦ୍ୱୀପକୁ କେବେ ଯିବେନାହିଁ । ଆପଣ ଯେଉଁ ରହସ୍ୟ କଥା କହୁଥିଲେ, ସେଇଟା ଖାଲି କ’ଣ ଏ ଦ୍ୱୀପଟାରେ ହିଁ ଅଛି ? ତାହା ଯଦି ହୁଏ ସାର୍‌, ଯେମିତି ସେ ରହସ୍ୟ ଅଛି ସେମିତି ରହିଥାଉ, କାହିଁକି ମିଛଟାରେ ପ୍ରାଣଟା ନଷ୍ଟ କରିଦେବେ ।

 

ଦାଦା କହିଲେ, ସବୁ ମଣିଷ ଏକା ପ୍ରକାରର ନାହାନ୍ତି ଦାସଗୁପ୍ତ ବାବୁ । କେହି କେହି ଭାବନ୍ତି ସବୁକିଛି ଯେମିତି ଚାଲିଛି ସେମିତି ଚାଲିଥାଉ, ପୁରୁଣା କଥା ଘଣ୍ଟାଘଣ୍ଟି କରି ଲାଭ ବା କ’ଣ-। ଆଉ କେହି କେହି ଗୋଟିଏ ଜିନିଷକୁ ଧରି ବସିଲେ ତା’ର ଶେଷ ଅଂଶଟା ନ ଦେଖି ଛାଡ଼ନ୍ତି ନାହିଁ-। ଏହାର ପ୍ରକୃତ କଥାଟା ଯଦି ମୁଁ ଜାଣି ନ ପାରେ ତେବେ କସ୍ମିନ କାଳେ ମୋତେ ରାତ୍ର ନିଦ ହେବନାହିଁ ।

 

କିନ୍ତୁ ସାର୍‌, ତା’ ଭିତରକୁ ଗଲେ ଯେ ପ୍ରାଣଟା ଚାଲିଯିବ ।

 

ତୁମର ତ ସେଠାକୁ ଯିବାର ଦରକାର ନାହିଁ ।

 

ତା କେବେହେଁ ହୋଇପାରେ ସାର୍‌ ! ଗଭର୍ଣ୍ଣମେଣ୍ଟରୁ ଅର୍ଡର ପାଇଛି ଆପଣଙ୍କ ପାଖରେ ରହି ଆପଣଙ୍କୁ ସବୁ କାର୍ଯ୍ୟରେ ସାହାର୍ଯ୍ୟ କରିବାକୁ ।

 

ତାହାହେଲେ ଦେଖୁଛି ତୁମ ଗଭର୍ଣ୍ଣମେଣ୍ଟ ମୋତେ ଖୁବ୍‌ ଅଡ଼ୁଆରେ ପକାଇ ଦେଇଛି ।

 

ନା ସାର୍‌, ମୁଁ ତ ଆପଣଙ୍କୁ ସବୁ କାର୍ଯ୍ୟରେ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି । ଆପଣ ତ ଆଉ ଏଠାକାର ସବୁ କଥା ଜାଣି ନାହାନ୍ତି ।

 

ଆମେ ବର୍ତ୍ତମାନ କୁଆଡ଼ିକି ଯାଉଛେ ଯେ ?

 

ରଙ୍ଗେତ୍‌, ଏଠାରେ ସବୁଠାରୁ ଭଲ ଜାଗା । ମୁଁ ଓୟାରଲେସ୍‌ରେ ଆମ ଆସିବା କଥା ଆଗରୁ ଜଣାଇ ଦେଇଛି । ଜେଟିରେ ଜିପ୍‌ ଗାଡ଼ି ଆସି ଆମକୁ ଅପେକ୍ଷା କରି ରହିଥିବ । ସେଇଠି ଭଲ ଡାକବଙ୍ଗଳାଟିଏ ବି ଅଛି । ଏକଦମ ପାହାଡ଼ ଉପରେ ।

 

ସେଠାରେ ପହଞ୍ଚିବାକୁ ଆମକୁ କେତେ ସମୟ ଲାଗିବ ?

 

ତିନି ମିନିଟ୍‌ ଭିତରେ ପହଂଚି ଯିବା । ରଙ୍ଗେତ୍‌ଠାରୁ ପୁଣି ଅନ୍ୟାନ୍ୟ ସ୍ଥାନକୁ ଯାଇ ମଧ୍ୟ ଦେଖିବା । ଆପଣଙ୍କର ଯଦି ଇଚ୍ଛା ହୁଏ ତେବେ ଶାନ୍ତା ବନ୍ଦର ଆଡ଼େ ମଧ୍ୟ ଯାଇପାରନ୍ତି । କିନ୍ତୁ ମୋର କ’ଣ ମନେହୁଏ ସାର୍‌ ଜାଣନ୍ତି, ସେ ସାହେବ ଦି’ଟା ମାୟା ବନ୍ଦରରେ ଥାଇପାରନ୍ତି ।

 

କାହିଁକି ?

 

ମାୟା ବନ୍ଦର ଖୁବ୍‌ ସୁନ୍ଦର ସ୍ଥାନ । ସାହେବ ଓ ମେମ୍‌ସାହେବମାନେ ଖୁବ୍‌ ପସନ୍ଦ କରିଥାନ୍ତି ସେଇ ସ୍ଥାନଟାକୁ ।

 

ସେଠିକୁ ଲୋକେ ବୁଲି ଫୂର୍ତ୍ତି କରିବା ପାଇଁ କେବଳ ଯାଆନ୍ତି । ଆଉ ଏ ସାହେବ ଦି’ଟା ଯେ, ଏଠାକୁ ବୁଲି ଦେଖିବାକୁ ଆସିଛନ୍ତି ଏହା ଭାବିନେବା ନିଜର ବୋକାମି ଛଡ଼ା କିଛି ନୁହେ । ଯଦି ବୁଲି ଆସିଛନ୍ତି ତେବେ ଏତେ ଲୁଚି ଛପି ରହୁଛନ୍ତି କାହିଁକି ?

 

କିଛିକ୍ଷଣ ପାଇଁ ସମସ୍ତେ ଚୁପ୍‌ଚାପ୍‌ ହୋଇ କେବଳ ବସି ରହିଲେ । ମଟର ବୋଟ୍‌ର ଗୁଟ୍‌ଗୁଟ୍‌ ଶବ୍ଦଟା ଯାହା କାନକୁ ଶୁଣା ଯାଉଥାଏ । ଖାଡ଼ିରେ ସମୁଦ୍ର ଢେଉ ଖୁବ୍‌ କମ୍‌ । ଦୁଇ କଡ଼ରେ କାନ୍ଥଭଳି ଠିଆହୋଇ ରହିଛି ଜଙ୍ଗଲ ଗୁଡ଼ାକ ।

 

ସନ୍ତୁ କୁମ୍ଭୀର ଦେଖିବା ପାଇଁ ବ୍ୟାକୁଳ ହେଉଥାଏ । ସତକୁସତ ଏଥର ଦେଖାଗଲା ଗୋଟିଏ କୁମ୍ଭୀର । ତା ପାଖକୁ ଲାଗି ଆହୁରି ଦି’ଟା କୁମ୍ଭୀର ବାଲି ଉପରେ ପଡ଼ିଛନ୍ତି, ଯେମିତି ଠିକ୍‌ ଦୁଇଟା ପୋଡ଼ା କାଠ ଗଡ଼ା । ବୋଟ୍‌ର ଶବ୍ଦକୁ କାନେଇ ରହିଥାନ୍ତି । ତା’ପରେ ଭୟପାଇ ଧୀରେ ଧୀରେ ପଶିଗଲେ ପାଣି ଭିତରେ ।

 

ସନ୍ତୁ ପାଟିକଲା, ହେଇ ହେଇ, ଆହୁରି ଦିଟା କୁମ୍ଭୀର ।

 

ଦାସଗୁପ୍ତ ଟିକିଏ ତାତ୍ସଲ୍ୟ କରି କହିଲେ—ଏ ଦି’ଟା ସେମିତି ବଡ଼ କୁମ୍ଭୀର ନୁହେଁ । ୟାଠାରୁ ଆହୁରି ବଡ଼ ବଡ଼ କୁମ୍ଭୀର ଅଛି, ଏଇଟା କିନ୍ତୁ କୁମ୍ଭୀର ଜାଗା ।

 

ସନ୍ତୁ ପଚାରିଲା—କେଉଁଟା ?

 

ସେଇ ଯେ, କହୁଥିଲି ଦେଖେଇବି ବୋଲି । ଏଠାର ବାଲି ସବୁ ସୁନେଲି ରଙ୍ଗର, ଅରକ୍ଷ୍ୟର ଗଳ୍ପ ‘ସୁନେଲି ବେଳା’ ର କଥା କେବେ ଶୁଣିଛ ?

 

ନା, ଏଟା ସୁନାବେଳା ନୁହେଁ, ତେବେ ଏଠାର ବାଲିଗୁଡ଼ାକ ସୁନେଲି ସୁନେଲି ଦେଖା ଯାଉଥିବାରୁ, ଅନେକଙ୍କର ଧାରଣା ଯେ ଏଠାରେ ବାଲିରେ ସୁନା ମିଶି ରହିଛି ।

 

ଦାଦା ପଚାରିଲେ—ସତରେ କ’ଣ ଏଠା ବାଲିରେ ସୁନା ମିଳେ ?

 

ନା ନାହିଁ । ସରକାରଙ୍କ ତରଫରୁ ବାଲି ପରୀକ୍ଷା କରି ଦେଖାଯାଇଛି ଯେ, ସେ ରକମ କିଛି ନାହିଁ । ତେବେ ଲୋକଙ୍କର ଲୋଭ ଛାଡ଼ିନାହିଁ । ସେପଟକୁ ଯିବାକୁ ତ ପୂରାପୂରି ନିଷେଧ । ଥରେ କ’ଣ ହେଲାନା ତିନିଜଣ ପିଲା ବାଲି ପାଇଁ ସେପାଖ ଅଞ୍ଚଳକୁ ଯାଇଥିଲେ । ତିନିଜଣଯାକ ତିନୋଟି ବସ୍ତାରେ ବାଲି ଭର୍ତ୍ତି କରୁଥାନ୍ତି, ଏତିକିବେଳେ ପଛପଟୁ ଜାରୋୟମାନଙ୍କ ଆକ୍ରମଣ ହେଇଗଲା । ଦୁଇଟି ପିଲା ସଙ୍ଗେ ସଙ୍ଗେ ସେଇଠି ହିଁ ଢଳିପଡ଼ିଲେ । ଆଉ ଆର ପିଲାଟି ଜାରୋୟା ପେଟରେ ଛୁରୀ ଭୁସିଦେଇ ନିଜକୁ କୌଣସିମତେ ବଞ୍ଚାଇ ନେଇ ସମୁଦ୍ରକୁ ଡେଇଁ ପଡ଼ିଲା । ଜାରୋୟାମାନେ ତ ସମୁଦ୍ରରେ ପହଁରି ଜାଣି ନାହାନ୍ତି । ତେଣୁ ତାଙ୍କ ଭିତରୁ କେହିହେଲେ ତାକୁ ଧରି ଆଣିବାକୁ ଚେଷ୍ଟା କଲେନାହିଁ । ପିଲାଟି କିନ୍ତୁ ସେହିଭଳି ଆହତ ଅବସ୍ଥାରେ ଭାସି ଭାସି ଚାଲିଥିଲା । ତା’ ଭାଗ୍ୟ ଖୁବ୍‌ ଟାଣ । ତାକୁ କୁମ୍ଭୀର ବା ହାଙ୍ଗର କେହି ହେଲେ ଧରି ନାହାନ୍ତି । ବାରଘଣ୍ଟା ପରେ ଗୋଟିଏ ପୋଲିସ ବୋଟ୍‌ ପିଲାଟାକୁ ପାଣିରୁ ଉଦ୍ଧାର କରି ଆଣିଲା । ସେତେବେଳେକୁ ତା’ର ଅବସ୍ଥା ପାଗଳ ଭଳି, କାହାକୁ ଦେଖିଦେବା ମାତ୍ରକେ ଜାରୋୟା, ବୋଲି ଚିତ୍କାର କରିବାକୁ ଲାଗିଲା ।

 

କଥାଗୁଡ଼ାକ କହିଲାବେଳେ ଦାସଗୁପ୍ତ ବାବୁ ମଧ୍ୟ ନିଜେ ଏଇ ଜାରୋୟା—ଜାରୋୟା ବୋଲି ପାଟି ଟେ୍‌ କରି ଉଠିଲେ ।

 

ସନ୍ତୁ ଆଁଟା କରି ସବୁ ଶୁଣି ଯାଉଥାଏ । କିନ୍ତୁ ଦାଦା ପଚାରିଲେ, ତୁମେ କେବେ ନିଜ ଆଖିରେ ସେ ପିଲାଟାକୁ ଦେଖିଛ ?

 

ଦାସଗୁପ୍ତ ଆଫା ଆଫା ହୋଇଯାଇ କହିଲେ—ନା ସାର୍‌, ତାକୁ କେବେ ଦେଖିନାହିଁ; ତଥାପି ସମସ୍ତେ ଏଇ କଥା ଜାଣନ୍ତି ।

 

ଦାଦା କହିଲେ—ଗପ, ମନଗଢ଼ା ଗପ । ଏହାଛଡ଼ା କିଛି ନୁହେଁ ।

 

ନା ସାର୍‌—ରଙ୍ଗେତ୍‌ ଯାଇ ଆପଣ ଯାହାକୁ ହେଲେ ପଚାରି ବୁଝନ୍ତୁ ସମସ୍ତେ ଏଇ କଥା କହିବେ ।

 

ମୁଁ ଲକ୍ଷ୍ୟ କରିଛି ଆପଣ ବେଶ୍‌ କାହାଣୀପ୍ରିୟ ।

 

ଦାସଗୁପ୍ତ ଅଗତ୍ୟା ଚୁପ୍‌ଚାପ୍‌ ବସି ରହିଲେ ।

 

ପ୍ରାୟ ତିନିଟାବେଳେ ବୋଟ୍‌ ଆସି ଲାଗିଲା ରଙ୍ଗେତ୍‌ରେ । ବୋଟ୍‌ ଭିତରୁ ଉଠି ଆସି ଦେଖିବାରୁ, ସତକୁ ସତ ଦେଖାଗଲା ଗୋଟିଏ ଜିପ୍‌ଗାଡ଼ି ଅପେକ୍ଷା କରି ରହିଛି । ଏଇଠାରୁ ପୁଣି ଆଠ ନଅ ମାଇଲ ବାଟ ଜିପ୍‌ରେ ଯିବାକୁ ପଡ଼ିବ ।

 

ସନ୍ତୁ ଆଗ ଯାଇ ଜିପ୍‌ରେ ଉଠିଲା । ଦାଦା ଜିପ୍‌ ଉପରକୁ ଉଠୁ ଉଠୁ କହିଲେ, ମୋ ଚଷମାଟା ବୋଟ୍‌ରେ ଛାଡ଼ି ଦେଇ ଆସିଲି ।

 

ଦାସଗୁପ୍ତ କହିଲେ— ତେବେ ମୁଁ ଯାଉଛି ସାର୍‍, ନେଇ ଆସିବି ।

 

ନା-ନା, ତୁମେ ଯିବା ଦରକାର ନାହିଁ । ମୁଁ ଯାଉଛି ।

 

ଦାଦା ଖଟ ଖଟ କରି କ୍ରାଚ୍‌ରେ ବୋଟ୍‌ ନିକଟକୁ ନିଜେ ଆଗେଇ ଚାଲିଗଲେ ।

 

କେତେ ସମୟ ପରେ ବୋଟ୍‌ର ଘୁଟ୍‌ଘୁଟ୍‌ ଶବ୍ଦ ଶୁଣାଗଲା । ଦାସଗୁପ୍ତ ପାଟି କରି ଉଠିଲେ—ଆରେ ବୋଟ୍‌ଟା ଛାଡ଼ିଦେଲା ଯେ, ଦାଦା ଗଲେ କୁଆଡ଼େ ?

 

ସନ୍ତୁ ସଙ୍ଗେ ସଙ୍ଗେ ମୋଟର ବୋଟ୍‌ ପାଖକୁ ଦୌଡ଼ିଲା । ସେତେବେଳକୁ ବୋଟ୍‌ଟା ସାଏଁ କରି ପାଣିକାଟି ଚାଲିଗଲାଣି ।

 

ଦାସଗୁପ୍ତ ପାଖକୁ ଆସି କହିଲେ—ଲଞ୍ଚଟା ମନକୁ ମନ ଚାଲିଲା କିମିତି ? ଏବେ ହେବ କ’ଣ ? ଶଙ୍କର ନାରାୟଣ—ଏ—ଶଙ୍କର ନାରାୟଣ ।

 

ବୋଟ୍‌ ଚାଳକ ଶଙ୍କର ନାରାୟଣ ବି ବୋଟ୍‌ଟା ଆଡ଼କୁ ଅନାଇ ରହିଥାଏ । ଲୋକଟା ଖୁବ୍‌ କମ୍‌ କଥା କୁହେ । ଏଥରକ ପାଟି ଫିଟାଇ କହିଲା—ବୋଟ୍‌ କେବେ ମନକୁ ମନ ଯାଇପାରେ କି ? ସେଇଟାକୁ ତ ସେ ବାବୁ ଚଲାଉଛନ୍ତି ।

 

ଦାସଗୁପ୍ତଙ୍କ ଆଖି ଦି’ଟା ଟେରା ହୋଇଯିବା ସଙ୍ଗେ ସଙ୍ଗେ ମୁହଁଟା ସେତା ପଡ଼ିଗଲା । ସେ ଥରଥର ଗଳାରେ କହିଲେ—ସେ ନିଜେ ଚଳାଇ ନେଉଛନ୍ତି ? ତା’ ମାନେ ସେ ନିଜେ ଏକୁଟିଆ ଜାରୋୟାମାନଙ୍କ ଅଞ୍ଚଳକୁ ଯିବାକୁ ଚାହୁଁଛନ୍ତି । ଉଃ ! କି ବିପଦ୍‌ଜନକ ମଣିଷରେ ବାବା । ମୁଁ ଏବେ ସରକାରଙ୍କୁ କ’ଣ ବୋଲି କଇଫତ୍‌ ଦେବି ଯେ ?

ମୋଟର ବୋଟ୍‌ଟା ଏ ପର୍ଯ୍ୟନ୍ତ ବି ସ୍ପଷ୍ଟ ଦେଖା ଯାଉଥାଏ । ସନ୍ତୁ ଚିତ୍କାର କରି ଡାକିଲା–ଦାଦା–ଏ–ଦା-ଦା ।

ଦାସଗୁପ୍ତ ମଧ୍ୟ ପାଟି କରି ଡାକିଲେ—ମିଷ୍ଟର ରାୟ ଚୌଧୁରୀ, ମିଷ୍ଟର ରାୟ ଚୌଧୁରୀ–

ଶଙ୍କର ନାରାୟଣ ଟିକିଏ ଭାବିବା ପରେ କହିଲା—ସେ ଅବଶ୍ୟ ବେଶି ବାଟ ଯାଇ ପାରିବେ ନାହିଁ । ମୁଁ ଏଇଠୁ ଡିଜେଲ ଭର୍ତ୍ତି କରିନେବା ପାଇଁ ଠିକ୍‌ କରିଥିଲେ । ତେଣୁ ବୋଟ୍‌ରେ ତେଲ କମ୍‌ ଅଛି ।

ଦାସଗୁପ୍ତ କହିଲେ—‘‘କ’ଣ ହେଲା, ବୋଟ୍‌ରେ ଡିଜେଲ ନାହିଁ । ଥ୍ୟାଙ୍କ୍‌ ୟୁ, ଥ୍ୟାଙ୍କ୍‌ ୟୁ ମିଷ୍ଟର ଶଙ୍କର ନାରାୟଣ । ବୋଟ୍‌ରେ ଡିଜେଲ ନାହିଁ । ତେବେ ତ ସେ ଜାରୋୟାମାନଙ୍କ ଅଞ୍ଚଳକୁ ଯାଇ ପାରିବେ ନାହିଁ ।

ମୋଟର ଲଞ୍ଚଟା ଅଥଚ ସେତେବେଳକୁ କାହିଁ କେଉଁଆଡ଼େ ଅଦୃଶ୍ୟ ହୋଇଗଲାଣି । ସନ୍ତୁ ଭାବୁଥିଲା ମୋଟର ଲଞ୍ଚଟାରୁ ଯଦି ତେଲ ସରିଯାଏ ତେବେ ତ ଦାଦା ସମୁଦ୍ର ମଝିରେ ଅଟକି ରହିଯିବେ । ବୋଟ୍‌ର କୌଣସି ଗୋଳମାଳ ନାହିଁ ତ ?

ଦାସଗୁପ୍ତ କହିଲେ, ଓଃ, କି ପ୍ରକାର ମଣିଷ ଯେ ସେ । ସେଥିରେ ପୁଣି ତାଙ୍କର ଗୋଟିଏ ଗୋଡ଼ ନାହିଁ । ଦୁଇଟାଯାକ ଗୋଡ଼ ଥିଲେ ସେ ଯେ ଆହୁରି କି କାଣ୍ଡ ସବୁ କରିଥାନ୍ତେ କିଏ ଜାଣେ । ସନ୍ତୁ, ତାଙ୍କର ଗୋଡ଼ଟେ କଟିଗଲା କେମିତି ?

 

ଆଫଗାନିସ୍ଥାନରେ ଗୋଟିଏ ଆକ୍‌ସିଡେଣ୍ଟରେ ।

 

ଆରେ ବାବା, ସେ ପୁଣି ଆଫଗାନିସ୍ଥାନ ଯାଇଥିଲେ ।

 

ଶଙ୍କର ନାରାୟଣ ଜେଟିର ସିଡ଼ିଦେଇ ତରତରରେ ଓହ୍ଲାଇ ପଡ଼ି ବାଲି ଚଡ଼ା ଉପରେ ଦୌଡ଼ିବାକୁ ଲାଗିଲା । ଟିକିଏ ଦୂରରେ ଆଉ ଗୋଟିଏ ମୋଟର ବୋଟ୍‌ ରହିଥିବାର ଦେଖାଯାଉଛି-। ସେଥି ଭିତରୁ କେଉଁଟା ମାଛଧରା ଲଞ୍ଚ ତ ଆଉ କେଉଁଟା ମାଲପତ୍ର ବାହି ଲଞ୍ଚ । ଅଳ୍ପ ସମୟ ପରେ ଶଙ୍କର ନାରାୟଣ ଗୋଟିଏ ଲଞ୍ଚ ଧରି ପହଞ୍ଚିଗଲା । କହିଲା—ଆପଣମାନଙ୍କ ଭିତରୁ କିଏ ହେଲେ ଜଣେ ମୋ ସାଥିରେ ଆସନ୍ତୁ ।

 

ଦାସଗୁପ୍ତ କହିଲେ—ତେବେ ମୁଁ ଆସୁଛି । ସନ୍ତୁ ତୁମେ ଏଇଠି ଅପେକ୍ଷା କରି ରହିଥାଅ-

 

ସନ୍ତୁ କିନ୍ତୁ କୌଣସି କଥା ଶୁଣିବାକୁ ନାରାଜ । ସେ ମୋଟର ବୋଟ୍‌ ଉପରକୁ ଡେଇଁ ପଡ଼ି ଆଗ ଯାଇ ବସି ପଡ଼ିଲା ।

 

ଶଙ୍କର ନାରାୟଣ ଏତେ ଜୋର୍‌ରେ ବୋଟ୍‌ଟା ଛାଡ଼ିଦେଲା ଯେ, ସମସ୍ତେ ଆଣ୍ଠୁମାଡ଼ି ପଡ଼ି ଯାଉ ଯାଉ କୌଣସିମତେ ରହିଗଲେ । ସେ ଦୁହେଁଯାକ ବୋଟ୍‌ର ବାଡ଼ଟାକୁ ଜାବୁଡ଼ି ଧରି ଠିଆ ହୋଇ ରହିଲେ ।

 

କେତେ ସମୟ ଗଲାପରେ ଆମର ବୋଟ୍‌ଟା ଦେଖାଗଲା । ସେଇଟା ଏପାଖ ସେପାଖ ବଙ୍କାଟଙ୍କା ହୋଇ ହୋଇ ଆଗକୁ ଚାଲିଛି । ବୋଧହୁଏ ଦାଦା ଭଲ ଚଲେଇ ପାରୁନାହାନ୍ତି, ଦାସଗୁପ୍ତ ପୁଣି ଏ ପାଖରୁ ବଡ଼ ପାଟିକରି ଡାକ ଛାଡ଼ିଲେ—ମିଷ୍ଟର ରାୟ ଚୌଧୁରୀ-

 

କେତେବେଳେ ପର୍ଯ୍ୟନ୍ତ ଦୁଇଟାଯାକ ବୋଟ୍‌ ସମାନ ଗତିରେ ସମାନ୍ତରାଳ ଭାବରେ ଚାଲିଲା । ତା’ ପରେ କାହିଁକି କେଜାଣି ଦାଦାଙ୍କ ବୋଟ୍‌ ଖଣ୍ଡିକ ଆପେ ଆପେ ବନ୍ଦ ହୋଇଗଲା । ବୋଟ୍‌ଟା ସମୁଦ୍ର ପାଣି କାଟି ଯେତେବେଳେ ଯାଏ ନା, ତା’ ତେଜ କ’ଣ ଦେଖିବ; କିନ୍ତୁ ଯେତେବେଳେ ସେ ନ ଚାଲି ବନ୍ଦ ହୋଇ ରହିଯାଏ ସେତେବେଳେ ଖୁବ୍‌ ଅସହାୟ ଦେଖାଯାଏ । ଯେମିତିକା ଗୋଟିଏ କଇଁଛର ଖୋଳ ଭାସୁଛି ।

 

ଶଙ୍କର ନାରାୟଣ ପ୍ରଥମେ ବୋଟ୍‌ଟାକୁ ଦାଦାଙ୍କ ବୋଟ୍‌ ଚାରି ପଟେ ବୋଁ ବୋଁ କରି କେତେଥର ବୁଲାଇ ଆଣିଲା । ତା’ ପରେ ନିକଟତର ହୋଇଯିବାରୁ ଗୋଟିଏ ଦଉଡ଼ି ଧରି ଆର ବୋଟ୍‌ ଉପରକୁ ଡେଇଁ ପଡ଼ିଲା ।

 

ପଳାଇ ଯାଉ ଯାଉ ଧରା ପଡ଼ି ଯାଇଥିବାରୁ ଦାଦା ସଙ୍କୋଚ କରିବାର କଥା; କିନ୍ତୁ ଦାଦା ମୁହଁରେ ବିରକ୍ତିଭାବ ଦେଖାଇ କହିଲେ—ଏଇ ବୋଟ୍‌ଟା ଆପେ ଆପେ ବନ୍ଦ ହୋଇଗଲା କେମିତି ?

 

ଶଙ୍କରନାରାୟଣ କହିଲା—ତେଲ ନ ଥିଲା, ସାର୍‌ ।

 

ଦାଦା ଲୋକଟାକୁ ଧମକ ଦେଇ କହିଲେ—ତେଲ, ତେଲ ନ ଥିଲା କାହିଁକି ?

 

ଦାସଗୁପ୍ତ ଏତିକିବେଳେ କହିଲେ—ଆପଣ ଏ କାମ କରିବାକୁ ଯାଉଥିଲେ ସାର୍‌ । ଏଭଳି ପାଗଳାମି କରିବାର କୌଣସି ମାନେ ହୁଏନା । ସିଆଡ଼େ ରଙ୍ଗେତ୍‌ରେ ଖାଇବା ପିଇବା ସବୁ ବନ୍ଦୋବସ୍ତ କରି ଆମକୁ ଅପେକ୍ଷା କରି ରହିଥିବେ । ଅଥଚ...

 

ଦାଦା କହିଲେ—ଦାସଗୁପ୍ତ ବାବୁ, ମୁଁ ଏଠାକୁ ଖାଇବାପାଇଁ ଆସିନି, ଆସିଛି ଗୋଟିଏ କାମରେ ।

 

କିନ୍ତୁ କାମଟା ତ ଆଉ ପଳାଇ ଯାଉନାହିଁ । କାମ ବୋଇଲେ ତ ଏଇ ସାହେବ ଦିଟାଙ୍କୁ ଖୋଜି ବାହାର କରିବା, ସେମାନେ ଏଇଠୁ ଆଉ କୁଆଡ଼େ ବା ପଳାଇ ଯିବେ ।

 

ମୁଁ ଟିକେ ହେଲେ ସମୟ ବରବାଦ୍‌ କରିବାକୁ ଚାହେଁନା ।

 

କିନ୍ତୁ ସାର୍‌, ଆପଣଙ୍କୁ ଗୋଟିଏ କଥା ଜଣାଇ ଦେଉଛି । ଆପଣ ସେ ଜାରୋୟାମାନଙ୍କର ଅଞ୍ଚଳକୁ କେବେ ହେଁ ଯାଇ ପାରିବେ ନାହିଁ । ବିନା ଅର୍ଡରରେ ଆପଣଙ୍କୁ ସେଠାକୁ ଯିବାକୁ ଦେବିନାହିଁ ।

 

ଅର୍ଡରଟା ଦେବ କିଏ ସେ, ଶୁଣେ !

 

ପୋଲିସ୍‌ ଏସ୍‌.ପି. ସାହେବଙ୍କଠାରୁ ଅର୍ଡର ଆଣିବାକୁ ପଡ଼ିବ । ତେବେ ସେ ଯେ ଏଥିପାଇଁ ଅର୍ଡର ଦେବେ ତାହା ବି ସନ୍ଦେହଜନକ । କେତେଜଣ ସାହେବ ଫୋଟ ଉଠାଇବା ପାଇଁ ଏମ୍‌.ପି.ଙ୍କୁ ଅନୁମତି ପ୍ରାର୍ଥନା କରିଥିଲେ; କିନ୍ତୁ ସେମାନଙ୍କୁ ଅନୁମତି ଦିଆଯାଇ ନଥିଲା ।

 

ଦାଦା ଆଉ କୌଣସି କଥାବାର୍ତ୍ତା ନ କରି ମୋଟର ବୋଟ୍‌ ଉପରକୁ ଉଠି ଆସିଲେ । ତାଙ୍କ ବୋଟ୍‌ଟାକୁ ଏଇ ନୂଆ ବୋଟ୍‌ ଦେହରେ ବାନ୍ଧି ଦିଆଗଲା । ତା’ ପରେ ଦୁଇଟାଯାକ ବୋଟ୍‌ ଏକା ସାଙ୍ଗରେ ଆଗପଛ ହୋଇ ଚାଲିଲା ।

 

ସେମାନେ ଜେଟିରେ ବୋଟ୍‌ରୁ ଓହ୍ଲାଇ ଜିପ୍‌ ଗାଡ଼ିରେ ଯାଇ ବସିଲେ । ରାସ୍ତାଟି ବେଶ୍‌ ଚଉଡ଼ା । ଦୁଇ କଡ଼ରେ ବଡ଼ ବଡ଼ ଗଛ ଧାଡ଼ି-ବାନ୍ଧି ଠିଆ ହୋଇରହିଛି । ମଣିଷଟିଏ ବା ଘରଦ୍ୱାର କେଉଁଠି ଦେଖାଯାଉନାହିଁ । ଅଥଚ ଏ ଯାଗାଟା ହେଉଛି ଦ୍ୱୀପର ମଧ୍ୟସ୍ଥଳ । ଦୁଇ କଡ଼ର ଘନ ବଣ ଜଙ୍ଗଲ ଦେଖି ମନେ ହୁଏ ନାହିଁ ଯେ, ଏଇଟା ହେଉଛି ପ୍ରକୃତରେ ଦ୍ୱୀପର ମଝିଅଂଶ ବୋଲି ।

 

ରଙ୍ଗେତ୍‌ରେ ପହଂଚିବାକୁ ଅଧଘଣ୍ଟାଏ ଲାଗିଲା । ଦାସଗୁପ୍ତ କହିଥିଲେ ରଙ୍ଗେତ୍‌ ଖୁବ୍‌ ବଡ଼ ଯାଗା । ଅଳସରେ ରଙ୍ଗେତ୍‌ ହେଉଛି ଗୋଟିଏ ଛୋଟ ଗାଁ ଠାରୁ ବି ଆହୁରି ଛୋଟ । କେତୋଟା ଦୋକାନପତ୍ର, ଦୁଇ ତିନିଟା ହୋଟେଲ ଓ କିଛି ଘରଦ୍ୱାର । ଯେ କୌଣସି ଘରର ପଛ ପାଖଟା ନିଶ୍ଚିତ ଭାବରେ ଜଙ୍ଗଲ ।

 

ରଙ୍ଗେତ୍‌ର ଡାକବଙ୍ଗଳାଟା ଥିଲା ପାହାଡ଼ ଉପରେ । ରାସ୍ତାଟ ଏପରି ଖାଲି ଢିପ, ଯେ, ଜିପ୍‌ଟା ଚାଲିଲା ବେଳକୁ ଗଁ ଗଁ ଶବ୍ଦ କରୁଥାଏ । ଯେଉଁ ଆଡ଼କୁ ଆଖି ଫେରାଅ କେବଳ ଜଙ୍ଗଲ ହିଁ ଜଙ୍ଗଲ ।

 

ବଙ୍ଗଳାଟା ଅବଶ୍ୟ ଦେଖିବାକୁ ଖୁବ୍‌ ମନୋରମ । ଦୋମହଲା ଘର । ଝରକା ଓ କବାଟ ଗୁଡ଼ାକରେ କାଚ ଫିଟିଙ୍ଗ୍‌ କରାଯାଇଛି । ସାମନାରେ ଗୋଟିଏ ଛୋଟ ଫୁଲ ବଗିଚା ବି ଅଛି-। ଦୋମହଲା ଉପରେ ରହି ଝରକା ପାଖରେ ଠିଆ ହେଲେ ଦୂରର ପାହାଡ଼, ଜଙ୍ଗଲ ସ୍ପଷ୍ଟ ଦେଖାଯାଉଛି । କିନ୍ତୁ ସମୁଦ୍ର ଆଦୌ ଦେଖା ଯାଉନାହିଁ, ଜଙ୍ଗଲ ଏତେ ଘଞ୍ଚ ଯେ, ଆଫ୍ରିକାର ଜଙ୍ଗଲ କଥା ମନକୁ ଆପେ ଆପେ ଆସିଯାଏ ।

 

ରୋଷେଇ ପ୍ରଭୃତି ସରି ଯାଇଥିଲା । ଭାତ, ବଡ଼ ବଡ଼ ଚିଙ୍ଗୁଡ଼ି ମାଛର ଭଜା ଓ ହରିଣ ମାଂସର ଝୋଳ । ବଙ୍ଗଳାର ଚୌକିଦାର ଖୁବ୍‌ ଦୁଃଖିତ ହୋଇ କହିଲା, ଖାସି ମାଂସ ଯୋଗାଡ଼ି ହୋଇପାରିଲା ନାହିଁ ତେଣୁ ବାଧ୍ୟ ହୋଇ ହରିଣ ମାଂସ ରାନ୍ଧିଛି । ସନ୍ତୁ ତ ଶୁଣି ଅବାକ୍‌ । ଛେଳି ମାଂସ ତ ପ୍ରାୟ ସେ ଖାଉଛି କିନ୍ତୁ ହରିଣ ମାଂସ ପାଇବା ଅର୍ଥ ଖୁବ୍‌ ଆନନ୍ଦର କଥା । ଏଇଠି ହରିଣ ଖୁବ୍‌ ଶସ୍ତା, ଏପରିକି ଦିନେ ଦିନେ ବିନା ପଇସାରେ ମଧ୍ୟ ହରିଣ ମାଂସ ମିଳିଯାଏ । ମାଛ ତ ଖୁବ୍‌ ଶସ୍ତା ନିଶ୍ଚୟ, ଏଠି ସବୁଠାରୁ ଦାମି ଜିନିଷ ହେଲା ପରିବା ଦରକାରୀ ।

 

ଏଠାର ଅନେକ ଲୋକ ତିନି ଚାରି ବର୍ଷ ହେଲା ଫୁଲକୋବି ଚାଖି ନାହାନ୍ତି ।

 

ଗପ ବହିରେ ଆମେ ଯେପରି ଜଙ୍ଗଲ କଥା ପଢ଼ିଛୁ ।

 

ଦାଦା କାହା ସହିତ କୌଣସି କଥାବର୍ତ୍ତା ନ କରି ଗୁମ୍‌ ମାରି ବସିଥାନ୍ତି । ଦାଦାଙ୍କର ଏ ସ୍ୱଭାବ ସହିତ ମାମୁ ଆଗରୁ ଖୁବ୍‌ ପରିଚିତ । ଅନେକ ଲୋକ ଅଛନ୍ତି, କେବଳ ନିଜକଥା ଓ ଟଙ୍କା ପଇସା କଥା ହିଁ ଚିନ୍ତା କରନ୍ତି; କିନ୍ତୁ ତା’ ଦାଦା ଚିନ୍ତା କରନ୍ତି ଅଜବ କଥା ଗୁଡ଼ାଏ, ଯାହା ସହିତ କି କିଛି ସମ୍ପର୍କ ନାହିଁ । ପୃଥିବୀର ନନାଆଡ଼ୁ ବୈଜ୍ଞାନିକଗଣ ଆଣ୍ଡାମାନକୁ ଆସି ନିରୁଦ୍ଦିଷ୍ଟ ହୋଇ ଯାଉଛନ୍ତି । ଏଥିପାଇଁ ଦାଦାଙ୍କୁ ରାତିରେ ନିଦ ହେବନାହିଁ କାହିଁକି ? କେତେ ଲୋକ ତ ପୁଣି କୌଣସି କଥା ଚିନ୍ତା ନ କରି ଆରାମରେ ଶୋଇ ଯାଉଛନ୍ତି ।

 

ସେଦିନ ଅନେକ ରାତି ପର୍ଯ୍ୟନ୍ତ ସନ୍ତୁ ଶୁଣିବାକୁ ପାଇଲା ଦାଦା ବାରଣ୍ଡାରେ ଏକୁଟିଆଟାରେ ଏପଟ ସେପଟ ଘୂରିଛନ୍ତି, କାଠ ବାରଣ୍ଡାରେ କ୍ରାଚର ଶବ୍ଦ ଖଟ୍‌ ଖଟ୍‌ କରି ଆବାଜ ହେଉଛି ।

 

ସକାଳେ ଦାସଗୁପ୍ତ କହିଲା—ସାର୍‌, ଜିପ୍‌ ରେଡ଼ି । କୁଆଡ଼େ ଯିବା କି ?

 

ଦାଦା କହିଲେ—କୁଆଡ଼ିକି ଗଲେ ଭଲ ହେବ, ଆପଣ କୁହନ୍ତୁ ।

 

ଯେଉଁ ଆଡ଼କୁ ଯାଇପାରନ୍ତି ଆପଣଙ୍କ ଖୁସି । ଏଠି ତ ବହୁତ କିଛି ଦେଖିବାର ଅଛି । ଚିତ୍ରକୁଟ ଯିବେ ଆଜ୍ଞା ।

 

ମୁଁ ଏଠିକୁ ବୁଲି ଆସିନାହିଁ, ଦାସଗୁପ୍ତ ବାବୁ ।

 

ଚିତ୍ରକୂଟ ନାଁ’ଟା ଶୁଣି ସନ୍ତୁର କୌତୁହଳ ଜନ୍ମିଲା । ଚିତ୍ରକୂଟ ନାଁ’ଟା ରାମାୟଣରେ ପଢ଼ିଛି । ଏଠି ପୁଣି ଆଉ ଗୋଟିଏ ଚିତ୍ରକୂଟ ଅଛି ନା କ’ଣ ? ଜାଗାଟା ଦେଖିବାକୁ କେମିତିକା ?

 

ଦାସଗୁପ୍ତ ହସି ହସି କହିଲା—ସାର୍‌, କାମ ତ ନିଶ୍ଚୟ ରହିବ, ତେବେ ଏତେବାଟ ଆସି ଟିକିଏ ବୁଲାବୁଲି କରିବେ ନାହିଁ । ଏଠି ଖୁବ୍‌ ଭଲ ଭଲ ଜାଗା ଅଛି । ମାୟାବନ୍ଦର ଯିବେ ? ଚମତ୍କାର ଜାଗା । ଆଉ ଯଦି ଡିଗଲପୁର ଯିବାକୁ ଇଚ୍ଛାକରନ୍ତି ସେ ବ୍ୟବସ୍ଥା ମଧ୍ୟ ହୋଇପାରିବ । ହରିଣ ଦଳ ଓ କୁମ୍ଭୀର ଦେଖିବାକୁ ହେଲେ ତ ଡିଗଲପୁର ଯିବାକୁ ହୁଏ, ସେଠାକୁ ଯିବେ କି ?

 

ସନ୍ତୁର କାନକୁ ମାୟାବନ୍ଦର ନାଁ’ଟା ଖୁବ୍‌ ଭଲ ଲାଗିଲା । ସତରେ ଏଭଳି ନାଁ’ର କୌଣସି ସ୍ଥାନ ଅଛି । ସ୍ଥାନଟାର ନାଁ’ ମଧ୍ୟ ବଦଳି ଯାଏ ।

 

ଦାଦା କଡ଼ା ଗଳାରେ କହିଲେ—ନା, ମୁଁ କୁଆଡ଼ିକି ଯିବିନା ମୁଁ ଆଜି ଏଇ ଣି ଫେରିଯିବି-

 

ଦାସଗୁପ୍ତ ହତାଶ ହୋଇପଡ଼ି କହିଲେ–ଆଜି ଫେରିଯିବେ ସାର୍‌ । ଗୋଟିଏ ଦିନ ରହି, ଗଲେ ଚଳିବନି ।

 

ନା-ନା । ଖାଲି ଗୁଡ଼ାଏ ସମୟ ବରବାଦ ହେବାରେ ଲାଗିଛି । ଆମକୁ ଏଠିକୁ ଆଣିଲ କାହିଁକି ଶୁଣେ ? ମୁଁ କ’ଣ ଏଠାର ଜାଗା ସବୁ ଦେଖିବାକୁ ଆସିଛି ? ଆଜି ଫେରିଯାଇ ଏସ୍‌. ପିଙ୍କୁ ଦେଖା କରି ପରିମିସନ ନେଇନିଅ, ଯେପରିକି ମୁଁ ଯେଉଁ ଯାଗକୁ ଯିବାକୁ ଇଚ୍ଛା କରିବି ସେଠିକି ଅବାଧରେ ଯାଇ ପାରିବି । ଏସ୍‌.ପି. ଯଦି ଅନୁମତି ନ ଦିଅନ୍ତି ତେବେ ମୋତେ ଦିଲ୍ଲୀ ପୁଣି ଟେଲିଗ୍ରାମ କରିବାକୁ ହେବ ।

 

ଅସଲରେ ଦାସଗୁପ୍ତଙ୍କୁ ବୁଲାବୁଲି କରିବାକୁ ଭଲ ଲାଗେ । ତାଙ୍କ ମୁହଁ ଦେଖି ଯେ କେହି କହିଦେବ ଯେ, ଦାଦାଙ୍କ କଥାଗୁଡ଼ାକ ତାଙ୍କୁ ଭଲ ଲାଗୁନାହିଁ । ଦାଦାଙ୍କର ଦିଲ୍ଲୀ ଟେଲିଗ୍ରାମ କରିବା କଥାଶୁଣି ସେ ଆହୁରି ଭୟଭୀତ ହୋଇ ପଡ଼ିଲେ ।

 

ସକାଳ ବେଳା । ଚା ଜଳଖିଆ ଖାଇ ସାରିବା ପରେ ବାହାରି ପଡ଼ିଲେ । ଆଉଥରେ ଜିପ୍‌ ଚଢ଼ି ଜେଟି ପାଖକୁ ହେବ । ଦାଦା ଏକବାରକେ ଚୁପ୍‌ଚାପ୍‌ ହୋଇ ବସିଥାନ୍ତି । ଜେଟିରେ ପଂହଚିବା ପରେ ମୋଟର ଚାଳକକୁ ଦେଖି ଦାଦା ପଚାରିଲେ—ଭଲକରି ତେଲ ଭର୍ତ୍ତି କରି ନେଇଛ ତ ? ଆଉଥରେ ବାଟରେ ପୁଣି ବନ୍ଦ ହୋଇ ରହି ନ ଯାଏ ଯେପରି ।

 

ଏଇ ପ୍ରଥମଥର ପାଇଁ ଶଙ୍କର ନାରାୟଣ ମୁହଁରେ ହସ ସନ୍ତୁ ଦେଖିଲା । ନା ସାର୍‌, ଅଟକିବନି । ଆଶା କରୁଛି, ଚାରିଘଣ୍ଟା ଭିତରେ ବୋଟ୍‌ ପୋର୍ଟବ୍ଲେୟାରରେ ପହଞ୍ଚିଯିବ ।

 

ଠିକ୍‌ ଅଛି, ତେବେ ଚାଲ ।

 

ଆଶ୍ଚର୍ଯ୍ୟର କଥା । ବୋଟ୍‌ ଚାଲିବା ପରେ ପରେ ଦାଦା ଆଖି ଦି’ଟା ମୁଦିଦେଇ ଘୁମେଇବାରେ ଲାଗିଲେ । ଆସିବାବେଳେ ଚାରିଆଡ଼ ଦେଖି ଦେଖି ଆସିଛନ୍ତି, ତେଣୁ,ଏବେ ଆଉ ଦେଖିବାକୁ ଆଗ୍ରହ ନାହିଁ ।

 

ସନ୍ତୁ କିନ୍ତୁ ଉତ୍ସୁକତା ସହ ଆଖିମେଲି ଅନାଇ ରହିଲା । ଏବେ ଆଉ ପେଟବଥା ନାହିଁ କି ବାନ୍ତି ମଧ୍ୟ ହେଉନାହିଁ । ଆସିବାବେଳେ ସେ କେବଳ ଡାହାଣ ପାଖଟା ଦେଖି ଦେଖି ଆସିଥିଲା-। ତେଣୁ ଏଥରକ ଯାଇ ବସିଲା ବାଁ ପାଖରେ । ଯଦି ପୁଣଇ ଥରେ ହାଙ୍ଗର ବା କୁମ୍ଭୀର ଦେଖା ଯାଇପାରେ ।

 

ଦେଢ଼ଘଣ୍ଟା ପରେ ସେମାନେ ଜାରୋୟାମାନଙ୍କ ଅଞ୍ଚଳ ନିକଟରେ ପହଞ୍ଚିଗଲେ । ସେହି ବାଲି ଚଡ଼ାଟା ଦେଖାଯାଉଛି । ଯାହାକୁ କି ଦାସଗୁପ୍ତ କହୁଥିଲେ ‘ସୁନାବେଳା’ । ବାଲିରେ ସୁନା ମିଶି ରହିଛି ।

 

ଭୁଲି ଯାଇଛି କି ନାହିଁ ଜାଣିବା ପାଇଁ ସନ୍ତୁ ଦାସଗୁପ୍ତଙ୍କୁ ପୁଣି ଥରେ ପଚାରି ନେଲା—ଏଇଟା ସେହି ଜାଗା ତ, ଯେଉଁଠି ତିନୋଟି ପିଲା ବାଲି ନେଉ ନେଉ ଜରୋୟାମାନେ ଲୁଚି ପଛପଟ ଆକ୍ରମଣ କରିଥିଲେ ।

 

ହଁ ଠିକ୍‌ ଚିହ୍ନିଛ । ଦାସଗୁପ୍ତ କହିଲେ ।

 

ତା ପରେ ଦାସଗୁପ୍ତ ଫିସ୍‌ ଫିସ୍‌ କରି କହିଲେ—ସେତେବେଳେ ତୁମକୁ ଯେଉଁ କଥା କହିଥିଲି ଦାଦା କିନ୍ତୁ ବିଶ୍ୱାସ କରୁନାହାନ୍ତି । ସେ ଭାବିଛନ୍ତି ମୁଁ ଗୁଡ଼ାଏ ମନଗଢ଼ା ଗପ କହୁଛି ବୋଲି, କିନ୍ତୁ ମୁଁ ସତକଥା କହୁଥିଲି ଜରୋୟାମାନେ ଏଡ଼େ ହିଂସ୍ର......

 

ଦାଦା ଏତିକିବେଳେ ଆଖିଖୋଲି କହିଲେ—ମୁଁ ଏବେ ମଧ୍ୟ ତୁମ କଥାକୁ ବିଶ୍ୱାସ କରୁନି ।

 

ତା’ ମାନେ ଦାଦା ଚେଇଁ ସବୁ ଶୁଣୁଥିଲେ ।

 

ଦାଦା ଏଥରକ ଉଠି ଠିଆହୋଇ ହୁକୁମ୍‌ ଦେବା ସ୍ୱରରେ କହିଲେ—ବୋଟ୍‌ ଘୂରାଅ । ମୁଁ ଏଇ ବାଲିଚଡ଼ାରେ ଓହ୍ଲାଇବି ।

 

ଦାସଗୁପ୍ତ କହିଲେ—ଏ କି କଥା ସାର୍‌ । ଅସମ୍ଭବ କଥା । ମୁଁ ଆପଣଙ୍କୁ ଓହ୍ଲେଇବାକୁ କେବେ ହେଁ ଦେବିନି । ଆପଣଙ୍କୁ କହିଥିଲି ନା ଅର୍ଡର ବିନା ଏଠି ଓହ୍ଲେଇବା ନିଷେଧ । ଆପଣ କ’ଣ ପ୍ରାଣଟାକୁ ହରାଇବାକୁ ଚାହାନ୍ତି ।

 

ଦାଦା ହଠାତ୍‌ ପକେଟ ଭିତରୁ ରିଭଲଭରଟା ବାହାର କରି ଆଣି ଦେଖାଇ ଦେଇ କହିଲେ—ଦେଖ, ମୁଁ ଯାହା କହୁଛି, ସେଇୟା ହେବ । ବୋଟ୍‌ ଘୂରାଅ ।

 

ଦାଦା ଖଟ୍‌ ଖଟ୍‌ କରି ଶଙ୍କର ନାରାୟଣ ପାଖକୁ ଚାଲି ଆସି ରିଭଲଭରଟା ତା’ ବେକ ମୁଣ୍ଡା ପାଖରେ ଛୁଆଁଇ ଦେଇ ଆଦେଶ କଲେ—ଦେଖ ଶଙ୍କର ନାରାୟଣ, ତୁମେ ଖୁବ୍‌ ଭଲ ଲୋକ, ମୋ କଥା ମାନି ଚାଲ, ନଚେତ୍‌ ତୁମକୁ ଆହତ କରି ନିଜେ ବୋଟ୍‌ ଘୂରାଇନେବି ।

 

ଶଙ୍କର ନାରାୟଣ ଟିକିଏ ହେଲେ ପାଟି ନ ଫିଟାଇ ବୋଟ୍‌ଟାକୁ ଖାଡ଼ିର ଡାହାଣ ପଟକୁ ଘୂରାଇ ଦେଲା ।

 

ବୋଟ୍‌ ବାଲିଚଡ଼ା ନିକଟରେ ଅଟକି ଯିବାରୁ ଦାଦା କ୍ରାଚଧରି ଖପ୍‌କରି ତଳକୁ ଓହ୍ଲାଇ ପଡ଼ିଲେ । ସାଥିରେ ହାତ ବ୍ୟାଗଟାକୁ ମଧ୍ୟ ନେଇଗଲେ । ତା’ ପରେ କହିଲେ—ତୁମେ ସମସ୍ତେ ଫେରିଯାଅ । ମୋ ପାଇଁ ଚିନ୍ତା କରିବା ଦରକାର ନାହିଁ ।

ଦାସଗୁପ୍ତ ହାତଯୋଡ଼ି କାନ୍ଦି କାନ୍ଦି ସ୍ୱରରେ କହିଲେ—ସାର୍‌ ! ଗୋଟିଏ କଥା ପଚାରିବି, ଆପଣ ସେଠିକି ଯାଉଛନ୍ତି କାହିଁକି ? ଆପଣଙ୍କର ରହସ୍ୟର ସମାଧାନ ପାଇଁ କ’ଣ ଆଉ କୌଣସି ଜାଗା ନାହିଁ ।

ଦାଦା କହିଲେ—ନା ନାହିଁ । କାରଣ ଅନ୍ୟ ସ୍ଥାନମାନଙ୍କୁ ସରକାରୀ ଲୋକ କିମ୍ବା ଅନ୍ୟ କେହି ବେଳେ ବେଳେ ସେଠାକୁ ଯାଉଛନ୍ତି । ସେ ସମସ୍ତ ସ୍ଥାନରେ ଅଦ୍ଭୁତ କିଛି ଥିଲେ କେବେଠୁଁ ଜଣାପଡ଼ି ସାରନ୍ତାଣି । କେବଳ ଏହି ଅଞ୍ଚଳଟାକୁ କେହି ଆସନ୍ତି ନାହିଁ । ସୁତରାଂ ଯଦି କିଛି ରହସ୍ୟ ଥାଏ ଏଇଠି ହିଁ ଥିବ । ତୁମେମାନେ ସବୁ ଫେରିଯାଅ । ଏସ୍‌.ପି. ଙ୍କୁ କହି ପୋଲିସ ଧରି କାଲି ସକାଳୁ ଏଠାକୁ ଆସିବ ।

ଏଥର ସେ ସନ୍ତୁକୁ କହିଲେ—ସନ୍ତୁ, ତୁ ମଧ୍ୟ ତାଙ୍କ ସାଥିରେ ଚାଲିଯା । ପୋର୍ଟବ୍ଲେୟାରରେ ମୋତେ ଅପେକ୍ଷା କରି ରହିଥିବୁ ।

ଦାସଗୁପ୍ତ ପାଟିକରି ଉଠିଲେ—ସାର୍‌, ଯେ କୌଣସି ମୁହୂର୍ତ୍ତରେ ଜାରୋୟାମାନେ ତୀର ଛାଡ଼ିପାରନ୍ତି ।

ଦାଦା ସେମାନଙ୍କ ଆଡ଼କୁ ରିଭଲଭରଟା ଦେଖାଇ ଦେଇ କହିଲେ—ତୁମ୍ଭେମାନେ ଆଉ ଏଠାରେ ରହିବା କୌଣସି ଆବଶ୍ୟକତା ନାହିଁ । ଫେରିଯାଅ କହୁଛି ।

ସନ୍ତୁ କିନ୍ତୁ ଏକୁଟିଆ ଦାଦାଙ୍କୁ ଏଇଠି ଛାଡ଼ିଦେଇ ଯିବନାହିଁ । ତେଣୁ ସେ ମଧ୍ୟ ଦେଖ ଦେଖୁ ବୋଟ୍‌ ଉପରୁ ତଳକୁ ଖପ୍‌ କରି ଡେଇଁ ପଡ଼ିଲା ।

ବୋଟଚାଳକ ଶଙ୍କର ନାରାୟଣ ଆଉ କାଳ ବିଳମ୍ବ ନ କରି ବୋଟ୍‌କୁ ଛାଡ଼ିଦେଲା ଗଭୀର ସମୁଦ୍ର ଭିତରକୁ ।

ଦାସଗୁପ୍ତ ପାଗଳଙ୍କ ଭଳି ପାଟି କରିବାକୁ ଲାଗିଲେ–ହାତ ଗୋଡ଼ ପିଟାପିଟି କରି କହି ଚାଲିଥାନ୍ତି–ଏ କ’ଣ କଲ, ଆମେ ସେମାନଙ୍କୁ ଏଠି ଛାଡ଼ି ଚାଲିଯିବା ନା, ତା ହେଲେ ମୋ ଚାକିରୀ ଚାଲିଯିବ ଯେ । ପାଇଲଟ କୁଆଡ଼େ ବୋଟ୍‌ ଚଳାଇ ନେଉଛ, ରଖ ।

ଶଙ୍କର ନାରାୟଣ କହିଲା–ବସି ପଡ଼ନ୍ତୁ ଆଜ୍ଞା । ଦେହରେ ତୀର ଲାଗି ଯାଇପାରେ ।

ଆଁ ।

ଦାସଗୁପ୍ତ ଧପାସ୍‌ କରି ବୋଟ୍‌ ଭିତରେ ଶୋଇ ପଡ଼ିଲେ ।

ଶଙ୍କର ନାରାୟଣ କହୁଥାଏ—ସମସ୍ତେ ଏକା ସାଙ୍ଗରେ ମିଶି ମରିବାର କୌଣସି ମାନେ ହୁଏନା । ଏଠି ଆଉ ଟିକିଏ ରହିଲେ ଜାରୋୟାମାନଙ୍କର ତୀର ଲାଗି ଯାଇପାରେ ।

କିନ୍ତୁ ସେମାନଙ୍କର କ’ଣ ହେବ ?

ମିଷ୍ଟର ରାୟଚୌଧୁରୀଙ୍କ ପାଖରେ ରିଭଲ୍‌ଭର୍‌ ଅଛି । ସେ ଗୁଳି ମାରି ଜାରାୟୋମାନଙ୍କୁ ଭୟ ଦେଖାଇ ଅଟକେଇ ଦେଇ ପାରିବେ ।

 

ପାରିବେ କି ନା, କିଏ ଜାଣେ । ଆମର କର୍ତ୍ତବ୍ୟ ହେଉଛି ପୋଲିସ ଏସ୍‌. ପିଙ୍କୁ ସବୁକଥା ଜଣାଇ ପୋଲିସ ନେଇ ସେମାନଙ୍କୁ ବଞ୍ଚାଇବା ।

 

ମୋଟର ବୋଟ୍‌ ଅନେକ ଦୂର ଚାଲି ଆସିଲାଣି । ଏବେ ଆଉ ଦ୍ୱୀପଟାର ସେ ଯାଗାଟା ଦେଖା ଯାଉନାହିଁ । କେବଳ ଘଞ୍ଚ ଜଙ୍ଗଲ ଦେଖାଯାଉଛି, ତା’ ଭିତରେ ବିଷାକ୍ତ ଧନୁତୀର ଧରି ଜାରୋୟାମାନେ କେଉଁଠି ଲୁଚି ରହିଥିବେ । ସେଠିକୁ ବାହାର ଦୁନିଆର ଲୋକ ଯିଏ ଯାଇଛି ସେ ଆଉ କେବେ ଫେରିନାହିଁ ।

 

ଦାସଗୁପ୍ତ ଫଁ ଫଁ କରି ନିଃଶ୍ୱାସ ଛାଡ଼ିଲେ । ଦୁଃଖରେ ଆଖି ଦି’ଟା ବୁଜିଦେଇ ଘୁମେଇ ପଡ଼ି ରହିଲେ ।

 

ପୋର୍ଟବ୍ଲେୟାରରେ ବୋଟ୍‌ ପହଞ୍ଚିଲା ବେଳକୁ ବେଳ ବୁଡ଼ିଯିବା ଉପରେ । ଏସ୍‌. ପି. ସାହେବ ତାଙ୍କ ଅଫିସ୍‌ରେ ନ ଥିଲେ । ଦାସଗୁପ୍ତ ସେଇଠୁ ଚାଲିଲେ ତାଙ୍କ ବଙ୍ଗଳାକୁ, ସେଠାରେ ଶୁଣିବାକୁ ପାଇଲେ ଆଉ ଏକ ଘଟଣା । ଏସ୍‌. ପି. ସାହେବ ଏଇମାତ୍ର ଚାଲିଗଲେ ଲିଟିଲ୍‌ ଆଣ୍ଡାମାନକୁ ।

 

ଦାସଗୁପ୍ତ ହତାଶ ହୋଇଯାଇ ଲଥ୍‌ କରି ଭୂଇଁରେ ଘଡ଼ିଏ କାଳ ବସି ରହିଲେ । ଏସ୍‌. ପିଙ୍କ ଅର୍ଦ୍ଦଳି କହିଲା—ଆଜ୍ଞା, ସାହେବ ଏଇମାତ୍ର ଗଲେ । ଆପଣ ଏବେ ଜେଟି ଚାଲିଗଲେ ତାଙ୍କୁ ଦେଖିପାରିବେ ।

 

ଦାସଗୁପ୍ତ ପୁଣି ଦୌଡ଼ି ଚାଲିଲେ ଜେଟିକୁ । ଦୂରରୁ ଦେଖିଲେ ଏସ୍‌.ପି. ଙ୍କ ନିଜସ୍ୱ ବୋଟ୍‌ ଖଣ୍ଡିକ ଠିଆ ହୋଇ ଧୂଆଁ ଛାଡ଼ୁଛି । ଯେ କୌଣସି ମୁହୂର୍ତ୍ତରେ ଛାଡ଼ିଦେଇପାରେ । ଚିମିନିରୁ ଧୂଆଁ ବାହାରୁଥାଏ । ସେ ପାଟିକରି ପାଇଲଟକୁ ଡାକିଲେ—ବୋଟ୍‌ ଛାଡ଼ନା, ପାଇଲଟ—ବୋଟ୍‌ ଛାଡ଼ିଦିଅନା—

 

କୌଣସି ପ୍ରକାରେ ଜେଟି ଉପରୁ ବୋଟ୍‌ ଉପରକୁ ଲମ୍ଫଦେଲେ ଦାସଗୁପ୍ତ ।

 

ମୋଟର ବୋଟ୍‌ ଖଣ୍ଡିକ ସାହେବଙ୍କ ନିଜସ୍ୱ ବ୍ୟବହାର ପାଇଁ । ଭିତର ସିଂହାସନ ସଦୃଶ ଚୌକି । ତଳେ ଚଟାଣରେ ଲାଲ ଭେଲଭେଟ୍‌ କନା ବିଛା ଯାଇଥିବାରୁ ଆହୁରି ସୁନ୍ଦର ଦେଖାଯାଉଛି । ଏସ୍‌.ପି. ସାହେବଙ୍କର ଚେହେରାଟା ବି ମନରେ ଭୀତ ଜନ୍ମାଇଦେବ । ଟକମକ ଫର୍ସାରଙ୍ଗ । ବିଶାଳ ବେକ ଖଣ୍ଡିକ ମିଶି ଯାଇଛି ଗାଲସହିତ । ଅଣ୍ଟାରେ ବନ୍ଧା ଯାଇଛି ମୋଟା ଚମଡ଼ା ବେଲ୍‌ଟା ବେଶ୍‌ ଚଉଡ଼ା, ବେଲ୍‌ଟା ଦେହରେ ଝୁଲି ରହିଛି ରିଭଲ୍‌ଭର୍‌ଟିଏ, ଗୋଡ଼ର କଳା ଯୋତା ଚକ୍‌ ଚକ୍‌ କରୁଛି । ଏସ୍‌.ପି. ସାହେବ ଗୋଡ଼ ଉପରେ ଗୋଡ଼ ଥୋଇ ଆଖିବୁଜି କ’ଣ ଚିନ୍ତା କରୁଥିଲେ ।

 

ଦାସଗୁପ୍ତ ଧଡ଼ାସ୍‌ କରି ଭିତରକୁ ଡେଇଁ ପଡ଼ିବା ମାତ୍ରକେ ଆଖି ଖୋଲି କଟମଟ କରି ଚାହିଁ ହୁଁ କାର ଦେଇ କହିଲେ—‘‘ଏଠି ଏମିତି ଡିଆଁଡେଇଁ କରୁଛି କାହିଁକି ? କ’ଣ ସର୍କସ ଦେଖାଇବାକୁ ଆସିଛ ?’’

 

ଦାସଗୁପ୍ତ କହିଲେ— ‘‘ସାର୍‌, ସର୍ବନାଶ ହୋଇଯାଇଛି ।’’

 

‘‘କାହାର ସର୍ବନାଶ? ତୁମର ତ ପ୍ରତ୍ୟେକ ଦିନ କିଛି ନା କିଛି ସର୍ବନାଶ ଘଟେ ।’’

 

‘‘ନା ସାର୍‌, ସେ ଯେଉଁ ମିଷ୍ଟର ରାୟଚୌଧୁରୀ ଯେ କି ଇଣ୍ଡିଆ ଗଭର୍ଣ୍ଣମେଣ୍ଟଙ୍କର ଚିଠି ନେଇ ଆସିଥିଲେ, ସେ ଜାରୋୟାମାନଙ୍କ ଅଞ୍ଚଳ ଭିତରକୁ ଚାଲି ଯାଇଛନ୍ତି ।

 

‘‘କ’ଣ କହିଲେ?

 

ଏସ୍‌.ପି. ସାହେବ ଏଥର ସିଧା ହୋଇ ବସିଗଲେ । ଦାସଗୁପ୍ତଙ୍କୁ ଏଭଳି ଭାବରେ ଚାହିଁଥାନ୍ତି ଯେ, ସତେ ଯେମିତି ତାଙ୍କୁ ଗିଳିଯିବେ ।

 

‘‘ତୁମେ ପରା ତାଙ୍କ ସାଥିରେ ଥିଲା । ସେ କେମିତିକା ଓହ୍ଲେଇ ପଡ଼ିଲେ ।’’

 

ଦାସଗୁପ୍ତ ହାତଯୋଡ଼ି କହିଲେ—‘‘ସାର୍‌, ମୋର କିଛି ଦୋଷ ନାହିଁ । ମୁଁ ଅନେକ ବାରଣ କଲି; କିନ୍ତୁ ସେ କିଛି ଶୁଣିଲେ ନାହିଁ । ଜୋର୍‌ କରି ଓହ୍ଲେଇ ଗଲେ ।

 

‘‘କେତେଟା ବେଳେ?’’

 

‘‘ପ୍ରାୟ ତିନିଘଣ୍ଟା ତଳେ ।’’

 

‘‘ତାହାହେଲେ ଯାଇ ଦେଖି ଆସ, ତାଙ୍କ ମୃତ ଶରୀରଟା ସମୁଦ୍ରରେ ଭାସୁଥିବ । ଲୋକଟା ପାଗଳ ନ ଗଜମୂର୍ଖ । ଲୋକଟାର ଗୋଟିଏ ତ ଫେରେ ଗୋଡ଼ ନାହିଁ । ତାଙ୍କୁ ଜୋର୍‌କରି ଅଟକେଇ ରଖି ପାରିଲ ନାହିଁ?’’

 

‘‘ସାର୍‌, ତାଙ୍କ ପାଖରେ ରିଭଲ୍‌ଭର୍‌ ଥିଲା ।’’

 

ଏସ୍‌. ପି. ସାହେବ ପୁଣି ଗର୍ଜିଉଠି କହିଲେ—‘‘କିଏ, କିଏ ସେ ତାଙ୍କୁ ରିଭଲ୍‌ଭର୍‌ ଦେଇଛି । କାହାର ହୁକୁମରେ ରିଭଏ୍‌ଭର୍‌ ନେଇ ସେଠାକୁ ଯାଇଛନ୍ତି ?

 

‘‘ଜାଣେନି ସାର୍‌ । ଆଗରୁ ତାଙ୍କ ପାଖରେ ରିଭଲ୍‌ଭର୍‌ ଅଛି ।’’

 

ଛି,ଛି,ଛି, ଏବେ ଯଦି ଜଣେ ଜାରୋୟା ଗୁଳିମାଡ଼ରେ ମରେ, ତେବେ ମୋତେ ତା’ର କୈଫିୟତ ଦବାକୁ ପଡ଼ିବ । ଜାରୋୟାମାନଙ୍କୁ ମାରିବା ନିଷେଧ, ଆପଣ ଏ କଥା ଜାଣିନ୍ତିନି ?

 

ତା’ତ ଜାଣେ ସାର୍‌ । ହେଲେ ସେ କିଛି ଶୁଣିଲେ ନାହିଁ ।

 

ଆଜି କାଲି ବାଘ, ସିଂହ ପ୍ରଭୃତି ଶିକାର କରିବା ବନ୍ଦ ହୋଇଗଲାଣି, ଅଥଚ ସେ ଯାଇଛନ୍ତି ମଣିଷ ଶିକାର ଉଦ୍ଦେଶ୍ୟରେ । ଇଚ୍ଛାମତେ ଜାରୋୟାମାନଙ୍କୁ ଗୁଳି କରି ମାରିବେ ।

 

ସେ ଯାଇଛନ୍ତି ସେହି ରହସ୍ୟର ସନ୍ଧାନରେ ।

 

ଚୁଲିକି ଯାଉ ସେ ରହସ୍ୟ । ଜାରୋୟାମାନେ ତାଙ୍କର ଶାନ୍ତିରେ ଅଛନ୍ତି, କିଏ କହୁଛି ଯାଇ ବିରକ୍ତ କରିବାକୁ । ପାଖରେ ରିଭଲ୍‌ଭର୍‌ ଥିଲେ ମଧ୍ୟ ସେ ବେଶି ସମୟ ବଞ୍ଚି ରହି ପାରିବେ ନାହିଁ । ନିଜେ ତ ସିଧା ମରିବେ ତା ସହିତ ଆମକୁ ମଧ୍ୟ ଘଣା ପେଲେଇବେ । ଶେଷରେ ଚାକିରୀ ଖଣ୍ଡିକ ମଧ୍ୟ ଯିବ ।

 

ତେବେ ବର୍ତ୍ତମାନ କ’ଣ କରାଯିବ ସାର୍‌ ।

 

ଯାଅ, ଶୀଘ୍ର ପ୍ରୀତମ ସିଂକୁ ଆସିବାକୁ ଖବର ଦିଅ ।

 

ମୋଟର ବୋଟ୍‌ ଏହା ଭିତରେ ଚାଲିବାକୁ ଆରମ୍ଭ କଲାଣି । ଏସ୍‌.ପି. ସାହେବଙ୍କ ନିର୍ଦ୍ଦେଶରେ ବୋଟ୍‌ ପୁଣି ଫେରିଲା ଜେଟିକୁ । ଜଣେ ଗାଡ଼ି ଶୀଘ୍ର ଦୌଡ଼ିଗଲା ପ୍ରୀତମ ସିଂକୁ ଡାକି ଆଣିବା ପାଇଁ ।

 

ପ୍ରୀତମ ସିଂ ଥିଲେ ଜଣେ ପୋଲିସ୍‌ ଇନ୍‌ସ୍‌ପେକ୍ଟର । ବର୍ତ୍ତମାନ ରିଟାୟାର କରି ପୋର୍ଟବ୍ଲେୟାରରେ ଘରଦ୍ୱାର କରି ବସବାସ କରି ରହିଛନ୍ତି । ଏକମାତ୍ର ଏଇ ପ୍ରୀତମ ସିଂ, ଜାରୋୟାମାନଙ୍କ ସହିତ କେତେଥର କଥାବାର୍ତ୍ତା କରିଛନ୍ତି । ସେ ଜାରୋୟା ଭାଷା ମଧ୍ୟ ବୁଝି ପାରନ୍ତି । ଜାରୋୟାମାନେ ଅନ୍ୟମାନଙ୍କୁ ମାରିଦେବା ବେଳେ କେବଳ ପ୍ରୀତମ ସିଂ ହିଁ ସେଥିରୁ ବାଦ ଯାଇଛନ୍ତି ।

 

ଆଣ୍ଡାମାନରେ ଆଦିବାସୀମାନଙ୍କର ସଂଖ୍ୟା କ୍ରମେ କମିବାରେ ଲାଗିଛି ବୋଲି ସରକାରୀ ନାନା ଭାବରେ ସେମାନଙ୍କୁ ସାହାର୍ଯ୍ୟ କରି, ସେମାନଙ୍କର ସଂଖ୍ୟା ବୃଦ୍ଧି କରିବାକୁ ଚାହାନ୍ତି, ସେଥି ନିମିତ୍ତ ପୋଲିସ ମଝିରେ ମଝିରେ ସେ ଦ୍ୱୀପକୁ ଯାଇ ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ ସବୁ ରଖିଦେଇ ଆସନ୍ତି । ତା’ ଭିତରେ ଥାଏ, ଭାତ, ଚିନି, ଗୁଡ଼, ଦୁଧ ଓ ନାନାପ୍ରକାର ଫଳମୂଳ । ପୋଲିସ ଏ ସବୁ ରଖିଦେଇ ଆସିବା ପରେ, ଜାରୋୟାମାନେ ସେଗୁଡ଼ିକୁ ନେଇ ଚାଲିଯାଆନ୍ତି । ସେମାନଙ୍କୁ ଜାମା ଲୁଗାପଟା ପିନ୍ଧେଇବା ପାଇଁ ମଧ୍ୟ ବହୁତ ଚେଷ୍ଟା କରାଯାଇଥିଲା । କିନ୍ତୁ ଜାମା ଲୁଗାପଟା ରଖିଦେଇ ଆସିଲେ ସେଗୁଡ଼ିକୁ ନ ଦେଇ ଛାଡ଼ି ଦେଇ ଚାଲିଯାଆନ୍ତି । ସେମାନେ କେବଳ ଲାଲ ରଙ୍ଗର କନା ନେଇ ସେମାନେ କ’ଣ ଯେ କରନ୍ତି ସେମାନଙ୍କୁ ହିଁ ଜଣା । କିନ୍ତୁ ଜାରୋୟାମାନଙ୍କର ଆତ୍ମସମ୍ମାନ ଜ୍ଞାନ ଖୁବ୍‌ ବେଶୀ । ସେମାନେ କୌଣସି ଜିନିଷ ମାଗଣାରେ ନେବାକୁ କୁଣ୍ଠାବୋଧ କରନ୍ତି । ସେଥିପାଇଁ ସେମାନେ ଟଙ୍କା ପଇସା ନ ଦେଇ ତା’ ବଦଳରେ ରଖିଦେଇ ଯାଆନ୍ତି ହରିଣ ମାଂସ ଓ ଅନେକ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ।

 

ପ୍ରୀତମ ସିଂ ଲୋକ ଜଣକ ଖୁବ୍‌ ସାହସୀ । ଥରେ ସେ ଏକୁଟିଆ ଗୋଟିଏ ଖାଇବା ଜିନିଷ ଥିବା ଅଖା ଭିତରେ ପଶି ଜାରୋୟାମାନଙ୍କ ଅଞ୍ଚଳକୁ ଚାଲି ଯାଇଥିଲେ । ଜାରୋୟାମାନେ ଆସିବା ଦେଖି ଭିତରୁ ଶୀଘ୍ର ବାହାରି ପଡ଼ି ହାତ ଦିଟାକୁ ଉପରକୁ ଟେକି ଠିଆ ହୋଇ ରହିଗଲେ । ତା’ ମାନେ ସେ ଆଗରୁ ସେମାନଙ୍କୁ ଜଣାଇ ଦେଲେ ଯେ ତାଙ୍କ ନିକଟରେ ବନ୍ଧୁକ କିମ୍ଭା କୌଣସି ମାରଣାସ୍ତ୍ର ନାହିଁ । ଜାରୋୟାମାନଙ୍କ ଦେହରେ ଯେପରି ଲୁଗାପଟା ନ ଥାଏ, ସେହିପରି ସେ ଲୁଗାପଟା ନ ପିନ୍ଧି ଉଲଗ୍ନ ହୋଇ ରହିଥିଲେ । ଜରୋୟାମାନେ ତାଙ୍କୁ ବହୁକ୍ଷଣ ଧରି ଚାହିଁ ରହିଲେ ଓ ଶେଷରେ ନ ମାରି ଛାଡ଼ି ଦେଇଥିଲେ ।

 

ତା’ ପରେ ଜରୋୟାମାନଙ୍କ ସାଥିରେ ତାଙ୍କର ବନ୍ଧୁତା ହୋଇଗଲା । ବହୁତ ଥର ଏକୁଟିଆ ଖାଦ୍ୟ ଦ୍ରବ୍ୟ ଧରି ସେମାନଙ୍କ ଅଞ୍ଚଳକୁ ଯାଇଛନ୍ତି । ଏଥରକ ଗଲାବେଳେ ଲୁଗାପଟା ପିନ୍ଧି ଯାଇଥିଲେ । କିନ୍ତୁ ଜାରୋୟାମାନେ ତାଙ୍କୁ ଆଉ ଅବିଶ୍ୱାସ କଲେ ନାହିଁ, ଏବେ ପ୍ରୀତମ ସିଂ ବୃଦ୍ଧ ହୋଇଗଲେଣି । ତାଙ୍କ ପରଠାରୁ ଏବେ କୌଣସି ପୋଲିସ ଅଫିସର ଖାଦ୍ୟଦ୍ରବ୍ୟ ଧରି ଜାରୋୟାମାନଙ୍କ ପାଖକୁ ଯିବାକୁ ସାହସ କରନ୍ତି ନାହିଁ ।

 

ପ୍ରୀତମ ସିଂ କେତେଦିନ ତଳେ ଜାରୋୟାମାନଙ୍କ ଅଞ୍ଚଳକୁ ଫେରିଛନ୍ତି । ସାଙ୍ଗରେ ଥିଲେ ରଘୁବୀର ସିଂ ନାମକ ଜଣେ ବିଶ୍ୱବିଖ୍ୟାତ ଫୋଟଗ୍ରାଫର ଜଣକ ପ୍ରୀତମ ସିଂ ସାଥୀରେ ଯାଇ ସେ ଅଞ୍ଚଳର କେତୋଟି ଫୋଟ ଉଠାଇ ଆଣି ପାରିଥିଲେ । କେବଳ ପ୍ରୀତମ ସିଂ ଥିଲେ ବୋଲି ଜାରୋୟାମାନେ ତାଙ୍କୁ ହତ୍ୟା କରି ନାହାନ୍ତି ।

 

ଅଳ୍ପ ସମୟ ପରେ ପ୍ରୀତମ ସିଂ ଆସି ହାଜର ହୋଇଗଲେ । ମୁଣ୍ଡର କେଶ ଓ ମୁହଁର ଦାଢ଼ି ସବୁ ପାଚି ଧଳା ଦିଶିଲାଣି । କିନ୍ତୁ ଏବେ ସୁଦ୍ଧା ସେ ଖାକି ପ୍ୟାଣ୍ଟ ଓ ଜାମା ଛାଡ଼ି ନାହାନ୍ତି । ଏସବୁ ପିନ୍ଧିବାକୁ ତାଙ୍କୁ ଖୁବ୍‌ ଭଲ ଲାଗେ । ସେ ସମସ୍ତ ଘଟଣା ଶୁଣି ସାରିଲା ପରେ ମୁଣ୍ଡ ହଲାଇ କହିଲେ—ଖୁବ୍‌ ଚିନ୍ତାର ବିଷୟ, ଏ ସାହେବ ଜଣକୁ ବଞ୍ଚାଇବା କଷ୍ଟକର ।

 

ତାଙ୍କ ପାଖରେ ରିଭଲ୍‌ଭର୍‌ ଅଛି । ତାଙ୍କୁ ଶୀଘ୍ର ମାରି ପାରିବେ ନାହିଁ, ଦାସଗୁପ୍ତ କହିଲେ ।

 

ଆପଣ ଜାଣି ନାହାନ୍ତି, ଜାରୋୟାମାନେ କେବେ ମରିବାକୁ ଭୟ କରନ୍ତି ନାହିଁ ବୋଲି । ଜଣେ ମରିଗଲେ ଅନ୍ୟଜଣେ ଆଗେଇ ଆସେ । ସେମାନେ ଯଦି ଚାରିଆଡ଼ୁ ମାଡ଼ି ଆସନ୍ତି ତେବେ ସେ ଏକୁଟିଆ ରିଭଲ୍‌ଭର୍‌ ନେଇ କ’ଣ କରିବେ ?

 

ଦାସଗୁପ୍ତ କହିଲେ—‘‘ସେ ଯାହାହେଉ ଆମେ ଥରେ ସେଠାକୁ ଯାଇ ଚେଷ୍ଟା କରି ଦେଖିବା ଉଚିତ୍‌ ।’’

 

ପ୍ରୀତମ ସିଂ କହିଲେ—ରୁହନ୍ତୁ, ଏତେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ବଙ୍ଗାଳୀ ଭଦ୍ରବ୍ୟକ୍ତି ଜଣକ ଯଦି ସମୁଦ୍ର କୂଳରେ ଲୁଚି ରହିଥାନ୍ତି ତେବେ ତାଙ୍କୁ ଉଦ୍ଧାର କରିବାର ଚେଷ୍ଟା କରାଯାଇପାରେ । କିନ୍ତୁ ସେ ଯଦି ଜଙ୍ଗଲ ଭିତରକୁ ଚାଲି ଯାଇଥାନ୍ତି ତେବେ ଚେଷ୍ଟାକରି କିଛି ଲାଭ ନାହିଁ । ଜାରୋୟାମାନଙ୍କ ସାଙ୍ଗରେ ମୋର ଭଲ ସଦ୍‌ଭାବ ରହିଛି ସତ, କିନ୍ତୁ ସେମାନେ ମୋତେ ଖାତିର କରନ୍ତି ନାହିଁ । ସେମାନେ ଖୁବ୍‌ କମ୍‌ କଥା କହିଥାନ୍ତି । କାରଣ ସେମାନଙ୍କ ଭାଷାରେ ତେଇଶ କିମ୍ବା ଚବିଶଟା ଶବ୍ଦରୁ ବେଶି ଶବ୍ଦ ନାହିଁ । ସେମାନେ ମୋତେ ଭୂଇଁରେ ଗାର କାଟି ଜଣାଇ ଦେଇଥିଲେ ଯେ, ମୁଁ ଯେମିତି ତା’ ଆର ପାଖକୁ ଯିବାକୁ ଚେଷ୍ଟା ନ କରେ । ଜଙ୍ଗଲ ଭିତରକୁ ପଶି ବୁଲିବାକୁ ମୋତେ କେବେହେଲେ ସେମାନେ ଅନୁମତି ଦେଇ ନାହାନ୍ତି । ମୋର ମନେହୁଏ ସେମାନଙ୍କ ଭିତରେ ଏଭଳି ଜଣେ ଲୋକ ଅଛି ଯାହାର କି ବୁଦ୍ଧି ଖୁବ୍‌ ତୀକ୍ଷ୍‌ଣ ଓ ସେମାନେ ସମସ୍ତେ ତାରି କଥାହିଁ ମାନି ଚଳନ୍ତି । ମୋର ମନେହୁଏ ସେମାନଙ୍କୁ ଯେ କୌଣସି କଥା ପଚାରିଲେ ସେମାନେ ସଙ୍ଗେ ସଙ୍ଗେ ଉତ୍ତର ନ ଦେଇ ତା’ ପର ବାରରେ ଦେଇଥାନ୍ତି । ମୁଁ ସେମାନଙ୍କୁ ଥରେ ଅନୁରୋଧ କରିଥିଲି ସାରା ଦ୍ୱୀପଟାକୁ ଥରେ ବୁଲି ଦେଖିବାକୁ । ଏ ଦ୍ୱୀପଟାରେ ସଭ୍ୟ ମାନବର ପାଦ ତ ପଡ଼ିନାହିଁ, ତା’ ଭିତରେ କ’ଣ ଯେ ସବୁ ଅଛି କିଏ ଜାଣେ ? କିନ୍ତୁ ପରଦିନ ଜାରୋୟାଙ୍କ ଭିତରୁ ଜଣେ ଆସି କହିଲା—ନା ଦେଖିବାକୁ ଛାଡ଼ି ଦିଆଯିବନାହିଁ । ସେହିଦିନ ହିଁ ମାଟିରେ ଗାରକାଟି ମୋର ସୀମା ନିର୍ଦ୍ଧାରଣ ହୋଇଗଲା ।

 

ଆମ ସାଙ୍ଗରେ ପୋଲିସ୍‌ ଫୋର୍ସ ଯିବେ । ଆପଣ କେବଳ ସେମାନଙ୍କ କହିବେ ଯେ, ଆମେ ସେମାନଙ୍କର ଶତ୍ରୁ ନୋହୁଁ କି କୌଣସି ଶତ୍ରୁତା କରିବାକୁ ଆସିନାହୁଁ, ଦାସଗୁପ୍ତ କହିଲେ ।

 

ଆମ କଥା ଯେ ସେମାନେ ଶୁଣିବେ ଏହାର ନିଶ୍ଚିତତା କ’ଣ ଅଛି । ତା’ ଛଡ଼ା ଏଭଳି ଚେଷ୍ଟା କ’ଣ ଆଗରୁ କରାଯାଇ ନ ଥିଲା ? ଅନେକଥର ଚେଷ୍ଟା କରାଯାଇଛି; କିନ୍ତୁ ଫଳ କିଛି ହୋଇନାହିଁ, ଥରେ କ’ଣ ହେଲା ଶୁଣିବେ !

 

ପ୍ରୀତମ ସିଂ ଏସ୍‌. ପି. ଙ୍କୁ ଚାହିଁ କଥା ଆରମ୍ଭ କଲେ—ଆପଣ ସେତେବେଳକୁ ଏଠିକୁ ଆସି ନାହାନ୍ତି । ସେତେବେଳେ ଏସ୍‌. ପି. ଥାଆନ୍ତି ମିଃ ବର୍ମା । ତାଙ୍କ ଯୋଜନା ଅନୁସାରେ ତିନିଜଣ ଜାରୋୟାଙ୍କୁ ଧରିନେଇ ଆସିଲୁ ଜୀବନ୍ତ ଅବସ୍ଥାରେ । ପୋର୍ଟବ୍ଲେୟାରକୁ ଆଣିଲାବେଳେ ସେମାନଙ୍କର ହସ୍ତପଦ ଶିକୁଳାରେ ବନ୍ଧାଯାଇ ଅଣାଯାଇଥିଲା । ପୋର୍ଟବ୍ଲେୟାରରେ ପହଞ୍ଚିବାପରେ ସେମାନଙ୍କର ଶିକୁଳୀ ସବୁ ଖୋଲିଦେଇ ବ୍‌ଖୁ ଆଦର ଅଭ୍ୟର୍ଥନା କରାଗଲା । ଖାଇବାକୁ ଭଲ ସୁଆଦିଆ ଜିନିଷ ଦିଆଗଲା । ତା’ ଅର୍ଥ ତାଙ୍କୁ ଜଣାଇ ଦିଆଗଲା ଯେ, ଆମେ ସେମାନଙ୍କର ଶତ୍ରୁ ନୋହୁଁ । ହେଲିକେପ୍‍ଟରରେ ବସାଇ ସେମାନଙ୍କର ଦ୍ୱୀପ ଓ ଅନ୍ୟାନ୍ୟ ଦ୍ୱୀପ ସବୁ ଦେଖାଇ ଦିଆଗଲା । ସେମାନଙ୍କୁ ଏକଥା ବି ବୁଝାଇ ଦିଆଗଲା ଯେ, ଆମେ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁ ନାହୁଁ । ତାଙ୍କ ରହିବା ଜାଗାଟା ପୃଥିବୀ ନୁହେଁ । ବାହାରେ ଆହୁରି କେତେ ଜାଗା ଅଛି, କେତେ ପ୍ରକାରର ମଣିଷ ଅଛନ୍ତି । ଏ ଘଟଣାର ତିନିଦିନ ପରେ ସେମାନଙ୍କୁ ସେମାନଙ୍କ ଦ୍ୱୀପରେ ଛାଡ଼ିଦେଇ ଆସିଲୁ । କାରଣ ଏମାନେ ଯାଇ ଦ୍ୱୀପବାସୀ ସମସ୍ତ ଜାରୋୟାମାନଙ୍କୁ କହିବେ ଯେ, ସଭ୍ୟ ଲୋକେ ମାରିଦେଇ ନାହାନ୍ତି ବଂର ଆଦର ଯତ୍ନ ଓ ଅଭ୍ୟର୍ଥନା କରି ଛାଡ଼ିଦେଇ ଯାଇଛନ୍ତି । ଏହା ପରେ କ’ଣ ହୋଇଥିବ ଅନୁମାନ କରି ପାରୁଛନ୍ତି ?

 

ଏସ୍‌ ପି. ସାହେବ କହିଲେ—ହଁ, ମୁଁ ଶୁଣିଛି, ପରଦିନ ଦେଖାଗଲା ଜାରୋୟା ତିନୋଟିଙ୍କର ମୃତ ଶରୀର ସମୁଦ୍ରରେ ଭାସୁଛି ।

 

ପ୍ରୀତମ ସିଂ କହିଲେ—ଅନ୍ୟ ଜାରୋୟାମାନେ ସେମାନଙ୍କୁ ମାରି ସମୁଦ୍ରରେ ଭସାଇ ଦେଇଥିଲେ । ସେମାନଙ୍କ ଧାରଣା ଯେ, ଏମାନେ ସଭ୍ୟ ଲୋକର ସଂସ୍ୱର୍ଶରେ ଆସି ଅପବିତ୍ର ହୋଇଯାଇଛନ୍ତି । ଏଇଥିରୁ ଅନୁମାନ କରୁନ୍ତୁ ଜାରୋୟାମାନେ ଆମ୍ଭମାନଙ୍କୁ କେତେ ଘୃଣା କରନ୍ତି-

 

ଦାସଗୁପ୍ତ କହିଲେ ତା’ ବୋଲି ଆମେ ଆଦୌ ଚେଷ୍ଟା ନ କରି ଏଇଠି ଚୁପ୍‌ଚାପ୍‌ ବସି ରହିବା ।

 

ଏସ୍‌.ପି. କହି ଉଠିଲେ—ସେ ଜଣେ ବୟସ୍କ ଲୋକ । ନିଜେ ଯଦି ଇଚ୍ଛାକରି ସେଠାକୁ ଯାଇଛନ୍ତି ତା’ର ଫଳ ସେ ଭୋଗିବେ । ଆମର କହିବାର ବା କ’ଣ ଅଛି ?

 

ତା’ ମାନେ ତାଙ୍କୁ ବଞ୍ଚେଇବାର ମଧ୍ୟ ଚେଷ୍ଟା କରାଯିବ ନାହିଁ । ମୋ ନିକଟକୁ ଦିଲ୍ଲୀରୁ ଅର୍ଡର ଆସିଛି ତାଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିବାକୁ । ସାର୍‌, ବର୍ତ୍ତମାନ ପୋଲିସ ଫୋର୍ସଧରି ଚାଲନ୍ତୁ । ଡେରି କଲେ କ’ଣ ଯେ ଘଟିବ କିଏ କହିବ ?

 

ଏସ୍‌. ପି. କହିଲେ—ଜାରୋୟାମାନେ ଯେତେବେଳେ ଆମ ଉପରକୁ ତୀର ବର୍ଷଣ କରିବେ ସେଗୁଡ଼ାକ ହଜମ କରି ପାରିବ ତ ?

 

ପ୍ରୀତମ ସିଂ କହିଲେ—ବଣ ଭିତରକୁ ପଶିବା ପାଇଁ ଆମକୁ ସେମାନେ ଜମା ଦେବେନାହିଁ । ତେଣୁ ଲଢ଼େଇ ଲାଗିଯିବ ସୁନିଶ୍ଚିତ ।

 

ଦାସଗୁପ୍ତ କହିଲେ—ଦରକାର ପଡ଼ିଲେ ଗୁଳି ଚଳାଇବାକୁ ହିଁ ହେବ, ତାହା ଛଢ଼ା ଉପାୟ କାହିଁ ?

 

ଏସ୍‌. ପି. କହିଲେ—ଆମେ କେବଳ ସେମାନଙ୍କୁ ହତ୍ୟା କରିବା ଛଡ଼ା ଆମର ଆଉ କୌଣସି କାର୍ଯ୍ୟ ସାଧିତ ହେବନାହିଁ । କାହିଁକି ଯେ ସେ ଭଦ୍ରବ୍ୟକ୍ତିଙ୍କୁ ସେଠିକୁ ଯିବାକୁ ଦେଲେ ମୁଁ ବୁଝି ପାରୁନାହିଁ । ଘଡ଼ିକ ଭିତରେ ସାରା ପୃଥିବୀରେ ପ୍ରଚାରିତ ହୋଇଯିବ ଯେ, ଆମେ ଆମ ଆଦିବାସୀମାନଙ୍କୁ ନିର୍ମମ ଭାବରେ ଗୁଳିକରି ହତ୍ୟାକରି ଦେଉଛୁ ।

 

ପ୍ରୀତମ ସିଂ ମୁଣ୍ତଟାକୁ ହଲାଇ କହିଲେ—ବଙ୍ଗାଳୀ ଭଦ୍ରବ୍ୟକ୍ତି ଛଡ଼ା ଏଭଳି ଅବାନ୍ତର ସୌକ ଆଉ କାହାର ହୁଏନି । ମୁଁ ମଧ୍ୟ ଜାରୋୟାଙ୍କୁ ଗୁଳିକରି ମାରିଦେବା ସପଷରେ ନୁହେଁ ।

 

ଦାସଗୁପ୍ତ ଏସ୍‌. ପି. ସାହେବଙ୍କ ହାତ ଦିଟାକୁ ଜାବୁଡ଼ି ଧରି କହିଲେ, ସାର୍‌, କିଛି ଗୋଟିଏ ବ୍ୟବସ୍ଥା କରିବାକୁ ହିଁ ହେବ ।

 

ତାହାହେଲେ ମୋତେ ଦିଲ୍ଲୀ ହୋମ୍‌ ସେକ୍ରେଟାରୀଙ୍କ ନିକଟକୁ ଟେଲିଗ୍ରାମ ପଠାଇବାକୁ ହେବ । ଗଭର୍ଣ୍ଣମେଣ୍ଟର ହୁକୁମ ନ ଆସିଲେ ମୁଁ କିଛି କହି ନ ପାରେ ।

 

କିନ୍ତୁ ଦିଲ୍ଲୀରୁ ଟେଲିଗ୍ରାମ ଆସିବାକୁ ଦୁଇଦିନ ଲାଗିଯାଇ ପାରେ ।

Unknown

 

ଏସ୍‌. ପି. କହିଲେ ଗୋଟିଏ ଦିନ ଯେକୌଣସିମତେ ଅପେକ୍ଷା କରିବାକୁ ହିଁ ହେବ । ତା’ ଛଡ଼ା ଯେ ଆଉ ଉପାୟ ନାହିଁ ।

 

ଦାସଗୁପ୍ତ କାନ୍ଦକାନ୍ଦ ସ୍ୱରରେ କହିଲେ—ତାଙ୍କ ସାଙ୍ଗରେ ସେ ଛୋଟ ଛୁଆଟା ବି ଅଛି ସାର୍‌ । ଏତେବେଳକୁ ସେମାନଙ୍କର ଅବସ୍ଥା ଯେ କ’ଣ ହୋଇଥିବ କିଏ ଜାଣେ ।

 

ଏପଟେ ସନ୍ତୁ ପାଣି ଭିତରକୁ ଡେଇଁ ପଡ଼ିବା ପରେ ଭାବିଲା ତାକୁ କୁମ୍ଭୀର ଧରିନେବ । ସେ ଭଲରକମ ପହଁରିବା ଜାଣିଥିଲେ ମଧ୍ୟ ତାକୁ ସେମିତିକା ପହଁରିବାକୁ ପଡ଼ିଲା ନାହିଁ । ସମୁଦ୍ରର ଗୋଟିଏ ବଡ଼ ଢେଉ ଆଣି ତାକୁ କୂଳରେ ପହଞ୍ଚାଇଦେଲା । ସଙ୍ଗେ ସଙ୍ଗେ ସେ ଉଠିପଡ଼ି ଛୁଟିଯାଇ ଗୋଟିଏ ଗଛ ଆଢ଼ୁଆଳରେ ଠିଆ ହୋଇଗଲା । ଦେଖିଲା ଆଉ ଗୋଟିଏ ଗଛ ଆଢ଼ୁଆଳରେ ଠିଆ ହୋଇଗଲା । ଦେଖିଲା ଆଉ ଗୋଟିଏ ଗଛ ଆଢ଼ୁଆଳରେ ମଧ୍ୟ ତା ଦାଦା ଠିଆ ହୋଇ ରହିଛନ୍ତି । ସେ କିଛି ସମୟ ପର୍ଯ୍ୟନ୍ତ ଚୁପ୍‌ଚାପ୍‌ ଠିଆହୋଇ ରହିବାପରେ କହିଲେ—‘‘ତୁ ବୋକାଙ୍କ ଭଳି ପାଣି ଭିତରକୁ ଡେଇଁ ପଡ଼ିଲୁ କାହିଁକି ? ତୋତେ ପୋର୍ଟବ୍ଳେୟାର ଫେରିବାକୁ କହିଥିଲି ନା ।’’

 

ସନ୍ତୁ କହିଲା—ଆପଣ ତେବେ କାହିଁକି ଆସିଲେ ।

 

ମୁଁ ଆସିଲି ବେଶ୍‌ କଲି, ମୁଁ ତ ବୁଢ଼ା ଲୋକ, ଯଦି କୌଣସି ଏକ ଭଲ କାମ କରି ମରିଯାଏ ତେବେ ମୋର କୌଣସି କ୍ଷତି ହେବ ନାହିଁ; କିନ୍ତୁ ତୁ ତ ବର୍ତ୍ତମାନ ସୁଦ୍ଧା ଛୁଆ, ତୋ ମାଆକୁ ମୁଁ କଥା ଦେଇ ଆସିଛି, ତୋତ ଯେମିତି କୌଣସି ଅସୁବିଧା ନ ହୁଏ ।

 

ମାଆ ମୋତେ ମଧ୍ୟ କହିଥିଲେ ସଦାବେଳେ ଆପଣଙ୍କ ପାଖେ ପାଖେ ରହିବାକୁ ।

 

ଆଃ, ତୁ ଆଉ ଗୋଳମାଳ କରନା । ଆ, ମୋ ପଛରେ ଆସି ଠିଆ ହୁଅ । ଟିକିଏ ହେଲେ ହଲଚଲ ହେବୁନାହିଁ, ଏପରିକି କୌଣସି ଶବ୍ଦ ମଧ୍ୟ ଯେପରି ନ କରୁ ।

 

ଦି ଜଣ ଯାକ ବହୁ ସମୟ ଧରି କାନ ପାରି ସେଇଠି ଅପେକ୍ଷା କଲେ । କାହିଁ କେଉଁଠି ସ୍ୱର ଶବଦ ନାହିଁ । ବୋଧହୁଏ ବର୍ତ୍ତମାନ ସୁଦ୍ଧା ଜାରୋୟାମାନେ ସେମାନଙ୍କର ଆସିବାର ଟେର ପାଇ ନାହାନ୍ତି । ସାମନାରୁ ହିଁ ଆରମ୍ଭ ହୋଇ ଯାଇଛି ଘନ ଜଙ୍ଗଲ । ଫାଙ୍କ ଟିକିଏ ବି ନାହିଁ । ଜଙ୍ଗଲଟା ଏତେ ଘଞ୍ଚ ଯେ, ଦେହରେ ତୀର ଲାଗିଯିବାର ଆଦୌ ଭୟ ନାହିଁ । କାରଣ ଅଳ୍ପ ଦୂରରୁ ତୀର ମାରିଲେ ମଧ୍ୟ ତାହା ଯେକୌଣସି ଗଛ ଡାଳରେ ଅଟକି ଯିବ ହିଁ ଯିବ ।

 

ବେଶ୍‌ କିଛି ସମୟ ଅପକ୍ଷା କରିସାରିବା ପରେ, ସେମାନେ ଜାଣିପାରିଲେ ଯେ ନିକଟରେ କୌଣସି ଜାରୋୟା ନାହାନ୍ତି । ତେଣୁ ସେମାନେ ପାଦ ଚିପି ଚିପି ଜଙ୍ଗଲ ଭିତରକୁ ଆଗେଇ ଚାଲିଲେ । ଗୋଡ଼ ତଳ ଭୂଇଁ ଓଦା ସନ୍ତୁସନ୍ତିଆ ଲାଗୁଛି । ଗଛର ଅସଂଖ୍ୟ ପତ୍ର ସବୁ ତଳେ ପଡ଼ି ପଚି ଭୂଇଁ କାଦୁଆ ହୋଇଯାଇଛି । ବର୍ଷା ତ ପ୍ରାୟ ମଝିରେ ମଝିରେ ହୋଇଥାଏ ।

 

ଦାଦା ଭାବୁଛନ୍ତି ସମୁଦ୍ର କୂଳରୁ ଯେତେ ଶୀଘ୍ରପାର ଦୂରକୁ ଚାଲିଯାଇ ପାରିଲେ ତାଙ୍କ ପକ୍ଷରେ ସେତେ ମଙ୍ଗଳ । ଏତେ ବଡ଼ ଜଙ୍ଗଲ ଦେହରେ ସେମାନଙ୍କୁ ଜାରୋୟାମାନେ ଖୋଜି ସହଜରେ ବାହାର କରି ପାରିବେ ନାହିଁ । ଜଙ୍ଗଲ ଭିତରଟା ଦିନବେଳା ମଧ୍ୟ ତ ଅନ୍ଧାର ଦେଖାଯାଉଛି ।

 

ଦାଦାଙ୍କ କ୍ରାଚଟା ହଠାତ୍‌ ଗୋଟିଏ କାଦୁଆ ଜାଗାରେ ପୋତି ଅଟକି ରହିଗଲା । ପଡ଼ିଗଲେ ତଳେ । ସନ୍ତୁ ଦୌଡ଼ିଯାଇ ଉଠାଇ ଆଣିଲା ଦାଦାଙ୍କୁ । ତା’ ପରେ ନିଜେ କ୍ରାଚ ଧରି ଦାଦା ଠିଆହେଲେ ।

 

ସନ୍ତୁ ମନେ ମନେ ଭାବୁଥାଏ ଏ ଘଞ୍ଚ ଜଙ୍ଗଲ ଭିତରେ କାଠଗୋଡ଼ରେ ତା’ ଦାଦା ଚାଲିବେ ବା କିମିତି ? ଜଙ୍ଗଲ ଭିତରେ କ୍ରାଚଧରି ଚାଲିବା ଭାରି ଅସୁବିଧା, ଭାଗ୍ୟ ଭଲ, ଦାଦାଙ୍କ କଥା ନ ଶୁଣି ସେ ଚାଲି ଆସିଛି । ଏଣିକି ଦାଦା ତା’ ଉପରେ ଯେତେ ରଗାରଗି କରନ୍ତୁ ନା, ସବୁ ସହିଯିବ ।

 

ଦାଦା ଗୋଟିଏ ଗଛକୁ ଆଉଜିପଡ଼ି କିଛିସମୟ ପାଇଁ ବିଶ୍ରାମ ନେଲେ । ସନ୍ତୁ ଟିକିଏ ଆଗକୁ ମାଡ଼ିଯାଇ ଜଙ୍ଗଲଟା ଦେଖିବାକୁ ଲାଗିଲା ଦେହଟା ତ ସବୁବେଳେ ଶିତେଇ ଉଠୁଥାଏ । ଦାସଗୁପ୍ତ କହିଥିଲେ ଏ ଜଙ୍ଗଲ ଏଡ଼େ ଘଞ୍ଚ ହୋଇଥିଲେ ମଧ୍ୟ ବାଘ ସିଂହ ପ୍ରଭୃତି ହିଂସ୍ରଜୀବଙ୍କର ଭୟ ନାହିଁ । ଏଠି ସବୁଠାରୁ ବେଶି ଭୟ ଯେମିତି ମଣିଷକୁ । ସନ୍ତୁକୁ ମନେ ହେଉଛି ତା’ ପାଖେ ପାଖେ କିଏ ଯେମିତି ଲୁଚି ଲୁଚି ଚାଲିଛି, ଯେକୌଣସି ମୁହୂର୍ତ୍ତରେ ତା’ ଉପରକୁ ଲମ୍ଫଦେବ ।

 

ସନ୍ତୁ ଗଛ ଉପରକୁ ଚାହିଁ ଦେଖିଲା କିଏ ବସିଛି କି ନାହିଁ । ଅବଶ୍ୟ ଏ ଜଙ୍ଗଲର ଗଛ ଦେହରେ ଚଢ଼ି ବସିରହିବା ସହଜ ନୁହେଁ । ପ୍ରାୟ ସବୁ ଗଛଗୁଡ଼ାକ ବିରାଟ ବିରାଟ ଲମ୍ୱ । ଗଛଗୁଡ଼ାକ ପ୍ରଥମେ କିଛିଦୂର ପର୍ଯ୍ୟନ୍ତ ଲମ୍ୱଭାବରେ ବଢ଼ିଯାଇଛି ତା’ ପରେ ଡାଳପତ୍ର ଗୁଡ଼ାକ ଏପରି ଭାବରେ ଚାରିଆଡ଼କୁ ବିସ୍ତାରିତ ହୋଇଯାଇଛି ଯେ, ଦେଖିଲେ ଜଣାଯିବ ମୁଣ୍ତଉପରେ ସତେ କି କିଏ ଛତା ଟାଣିଧରି ରହିଛି । ଗୋଟିଏ ଗୋଟିଏ ଗଛର ବୟସ ଦୁଇଶହ ତିନିଶହ ବର୍ଷରୁ ବେଶି ମଧ୍ୟ ହୋଇପାରେ । କାରଣ ଗଣ୍ତି ସବୁ ଫାଟ ଧରିଲାଣି ।

 

ହଠାତ୍‌ ଦୂରରୁ ଭାସିଆସିଲା ଝରଝର ଶବ୍ଦ । ଭୟରେ କମ୍ପି ଉଠିଲା ସନ୍ତୁ । କିଏ ଯେପରି ଡାଳପତ୍ର ଭାଙ୍ଗି ଦୌଡ଼ୁଛି । ଏଥର ବୋଧହୁଏ ଜାରୋୟାମାନେ ଏ ଆଡ଼କୁ ଆସୁଛନ୍ତି । ଆଉ ଉପାୟ ନାହିଁ । ସନ୍ତୁ ଦୌଡ଼ି ଚାଲିଆସିଲା ଦାଦାଙ୍କ ପାଖକୁ । ଦାଦା ମଧ୍ୟ ସେ ଶବ୍ଦଟାକୁ ଆଗରୁ ଶୁଣିପାରି କାନଡେରି ରହିଥିଲେ । ସେ ସନ୍ତୁକୁ ଧରି ଚାଲି ଆସିଲେ ଦୁଇଟି ଗଛର ଆଢ଼ୁଆଳ ନିକଟକୁ, ସେ ସେଠାରୁ ଦୁଇ ଗଛର ଫାଙ୍କ ଦେଇ ଦେଖିବାକୁ ଲାଗିଲେ । ପକେଟରୁ ରିଭଲ୍‌ଭର୍‍ଟା ବାହାରକରି ଆଣି ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟକରି ଚାହିଁ ରହିଲେ ।

 

କିଛିକ୍ଷଣ ପରେ ଦୁଇଟି ହରିଣ ତାଙ୍କ ପାଖଦେଇ ଦୌଡ଼ି ଚାଲିଗଲେ । ତା’ ପଛେ ପଛେ ଆସିଲେ ଆହୁରି ତିନୋଟି ହରିଣ । ଶେଷ ହରିଣଟା କିନ୍ତୁ ସେମାନଙ୍କୁ କିଛି ସମୟ ଚାହିଁ ଦୌଡ଼ି ଚାଲିଗଲା ।

 

ଦାଦା କହିଲେ—ସାବଧାନରେ ଠିଆହୁଅ । ଟିକିଏ ହଲଚଲ ହେବୁନାହିଁ । ଆଗରେ ହରିଣମାନଙ୍କୁ ଘଉଡ଼ାଇ ଦେଇ ସେମାନଙ୍କୁ ଅନୁସରଣ କରି ମଣିଷ ଆସୁଥାଇ ପାରନ୍ତି ।

 

କିନ୍ତୁ କୌଣସି ମଣିଷ ଆସିବାର ସଙ୍କେତ ଦେଖାଗଲା ନାହିଁ । ହରିଣ ଗୁଡ଼ାକ ଏମିତିକା ଦୌଡ଼ୁଛନ୍ତି । ସନ୍ତୁ ଇଚ୍ଛା କରିଥିଲେ ସେଥିରୁ ଗୋଟାକୁ ଅକ୍ଳେଶରେ ଧରି ରଖି ପାରିଥାନ୍ତା । କିନ୍ତୁ ଏଇଟା ସେ ସମୟ ନୁହେ ।

 

ଦାଦା କହିଲେ ଏଥର ଆଉ ଏଭଳି ଠିଆ ହୋଇ ରହି କୌଣସି ଲାଭ ନାହିଁ । ଆମକୁ ଚେଷ୍ଟା କରିବାକୁ ହେବ ଜାରୋୟାମାନଙ୍କ ଚକ୍ଷୁକୁ ଫିଙ୍କି ସାରା ଦ୍ୱୀପଟା ଯେମିତି ଥରେ ବୁଲି ଆସିବା । ତା’ ପରେ ସକାଳ ହେଲେ ଦାସଗୁପ୍ତ ତ ପୋଲିସ୍‌ ଫୋର୍ସ ସହ ଆସି ଏଠି ପହଞ୍ଚିବେ । ସେତେବେଳେ ଫେରିଯିବା । ବର୍ତ୍ତମାନ କିନ୍ତୁ ସତର୍କତା ସହ ଆଗକୁ ଚାଲେ ।

 

ଚାରିଆଡ଼କୁ ଲକ୍ଷ୍ୟରଖି ଖୁବ୍‌ ସାବଧାନରେ ସେମାନେ ଆଗକୁ ଆଗକୁ ମାଡ଼ି ଚାଲିଲେ-। କ୍ରମଶଃ ଅନ୍ଧକାର ଘୋଟି ଆସୁଥାଏ । ଅଳ୍ପଦୂରରେ କେଉଁଠି କ୍ଷୀଣ ଶବ୍ଦ ଶୁଣାଯାଉଛି-। ମନେ ହେଉଛି ପାଣି ଝରି ଆସୁଛି । ନିଶ୍ଚୟ ଏଠି କେଉଁଠି ଝରଣା ଅଛି । ସନ୍ତୁ ଅନୁଭବ କଲା ତା’ ତୋଟି ଅଠା ଅଠା ହୋଇ ଆସିଲାଣି । ଦେହର ଜାମାପଟା ସଂପୂର୍ଣ୍ଣ ଓଦା । ଜୋତା ଦିଟା ବି କାଦୁଅରେ ପଚପଚ ହେଉଛି । ଶୋଷରେ ଗଳାଟା ଶୁଖି ଶୁଖି ଆସିଲାଣି ।

 

ଦାଦା ସେହି ପାଣିଝର ଶବ୍ଦଟାକୁ ଲକ୍ଷ୍ୟରଖି ଆଗେଇ ଚାଲିଲେ । ସନ୍ତୁ ନଜର ହଠାତ୍‌ ଗୋଟିଏ ଜିନିଷ ଉପରେ ପଡ଼ିଲା । ସେ ଥକାମାରି ସେଇଠି ଠିଆ ହୋଇ ରହିଗଲା ।

 

ଝୁଙ୍କିପଡ଼ି ଦେଖିଲା ମଣିଷଟିଏ । ଦେହରେ କୌଣସି ଲୁଗାପଟା ନାହିଁ । ଦେଖିବାକୁ ଲୋକଟା ଖୁବ୍‌ ଡେଙ୍ଗା । ମାଟିରେ ଚିତ୍‌ ହୋଇ ଶୋଇ ରହିଛି । ଆଖି ଦିଟା ମେଲି ଆକାଶକୁ ଚାହିଁ ରହିଛି ।

 

ସନ୍ତୁ ଭୟରେ ପାଟି କରିବାକୁ ଯାଉଥିଲା । କିନ୍ତୁ କେବଳ ଏଁ କହି ପାଟିରେ ହାତଟା ଦେଇଦେଲା ।

 

ଦାଦା ଏଥରକ ଲୋକଟାକୁ ଦେଖିଦେଇ ପକେଟରୁ ରିଭଲ୍‌ଭର୍‌ଟା ବାହାର କରି ଆଣି ତାରି ଆଡ଼କୁ ମୁହାଁଇ ଆସି ଠିଆ ହେଲେ ।

 

ଲୋକଟି କିନ୍ତୁ ହଲଚଲ୍‌ ହେଲାନାହିଁ । କୌଣସି ପାଟି ମଧ୍ୟ ଫିଟାଉ ନାହିଁ । କେବଳ ଆଖି ଦି’ଟା ମେଲା ମେଲା କରି ତାଙ୍କୁ ହିଁ ଅନାଇ ରହିଛି ।

 

ଦାଦା ଲୋକଟିର ଅତି ନିକଟକୁ ଯାଇ ଝୁଙ୍କିପଡ଼ି ଦେଖିଲୋ, ଲୋକଟା ମୃତ । ପାଖରେ ବସିପଡ଼ି ନିରେଖି ଦେଖିବାକୁ ଲାଗିଲେ ଦେହରେ କୌଣସିଠି ଦାଗ ଦେଖାଯାଉନାହିଁ କି ଫୁଲା ଟିକିଏ ବି ନାହିଁ । ତେବେ ଲୋକଟି ମଲା କିପରି ? ଲୋକଟିର ମୁଣ୍ତର ବାଳଗୁଡ଼ିକ ନିଗ୍ରୋମାନଙ୍କ ପରି କଳା କୁଞ୍ଚିକୁଞ୍ଚିଆ । ହାତ ଦି’ଟା ଖୁବ୍‌ ଲମ୍ୱଲମ୍ୱ, ଛାତିଟା ପଥର ଚଟାଣଭଳି ଚଉଡ଼ା । ଏଡ଼େ ଜୋରଥିବା ଜାରୋୟା ଜଣେ ଖାଲିଟାରେ ଏମିତିକା ମରିଗଲା ।

 

ଦାଦା ଲୋକଟିକୁ ଓଲଟାଇ ଦେଖିଲେ । ତା’ ପିଠିରେ ଗୋଟିଏ ଜାଗାରେ ରକ୍ତ ଜମାଟ ବାନ୍ଧ ଫୁଲି ଯାଇଛି ।

 

ଦାଦା ଫିସ୍‌ଫିସ୍‌ କରି କହିଲେ, ଗୁଳି । ପିଠିରେ ଗୁଳି ଲାଗଛି ।

 

ସର୍ବନାଶ !

 

ସନ୍ତୁ ଏତେ ପାଖରେ ମଲା ମଣିଷକୁ କେବେ ଦେଖି ନ ଥିଲା । ସେ ଭୟରେ କାଠ ହୋଇ ଯାଇ କେବଳ ଠିଆ ହୋଇ ଦେଖୁଥାଏ । ପାଟିରୁ କଥା ବାହାରୁ ନାହିଁ ।

 

ଦାଦା କହିଲେ, ଜାରୋୟାଟିକୁ କିଏ ଗୁଳିକରି ମାରିଛି । ତା’ ମାନେ ସେ ସାହେବଗୁଡ଼ାକ ଏ ଦ୍ୱୀପକୁ ଆସିଗଲେଣି । ମୁଁ କହିଥିଲିନା, ଆମେ ପହଞ୍ଚିବା ପୂର୍ବରୁ ସେମାନେ ଏଠାରେ ପହଞ୍ଚି ସାରିଥିବେ ବୋଲି, କଥାଟା ସତ ହେଲା ଦେଖିଲୁ । ସନ୍ତୁ ମୋତେ ଟିକିଏ ଧର ତ-। ମୁଁ ଉଠେ ।

 

ଦାଦାଙ୍କର ଗୋଟେ ଗୋଡ଼ ନାହିଁ ବୋଲି ଥରେ କେଉଁଠି ବସିପଡ଼ିଲେ ହଠାତ୍‌ ଉଠି ପାରନ୍ତି ନାହିଁ । ତେଣୁ ଦାଦା ହାତଟାକୁ ସନ୍ତୁଆଡ଼କୁ କଢ଼ାଇ ଦେଲେ । ସନ୍ତୁ ହାତଟା ଟାଣିଧରି ଉଠେଇ ଦେଲା ଦାଦାଙ୍କୁ ।

 

ଦାଦା କହିଲେ, ଆମକୁ ବର୍ତ୍ତମାନ ଶୀଘ୍ର କେଉଁଠି ଲୁଚିଯିବାକୁ ହେବ । ଏବେ ଆମର ଦୁଇପଟେ ବିପଦ । ଜାରୋୟାମାନେ ଦେଖିଲେ ଆମକୁ ଏଣେ ତୀର ମାରିବେ ଆଉ ଯଦି ସାହେବମାନେ ଦେଖନ୍ତି ସେ ବି ଜମା ଛାଡ଼ିଦେବେ ନାହିଁ ।

 

ଦୁଇଜଣଯାକ ଗୋଟିଏ ବୁଦାମୂଳେ ଯାଇ କିଛିକ୍ଷଣ ଲୁଚି ରହିଲେ । କେଉଁଠି କୁଆଡ଼େ ସ୍ୱର ଶବଦ ନାହିଁ । କେବଳ ଦୂରରେ ଝରଣା ଜଳର ଶବ୍ଦଟା ଶୁଣାଯାଉଛି, ତେବେ ମନେହେଉଛି କିଏ ଯମିତି ଖୁବ୍‌ ପାଖେ ପାଖେ ରହି ଲକ୍ଷ୍ୟ କରୁଛି । ଚାରିଆଡ଼ଟା ଏତେ ଅନ୍ଧକାର ଯେ, କୁଆଡ଼େ କିଛି ଦେଖା ଯାଉନାହିଁ । ବହୁ ସମୟ ଧରି ଠିଆହୋଇ ଅପେକ୍ଷା କରିବା ପରେ ବି କିଛି ଜଣାଗଲାନାହିଁ ।

 

ସନ୍ତୁର କଣ୍ଠଟା ଏକବାରକେ ଶୁଖିଶୁଖି ଆସଛି । ମନେହେଉଛି ଶୋଷରେ ଛାତିଟା ଫାଟିଯିବ । ଗୋଡ଼ ଦି’ଟାକୁ ମଶାଗୁଡ଼ାକ ଅନବରତ କାମୁଡ଼ିବାରେ ଲାଗିଛନ୍ତି । ସେ ଆଉ ସମ୍ଭାଳି ନି ପାରି ଧଡ଼ାସ କରି କେତୋଟି ମାଛି ମଶା ମାରିଲା ।

 

ଦାଦା କହିଲେ—ଉଃ, ଶବ୍ଦ କରନା ।

 

ସନ୍ତୁ କହିଲା, ଦାଦା ମୁଁ ପାଣି ପିଇବି ।

 

ଦାଦା କହିଲେ—ମୋତେ ବି ଶୋଷ ହେଉଛି । ଆଉ ଏଠି ଅଧିକ ସମୟ ଅପେକ୍ଷା କରି କିଛି ଲାଭନାହିଁ । ଚାଲେ ଧୀରେ ଧୀରେ, ଝରଣା ପାଖକୁ ଯିବା ।

 

ଅନ୍ଧାରରେ ଗୋଡ଼ ଦି’ଟା କେଉଁଠି ଯେ ପଡ଼ୁଛି ଜାଣି ହେଉନାହିଁ । ଆଗକୁ ହାତଟା ବଢ଼ାଇଦେଇ ପ୍ରଥମେ ଦେଖିନେବାକୁ ହେଉଛି ଆଗରେ କେଉଁଠି ବଡ଼ ଗଛ ଅଛି କି ନାହିଁ । ତଥାପି ମୁଣ୍ତଟା ଗଛରେ କେତେଥର ବାଡ଼େଇ ହୋଇଗଲାଣି । ଦାଦାଙ୍କ ତ୍ରାଚଟା ବି ଲଟା ବୁଦାରେ ଛନ୍ଦିହୋଇଯାଇ ଅଟକି ରହି ଯାଉଛି । ଜୋରକରି ଭିଡ଼ି ଛଡ଼ାଇବାକୁ ପଡ଼ୁଛି ।

 

କିଛିବାଟ ଗଲାପରେ ଝରଣାଟା ଦେଖାଗଲା । ଝରଣା କୂଳଟାରେ ଗଛ ଟିକିଏ ପତଳା ହୋଇଥିବାରୁ ଜହ୍ନ ଆଲୁଅ ଝରଣା ଉପରେ ପଡ଼ଛି । ସ୍ଥାନଟା ବେଶ୍‌ ଫରଚା ଫରଚା ଦେଖା ଯାଉଛି । ଝରଣାଟି ସରୁ ଓ ସ୍ରୋତବତୀ ।

 

ଏତେ ସମୟ ଧରି ସନ୍ତୁ ଅନ୍ଧାରିଆ ଗଛ ଗହଳି ଭିତରେ ରହି ଅଣ ନିଶ୍ୱାସ ହୋଇ ପଡ଼ିଥିଲା । ତେଣୁ ସେ ସଙ୍ଗେ ଝରଣା ପାଖକୁ ଆଗ ଦୌଡ଼ି ଚାଲିଗଲା, ଝରଣା କୂଳଟା ବାଲି ଓ ପାଣିଟା ଦେଖିବାକୁ ଖୁବ୍‌ ପରିଷ୍କାର । ସନ୍ତୁ ଗୋଡ଼ଟା ପାଣି ଭିତରେ ଥୋଇ ପୁଣି ଫେରାଇ ଆଣିଲା । ଝରଣାରେ ଏତେ ସ୍ରୋତ ଅଛି ଯେ ତାକୁ ଅକ୍ଳେଶରେ ଭସାଇ ନେଇ ଯାଇଥାନ୍ତା । ସେ ହାମୁଡ଼େଇ ପଡ଼ି ହାତ ଆଞ୍ଜୁଳାରେ ଆଞ୍ଜୁଳେ ଆଞ୍ଜୁଳେ ପାଣି ଆଣି ପେଟା ପିଇଦେଲା । ପାଣିଟା ସେତେ ଥଣ୍ତା ନୁହେ ଉଷୁମ ଉଷୁମ ଲାଗୁଛି । ସାରା ଦିନଟା ପେଟରେ କିଛି ହେଲେ କିଛି ପଡ଼ିନାହିଁ-। ଏ ପର୍ଯ୍ୟନ୍ତ ଭୋକକଥା ତା’ର ଆଦୌ ମନେ ପଡ଼ି ନ ଥିଲା ।

 

ଦାଦା ଝରଣା କୂଳରେ ବସିବାକୁ ଯାଉ ଯାଉ ହାମୁଡ଼େଇ ହୋଇ ପଡ଼ିଗଲେ ପାଣି ଭିତରେ । କିନ୍ତୁ ସନ୍ତୁ ହଠାତ୍‌ ଦାଦାଙ୍କ କୋଟ୍‌ଟାକୁ ଟାଣିଧରି କୌଣସିମତେ ଅଟେକେଇ ରଖିଦେଲା, ଏହାଦ୍ୱାରା ଦାଦା ନିଜକୁ ସମ୍ଭାଳି ନେଲେ ସତ ହେଲେ ଆଉ ଗୋଟିଏ ଦୁର୍ଘଟଣା ଘଟିଗଲା ପଡ଼ିଯିବା ବେଳେ ଡାହାଣ ହାତର କ୍ରାଚଟା ଛିଟିକିଯାଇ ପଡ଼ିଗଲା ପାଣି ଭିତରେ । ସଙ୍ଗେ ସଙ୍ଗେ ସେଇଟା ଭାସିଭାସି ଚାଲିଗଲା ପାଣି ସୁଅରେ । ସନ୍ତୁ କ୍ରାଚଟାକୁ ଅନୁସରଣ କରି କରି ଝରଣା କୂଳେ କୂଳେ କିଛିବାଟ ପର୍ଯ୍ୟନ୍ତ ଗଲା କିଛି କ୍ରାଚଟାକୁ ଧରି ହେଲା ନାହିଁ । ଟିକିଏ ପରେ ଗୋଟିଏ ମସ୍ତବଡ଼ ପଥରଟେ ହାବୁଡ଼ିଗଲା ଆଗରେ । ପଥରଟାକୁ ଡେଇଁଯିବା ତ ସହଜ ନୁହେଁ ତେଣୁ ପଥରଟାର ଡାହାଣପଟେ ବୁଲି ଯାଉ ଯାଉ କ୍ରାଚଟା କେଉଁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା ସେତେବେଳକୁ ।

 

ସନ୍ତୁ ଫେରିବା ଦେଖି ଦାଦା ପଚାରିଲା—ମିଳିଲାନି ।

 

ନା ।

 

ଦାଦା ହତାଶ ହୋଇପଡ଼ି କହିଲେ—ତେବେ ଏବେ କରିବା କ’ଣ ।

 

କ୍ରାଚ ବିନା ଦାଦା ଏକପାଦ ବି ଆଗକୁ ଯାଇ ପାରିବେ ନାହିଁ । ଅବଶ୍ୟ ବାଁ ହାତର କ୍ରାଚଟା ଅଛି । ତଥାପି ଗୋଟିଏ କ୍ରାଚରେ ଦେହର ଭାର ରକ୍ଷା କରି ନ ପାରି ନିଶ୍ଚୟ କଷ୍ଟ ହେବ । ଏମିତି ହଠାତ୍‌ କୌଣସି ବିପଦ ପଡ଼ିଗଲେ ଦୌଡ଼ି ଯାଇ ପାରିବେ ନାହିଁ । ଯଦି ସେ ଜଙ୍ଗଲରେ ଚାଲି ଯାଇ ପାରିବେ ନାହିଁ, ତେବେ କ’ଣ ହେବ ?

 

ଦାଦା ଦୀର୍ଘଶ୍ୱାସ ମାରି କିଛି ସମୟ ଥକ୍‌କା ମାରି ଗୋଟିଏ ଜାଗାରେ ବସି ରହିଲେ । ତା’ପରେ ଆଞ୍ଜୁଳାଏ ପାଣି ଆସିଲେ, ପ୍ରଥମେ ଜିଭଟାକୁ ଟିକିଏ ବାହାର କରି ପାଣିକୁ ଚାଖିନେଲେ-। ଏଇଟା ହଟ୍‌ ଓ୍ୟାଟର ସ୍ପ୍ରିଂ, ନିକଟରେ ଥିବା କୌଣସି ପାହାଡ଼ ଭିତରୁ ଝରଣାଟା ବାହାରିଛି-। ପାଣିରେ ଲୌହ ଓ ଗନ୍ଧକ ଅଂଶ ବେଶିଥିଲା ଭଳି ମନେ ହେଉଛି । ପାଣିଟା ଅବଶ୍ୟ ଦେହ ପକ୍ଷରେ ସେତେ କ୍ଷତିକାରକ ନୁହେଁ । ତା’ ପରେ ଢକ ଢକ କରି ପାଣି ପିଇ ଚାଲିଲେ ।

 

ସନ୍ତୁର ହାତଟା ଧରି ଦାଦା ଏଥରକ ଉଠି ଠିଆହେଲେ । ତା କାନ୍ଧରେ ଭରା ଦେଇ ଝରଣା କୂଳେ କୂଳେ ଚାଲଇବାକୁ ଲାଗିଲେ, କହିଲେ ସନ୍ତୁ କୌଣସି ଗଛର ଗୋଟିଏ ଡ଼ଳ ଭାଙ୍ଗି ବାଡ଼ିଟିଏ ତିଆରି କରିବାକୁ ହେବ ।

 

ସନ୍ତୁ କହିଲା—ମୁଁ ଏଇକ୍ଷଣି ତିଆରି କରି ଦେଉଛି ଦାଦା ।

 

ନିକଟରେ ଥିବା ଗଛର ଡାଳଟା ଧରି ଭାଙ୍ଗିବାକୁ ଚେଷ୍ଟାକଲା । କିନ୍ତୁ ଏ କ’ଣ, ଡାଳଟା ନଇଁ ଯାଉଛି ପଛକେ ଭାଙ୍ଗୁନାହିଁ । ଶେଷରେ କିଛି ଉପାୟ ନ ପାଇ ଡାଳଟା ଧରି ଓହଳି ପଡ଼ିଲା । ଏଥରକ ଡାଳଟା ଭୂଇଁରେ ଆସି ଲାଗିଲା କିନ୍ତୁ ଭାଙ୍ଗିଲା ନାହିଁ ।

 

ଦାଦା କହିଲେ, ପାଖରେ ଛୁରୀଥିଲେ କାଟି ଦେ । ଏହିଠାର ଅଧିକାଂଶ ଗଛ ପ୍ୟାକଡ଼୍‌ ବା ସିଲଭର୍‌ । ଖୁବ୍‌ ମଜଭୁତ କାଠ ।

 

ସନ୍ତୁର ମନେ ପଡ଼ିଗଲା ତା’ ପକେଟରେ ଗୋଟିଏ ଛୋଟ ଛୁରୀ ଥିଲା । ସେଥିରେ ଏଡ଼େ ମୋଟା ଡାଳଟା କାଟି ପାରିବ ନାହିଁ ସତ ତଥାପି ଚେଷ୍ଟା କରି ଦେଖିଲେ କ୍ଷତି କ’ଣ । ଏତିକିବେଳେ ସେ ଶୁଣିବାକୁ ପାଇଲା ଏକ ଅଦ୍ଭୁତ ରକମର ଧ୍ୱନି । କିଏ ଯେମିତିକା ଖୁବ୍‌ ଜୋରରେ ନିଶ୍ୱାସ ନେଉଛି । ଲୋକ ରାସ୍ତାରେ ଅନେକ ବାଟ ଦୋଡ଼ି ଆସିଲେ ଯେପରି ଧଇଁ ହୋଇଯାଏ, ଠିକ୍‌ ସେଇ ଭଳିଆ ଶବ୍ଦ ।

 

ଦୁହେଁ କାନ ଡେରି ଶବ୍ଦଟାକୁ ପୁଣିଥରେ ଶୁଣିବାକୁ ଲାଗିଲେ । ମଝିରେ ମଝିରେ ଶବ୍ଦଟା ଶୁଣିଯାଇ ପୁଣି ବନ୍ଦ ହୋଇଯାଉଛି । ଶବ୍ଦଟା ଖୁବ୍‌ ନିକଟୁ ଆସୁଥିବାର ମନେ ହେଉଛି । ଶବ୍ଦଟାକୁ କାନେଇ କାନେଇ ଗଲେ, ଦେଖିଲେ ଜଣେ ଲୋକ ତଳେ ପଡ଼ଛି । ଦେହଟା ସାରା ବୁଦା ଭିତରେ ରହିଛି କେବଳ ମୁହଁଟା ପଦାକୁ ବାହାରି ରହିଛି । ଆଁ ଟାଏ କରି ଝରଣା ଆଡ଼କୁ ଚାହିଁ ଧୀରେ ଧୀରେ ନିଶ୍ୱାସ ନେଉଥାଏ ।

 

ଲୋକଟା ଦେଖିବାକୁ ଠିକ୍‌ ପୂର୍ବ ଲୋକ ଭଳି । ଜହ୍ନ ଆଲୁଅରେ ସ୍ପଷ୍ଟ ଦେଖାଯାଉଛି, ସାରା ଶରୀରଟା ରକ୍ତରେ ଜୁଡ଼ୁବୁଡ଼ ହୋଇଯାଇଛି । ଦାଦା କହିଲେ, ଏ ଜାରୋୟାଟାକୁ ମଧ୍ୟ କିଏ ଗୁଳି କରି ମାରିଛି । ତେବେ ଏକଦମ ମରି ଯାଇନାହିଁ, ଏବେ ବି ବଞ୍ଚିଛି ।

 

ସେମାନେ ଯାଇ ଲୋକଟା ପାଖରେ ଠିଆ ହେଲେ । ଲୋକଟି ମୁହିଁ ବୁଲାଇ ଏମାନଙ୍କୁ ଟିକିଏ ଚାହିଁଲା । ତା’ ଚାହାଣୀରେ ଭରି ରହିଥିଲା ଘୃଣା ଓ ଅସନ୍ତୋଷର ଭାବ ।

 

ଦାଦା କହି ଉଠିଲେ—ହାୟରେ ହାୟ, ଲୋକଟି ପାଣି ପିଇବା ଆଶାରେ ଘୁଷୁରି ଘୁଷୁରି ଏ ପର୍ଯ୍ୟନ୍ତ ଆସିଛି । ସନ୍ତୁ ତାକୁ ଆଞ୍ଜୁଳାଏ ପାଣି ଆଣି ଦେ ତ ।

 

ସନ୍ତୁ କେବେ ଆଞ୍ଜୁଳା ପାଣି ଲୋକଟିର ମୁହଁରେ ଛାଟିଲା । ଲୋଗଟା ହିଁ କରି ଅନେଇ ରହିଥାଏ ମୁହଁ ଉପରୁ ଗଡ଼ି ଯେଉଁ ଟିକକ ପାଣି ପାଟିବାଟେ ଗଡ଼ି ଯାଉଛି ସେ ଟିକକ ଜିଭ ବଢ଼ାଇ ଚାଟି ନେଉଛି । ସନ୍ତୁ ତିନି କି ଚାରିଥର ପାଣିଆଣି ଲୋକଟାକୁ ଦେଲା । ଦାଦା ଲୋକଟା ପାଖରେ ବସି ରହିଲେ ।

 

ପେଟ, କାନ୍ଧ ଓ ଗୋଡ଼ରେ ଏପରି ତିନୋଟି ଗୁଳି ବାଜିଛି । କିନ୍ତୁ ସବୁଠାରୁ ପେଟରେ ବାଜିଥିବା ଗୁଳିଟା ସାଙ୍ଘାତିକ ।

 

ଦାଦା କହିଲେ, ଏବେ ଚେଷ୍ଟାକଲେ ଲୋକଟା ବଞ୍ଚିଯାଇପାରେ । ତା’ ପରେ ସେ ପକେଟରୁ ରୁମାଲ ବାହାର କରି ରୁମାଲଟିକୁ ତୁଳାଭଳି ଭାଙ୍ଗି କ୍ଷତ ସ୍ଥାନରେ ଚାପି ଧରିଲେ । ଗୋଡ଼ର ମୋଜା ଦିଟା ବାହାର କରି ଆଣି ଚିରି ଗଣ୍ଠି ପକାଇ ବ୍ୟାଣ୍ତେଜ କରିବାରେ ଲାଗିଗଲେ ।

 

ସନ୍ତୁ ଲୋକଟା ପାଖରେ ବସିଥାଏ ହଠାତ୍‌ କ’ଣ ହେଲା କେଜାଣି ଲୋକଟା ହାତ ବଢ଼ାଇ ସନ୍ତୁର ବେକଟାକୁ ଜାବୁଡ଼ି ଧରିନେଲା । ସନ୍ତୁ କିଛି ଜାଣିବା ଆଗରୁ ଲୋକଟାର ଶକ୍ତ ଆଙ୍ଗୁଠି ଗୁଡ଼ାକ ଶଣ୍ଢୁଆସି ଭଳି ବେକଟାକୁ ଚିପିବାକୁ ଲାଗିଲା । ଲୋକଟା ଦେହରୁ ଗୁଡ଼ାଏ ରକ୍ତ ଚାଲି ଯାଇଥିଲେ ମଧ୍ୟ ହାତରେ ଜୋର ଏବେ ବି ସେମିତି ରହିଛି । ସନ୍ତୁ ଦୁଇ ହାତରେ ଟାଣି ଛଡ଼ାଇବାକୁ ଚେଷ୍ଟାକଲା । ଛଡ଼ାଇ ପାରୁନାହିଁ । ସନ୍ତୁର ଦମ୍‌ ଛୁଟିବାକୁ ଲାଗିଲାଣି । ଦମ୍‌ ଅଟକି ଗଲେ ସେ ମରି ଯାଇପାରେ । ଚେଷ୍ଟାକରି ମଧ୍ୟ ପାଟି କରି ପାରୁନାହିଁ । ଅନ୍ୟ ପଟେ ଦାଦା ପଛକରି ମୋଜା ଛିଣ୍ତାଛିଣ୍ତି କରିବାରେ ବ୍ୟସ୍ତ ଅଛନ୍ତି ।

 

ପ୍ରାଣପଣେ ଚେଷ୍ଟାକରି ସନ୍ତୁ ଅତି କଷ୍ଟରେ ପାଟିକଲା–ଆଁ–ଆଁ । ଦାଦା ପଛକୁ ବୁଲିପଡ଼ି ଦେଖିଲେ—ସଙ୍ଗେସଙ୍ଗେ ରିଭଲ୍‌ଭର୍‌ଟାର ପଛ ପାଖରେ ଖୁବ୍‌ ଜୋରରେ ହାତଟାକୁ ପାହାରେ ଦେଲେ । ଲୋକଟା ହାତଟାକୁ ଖସାଇ ଆଣିଲା । ସନ୍ତୁ ଛିଟିକି ଯାଇ ପଡ଼ିଲା ଖଣ୍ତେ ଦୂରରେ ।

 

ତଥାପି ଲୋକଟାର ରାଗ କମି ନ ଥାଏ । ମୁହଁ ଟାକୁ ଟିକିଏ ବୁଲି ନେଇ କାମୁଡ଼ି ଧରିଲା ଦାଦାଙ୍କ ହାତଟାକୁ ଦାଦା ସବୁକିଛି ଭୁଲିଯାଇ ପାଟି କରି ଉଠିଲେ ଉଃ, ଉଃ । ଅନ୍ୟ ହାତଟାରେ ରିଭଲ୍‌ଭର୍‌ରେ ଲୋକଟାର ମୁଣ୍ତକୁ ପାହାରେ ଦେଲେ । ଲୋକଟା ଆଘାତ ପାଇ ପାଟି ଖୋଲି ଦେଇ ଚାରିକାତ ମେଲି ଆଖି ବୁଜିଲା ।

 

ଦାଦା ହାମୁଡ଼େଇ ଯାଇ ଝରଣାରୁ ପାଣି ଆଣି ସନ୍ତୁ ମୁହଁରେ ଛାଟିଲେ । ଦେହରେ ହାତଟା ବୁଲାଇ ଆଣି ଡାକିଲେ—ଏ ସନ୍ତୁ, ସନ୍ତୁ ମ ।

 

ଟିକକ ପରେ ସନ୍ତୁ ଆଖି ଖୋଲିଲା, ହଠାତ୍‌ ଉଠି ବସି ପଡ଼ବାକୁ ଚେଷ୍ଟା କଲା । ଦାଦା କହି ଉଠିଲେ—ନାରେ ନା, ରହ, ବର୍ତ୍ତମାନ ଉଠିବା ଦରକାର ନାହିଁ । ଟିକିଏ ବିଶ୍ରାମ କର । ସବୁ ଆପେ ଆପେ ଠିକ୍‌ ହୋଇଯିବ ।

 

ଦାଦା ପୁଣିଥରେ ପାଣି ପାଣି ଲୋକଟା ମୁହଁରେ ଛାଟିଲେ । କିନ୍ତୁ ଲୋକଟି ଆଉ ଆଖି ଖୋଲିଲା ନାହିଁ ।

 

ଦାଦା କହିଲେ—ତେବେ ଲୋକଟା ମରିଗଲା ନା କ’ଣ । ମୁଁ ତାକୁ ଶେଷ କରିଦେଲି, ଦାଦା ଆହୁର ବ୍ୟସ୍ତ ହୋଇପଡ଼ି ଲୋକଟାର ବାମ ପାଖରେ ହାତ ମାରିଲେ । ଲୋକଟା ଏବେ ବି ଅତି ଧୀରେ ଧୀରେ ନିଶ୍ୱାସ ନେଉଛି । ନା ମରିଯାଇ ନାହିଁ, କେବଳ ମୂର୍ଚ୍ଛା ହୋଇ ପଡ଼ି ଯାଉଛି, ସେହିଭିଳି ପଡ଼ିଥାଉ ।

 

ଏଥର ଦାଦା ଲୋକଟାର କ୍ଷର ସ୍ଥାନଟାକୁ ପୋଛି ଆଣିଲେ । ଓ ପାଖରେ ଥିବା ଗୋଟିଏ ଗଛର ପତ୍ର ଦେହରୁ ରସ ବାହାର କରି ଆଣି ଲଗାଇ ଦେଲେ । ମୋଜାର ବ୍ୟାଣ୍ତେଜଟାକୁ ପେଟରେ ବାନ୍ଧିଦେଲେ । ଯଦି ଏହାଦ୍ୱାରା ପେଟର ରକ୍ତସ୍ତାବଟା ବନ୍ଦ ହୋଇଯାଏ ତେବେ ଲୋକଟା ନିଶ୍ଚିତ ଭାବେ ବଞ୍ଚିଯିବ ।

 

ସନ୍ତୁ ଏତେବେଳେକୁ ଉଠି ବସିଲାଣି । ଏବେ ମଧ୍ୟ ତା ମୁଣ୍ତଟା ଝିମ୍‌ଝିମ୍‌ କରୁଛି । ସେ ଭାବି ନେଇଥିଲା ସେ ଆଉ ବଞ୍ଚିପାରିବ ନାହିଁ ବୋଲି । ତେବେ ଯାହାହେଉ ତା’ର କିଛି ହୋଇନାହିଁ କେବଳ ବେକ ମୁଣ୍ତାଟା ଅସ୍ୱାଭାବିକି ଭାବେ ଫୁଲି ଯାଇଥାଏ ।

 

ଦାଦା ପଚାରିଲେ, କିମିତି ଲାଗୁଛି କି ସନ୍ତୁ । ଭଲ ଲାଗିଲା—

 

ସନ୍ତୁ କହିଲା—ନା ।

 

ବାବା କି ସାଙ୍ଘାତିକରେ ।

 

ସନ୍ତୁ ଅଭିମାନ କରି କହିଲା—ମୁଁ ପାଣି ଦେଇ ଲୋକଟାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲି ଅଥଚ ଲୋକଟା ମୋତେ ମାରିଦେବାକୁ ଚାହୁଁଥିଲା କାହିଁକି ? ଆମେ ତ ଚେଷ୍ଟା କରୁଥିଲେ ସେ କିମିତି ବଞ୍ଚିଯାଉ ।

 

ଦାଦା କହିଲେ, ଅସଲରେ ଏମାନେ ଆମ୍ଭମାନଙ୍କ ଆଦୌ ବିଶ୍ୱାସ କରିନ୍ତି ନାହିଁ । ବାହାରର ଯେ କୌଣସି ବ୍ୟକ୍ତି ଏମାନଙ୍କ ନିକଟରେ ଶତ୍ରୁ ।

 

ସନ୍ତୁ କହିଲା, ଆଉ ମୁହୂର୍ତ୍ତେ ବି ଏଇଠି ରହିବାକୁ ଇଚ୍ଛା ହେଉନାହିଁ ।

 

ପୋଲିସ ସହିତ ବୋଟ୍‌ ଆସିଯାଉ କାଲି ସକାଳେ ଆମେ ଚାଲିଯିବା ।

 

ଯଦି ସେମାନେ ନ ଆସନ୍ତି ?

 

ଆସିବେ ନାହିଁ କାହିଁକି, ନିଶ୍ଚୟ ଆସିବେ । ସେମାନେ କ’ଣ ଆମକୁ ଭୁଲିଯିବେ । ଆମେ ଏଇ ରାତିଟା ଭିତରେ ସାରା ଦ୍ୱୀପଟାକୁ ଦେଖି ଆସିବା । ରାତି ବେଳାଟା ହିଁ ଆମ ପକ୍ଷରେ ଖୁବ୍‌ ସୁବିଧା । ଭୋର୍‌ ହୋଇଗଲେ ସମୁଦ୍ର କୂଳରେ ଲୁଚି ରହିଯିବା । ଲଞ୍ଚ ଆସିଯିବା ମାତ୍ରକେ ଝଟ୍‌କରି ତା’ ଉପରକୁ ଉଠିଗଲେ ଗଲା ।

 

ଏଡ଼େ ବିପଦରେ ବି ଦାଦା ସାରା ଦ୍ୱୀପଟାକୁ ଥରେ ବୁଲିବାର ନିଶା ଛାଡ଼ିନାହାନ୍ତି । ତାଙ୍କର ଉତ୍ସାହ ଟିକିଏ ହେଲେ କମି ଯାଇନାହିଁ । ଭୟର ପ୍ରଶ୍ନ ତ ମୋଟେ ଉଠିପାରେ ନା । ନିଜେ ଭଲରେ ଚାଲି ପାରୁ ନାହାନ୍ତୁ, ଏଣେ ଆସିବାକୁ ମନ ।

 

ସନ୍ତୁ କେତେ ସମୟ ପରେ କହିଲା, ଦାଦା, ସମୁଦ୍ର କୂଳକୁ ଚାଲିଯିବା ଭାରି ।

 

ଦାଦା କହିଲେ, ବାଃ ଦ୍ୱୀପଟାକୁ ନ ଦେଖି ଏଇଠୁ ଚାଲିଯିବା, ତେବେ ଏଠିକୁ ଆସିଥିଲି କାହିଁକି ? ସାରା ଦ୍ୱୀପଟାକୁ ଥରେ ନ ଦେଖି ମୁଁ ଫେରିବି ନାହିଁ ।

 

ସନ୍ତୁର କାନ୍ଧ ଉପରେ ଦାଦା ହାତ ରଖି ଚାଲିଲେ । ଏଥରକ ସେମାନେ ଝରଣାର କୂଳେ କୂଳେ ଚାଲିବାକୁ ଲାଗିଲେ । କାରଣ ବାଲି ଉପରଟା ଫରଚା ଦେଖା ଯାଉଛି । ବାଲି ଉପରେ ଚାଲିଗଲେ ଲଟା କଣ୍ଟାରେ ପାଦ ଗୁଡ଼ାଇ ହୋଇ ଯିବାର ଭୟ ମଧ୍ୟ ନାହିଁ । ଆଗରେ କ’ଣ ସବୁ ଅଛି ସ୍ପଷ୍ଟ ବାରି ହୋଇପଡ଼ୁଛି ।

 

ତେବେ ଏଭଳି ଅବସ୍ଥାରେ ବେଶିବାଟ ଯିବାକୁ ହେଲାନାହିଁ । କିଛିବାଟ ଗଲାପରେ ଦେଖାଗଲା ଜଙ୍ଗଲ ଭିତରେ ଗୋଟିଏ ସ୍ଥାନରେ ଟର୍ଚ୍ଚ ଭଳି ଆଲୁଅଟେ ଜଳି ଲିଭିଗଲା ।

 

ଦାଦା ସଙ୍ଗେ ସଙ୍ଗେ ସନ୍ତୁକୁ ଧକ୍‌କାଟେ ମାରି ତଳେ ଲେପେଟେଇ ଶୋଇ ପଡ଼ିଲେ, ସେଠାରୁ ଗଡ଼ି ଗଡ଼ି ଚାଲିଗଲେ ଗୋଟିଏ ବୁଦା ମୂଳକୁ । ତାଙ୍କ ଦେଖାଦେଖି ସନ୍ତୁ ମଧ୍ୟ ଗଡ଼ି ଗଡ଼ି ଲୁଚିଗଲା ଦାଦାଙ୍କ ପଛପଟେ ।

 

ଗୁଡ଼ୁମ୍‌ ଗୁଡ଼ୁମ୍‌ ଦୁଇଟି ଗୁଳିର ଆବାଜ ଶୁଣାଗଲା ।

 

ଏହି ଗୁଳିର ପ୍ରତିଧ୍ୱନିଟା ସାରା ଜଙ୍ଗଲଟାରେ ଖେଳିଗଲା ବହୁ ସମୟ ପର୍ଯ୍ୟନ୍ତ । ଶବ୍ଦଟା କୌଣସି ପାଖ ପାହାଡ଼ରେ ଧକକା ଖାଇ ପୁଣି ଯେପରି ଫେରି ଆସୁଛି ସେମାନଙ୍କ ପାଖକୁ-। ତା’ ପରେ କେତେ-ସମୟ ପାଇଁ ଶୂନଶାନ୍‌ । କେଉଁଠି ହେଲେ ପତ୍ରଟିଏ ହଲୁନାହିଁ; ସନ୍ତୁ ଡରିଯାଇ ନିଶ୍ୱାସ ବନ୍ଦ କରି ଶୋଇ ରହିଲା । କେବଳ ତା’ର ଛାତିର ସ୍ପନ୍ଦନଟା ଧକ୍‌ ଧକ୍‌ କରୁଥାଏ-

 

ଟିକକ ପରେ ଅନେକ ପାଦଶବ୍ଦ ଶୁଣାଗଲା । ଏକା ସାଙ୍ଗରେ ବହୁ ଲୋକଙ୍କର । ଠିକ୍‌ କାନ ପାରି ଲକ୍ଷ୍ୟକଲେ ଜଣାଯାଉଛି ପାଦଶବ୍ଦ-ଗୁଡ଼ାକ ତାଙ୍କରି ଆଡ଼କୁ ମାଡ଼ି ଆସୁଛି । ଆସୁଥିବା ଲୋକମାନେ ଯେ ଖାଲିପାଦ ନୁହେଁ, କୌଣସି ବୁଟ୍‌ଜୋତା ମାଡ଼ି ଚାଲିଛନ୍ତି ଶକ୍ତି ପାଦର ଆବାଜରୁ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଗଛ ଫାଙ୍କ ଗୁଡ଼ାକରେ ଟର୍ଚ୍ଚ ଆଲୁଅଟା ଜଳି ପୁଣି ଲିଭି ଯାଉଥାଏ-। ଲୋକଗୁଡ଼ାକ ଝରଣା କୂଳକୁ ଆସି ସେଠି ଚୁପ୍‌ଚାପ୍‌ ରହି ଚାରିଆଡ଼କୁ ଦେଖିବାକୁ ଲାଗିଲେ-। ଏମାନେ ସମସ୍ତେ ପ୍ରାୟ ସାହେବ । ସନ୍ତୁ ମୁଣ୍ଡଟେକି ଦେଖିଲା ନା ସବୁ-ଗୁଡ଼ାକ ସାହେବ ନୁହନ୍ତି-। ସେମାନଙ୍କ ଭିତରେ ପଞ୍ଜାବୀଭଳି ଜଣେ ଲୋକଥିବାର ମନେ ହେଉଛି । ଏ ଲୋକ ଜଣକ ଟର୍ଚ୍ଚ ପକାଇ ଚାରିଆଡ଼ଟା ଦେଖିନେଲା ।

 

କିଏ ଜଣେ ଇଂରାଜୀରେ କହିଲା—ନିଶ୍ଚୟ ଟିକକ ଆଗରୁ ଏଇଠି କିଏ ଜଣେ ଥିଲା । ମୁଁ ସେମାନଙ୍କର ଗଳାଶବ୍ଦ ଶୁଣିଛି ।

 

ଅନ୍ୟଜଣେ ସଙ୍ଗେ ସଙ୍ଗେ କହି ଉଠିଲା—ଏଇ ଦେଖେ, ବାଲିରେ ପାଦଚିହ୍ନ ପଡ଼ିଛି ।

 

ଆଉ ଥରେ ସେମାନେ ଚାରିଆଡ଼କୁ ଟର୍ଚ୍ଚ ଆଲୁଅ ପକାଇ ଦେଖିଲେ ।

ଦାଦା ଓ ସନ୍ତୁ ଯଦିଓ ଗୋଟିଏ ବଡ଼ ଘଞ୍ଚ ଲଟାବୁଦା ମୂଳେ ଲୁଚି ରହି ଯାଇଥିଲେ ତଥାପି ଲଟାଟା ଝରଣା କୂଳଠାରୁ ବେଶି ଦୂର ନୁହେଁ । ଯଦି ସାହେବମାନେ ମନପ୍ରାଣ ଦେଇ ପାଦଚିହ୍ନ ସବୁ ଦେଖି ଖୋଜି ବସନ୍ତି ତେବେ ସେମାନେ ଧରା ନିଶ୍ଚୟ ପଡ଼ିଯିବେ । ଦାଦା ରିଭଲ୍‌ଭରଟାକୁ ଦୁଇହାତରେ ଶକ୍ତଭାବେ ଧରି ଏକ ଲୟରେ ସେମାନଙ୍କୁ ଚାହିଁ ରହିଲେ ।

ସାହେବ ଦୁଇଜଣଙ୍କ ହାତରେ ଅଛି ରାଇଫଲ୍‌ । ବାକି ଅନ୍ୟମାନଙ୍କ ହାତରେ ପିସ୍ତଲ । ଆଉ ପଞ୍ଜାବୀଜଣଙ୍କ ଟର୍ଚ୍ଚ ଆଲୁଅଟା ଧରିଛି ।

ସନ୍ତୁ ଅନୁଭବ କଲା ତା ପାଦ ପାଖରେ କ’ଣ ଗୋଟାଏ ସଲ ସଲ ହେଉଛି । ଜିନିଷଟା ପାଦକୁ ଥଣ୍ଡା ଥଣ୍ଡା ଲାଗୁଛି । ସାପ ହେବ କି ? ଦାଦା ଅବଶ୍ୟ ଆଗରୁ କହୁଥିଲେ ଏଠାକାର ସାପ ଦେହରେ ବିଷ ନାହିଁ ବୋଲି କିନ୍ତୁ ସନ୍ତୁର ସେ କଥାଟା ଆଦୌ ମନେ ପଡ଼ିଲା ନାହିଁ । ସେ ସଙ୍ଗେ ସଙ୍ଗେ ଗୋଡ଼ଟା ଉଠାଇ ଆଣିଲା । ଏଥରକ ପାଦଟା ପକାଇବାରୁ ପାଦଟା ଯାଇ ପଡ଼ିଲା ଥଣ୍ଡା ଚଟାଣ ଭଳି ଗୋଟିଏ ଜିନିଷ ଉପରେ । ନିଜେ ଖୁବ୍‌ ଡ଼ରି ଯାଇଥିଲେ ବି ଉପସ୍ଥିତି ପରିସ୍ଥିତି ଯୋଗୁଁ ପାଟି କରିବାର ଜୁ ନାହିଁ । ଗୋଡ଼ଟା ଉଠାଇ ଆଣି ପୁଣି ଆଉଥରେ ପକାଇ ଦେବାରୁ ଖସ୍‌ ଖସ୍‌ ଶବ୍ଦ ହେଲା ।

ସଙ୍ଗେ ସଙ୍ଗେ ଟର୍ଚ୍ଚ ଆଲୁଅଟା ବୁଲି ଆସିଲା ଏମାନଙ୍କ ଉପରକୁ ।

ସନ୍ତୁ ଓ ଦାଦା ଧରାପଡ଼ିଯିବା ପୂର୍ବରୁ, ଜଣେ ସାହେବ ‘ଓୟା’ ବୋଲି ଖୁବ୍‌ ଜୋର୍‌ରୁ ପାଟିକରି ଉଠିଲା । ଅନ୍ୟ ଜଣେ କହି ଉଠିଲା—ସେମାନେ ଆମ ଉପରକୁ ତୀର ଛାଡ଼ୁଛନ୍ତି, ଟର୍ଚ୍ଚଟା ଶୀଘ୍ର ବନ୍ଦକର ବୋକା ।

 

ତା’ପରେ ପରେ ଛଅଟାଯାକ ବନ୍ଧୁକରୁ ଗୁଳି ଛୁଟି ଚାଲିଲା ଜାରୋୟାମାନଙ୍କ ଆଡ଼କୁ । ସନ୍ତୁ ଦେଖିଲା ତାଙ୍କ ପଛପଟୁ ଝର ଝର ଶବ୍ଦ କରି ତୀର ଗୁଡ଼ାକ ଛୁଟିବାରେ ଲାଗିଛି । କେତେଟା ତୀର ଗଛ ଦେହରେ ଧକ୍‌କା ଖାଇ ତଳେ ତାଙ୍କ ଆଗରେ ପଡ଼ିଛି । ଜାରୋୟା ଓ ସାହେବମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା; କିନ୍ତୁ ସନ୍ତୁ ଓ ତା ଦାଦା ପଡ଼ିଯାଇଥିଲେ ମଝିଟାରେ । ଯେ କୌଣସି ମୁହୂର୍ତ୍ତରେ ଏ ପଟୁ ଗୁଳି ଓ ପଛପଟୁ ତୀର ଲାଗି ଯାଇପାରେ । ବଞ୍ଚିବାର ଉପାୟ କ୍ଷୀଣ । ଉପାୟ ବା କ’ଣ ?

 

ସାହେବ ଗୁଡ଼ାକ ଏପଟ ସେପଟ ଦୌଡ଼ାଦୌଡ଼ି କରି ଗୁଳି ଛୁଟାଇ ଚାଲିଥାନ୍ତି; କାରଣ ଗୋଟିଏ ସ୍ଥାନରେ ରହି ଗୁଳି ଚଳାଇଲେ ତୀର ଲାଗିଯିବାର ସମ୍ଭାବନା ଖୁବ୍‌ ବେଶୀ । ଗୁଳିଗୁଳା ଶବ୍ଦରେ ଲୁଚି ରହିଥିବା ଦଳେ ବାର୍‌ହା ଭୁସ୍‍ଭାସ୍‍ କରି କେଉଁଠୁ ବାହାରି ଆସିଲେ । ସେମାନେ ଜୀବନରେ କେବେ ଏତେ ଗୁଳିଶବ୍ଦ ଶୁଣି ନାହାନ୍ତି ତ । ବାର୍‌ହା ଗୁଡ଼ାକ ଦୌଡ଼ି ଚାଲିଗଲେ ଝରଣା କୂଳକୁ । ଏକାଥରକେ ପଲେ ବାର୍‌ହା, ପଚାଶ କି ଷାଠିଏ ହେବ ସଂଖ୍ୟାରେ ।

 

ଦଶ ମିନିଟ ଭିତରେ ଯୁଦ୍ଧ ବନ୍ଦ ହୋଇଗଲା । ଜାରୋୟାମାନେ ତୀର ମାରିବା ବନ୍ଦ କରିଦେଲେଣି । ବୋଧହୁଏ ସେମାନେ ପଛେଇ ପଛେଇ ଚାଲିଗଲେ ।

 

ଜଣେ ସାହେବ କହିଲା—ଲେଟସ୍‌, ମୁଭ୍‌ ।

 

ଅନ୍ୟ ଜଣେ ସାହେବ କହିଲା—ମୋ ଦେହରେ ତୀର ବାଜିଛି । ଶୀଘ୍ର ତୁଳା ଦେ । ଇଞ୍ଜେକ୍‌ସନ, ଇଞ୍ଜେକ୍‌ସନ, କାହା ପାଖରେ ଅଛି ?

 

ତା’ପରେ କିଛିକ୍ଷଣ ପାଇଁ ଚୁପ୍‌ଚାପ ଓ କେବଳ ଫୁସ୍‌ଫାସ ଓ କେତୋଟି କାଚ ଭାଙ୍ଗିବାର ଶବ୍ଦ ଛଡ଼ା ଆଉ କିଛି ଶୁଣାଗଲା ନାହିଁ ।

 

ଏଥରକ ସେମାନେ ଚାଲି ଗଲେଣି ।

 

ପାଞ୍ଚ ଦଶ ମିନିଟ ଅପେକ୍ଷା କରିବା ପରେ ଦାଦା ଉଠି ବସିଲେ । ସନ୍ତୁ ଉଠିପଡ଼ି ଦେଖିନେଲା ତା’ ଗୋଡ଼ପାଖ ଜିନିଷଟା କ’ଣ । ନା ସାପ ନୁହେଁ, ମସ୍ତବଡ଼ ଏକ ବେଙ୍ଗ । ପ୍ରାୟ ଅଧକିଲୋର ଓଜନ ହେବ । ସନ୍ତୁ ବେଙ୍ଗଟାକୁ ଗୋଡ଼ରେ ଫୋପାଡ଼ି ଦେଲା ।

 

ଦାଦା ଦେହରୁ କାଠିକୁଟା, ଡାଳପତ୍ର ସବୁ ଝାଡ଼ଝୁଡ଼ି କରି କହିଲେ, ଆମେ କେବଳ ଦୁଇଜଣ ସାହେବଙ୍କୁ ପଳାଇ ଆସିବାର ଦେଖିଥିଲେ; କିନ୍ତୁ ଏଠି ଏମାନେ ଛଅଜଣ । ତା’ମାନେ ଆଗରୁ ଅନ୍ୟମାନେ ଆସି ଆଉ କେଉଁ ଦ୍ୱୀପରେ ଲୁଚି ରହିଥିଲେ । ଆଶ୍ଚର୍ଯ୍ୟ ଜାତି ।

 

ସନ୍ତୁ କହିଲା, ଖୁବ୍‌ ଆସ୍ତେ କୁହ ଦାଦା । ପାଖରେ ଯଦି କୌଣସି ଜାରୋୟା ଥାଆନ୍ତି ନା-

 

ନା, ରହିବାର ସମ୍ଭାବନା ନାହିଁ । ସେମାନେ ଚାଲିଯାଇଛନ୍ତି । ଜାରୋୟାମାନେ ଖୁବ୍‌ ଭୟ ପାଇ ଯାଇଛନ୍ତି, କାରଣ ଏଭଳିଆ ଜିନିଷ ଆଗରୁ କେବେ ଦେଖି ନାହାନ୍ତି ତ ।

 

କ’ଣ ବନ୍ଧୁକ ? ଆଗରୁ ସେମାନେ କେବେ ଦେଖି ନାହାନ୍ତି ?

 

ନା ବନ୍ଧୁକ ନୁହେଁ । ମୋର ଯେତେଦୂର ମନେ ହୁଏ ଜାରୋୟାମାନେ ଗୁଳି ବନ୍ଧୁକ ବା ମରିବାକୁ କେବେ ଭୟ କରନ୍ତି ନାହିଁ; କିନ୍ତୁ ଆଜିର ଘଟଣା ପରି ଆଗରୁ କେବେ ଦେଖିନାହାନ୍ତି ।

 

କେଉଁ ଘଟଣା ଦାଦା ?

 

ତୁ ଏବେ ବି ବୁଝିପାରିଲୁ ନାହିଁ, ଜଣେ ସାହେବ ଯେ ଇଞ୍ଜେକସନ ଇଞ୍ଜେକସନ ବୋଲି ପାଟିକରି ଉଠିଲା । ଶୁଣିନୁ ସେ କଥା ।

 

ହଁ, ଶୁଣିଛି ତ ।

 

ଏଥରକ ସବୁ ପ୍ରକାର ଜିନିଷପତ୍ର ନେଇ ସାହେବମାନେ ଆସିଛନ୍ତି । କୌଣସିଟାର ତ୍ରୁଟି କରିନାହାନ୍ତି । ସାହେବ ଜାତି ତ । ସବୁ ଲୋକେ ଜାରୋୟାମାନଙ୍କ ବିଷାକ୍ତ ତୀରକୁ ଭୟ କରିଥାନ୍ତି କାରଣ ତୀର ଦେହରେ ଥରେ ଲାଗିଗଲେ ମଣିଷ ବଞ୍ଚିବା ସହଜ ନୁହେଁ; କିନ୍ତୁ ଆମେ ସମସ୍ତେ ଭୁଲି ଯାଇଛୁ ଯେ, ବିଷର ମଧ୍ୟ ଔଷଧ ଅଛି, ଏପରିକି ଖୁବ୍‌ ବିଷାକ୍ତ ସାପର ବିଷକୁ ମଧ୍ୟ ଔଷଧ ଦେଇ ଅକାମି କରି ଦିଆ ଯାଇପାରିବ । ଏ ସାହେବମାନେ ସେଇଭଳି ଔଷଧ ସାଥିରେ ନେଇ କରି ଆସିଛନ୍ତି । କାହା ଦେହରେ ହଠାତ୍ ତୀର ଲାଗିଗଲେ ନିଜେ ନିଜେ ଗୋଟିଏ ଗୋଟିଏ ଇଞ୍ଜେକସନ ନେଇ ଯାଉଛନ୍ତି । ତୀର ଦେହରେ ଲାଗିଲେ ମଧ୍ୟ କୌଣସି ସାହେବ ମରୁ ନଥିବା ଦେଖି ଜାରୋୟାମାନେ ଖୁବ୍‌ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ଏଥର ଜାରୋୟାମାନେ ନିଶ୍ଚୟ ପରାଜିତ ହୋଇଯିବେ ।

 

ଦାଦା ହାମୁଡ଼ି ଝରଣା ନିକଟକୁ ଗଲେ । ଏପାଖ ସେପାଖ ହାତମାରି ଅଣ୍ଡାଳି ଅଣ୍ଡାଳି ଖୋଜି ଖୋଜି ପାଇଲେ ତୀର ଗୋଟିଏ । ଖୁବ ସାବଧାନରେ ତୀରଟାକୁ ଝରଣା ପାଣିରେ ଧୋଇ ଆଣି ସନ୍ତୁକୁ ଦେଖାଇ କହିଲେ, ଏଇ ଦେଖେ, ତୀରଟା ସେହିଭଳି କୌଣସି ମାରାତ୍ମକ ଅସ୍ତ୍ର ନୁହେଁ-

ସନ୍ତୁ ଦେଖିଲା ପ୍ରକୃତରେ ତୀରରେ କିଛି ବିଶେଷତ୍ୱ ନାହିଁ । ଦେଖିବାକୁ ଖେଳନା ତୀର ପରି । ତୀର ଆଗରେ ଗୋଜିଆ ମୁନିଆ ତୀକ୍ଷ୍ଣ ଲୁହା ଲାଗିବାର କଥା; କିନ୍ତୁ ଏଟାରେ ସେହିଭଳି କିଛି ନାହିଁ । ତୀରଟା ବାଉଁଶ ପାତିଆରେ ତିଆରି କରା ଯାଇଛି । ଅଗଟା କେବଳ ଟିକିଏ ମୁନିଆଁ କରି ଦିଆଯାଇଛି । ଶରୀର ପଛପଟେ ପଲବ ମଧ୍ୟ ନାହିଁ ।

ଦାଦା କହିଲେ, ଯଦି ଏଥିରେ ବିଷ ବୋଳା ହୋଇ ନଥାନ୍ତା, ତେବେ ଏଭଳି ଦଶବାରଟା ତୀର କାହାର ଦେହରେ ଲାଗିଯାଏ ତ ତା’ର କିଛିହେଲେ କ୍ଷତି ହେବ ନାହିଁ । ବିଷ ଜ୍ଜାଳାରୁ ରକ୍ଷା ପାଇବା ପାଇଁ ସାହେବମାନେ ଇଞ୍ଜେକସନ୍‍ ନେଇ ଯାଉଛନ୍ତି । ଜଙ୍ଗଲ ଭିତରେ ସାଂଘାତିକ ଧରଣର ବିଷ କ’ଣ ମିଳିଥାଏ ? ଖୁବ୍ ସମ୍ଭବ ଜାରୋୟାମାନେ ଷ୍ଟ୍ରିକନିକ ଧରଣର ବିଷ ବ୍ୟବହାର କରିଥାନ୍ତି । ସଙ୍ଗେ ସଙ୍ଗେ ଆଣ୍ଟିଡ଼େଟ୍‌ ନେଇନେଲେ ବିଷ କାଟୁ କରିବି ନାହିଁ । ସାହେବମାନେ ବୁଦ୍ଧି ଖଟେଇ ସେହି ଔଷଧ ସାଥିରେ ନେଇ ଆସିଛନ୍ତି । ଆମେ ମଧ୍ୟ ସେ ଔଷଧ ସାଙ୍ଗରେ ଧରି ଆସିବାର ଉଚିତ ଥିଲା ।

ଦାଦା ତୀରଟାକୁ ବ୍ୟାଗ୍‌ ଭିତରେ ରଖିଦେଲେ । ଦୀର୍ଘଶ୍ୱାସ ଛାଡ଼ି କହିଲେ, ଏଇ ପାଞ୍ଚ ଛଅଜଣ ସାହେବ ମିଶି ପାଞ୍ଚଛଅ ଶହ ଜାରୋୟାଙ୍କୁ ହତ୍ୟାକରି ଦେଇ ପାରିବେ । ବର୍ତ୍ତମାନ ଆମର କର୍ତ୍ତବ୍ୟ ପୋଟବ୍ଳେୟାର ଫେରିଯାଇ ପୋଲିସ୍‌କୁ ଖବରଟା ଜଣାଇଦେବା ।

 

କିନ୍ତୁ ପୋର୍ଟବ୍ଳେୟାର ଯିବେ କିପରି ? ଏହି କଥାଟିକୁ ସନ୍ତୁ ବାରମ୍ବାର ମନେ ମନେ ଭାବିବାକୁ ଳାଗିଲା । ଏଇ କିଟିମିଟିଆ ଅନ୍ଧାରରେ ସମୁଦ୍ର ପର୍ଯ୍ୟନ୍ତ ରାସ୍ତା ପାଇବା ମଧ୍ୟ ମୁସ୍‌କିଲ । ସମୁଦ୍ର କୂଳରେ ପହଞ୍ଚିଗଲେ ଲାଭ ବା କ’ଣ ହେବ । ସେଠିତ ଆଉ ତାଙ୍କ ପାଇଁ ମୋଟର ଲଞ୍ଚ ଅପେକ୍ଷା କରି ରହିନଥିବେ । ଦାସଗୁପ୍ତ ବାବୁ ତ ଭୟ ପାଇ ଫେରିଗଲେ । କାଲି ଯଦି ଦାସଗୁପ୍ତ ପୋଲିସ ସାଙ୍ଗରେ ଧରି ଆସନ୍ତି ତେବେ ଯାଇ ଯାହା କିଛି ହେବ ।

 

ଦାଦା ମନେ ମନେ ଭାବି ଚାଲିଥାନ୍ତି । ସାହେବମାନେ ଏତେ ବ୍ୟବସ୍ଥା କରି ଏଠିକୁ ଆସିଛନ୍ତି କାହିଁକି । ନିଶ୍ଚୟ ଏଠି କିଛି ଦାମିକା ବହୁମୂଲ୍ୟ ଜିନିଷର ସନ୍ଧାନ ମିଳିଛି । ଏହା ପୂର୍ବରୁ ବହୁ ବୌଜ୍ଞାନିକ ମଧ୍ୟ ଏଠିକୁ ଆସିଥିଲେ । କିନ୍ତୁ ଏ ସାହେବମାନଙ୍କୁ ଦେଖିଲେ ସେମାନେ ଯେ ଜଣେ ଜଣେ ବୌଜ୍ଞାନିକ ଅଟନ୍ତି ଆଦୌ ଧାରଣା କରି ହେଉ ନାହିଁ । କାରଣ କୌଣସି ବୌଜ୍ଞାନିକ ଗୁଳି କରି ମଣିଷ ମାରି ପାରେ ନା । ଏମାନେ ନିଶ୍ଚୟ ଏକ ଡକାୟତ ।

 

ଏଥର ସନ୍ତୁକୁ ଚାହିଁ କହିଲେ, ତୋତେ ଗୋଟିଏ କାମ କରିବାକୁ ହେବ ସନ୍ତୁ । ଏଥିପାଇଁ କିନ୍ତୁ ଖୁବ୍‌ ସାହସ ଦରକାର । ଡରିଗଲେ ଚଳିବ ନାହିଁ । ତୁ ଏବେ ସମୁଦ୍ରକୂଳକୁ ଯାଇ ସେଇଠି ରାତିଟା ଲୁଚି ରହ । ଏତେବେଳେ ଜାରୋୟାମାନେ ସମୁଦ୍ର କୂଳରେ ପହରା ଦେଉ ନଥିବେ । ତଥାପି ତୋତେ ଖୁବ୍‌ ସାବଧାନରେ ରହିବାକୁ ପଡ଼ିବ । ଦାସଗୁପ୍ତ ଯେତେବେଳେ କାଲି ସକାଳୁ ପୋଲିସ୍‌ ଫୋର୍ସ ଧରି ଆସିବେ ତାଙ୍କୁ ସବୁ ଖବର ଜଣାଇ ହେବୁ । ଦରକାର ପଡ଼ିଲେ ଚାଳିଶ କି ପଚାଶ ପୋଲିସ ଧରି ଜଙ୍ଗଲ ଭିତରକୁ ପଶିବେ । ଏଇ ସାହେବମାନଙ୍କୁ କୌଣସିମତେ ମୋତେ ଅଟକାଇ ରଖିବାକୁ ପଡ଼ିବ । ଯା, ତୁ ବର୍ତ୍ତମାନ ବାହାରି ପଡ଼ ।

 

ସନ୍ତୁ ଅବାକ୍‌ ହୋଇ ଯାଇ ପ୍ରଶ୍ନ କଲା—ମୁଁ ଏକୁଟିଆଟାରେ ଯିବି ?

ହଁ । କ’ଣ ହେଲା କି ?

ମୁଁ ଏକୁଟିଆଟା କାହିଁକି ଯିବି । ଜମା ହେବ ନାହିଁ ।

ବେଶି ଗୁଡ଼ାଏ କଥା କହନି ସନ୍ତୁ । ତୋତେ ଏକୁଟିଆ ହିଁ ଯିବାକୁ ହେବ ।

ଆପଣ ଏଇଠି ଏକୁଟିଆ ରହିବେ କେମିତି ? ସେମାନେ ଆପଣଙ୍କୁ ମାରିଦେବେ । ନା ନା ଦାଦା, ମୁଁ ମୋଟେ ଯିବିନାହିଁ ।

ମୋତେ ସହଜରେ ମାରିପାରିବେ ନାହିଁ । ମୁଁ ଲୁଚି ରହିଯିବ ।

ଦାଦା, ଆପଣଙ୍କୁ ଏଠି ଏକୁଟିଆ ଛାଡ଼ିଦେଇ ମୋଟେ ଯିବିନାହିଁ । ଆସିଲାବେଳେ ମାଆ କାନେ କାନେ କହିଥିଲେ ସଦାବେଳେ ଆପଣଙ୍କ ପାଖେ ପାଖେ ରହିବା ପାଇଁ ।

ସନ୍ତୁ ଟିକିଏ ବୁଝିବାକୁ ଚେଷ୍ଟାକର । ଏଠି ଦୁଇଜଣଯାକ ରହି ଲାଭ ବା କ’ଣ । ଏଥିରେ ଦୁଇଜଣଯାକ କ୍ଷତି । ହୁଏତ ଦୁଇଜଣଯାକ ମରିଯିବା । ମୋର ଯଥେଷ୍ଟ ବୟସ ହୋଇଗଲାଣି । ମୁଁ ମଲେ ମଧ୍ୟ କିଛି କ୍ଷତି ହୋଇ ଯିବିନାହିଁ । ମଣିଷ ତ ଥରେ ଯେମିତି ହେଲେ ମରିବ । ଏଥିପାଇଁ ଭୟ କାହିଁକି ? ତେବେ ମରିଯିବା ପୂର୍ବରୁ ଏ ରହସ୍ୟର ମୂଳଟା ଉଦ୍ଭାବନ କରିସାରି ମରିବି । ତୋତେ କିନ୍ତୁ ବଞ୍ଚିବାକୁ ହେବ । ତା’ ଛଡ଼ା ତୁ ଦାସଗୁପ୍ତ ବାବୁଙ୍କୁ ଖବର ଦେଲେ ମୋତେ ସେ ବଞ୍ଚାଇବାକୁ ନିଶ୍ଚୟ ଚେଷ୍ଟା କରିବେ ।

କିନ୍ତୁ ଆପଣଙ୍କ ଗୋଟିଏମାତ୍ର କ୍ରାଚ୍‌ ଅଛି । ହଠାତ୍‌ ପଡ଼ିଗଲେ ଆପଣ ନିଜକୁ ରକ୍ଷା କରି ପାରିବେ ନାହିଁ ।

ମୁଁ ସାରା ରାତିଟା ଏଇ ବୁଦାମୂଳେ କଟାଇ ନେବି । ସକାଳ ହେଲେ ଡାଳଟିଏ ସଂଗ୍ରହ କରି କ୍ରାଚ୍‌ କରିନେବି । ମୋର ସେତେ କିଛି ଅସୁବିଧା ହେବନାହିଁ । ବର୍ତ୍ତମାନ ସବୁଠାରୁ ନିରାପଦ ସ୍ଥାନ ହେଉଛି । ସମୁଦ୍ର କୂଳଟା ।

ଅନ୍ଧାରରେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯିବି କିପରି, ବାଟ ପାଇ ପାରିବି ନାହିଁ ।

ଏ ଝରଣାଟା ଯେତେବେଳେ ମିଳୁଛି ସମୁଦ୍ରଟା ପାଇବା ବଡ଼ ସହଜ । ଏହାର କୂଳେ କୂଳେ ଚାଲିଗଲେ ସମୁଦ୍ରକୂଳକୁ ନିଶ୍ଚୟ ଚାଲିଯିବୁ । କିନ୍ତୁ ଟିକିଏ ସତର୍କତା ସହିତ ତୋତେ ଯିବାକୁ ହେବ ।

ସନ୍ତୁ କାନ୍ଦ କାନ୍ଦ ହୋଇଗଲା । ଛାତିରୁ କୋହ ଉଠୁଥାଏ । ସେ ଶେଷରେ ଦାଦାଙ୍କ ହାତ ଦି’ଟାକୁ ଯାବୁଡ଼ି ଧରି କହିଲା, ନା ଦାଦା, ନା, ମୁଁ ଯିବିନାହିଁ । ମୁଁ ଆପଣଙ୍କୁ ଏକୁଟିଆ ବିପଦ ମୁହଁରେ ଠେଲିଦେଇ କେବେହିଁ ଯିବିନାହିଁ ।

ଦାଦା ସନ୍ତୁର ମଥା ଉପରେ ହାତଟା ଥରେ ବୁଲାଇଆଣି ଟିକିଏ ଚଢ଼ାଗଳାରେ କହିଲେ, ସନ୍ତୁ ଏଥରକ ତୋତେ ସାଥିରେ ଆଣି ମୁଁ ଖୁବ୍‌ ଭୁଲ୍‌ କରିଛି । ଏତେଟା ବିପଦ ପଡ଼ିବ ବୋଲି ମୁଁ ଭାବିପାରି ନ ଥିଲି । ଦି’ଜଣଯାକ ଏଇଠି ରହିବା ବିପଜ୍ଜନକ । ପୋଲିସକୁ ଖବରଟା ଦେବା ଅତ୍ୟନ୍ତ ଜରୁରୀ ।

 

ତେବେ ଆପଣ ବି ମୋ ସାଙ୍ଗରେ ଚାଲନ୍ତୁ ।

 

ମୁଁ ଚାଲିଗଲେ କେମିତି ହେବ । ମୋତେ ଏ ସାହେବମାନଙ୍କ ଉପରେ ନଜର ରଖିବାକୁ ହେବ ।

 

ଆପଣ ଏକୁଟିଆଟାରେ ସେମାନଙ୍କର କିଛି କରିପାରିବ ନାହିଁ । ଯଦି ସେମାନେ ଏକାବେଳକେ ପୁଣି ମାଡ଼ି ଆସନ୍ତି ତେବେ ତ ରକ୍ଷା ନାହିଁ ।

 

ମୁଁ ଲୁଚି ରହିଯାଇ ପାରିବି, ମୋତେ ସେମାନେ ସହଜରେ ଖୋଜି ବାହାର କରି ପାରିବେ ନାହିଁ । ଏହାଛଡ଼ା ମୁଁ ତ ଆଉ ଏଇଠୁ କୁଆଡ଼େ ପାଦେ ହେଲେ ଯିବିନାହିଁ ।

 

ତାହାହେଲେ ଏକୁଟିଆଟାରେ ଏଠି କାହିଁକି ବସି ରହିବେ ? ଆପଣ ବି ମୋ ସାଥିରେ ଆସନ୍ତୁ । ମୁଁ ଏକଲାଟା ଯାଇ ପାରିବିନାହିଁ ।

 

ଦାଦା ଏଥରକ ଖୁବ୍‌ ରାଗିଯାଇ କହିଲେ—ସନ୍ତୁ, ତୋତେ ଯିବାକୁ କହିଲି ମାନେ ତୁ ଯା । ତୁ ଜାଣୁ ମୋ କଥାର ଏପଟ ସେପଟ ହୁଏନା । ମୁଁ ବହୁତ ଭାବି ଚିନ୍ତି ତୋତେ ଯିବାକୁ କହୁଛି-। ମୁଁ କଥା ଦେଉଛି ଏଇଠି ରହିଥିବି, କୁଆଡ଼ିକି ଯିବିନାହିଁ । ଯା, ଶୀଘ୍ର ଶୀଘ୍ର ଚାଲିଯାଆ ।

 

ସନ୍ତୁର ପାଟିରୁ ଆଉ କଥା ପଦେ ବାହାରିଲା ନାହିଁ । ଗୋଟିଏ ଗୋଟିଏ ପାଦ ଆଗକୁ ଆସ୍ତେ ଆସ୍ତେ ପକାଇଲା । ମଝିରେ ମଝିରେ ପଛକୁ ବୁଲି ଦାଦାଙ୍କୁ ଦେଖୁଥାଏ । କିଛିଦୂର ଗଲା ପରେ ଦାଦା ଆଉ ଦେଖାଗଲେ ନାହିଁ । ସନ୍ତୁ ମଧ୍ୟ ଗୋଟିଏ ବଡ଼ ପଥର ଆଢୁଆଳ ରଖି ଚାଲିବାକୁ ଲାଗିଲା ।

 

ଝରଣା ବାଲି ଉପରେ ପଡ଼ିଛି ତୋଫା ଜହ୍ନ ଆଲୁଅ । ସନ୍ତୁର ଛାଇଟା ଝରଣା କୂଳରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ବର୍ତ୍ତମାନର ସାଥି କେବଳ ତା’ର ଛାଇଟା । ଜଙ୍ଗଲଟା ଏଡ଼େ ନିସ୍ତବ୍‌ଧ ଜଣାଯାଉଛି ଯେ ଦେହ ଶୀତେଇ ଉଠୁଛି । କେଉଁ ବୁଦାମୂଳେ ଜାରୋୟାମାନେ ଛପି ରହିଛନ୍ତି କିଏ ଜାଣେ ? ଯେ କୌଣସି ମୁହୂର୍ତ୍ତରେ ତା’ ଉପରକୁ ଲମ୍ପ ଦେବେ ।

 

ସନ୍ତୁ ଚଞ୍ଚଳ ଝରଣା ନିକଟରୁ ଦୂରେଇ ଯାଇ ଜଙ୍ଗଲ ଭିତରେ ପଶି ଝରଣାକୁ ଦେଖି ଦେଖି ଚାଲିଲା । କାରଣ ଝରଣାର କୂଳେ କୂଳେ ଚାଲିଲେ ଜହ୍ନ ଆଲୁଅରେ ତାକୁ ସହଜରେ କିଏ ଦେଖିଦେଇ ପାରେ,କିନ୍ତୁ ଜଙ୍ଗଲ ଭିତରକୁ ଚାଲିଯିବାରୁ ଏବେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲା । ଝରଣା କୂଳରେ ତା’ ସାଥିରେ ଚାଲଥିବା ଛାଇଟା ବି କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ମନ ଭିତରଟା କେବଳ ଗୋଳେଇ ଘାଣ୍ଟି ହେବାକୁ ଲାଗିଲା । ଦାଦାଙ୍କୁ ଏଭଳି ଅବସ୍ଥାରେ ଛାଡ଼ି ଦେଇ ସେ କ’ଣ ଠିକ୍‌ କରିଛି ? ଏକୁଟିଆଟାରେ ଏ ଭୟଙ୍କର ଜଙ୍ଗଲ ଭିତରେ ସେ କେତେ ସମୟ ଧରି ଅପେକ୍ଷା କରି ରହିବେ । ନିଜର କେଉଁଆଡ଼େ ଚାଲିଯିବାର ଶକ୍ତି ମଧ୍ୟ ନାହିଁ । ଅଥଚ କାହାର କଥା ମଧ୍ୟ ଶୁଣିବାକୁ ନାରାଜ ।

 

ଝରଣାଟା କ୍ରମେ ଓସାରିଆ ହୋଇଆସୁଛି । ଏଥରକ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି, ବେଳେ ବେଳେ କଣ୍ଟା ବୁଦାମାନ ଝୁଣ୍ଟି ହେଉଛି । ଏଭଳି ଅଣ୍ଡାଳି ଅଣ୍ଡାଳି ଯାଉ ଯାଉ ମୁଣ୍ଡଟା ଗୋଟିଏ ଗଛ ଦେହରେ ବାଡ଼େଇ ହେଇଗଲା ଓ କ୍ଷତ ସ୍ଥାନରୁ ରକ୍ତ ବୋହିବାକୁ ଲାଗିଲା । ଏଣେ ଦେହରେ କଣ୍ଟାବୁଦା ବାଜି ବାଜି ଆଞ୍ଚୁଡ଼ି ହୋଇଯାଇ ଜ୍ୱଳା କଲାଣି । ସନ୍ତୁର ଖୁବ ଭୟ ହେଉଥାଏ ସେ ଯେମିତି ରାସ୍ତା ମଝିରେ କେଉଁଠି ପଡ଼ିନି ନ ଯାଏ । ତାକୁ ଯେମିତି ହେଲେ ସମୁଦ୍ର କୂଳରେ ପହଞ୍ଚିବାକୁ ହିଁ ହେବ ।

 

ହଠାତ୍‌ ଗୋଟିଏ ବିକଟାଳ ଶବ୍ଦ ଶୁଣି ଭୟରେ କମ୍ପିବାକୁ ଲାଗିଲା ସେ । ଶବ୍ଦଟା ଏମିତିକା ଭୟଙ୍କର ଓ ବିକଟାଳ ଯେ, ରକ୍ତ ପାଣି ହୋଇଯିବ । ପ୍ରଥମେ ପ୍ରଥମେ ମନେହେଲା ଦୁଇ ତିନିଟା ବଣୁଆ ପକ୍ଷୀ ଏକା ସାଙ୍ଗରେ ରାହାଧରି ରଡ଼ି ଛାଡ଼ୁଛନ୍ତି । କିନ୍ତୁ କୌଣସି ପକ୍ଷୀ ଏଭଳି ଭୟଙ୍କର ରଡ଼ି ଦେଇପାରେ । ଶବ୍ଦଟା ଥିଲା ଏହିପରି—କଳା, କଳାକିଳା, କଳା କଳା କଳା... ।

 

ସନ୍ତୁ ଚମକି ପଡ଼ି ଠିଆ ହୋଇଗଲା । ଟିକକ ପରେ ପୁଣି ସେହି ଶବ୍ଦ ଭାସି ଆସିଲା—କିଳା କିଳା କଳା । ଶବ୍ଦଟା ପ୍ରଥମେ ଆସୁଥିଲା ଡାହାଣ ଦିଗରୁ ଏଥର କିନ୍ତୁ ଶୁଣାଗଲା ବାଁ ଦିଗରୁ । ଏଥରକ ମନେହେଲା ଗୁଡ଼ାଏ ଲୋକ ଏକାବେଳକେ ଆବାଜ କରୁଛନ୍ତି, କିନ୍ତୁ ରଡ଼ିଟା ଏତେ ଭୟଙ୍କର ଯେ, ଦେହ ଥରି ଉଠୁଛି ।

 

ଏଥରକ ପୁଣି ସେହି ଶବ୍ଦ, କିନ୍ତୁ ଶବ୍ଦଟା ଡାହାଣ ବା ବାମପଟେ ନୁହେଁ ଚାରିଆଡ଼ୁ ଶୁଣାଯାଉଛି । କଳା କିଳା, କଳା କିଳା ଜଣାପଡ଼ୁଛି, ଶହ ଶହ ଲୋକ ଏକା ସାଙ୍ଗରେ ଚିତ୍କାର କରୁଛନ୍ତି । ଏହାପରେ ଗୁଡ଼ୁମ୍‌ ଗୁଡ଼ୁମ୍ ଗୁଳି ଆବାଜରେ ବନଭୂମି କମ୍ପି ଉଠିଲା । ତଥାପି କିଳା କିଳା ଶବ୍ଦର ବିରାମ ନାହିଁ । ଅବିଶ୍ରାନ୍ତ ଧାରାରେ ଚାଲିଛି, ସନ୍ତୁ ଭୟପାଇ ଯାଇ ଗୋଟିଏ ପଥର କଡ଼ରେ ଛପି ରହିଲା । ଦେହଟା ଭୟରେ ଗୋଟିପଣେ ଠକ୍‌ଠକ୍‌ ହୋଇ ଥରୁଥାଏ । ତା’ର ମନେ ଜଙ୍ଗଲର ପ୍ରଜାମାନେ ଜାଗିଉଠି ଚତୁର୍ଦ୍ଦିଗରୁ ଜଙ୍ଗଲଟାକୁ ଘେରେଇ ଦେଇ ଗୋଟିଏ ଦିଗକୁ ମାଡ଼ି ଚାଲିଛନ୍ତି ।

 

ଏବେ ବନ୍ଧୁକ ଗୁଳିର ଶବ୍ଦ ଶୁଣା ଯାଉନାହିଁ । ସନ୍ତୁର ଦେହଟା ଥଣ୍ଡା ଥଣ୍ଡା ଲାଗୁଛି । ହାତ ଦିଟା ମୁହଁରେ କିଛି ସମୟ ଧରି ଘସିବାକୁ ଲାଗିଲା । ଗଳାଟା ଶୁଖି ଅଠା ହୋଇଗଲାଣି, ଆଣ୍ଠେଇ ପଡ଼ି ଝରଣା କୂଳକୁ ଯାଇ କେତେ ଆଞ୍ଜୁଳା ପାଣି ମୁହଁରେ ଛାଟିଲା ଓ ପେଟେ ପିଇଦେଲା ମଧ୍ୟ । କିନ୍ତୁ ଏ କ’ଣ ପିଇଦେବାର କିଛି ସମୟ ପରେ ତା’ର ପେଟବ୍ୟଥା ଆରମ୍ଭ ହୋଇଗଲା; ସାରା ଦିନଟା ହେଲା ତା ପେଟରେ କିଛି ପଡ଼ିନାହିଁ । ପେଟଟା ପୂରା ଖାଲି ଅଛି । କେବଳ କେତେଥର ଝରଣା ପାଣି ଯାହା ସେ ପିଇଛି । ପାଣିଟା ମଧ୍ୟ ସେତେ ମଧୁର ନୁହେଁ କିମିତିକା କଷା କଷା । ଏହି ପାଣି ପିଇବା ଯୋଗୁଁ ପେଟବ୍ୟଥା ହେଉଛି କିଏ ଜାଣେ ?

 

କିଳା କଳା ଶବ୍ଦଟା ଏବେ ବି ସ୍ପଷ୍ଟ ଶୁଣା ଯାଉଛି; କିନ୍ତୁ ଶବ୍ଦଟା ଆସୁଛି ବହୁ ଦୂରରୁ । ଶବ୍ଦଟା ଯେପରି ଦୂରରୁ ଦୂରକୁ ଚାଲିଯାଉଛି । ସନ୍ତୁ ମନେକଲା ଶହେ କି ଦୁଇଶହ ହେବ ଜାରୋୟା ସାହେବମାନଙ୍କ ଉପରକୁ ଝାମ୍ପି ପଡ଼ିଛନ୍ତି । ସାହେବମାନେ ଗୁଳିକରି ମଧ୍ୟ ସେମାନଙ୍କୁ ଅଟକାଇ ରଖି ପାରିନାହାନ୍ତି, ଏଥରକ ସେମାନେ ବୋଧହୁଏ ସାହେବ ଗୁଡ଼ାଙ୍କୁ ଧରିନେଇ ଗଲେଣି । ତେବେ ଦାଦାଙ୍କର କ’ଣ ହେଲା, ଯଦି ଜାରୋୟାମାନେ ଦାଦାଙ୍କୁ ମଧ୍ୟ ଧରି ନେଇଯାଇଥାନ୍ତି ତାହାହେଲେ ତ ତାଙ୍କୁ ଜୀବନରେ ମାରି ଦେଇ ପାରନ୍ତି ।

 

ସନ୍ତୁର ଭାରି ଇଚ୍ଛା ହେଲା ଥରେ ଯାଇ ଦାଦାଙ୍କୁ ଦେଖି ଆସିବ । ଦାଦା ଅବଶ୍ୟ ସନ୍ତୁକୁ ଚାଲିଯିବା ପାଇଁ କହିଥିଲେ, ତଥାପି ସନ୍ତୁ ଆଉ ପାଦେ ହେଲେ ଆଗକୁ ଯିବନାହିଁ, ତେଣୁ ସେ ପୁଣି ପଛକୁ ଫେରିଲା ।

 

ବର୍ତ୍ତମାନ ସନ୍ତୁକୁ ଆଉ ଡର ମାଡ଼ୁ ନଥାଏ, କି ତାକୁ ଯେ କିଏ ଲକ୍ଷ୍ୟ କରୁଛି ସେ କଥା ମଧ୍ୟ ସେ ଭୁଲି ଯାଇଥାଏ । ସେ ତୀରବେଗରେ ବାଲି ଉପରେ ଦୌଡ଼ିବାକୁ ଲାଗିଲା । ଏଣେ ପେଟ ବଥାଟା ତା’ ସାଙ୍ଗରେ ବଢ଼ି ଚାଲିଲାଣି, ଦୁଇହାତରେ ପେଟଟାକୁ ଜାବୁଡ଼ି ଧରି ସେ ଦୌଡ଼ିଛି ତ ଦୌଡ଼ୁଛି ।

 

କେତେ ସମୟ ପରେ ସେ ପୂର୍ବ ପରିଚିତ ବୁଦା ମୂଳକୁ ଆସି ଧୀରେ ଡାକ ଛାଡ଼ିଲା—ଦାଦା, ଦାଦା ମ, ଏ ଦାଦା ।

 

କୌଣସି ଉତ୍ତର ଆସିଲା ନାହିଁ ।

 

ସନ୍ତୁ ହାମୁଡ଼ି ପଡ଼ି ପଶିଗଲା ବୁଦା ଲଟା ଭିତରକୁ । ଦାଦା ଆଉ ସେଇଠି ନ ଥିଲେ, ଏହା ଭିତରେ ସେ କୁଆଡ଼େ ଚାଲିଗଲେ କି ? ଦାଦା ତ ଜୋର ଦେଇ କହିଥିଲେ ସେ ଏଇଠୁ କୁଆଡ଼େ ଯିବେ ନାହିଁ ବୋଲି । ଅଥଚ ଚାଲିଗଲେ କିମିତି ? ସନ୍ତୁ ଏପଟ ସେପଟ ଦୌଡ଼ି ଦାଦା ଦାଦା ବୋଲି କେତେ ଡାକିଲା, କିନ୍ତୁ ଦାଦାଙ୍କର କୌଣସି ପତ୍ତା ନଥିଲା । ସନ୍ତୁ ଚାଲିଆସିଲା ଝରଣା ପାଖକୁ, ଶବ୍ଦଟା ଗୋଟିଏ ସ୍ଥାନରେ ଥିବାଭଳି ଜଣା ପଡ଼ୁଛି ।

 

ଏବେ ସନ୍ତୁର ଦୃଢ଼ ବିଶ୍ୱାସ ହୋଇଗଲା ଯେ, ଜାରୋୟାମାନେ ଦାଦାଙ୍କୁ ମଧ୍ୟ ଧରି ନେଇ ଯାଇଛନ୍ତି । ସେ ଆଉ କୌଣସି କଥା ନ ଭାବି ଛୁଟି ଚାଲିଲା ସେହି ଶବ୍ଦଟାକୁ ଲକ୍ଷ୍ୟକରି ।

 

ଅନ୍ଧାରରେ ସନ୍ତୁ ଛୁଟି ଚାଲିଛି ତ ଚାଲିଛି । ଝରଣା ବାଲିରେ ମଝିରେ ମଝିରେ ବଡ଼ ବଡ଼ ପଥରମାନ ହାବୁଡ଼ିଯାଉଛି । କଣ୍ଟାବୁଦାମାନ ଥିଲେ ବି ସନ୍ତୁ କୌଣସି ବାଧା ନ ମାନି ଏକା ରାହାରେ ଦୌଡ଼ି ଚାଲିଛି । ଦାଦାଙ୍କୁ ଏଠି ଏକୁଟିଆ ଛାଡ଼ିଦେଇ ସେ କେବେ ଚାଲିଯିବନାହିଁ । ଯଦି କୌଣସିମତେ ସେ ବଞ୍ଚି ମାଆ ବାପ ନିକଟକୁ ଚାଲିଯାଏ ତେବେ ସେମାନେ ସନ୍ତୁକୁ ଦେଖି କ’ଣ ଭାବିବେ ? କହିବେ ତୁ ଏଡ଼ିକି ମାଇଚିଆ ସନ୍ତୁ । ଦାଦାଙ୍କୁ ବିପଦରେ ପକାଇ ଦେଇ ନିଜେ ପ୍ରାଣ ନେଇ ଚାଲି ଆସିଲୁ । ଛି–ଛି । କି ଅସୁନ୍ଦର କଥା । ଯଦି ମରିବାର କଥା ତେବେ ସେ ଦାଦାଙ୍କ ସାଥିରେ ହିଁ ମରିବ ।

 

କିଳକିଳା ଶବ୍ଦଟା ବହୁ ଦୂରରୁ ଭାସି ଆସୁଛି । ଏ ଶବ୍ଦ ଶୁଣିଲେ ରକ୍ତ ବରଫ ପାଲଟିଯିବ । ମଣିଷର ସ୍ୱରଟା ଯେ ଏତେ ଭୟଙ୍କର ହୋଇଯାଇପାରେ ସେଟା ସନ୍ତୁ ଶୁଣି ନ ଥିଲେ ଆଦୌ ବିଶ୍ୱାସ କରି ପାରି ନଥାନ୍ତା । ଯେପରକି ଲୁହା ଖଣ୍ଡେ ଜିଭ ଆଗରେ ରଖି ରଡ଼ି ଛାଡ଼ନ୍ତି ।

 

ସାହେବମାନେ ଏତେଗୁଡ଼ାଏ ବନ୍ଧୁକ ଗୁଳି ଧରି ମଧ୍ୟ ଜାରୋୟାମାନଙ୍କୁ ପାରିଲେ ନାହିଁ-। ହାରିଗଲେ, ଏକା ସାଙ୍ଗରେ ଦୁଇଶହ କି ତିନିଶହ ଜାରୋୟା ଝାମ୍ପି ପଡ଼ିଥିବେ ସାହେବମାନଙ୍କ ଉପରକୁ, ଆଉ ଦାଦା ବି ସେମାନଙ୍କ ଘେରରେ ପଡ଼ି ଯାଇଥିବେ । ଦାଦାଙ୍କର ତ ଗୋଟେ ଗୋଡ଼ ନାହିଁ । ସେଥିରେ ପୁଣି ଗୋଟିଏ ବୋଲି କ୍ରାଚ୍‌ । ସେ ଭଲ ଚାଲି ପାରୁନଥିବେ । ତାଙ୍କୁ ଜାରୋୟାମାନେ ଚଲେଇ ଚଲେଇ ନେଇଥିବେ ଓ ଦାଦା ଚାଲି ନ ପାରି କଷ୍ଟ ପାଉଥିବେ । ନା ଦାଦା ତା’ର ମୃତ । ଏହିଭଳି କେତେ କଥା ସନ୍ତୁର ମନଭିତରେ ଉଙ୍କି ମାରି ଚାଲିଲା ।

 

ସନ୍ତୁ ଆହୁରି ବେଗରେ ଦୌଡ଼ି ଚାଲିଲା । ପେଟର ବ୍ୟଥା କମିନାହିଁ । ଦମ୍‌ ଛୁଟି ଯାଉଛି ତଥାପି ଅଣନିଶ୍ୱାସୀ ହୋଇ ଦୌଡ଼ି ଚାଲିଛି । ଯେଉଁ ବିପଦ ଆସୁ ପଛକେ ରାସ୍ତାରେ ଅଟକି ଯିବନାହିଁ ଦୃଢ଼ ସଂକଳ୍ପ କରି ନେଇଛି । ଏମିତିକା ଦୌଡ଼ୁ ଦୌଡ଼ୁ ଗୋଟିଏ ବଡ଼ ପଥର ଦେହରେ ଧକକା ଖାଇ ଯାଇ ଖଣ୍ଡେ ଦୂରରେ । ମୁଣ୍ଡରେ ଆଘାତ ପାଇ କେତେ ସମୟ ପାଇଁ ଅଜ୍ଞାନ ହୋଇଗଲା ।

 

ତା’ ପରେ କୋହ ଉଠି ବାନ୍ତି ଭକ୍‌ଭକ୍‌ ହୋଇ ମୁହଁବାଟେ ବାହାରି ଆସିଲା । ଏଥିରେ ସନ୍ତୁର ଜାମାପଟା ସବୁ ଓଦା ହୋଇଗଲା । ମୁଣ୍ଡ ବୋଲାଇ ହୋଇ ସେ ଯେକେଉଁଠି ଅଛି ଜାଣି ପାରୁନଥାଏ । ଅଜ୍ଞାନ ଅବସ୍ଥାରେ ମଣିଷର ଭୟ ନଥାଏ । ଖୁବ୍ କ୍ଳାନ୍ତ ଅବଶରେ ଆଖିପତା ଦିଟା ଆପେ ଆପେ ମୁଦି ହୋଇ ଆସୁଥାଏ, ଶେଷକୁ ସେ ଅଣାୟତ ହେଇଯାଇ ଆଖିପତା ଦିଟା ମୁଦି ସେଇଠି ସେମିତିକା ତଳେ ଢଳି ପଡ଼ିଲା ।

 

କେତେ ସମୟ ସେହି ବାଟରେ ଦଳେ ହରିଣ ପାଣି ପାଇଁ ଝରଣାକୁ ଆସିଲେ । ଜଙ୍ଗଲରେ ବାଘ ସିଂହ ଭିଳ ହିଂସ୍ର ଜୀବ ନ ଥିବାରୁ ହରିଣମାନଙ୍କର ସଂଖ୍ୟା ବେଶି । ହରିଣଗୁଡ଼ାକ ସନ୍ତୁକୁ ଦେଖି ମଧ୍ୟ କୌଣସି ଭୟ ନ ପାଇ ସିଧା ଝରଣାକୁ ଚାଲିଥାନ୍ତି । କେତୋଟି ହରିଣ ସନ୍ତୁକୁ ସୁଘିଂଦେଇ ଜଙ୍ଗଲ ଭିତରକୁ ଅଦୃଶ୍ୟ ହୋଇଗଲେ ।

 

ଟିକକ ପରେ ଝର ଝର ହୋଇ ବର୍ଷା ପଡ଼ିବାକୁ ଲାଗିଲା । ସନ୍ତୁ ଅଜ୍ଞାନ ଅବସ୍ଥାରେ ସେମିତି ପଡ଼ି ରହିଥିଲା । ବର୍ତ୍ତମାନ ଜଙ୍ଗଲ ସାରା କେବଳ ଗୋଟିଏ ଶବ୍ଦ—ବର୍ଷାର ଝର ଝର ଶବ୍ଦ । ପୂର୍ବରୁ ଶୁଣା ଯାଉଥିବା କିଳକିଳା ଶବ୍ଦଟା ଆଉ ଶୁଣା ଯାଉନାହିଁ ।

 

ଏଠି ବର୍ଷା ହଠାତ୍‌ ଆସିଯାଏ । ପୁଣି ବନ୍ଦ ହୋଇଯାଏ ବି ହଠାତ୍‌ । ବର୍ଷା ଟିକିଏ ପରେ ବନ୍ଦ ହୋଇଗଲା । କିନ୍ତୁ ଏ ବର୍ଷାଟା ଯୋଗୁଁ ସନ୍ତୁର ମୁହଁରେ ପାଣି ପଡ଼ି ସେ ଚେତା ପାଇ ଉଠି ବସିଲା । ସତେ କି ଭଗବାନ ତା’ କଷ୍ଟ ସହି ନ ପାରି ବର୍ଷାକୁ ପଠାଇ ଦେଇଥିଲେ । ସନ୍ତୁ ସେଇଠି ବସି ରହି ଭାବିବାକୁ ଲାଗିଲା । ଏଠି ଖୋଲା ଜାଗାଟାରେ ସେ ଶୋଇ ରହିଥିଲା କିପରି ? —କିଛି ମନେପଡ଼େ—ନାହିଁ । ପରେ ସେ ମନ ପକାଇ ଭୟରେ ଥରିବାକୁ ଲାଗିଲା । ଯଦି କୌଣସି ଜାରୋୟା ହାବୁଡ଼ରେ ପଡ଼ିଯାଇଥାନ୍ତା ତା’ ଅବସ୍ଥା କ’ଣ ହୋଇଥାନ୍ତା । ସେ ଭୟରେ ପୁଣି ଚାରିଆଡ଼କୁ ଥରେ ଦେଖିନେଲା । ନା କିଏ କେଉଁଠି ନାହାନ୍ତି । ସେହି କିଳକିଳା ଶବ୍ଦଟା ଆଉ ଶୁଣା ଯାଉନାହିଁ ।

 

ଅଜାଣତରେ ଗୁଡ଼ାଏ ବାନ୍ତି ହୋଇଯାଇଥିବାରୁ ସନ୍ତୁର ପେଟଟା ଟିକିଏ ଭଲ ଲାଗିଲା । ଦେହଟା କେବଳ ଝିମ୍‍ ଝିମ୍‍ କରୁଥାଏ । ମୁଣ୍ଡଟା ଦରଜ ଲାଗୁଥାଏ । ସନ୍ତୁ ହାତ ମାରି ଦେଖିଲା ମୁଣ୍ଡଟା ଫାଟି ରକ୍ତ ସବୁ ଜମାଟ ବାନ୍ଧି ଯାଇଛି । ଫୁଲାଟା ଏବେ ବି କମି ନାହିଁ । ସେ ଭାବିନେଲା–ସେ ଆଜି ଘରକୁ ଫେରି ପାରିବ ନାହିଁ । ଦାଦା ଏବେ ଯେ କେଉଁଠି ଅଛନ୍ତି କିଏ ଜାଣେ-? କାହିଁକି ଯେ ଏଭଳି ସ୍ଥାନକୁ ଦାଦା ଆସନ୍ତି ତାଙ୍କୁ ହିଁ ଜଣା ।

 

ସନ୍ତୁ ତ ନିଜ ଇଚ୍ଛାରେ ଆସିଛି । ଦାଦା ତ ତାକୁ ଆଉ ଜୋର କରି ଆଣି ନାହାନ୍ତି । କେବଳ ଆଡ଼୍‌ଭେନ୍‌ଚର ଲୋଭରେ ଆସିଥିଲା ସେ । କଥା ଗୁଡ଼ାକ ଭାବି ସନ୍ତୁ ଲାଜରା ହୋଇଗଲା । ସେ ଏ ବିପଦରେ ପଡ଼ି କାନ୍ଦୁଛି କାହିଁକି ? ଅରଣ୍ୟରେ ରୋଦନ କରି ଲାଭ ବା କ’ଣ, ତାକୁ ବଞ୍ଚିବା ପାଇଁ ସଂଗ୍ରାମ କରିବାକୁ ପଡ଼ିବ ।

 

ଆଖିରୁ ଲୁହ ପୋଛି ପୋଛି ସନ୍ତୁ ଝରଣା କୂଳକୁ ଗଲା । ବାନ୍ତି ସବୁ ଧୋଇ ଦେଲା । ପାଣିଟା ଗରମ ଗରମ ଲାଗୁଛି, ଉଷ୍ଣପ୍ରସ୍ରବଣ ପାଣି ଯାହକୁ କହନ୍ତି ବୋଧହୁଏ ଝରଣାର ପାଣିଟା ସେଇୟା, ଏଇ ପାଣି ତୃଷାରେ ତୋଟି ଶୁଖି ଗଲାଣି । ଭୀଷଣ ଶୋଷ ହେଉଛି, ସେ ଆଉ ପଛକଥା ନ ଭାବି, ଆଞ୍ଜୁଳାଏ ପାଣି ଆଣି ପିଇଦେଲା ।

 

ଏବେ କିଳକିଳା ଶବ୍ଦଟା ବନ୍ଦ ହୋଇ ଯାଇଥିଲେ ମଧ୍ୟ ଶବ୍ଦଟା ଯେଉଁ ଦିଗରୁ ଆସୁଥିଲା ତାରି ଆଡ଼କୁ ଚାଲିବାକୁ ଲାଗିଲା । ଅବଶ ଓ ଦୁର୍ବଳ ହୋଇଯାଇଥିବାରୁ ଆସ୍ତେ ଆସ୍ତେ ଚାଲୁଥାଏ-

 

କେତେ ବାଟ ଗଲାପରେ ଜଙ୍ଗଲର ଗୋଟିଏ ସ୍ଥାନରୁ ଆଲୁଅ ଆସୁଥିବାର ଦେଖିଲା । ଆଲୁଅଟା ଦେଖି ଭୟ ପାଇ ଯିବାର କଥା । ଏ ଜଙ୍ଗଲ ଭିତରେ ଏଭଳି ଉଜ୍ୱଳ ଆଲୋକ ଆସିବ ବା କେଉଁଠୁ ? ଏକ ପ୍ରକାର ନୀଳ ରଙ୍ଗର ଆଲୁଅ କହିଲେ ଚଳେ । ଗଛ ପତ୍ର ଭେଦ କରି ଛୁଟି ଆସିଛି ଆଲୋକର ଛିଟା । ଦୁର୍ଗାପୂଜା ବେଳେ ମ୍ୟାଗ୍‌ନେସିୟମ ତାର ଜଳି ଯେପରି ନୀଳ ଆଲୋକ ବିଛୁରିତ ହୋଇଥାଏ ଆଲୁଅଟା ଠିକ୍‌ ସେହିପରି । ସନ୍ତୁ ଯେତେ ଯେତେ ଆଲୁଅଟାର ନିକଟତର ହୋଇ ଆସୁଥିଲା—ଆଲୁଅଟା ସେତେ ସେତେ ଉଜ୍ୱଳତର ଦେଖା ଯାଉଥିଲା । କିଛିକ୍ଷଣ ଧରି ସେମିତି ଦେଖି ରହିଲେ ଆଖି ଝଲସି ଯାଉଥାଏ । ସନ୍ତୁ ଦାଦାଙ୍କଠୁ ଶୁଣିଥିଲା ଜାରୋୟାମାନେ ନିଆଁ ଜାଳି ଜାଣି ନ ଥିଲେ । ତାହାହେଲେ ଏଭଳି ସୁନ୍ଦର ଆଲୋକ ଏଦ୍ୱୀପରେ ଜଳାଉଛି କିଏ ସେ ?

 

ଆଲୋକଟା ଜଙ୍ଗଲର ଠିକ୍‌ ମଧ୍ୟ ଭାଗରେ ଜଳୁଥାଏ । ତେଣୁ ସନ୍ତୁ ଝରଣାର କୂଳରୁ ଜଙ୍ଗଲର ମଧ୍ୟ ସ୍ଥଳ ଆଡ଼କୁ ଧୀରେ ଧୀରେ ଚାଲିଲା । କିଛି ବାଟ ଯିବା ପରେ ସେ ଚମକି ପଡ଼ି ଅଟକି ରହିଗଲା । ସେଇଠୁ ସେ ଯେଉଁଦୃଶ୍ୟ ଦେଖିଲା ତା’ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଗଲା ପରି ଜଣାଗଲା । ଛାତି ଭିତରଟା ଏଭଳି ଜୋରରେ ଦମ୍‌ ଦମ୍ କରି ଉଠିଲା ଯେ, ସେହି ଶବ୍ଦଟା ବାହାରକୁ ବି ଶୁଣା ଯାଉଥାଏ ।

 

ବଣର ମଧ୍ୟ ସ୍ଥଳଟା ଖୁବ୍‌ ପ୍ରଶସ୍ତ ଓ ଖୋଲା ଜାଗା । ତା’ ମଝିରେ ଆଲୁଅଟିଏ ଦାଉ ଦାଉ ହୋଇ ଜଳୁଛି । ଆଲୁ୍‍ଅଟା ଦେଖିବାକୁ ଗୋଲାକାର ଓ ଏକତାଲା ଘରଠାରୁ ମଧ୍ୟ ଉଚ୍ଚ ହେବ-। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆଲୁଅର ନିଆଁ ଶିଖା ଗୁଡ଼ାକ । ଏଭଳି ଅଦ୍ଭୁତ ନିଆଁ କଥା ସେ କେବେ ମନରେ କଳ୍ପନା ସୁଦ୍ଧା କରି ପାରି ନାହିଁ । ନିଆଁର ଶିଖାଗୁଡ଼ାକ ବିଭିନ୍ନ ରଙ୍ଗର । ବେଶି ଭାଗ ନୀଳରଙ୍ଗ । ତେଣୁ ଆଲୁଅଟା ନୀଳ ଦେଖା ଯାଉଥାଏ । କିନ୍ତୁ ଏହି ନୀଳ ଆଲୋକ ଭିତରେ ଲହଲହ କରି ଲାଲ, ଗୋଲାପୀ ସବୁଜ ରଙ୍ଗର ଶିଖାମାନ ଉଠୁଛି, ଯେଉଁ ଗ୍ୟାସ ଝଳାଇ ଦୋକାନମାନଙ୍କରେ ଚିକ୍ ଚିକ୍ କରି ନୀଳ ଆଲୁଅ ଦେଖାଯାଏ ଠିକ ସେହିଭଳି ଦେଖାଯାଉଛି ନୀଳ ଆଲୁଅ ଗୁଡ଼ାକ । କିନ୍ତୁ ସବୁଜ କିମ୍ୱା ଅଳତା ଭଳି ଟକମକ ଲାଲ ରଙ୍ଗର ନିଆଁ କଥା କେବେ କିଏ ଶୁଣିଛି କି ଦେଖିଛି ? ଏ ଗୋଲାକାର ଜିନିଷ ଖଣ୍ଡିକ କ’ଣ ଯେ ଜାଣି ହେଉନାହିଁ-। ଏ ଭିତରେ ଯେମିତି କେତେ କ’ଣ ଜିନିଷ ସବୁ ରହିଛି । ସେଥିଯୋଗୁଁ ବିଭିନ୍ନ ପ୍ରକାର ଆଲୋକ ବାହାରୁଛି, ଆଲୁଅଟା ଦେଖା ଯାଉଛି ଆଲୋକର ଏକ ଫୁଲତୋଡ଼ା । ସେଈଠୁ ଆଖି ଫେରାଇବାକୁ ମନ ହେଉନାହିଁ ।

 

ସନ୍ତୁ ଏଥରକ ଆଲୁଅଠାରୁ ଆଖି ଫେରାଇ ଆଣି ଦେଖିଲେ ସେ ଗୋଲେକାର ନିଆଁଟାର ଅଳ୍ପଦୂରରେ ଅଶ୍ୱଖୁରା ଆକୃତିରେ ଘରେ ବସି ରହିଛନ୍ତି କେତେଜଣ ଜାରୋୟା । ସେମାନେ ସବୁ ଆଣ୍ଠୁମାଡ଼ି ଭୂଇଁରେ ବସିଥାନ୍ତ, ଠିକ୍‌ ଆରାମରେ ବସିବା ଭଳି ବସିଥାନ୍ତି । ତାଙ୍କ ଆଗରେ ହାତଗୋଡ଼ ବନ୍ଧାହୋଇ ପଡ଼ିଛନ୍ତି ସାହେବଗୁଡ଼ାକ । ନୀଳ ଆଲୋକରେ ସ୍ଥାନଟା ଦିନଭଳି ଦେଖା ଯାଉଛି ।

 

ସନ୍ତୁ ଲଇଁ ଲଇଁ ଆଉ ଟିକିଏ ଆଗକୁ ଗଲା । ସେ ଏବେ ତା ଜୀବନ କଥା ମୋଟେ ଚିନ୍ତା କରୁ ନାହିଁ । ସେ ଦେଖିବାକୁ ଚାହେଁ ଯେ ସେମାନଙ୍କ ଭିତରେ ତା’ ଦାଦା ଅଛନ୍ତି କି ନାହିଁ । ଖୁବ୍ ଶକ୍ତ ଜଙ୍ଗଲୀ ଲଟାରେ ସାହେବମାନଙ୍କର ହାତ ଗୋଡ଼ ସବୁ ବାନ୍ଧି ଦିଆ ଯାଇଛି । ଟିକିଏ ହେଲେ ବି ହଲଚଲ ହେବାର ଜୁ ନାହିଁ । କିନ୍ତୁ ସେମାନଙ୍କ ଭିତରେ ଦାଦା କହନ୍ତି ? ଦାଦା ଯେ ଏଇଠି ନାହାନ୍ତି । ତେବେ ତାଙ୍କୁ କ’ଣ ମାରି ଦେଇଛନ୍ତି ?

 

ଖୋଲା ଜାଗାଟାରେ କେତେଗୁଡ଼ିଏ କୁଡ଼ିଆ ଘର ଦେଖାଯାଉଛି, ଘରଗୁଡ଼ାକ ଡାଳପତ୍ରରେ ତିଆରି । ସେହି ଘରମାନଙ୍କରୁ ସ୍ତ୍ରୀ ଜାରୋୟା ଓ ପିଲାମାନେ ବାହାରି ଆସୁଥାନ୍ତି ଓ କୌତୂହଳବଶତଃ ସାହେବ-ଗୁଡ଼ାଙ୍କୁ ଦେଖୁଥାନ୍ତି । କ’ଣ ଅସ୍ପଷ୍ଟ ଭାଷାରେ ଶବ୍ଦ କରି ପୁଣି ଫେରି ଯାଉଥାନ୍ତି । ଜଣେ ସ୍ତ୍ରୀ ଜାରୋୟା ଗୋଟିଏ ଲମ୍ବ ଡାଳଖଣ୍ତି ଏ ଧରି ଚାଲି ଆସିଲା ଜଳୁଥିବା ନିଆଁ ନିକଟକୁ ଏବଂ ଡାଳଟା ନିଆଁକୁ ଦେଖାଇ ଦେବାରୁ ହୁତ୍‌କରି ଜଳି ଉଠିଲା । ସ୍ତ୍ରୀ ଲୋକଟି ସେହି ଜଳନ୍ତା ଡାଳ ଖଣ୍ତିକୁ ଧରି ଚାଲିଲା ନିଜ ଘର ଭିତରକୁ । କିନ୍ତୁ ଏ ଡାଳରେ ଜଳୁଥିବା ନିଆଁ ସାଧାରଣ ନିଆଁ ଭଳି ।

 

ସନ୍ତୁ ଏ ସବୁ ଚୁପ୍‌ ହୋଇ ଦେଖୁଥିଲା, କ’ଣ କରିବ ନ କରିବ କିଛିଟା ଠିକ୍ କରି ପାରୁନାହିଁ । ଦାଦା କେଉଁଠି ଦେଖାଯାଉ ନାହାନ୍ତି । ଦାଦାଙ୍କୁ ମାରିଦେଇ ବଣ ଭିତରେ ପକାଇ ଦେଇ ଆସି ନାହାନ୍ତି ତ ? ନା ଦାଦା ଧରା ନ ପଡ଼ି କେଉଁଠି ଲୁଚି ରହିଛନ୍ତି । ତେବେ ଦାଦା ଏବେ ଗଲେ କୁଆଡ଼େ । ସନ୍ତୁ ଦାଦା ଲୁଚିଥିବା ବୁଦା ମୂଳଟା ଭଲ ଭାବରେ ଦେଖିଛି, ସେଠି ନ ଥିଲେ । ଦାଦା ମଧ୍ୟ ଗୋଟିଏ କାଚରେ ଚାଲି ବେଶି–ଦୂର ଯାଇ ପାରି ନ ଥିବେ । ଯେତେ ଭାବୁଚି ସେତେ ଘଟଣା ଗୋଳମାଳ ଜଣା ପଡ଼ୁଛି ।

 

ସାହେବମାନେ ହାତଗୋଡ଼ ବନ୍ଧାହେଇ ସେଇଠି ପଡ଼ି ରହିଥିଲେ ମଧ୍ୟ ସେମାନଙ୍କ ମୁହଁରେ କୌଣସି ଆତଙ୍କର ଚିହ୍ନ ଦେଖା ଯାଉ ନ ଥିଲା । ସେମାନଙ୍କ ଭିତରୁ କାହାକୁ କାନ୍ଦିବା ମଧ୍ୟ ଦେଖା ଯାଉନାହିଁ । ଜାରୋୟାମାନେ ଚୁପ୍‌ଚାପ୍ ସେମାନଙ୍କୁ ଲକ୍ଷ କରି ଜଗି ବସି ରହିଛନ୍ତି । ସାହେବମାନେ ନିଜ ନିଜ ଭିତରେ ଏଥର କଥାବାର୍ତ୍ତା ହେଲେ । ସନ୍ତୁ ଯଦିଓ ଇଂରାଜୀ ବୁଝିପାରେ ତଥାପି ଏ ସାହେବମାନେ ଯେଭଳି ଇଂରାଜୀ କୁହନ୍ତି ତାହା ଅନେକ ସମୟରେ ବୁଝିବା କଷ୍ଟକର ହୁଏ । ତଥାପି ଗୋଟଏ ବଡ଼ ଗଛ ଆଢ଼ୁଆଳରେ ରହି ସାହେବମାନେ ଯେ କ’ଣ ସବୁ କଥାବାର୍ତ୍ତା ହେଉଛନ୍ତି ଶୁଣିବାକୁ ଚେଷ୍ଟାକଲା । ସେ ସବୁ ଶୁଣି ନ ପାରିଲେ ମଧ୍ୟ କେତୋଟି ଖଣ୍ତିଆ କଥା ଶୁଣିଲା—

 

ଦିଜ୍ ବୋଗସ୍ ଉଇଲ ସଟେନ୍‌ଲି କିଲ ଆସ୍‌—ଦ୍ୟାଟ୍ ମେଟିଓ ରାଇଟ୍......ଇନ୍‌ଭାଲ୍ୟୁଏବଲ...ସୋ...ନୋ ହୋ...

 

ଜଣେ ସାହେବ କଡ଼େଇ ହୋଇ ପଡ଼ିବାରୁ ଜଣେ ଜାରୋୟା ଶୀଘ୍ର ଆସି ପୁଣି ଚିତ୍କାର ଶୁଆଇ ଦେଇ ଚାଲିଗଲା । କଇଦୀକୁ ଯେମିତି ଚିତ୍‌କରି ଶୁଆଇ ଦିଆଯାଏ ସେଭଳି ସାହେବମାନଙ୍କୁ ଶୁଆଇ ଦିଆଯାଇଛି ।

 

ଜାରୋୟାମାନଙ୍କୁ ଦେଖିଲେ ମନେହେବ ସେମାନେ ଯେପରି କାହାର ଅପେକ୍ଷାରେ ରହିଛନ୍ତି । ସାହେବମାନଙ୍କୁ ଯଦି ମାରି ଦେବାର କଥା ତେବେ ତ ସେମାନେ କେତେବେଳୁ ମାରି ସାରନ୍ତେଣି—ତେବେ କାହାର ଅପେକ୍ଷାରେ ଏପର୍ଯ୍ୟନ୍ତ ବସିଛନ୍ତି ।

 

ସନ୍ତୁ ଆସ୍ତେ ଆସ୍ତେ ନିଶ୍ୱାସ ଛାଡ଼ୁଥାଏ । ଟିକିଏ ହଲଚଲ ହେବାର ମଧ୍ୟ ବାଟନାହିଁ, ଏଭଳି କେତେ ସମୟ ଧରି ଠିଆହୋଇ ରହିବା । ଦାଦା ଯେ ଏଠି ନାହାନ୍ତି ସେ କଥା ତ ଜଣା ପଡ଼ିଗଲାଣି । ମନେ ହେଉଛି ଭୋର ହେବାକୁ ଆଉ ଡେରି ନାହିଁ, ସେ ନିଆଁଟାକୁ ଅନାଇ ରହିବାରୁ ଆଖିଟା ପୋଡ଼ିବାକୁ ଲାଗିଲାଣି । ତଥାପି ଦେଖିଲେ ଦେଖିବାକୁ ଇଚ୍ଛା ଜମା ଆଖି ଫେରାଇ ଆଣିବାକୁ ମନ ହେଉନାହିଁ । ସତେ ଯେମିତିକା ଚୁମ୍ବକ ରହିଛି, ନିଆଁ ଯେ ଏଡ଼େ ସୁନ୍ଦର ହୋଇପାରେ ସନ୍ତୁ କେବେ କଳ୍ପନା ବି କରି ପାରିନାହିଁ । ସବୁଜ ରଙ୍ଗର ନିଆଁ । ଥରେ ଥରେ ମନେ ହେଉଛି ବିଭିନ୍ନ ରଙ୍ଗିନ କାଗଜ ଗୁଡ଼ାକ ପବନରେ ଉଡ଼ୁଛନ୍ତି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କାଗଜ ନୁହେଁ ନିଆଁ । ଟିକିଏ ଆଗରୁ ତ ଜଣେ ଜାରୋୟା ନିଆଁ ଲଗାଇ ନେଇଗଲା ।

 

ଆଉ ଏଠି ବେଶି ସମୟ ରହି ଲାଭ ନାହିଁ । ଯେମିତି ହେଲେ ଦାଦାଙ୍କୁ ଖୋଜି ବାହାର କରିବାକୁ ହେବ, ତେବେ ଏଡ଼େବଡ଼ ଜଙ୍ଗଲରେ ଦାଦାଙ୍କୁ କେମିତି ଖୋଜି ପାଇବ । ତଥାପି ଚେଷ୍ଟା ନ କରି ଛାଡ଼ିବ ନାହିଁ ।

 

ହଠାତ୍ ସନ୍ତୁର ଗୋଟିଏ କଥା ମନେ ପଡ଼ିଗଲା । ଗୋଟିଏ ସୁବର୍ଣ୍ଣ ସୁଯୋଗ । ଏବେ ଯଦି ଦାଦାଙ୍କ ସହିତ ଦେଖା ହୋଇଯାଏ ନା, ତେବେ ସେମାନେ ଖୁବ୍ ସହଜରେ ଖସି ପଳାଇ ଯାଇ ପାରିବେ । ଜାରୋୟାମାନେ ତ ଏଠି ଜଗି ବସିଛନ୍ତି । ସମୁଦ୍ର କୂଳଟା ଫାଙ୍କାଥିବ । ସାବେମାନଙ୍କ ବୋଟ୍ ମଧ୍ୟ କେଉଁଠି ସମୁଦ୍ର କୂଳେ ନିଶ୍ଚୟ ଥିବ । ସେହି ବୋଟ୍‌ଟା ମିଳିଗଲେ ଚାଲିଯାଇ ହେବ । ସାହେବମାନଙ୍କୁ ଏଇଠି ଛାଡ଼ିଦେଇ ତାଙ୍କୁ ପ୍ରଥମେ ବୋଟ୍‌ଟା ଖୋଜିବାକୁ ପଡ଼ିବ । ଏଥିରେ କ୍ଷତି କ’ଣ, ସାହେବମାନେ ବି ତ ଆମର ଶତ୍ରୁ ।

ସନ୍ତୁ ପାଦ ଚିପି ଚିପି ପଛକୁ ପାଦ ପକାଇଲା । ଆଉ ଟିକିଏ ଗଲେ ଦୌଡ଼ ଚାଲିଯିବ, କିନ୍ତୁ ସେ ଦୌଡ଼ିବାକୁ ଉଦ୍ୟତ ହେବା ପୂର୍ବରୁ ହଠାତ୍ ଜାରୋୟାମାନେ ସବୁ ଉଠି ଏକା ସଙ୍ଗରେ ପାଟି କରି ଉଠିଲେ । ପୁଣି ତାଙ୍କର ସେହି କିଳା କିଳା ଶବ୍ଦ ଉଚ୍ଚାରଣ ଆରମ୍ଭ କରି ଦେଲେଣି । ସନ୍ତୁ ଶୁଣି ଏକାବେଳେ ଥରି ଉଠିଲା । ସନ୍ତୁ ମନେ ମନେ ଭାବିନେଲା ଜାରୋୟମାନେ ତାକୁ ଦେଖିଛନ୍ତି ନା କ’ଣ ? ସନ୍ତୁ ଦୌଡ଼ିଯାଇ ଗୋଟିଏ ଘଞ୍ଚବୁଦା ମୂଳେ ଲୁଚିଗଲା । କିନ୍ତୁ ଜାରୋୟାମାନେ ବୁଦାମୂଳକୁ ଆସିଲେ ନାହିଁ । ସବୁ ଜାରୋୟାମାନେ ନିଜ ନିଜ ଜାଗାରେ ଠିଆ ହୋଇ ପଡ଼ି ଶବ୍ଦ କରୁଥାନ୍ତି । ଘଟଣାଟା କ’ଣ ହେବାକୁ ଯାଉଛି ଜାଣିବା ପାଇଁ ସନ୍ତୁର ଆଗ୍ରହ ପୁଣି ବଢ଼ିଗଲା । ଧୀରେ ଧୀରେ ମୁଣ୍ତଟାକୁ ଟିକିଏ ଉପରକୁ ଉଠାଇ ସେମାନଙ୍କୁ ଦେଖିବାକୁ ଲାଗିଲା ।

ଏଥରକ ଜଣେ ନୂଆ ଲୋକ ଆସିଲେ । ଲୋକଟା ଆସି ଠିଆହେଲା ଖୋଲା ଜାଗାଟାରେ । ଲୋକଟିକୁ ଦେଖିଦେବା ପରେ ଜାରୋୟମାନେ ଏକରକମ ଜୟଧ୍ୱନୀ ଭଳି ଶବ୍ଦ କଲେ । ସଙ୍ଗେ ସଙ୍ଗେ, ଲୋକଟି ହାତ ଦିଟାକୁ ଉପରକୁ ଟେକିଦେଇ କ’ଣ ସଙ୍କେତ ଦେଲା ଜାରୋୟମାନଙ୍କୁ ।

ଲୋକଟି ଦେଖିବାକୁ ଖୁବ୍ ବୃଦ୍ଧ । ମନେହେବ ବୟସ ଅଶି କି ନବେ ପାଖାପାଖି ହେବ-। ଛୋଟକାଟ ଚେହେରା । ପିଠିଟା ବଙ୍କା ହୋଇ ଲଇଁ ଗଲାଣି ଆଗକୁ । ମୁଣ୍ତର ବାଳ ଗୁଡ଼ାକ ମଧ୍ୟ ଝୋଟଭଳି ଧଳା ହୋଇଗଲାଣି ।

 

ମୁହଁରେ ଧଳା ଦାଢ଼ି ଓ ଆଖିର ଭୂରୁ ଦି’ଟା ଯାକରେ ଧଳା ଧଳା ବାଳ ଗୁଡ଼ାକ ବି ସ୍ପଷ୍ଟ ଦୂରକୁ ବାରି ହୋଇ ପଡ଼ୁଛି । ଲୋକଟି ପିନ୍ଧିଛି ଖଣ୍ତେ ନାଲି ବସ୍ତ୍ର । ଲୁଗାଟା ବି କଛାମାରି ପିନ୍ଧାଯାଇଛି । କାନ୍ଧ ଉପରେ ମଧ୍ୟ ଲାଲରଙ୍ଗର ଗାମୁଛା ଖଣ୍ତିଏ ପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ ଅନ୍ୟ କୌଣସି ଜାରୋୟା ଲୁଗାପଟା ପିନ୍ଧି ନ ଥିବସ୍ଥଳେ କେବଳ ଏହି ବୃଦ୍ଧ ଜଣକ ଦେହର ହିଁ ପ୍ରଥମ ଥର ପାଇଁ ବସ୍ତ୍ର ପିନ୍ଧିବାର ଦେଖା ଯାଉଛି । ଦେହରର ରଙ୍ଗ ତୋଫା ଗୋରା । ମୁଣ୍ତର ବାଳ ଗୁଡ଼ାକ ମଧ୍ୟ ଜାରୋୟାମାନଙ୍କ ଭଳି କୁଞ୍ଚୁ କୁଞ୍ଚିଆ ନୁହେଁ । ତେବେ ଏ ଲୋକ ଜଣକ କିଏ ସେ ? ଜାରୋୟାମାନଙ୍କର ରାଜା ?

 

ଲୋକଟି ସାହେବମାନଙ୍କ ପାଖକୁ ଚାଲିଆସି ପାଖରେ ଠିଆ ହୋଇ କିଛି ସମୟ ନିରୀକ୍ଷଣ କଲା । ମୁହଁଟାକୁ ଭଲଭାବରେ ଏପାଖ ସେପାଖ ବୁଲି ଦେଖିବାକୁ ଲାଗିଲା । ତା’ ପରେ ଘୃଣାରେ ଥୁ ଥୁ କରି ଭୂଇଁରେ ଛେପ ପକାଇବାକୁ ଲାଗିଲା । ତା’ ପରେ ଜାରୋୟାମାନଙ୍କୁ ଦେଖି କ’ଣ ସବୁ ପଚାରିଗଲା । ଉତ୍ତରରେ ଏକା ସାଙ୍ଗରେ ଚାରିପାଞ୍ଚ ଜଣ ଜାରୋୟା ଗୋଟିଏ ପ୍ରକାର ଶବ୍ଦ ଉଚ୍ଚାରଣ କଲେ ।

 

ଗୋଟିଏ ସାହେବ ସମାନାରେ ବନ୍ଧୁକଟିଏ ପଡ଼ିଥାଏ । ବୃଦ୍ଧ ଜଣକ ନିଜ ହାତରେ ସେହିଟାକୁ ଉଠାଇ ଆଣି ଓଲଟା ପାଲଟା କରି କିଛି ସମୟ ଦେଖିଲା । ତା’ ପରେ କ’ଣ ଭାବି ଠକ୍‌ଠକ୍‌ ହୋଇ ଚାଲିଗଲା ସେ ଗୋଲାକାର ନିଆଁ ନିକଟକୁ, ବନ୍ଧୁ କଟାକୁ ନିଆଁ ଭିତରକୁ ଫୋପାଡ଼ି ଦେବା । ପରେ ପୁଣି ଥରେ ଅଦ୍ଭୁତ ଭାଷାରେ ଜାରୋୟାମାନଙ୍କୁ ସଙ୍କେତ ଦେଲା ।

 

ଏଥରକ ଚାରି ପାଞ୍ଚଜଣ ଜାରୋୟା ଜଣେ ସାହେବଙ୍କ ପାଖକୁ ଆସି ତାକୁ ଉଠାଇ ଧରିଲେ । ହାନ୍ଦୋଳା କରି ଟେକି ଟେକି ନେଇ ଚାଲିଲେ ବୃଦ୍ଧ ଲୋକଟିର ସମ୍ମୁଖକୁ । ସାହେବ ଜଣକ ଆଉ ସମ୍ଭାଳି ନ ପାରି ଚିତ୍କାର କରି ଉଠିଲା—ହେଇ—ହ୍ୱାଟ ଆର ଡ଼ୁଇଙ୍ଗ୍ । —ଲଭ୍ ମି ଏଲୋନ୍—ହେଇ......

 

କିନ୍ତୁ ଜାରୋୟା ଚାରିଜଣ ସାହେବଙ୍କ କଥା କିଛି ଶୁଣିଲେ ନାହିଁ । ବୃଦ୍ଧ ଜଣକ ସାହେବଟାକୁ ଥରେ ଦେଖିଦେଇ ନିର୍ଦ୍ଦୟ ଭାବରେ ନିଆଁ ଆଡ଼କୁ ଆଙ୍ଗୁଠି ଦେଖାଇ ଦେଲା । ସନ୍ତୁ କିଛି ବୁଝିବା ଆଗରୁ କିନ୍ତୁ ଜାରୋୟାମାନେ ପାଣିକୁ ଟେକା ଫୋପାଡ଼ିଲା ପରି, ସାହେବଜଣକୁ ନିଆଁ ଭିତରକୁ ଫୋପାଡ଼ି ଦେଇଥିଲେ । ଶେଷ ପର୍ଯ୍ୟନ୍ତ ସାହେବ ଜଣକ ଆାଁ ଆଁ କରି ଚିତ୍କାର କରୁଥିଲେ । ନିଆଁ ଭିତରେ ପଡ଼ି ସବୁ ଶେଷ । ଟିକିଏ ବି ଚିହ୍ନବର୍ଣ୍ଣ ମଧ୍ୟ ରହିଲା ନାହିଁ । ନିଆଁ ଭିତରୁ ଟିକିଏ ହେଲେ ବି ଧୂଆଁ ନ ବାହାର ହୃତ୍‌କରି ଥରେ ମାତ୍ର ଜଳି ଉଠିଲା ନିଆଁଟା ।

 

ସନ୍ତୁ ଭୟରେ ମୁହଁଟାକୁ ଦୁଇ ହାତରେ ଜାବୁଡ଼ି ଧରିଲା । ଆଖି ଆଗରେ କୌଣସି ମଣିଷକୁ ଏଭଳି ମରିବାର କିଏ କେବେ ଦେଖିଛି ? ସନ୍ତୁର ମନେ ହେଲା ଏ ଦୃଶ୍ୟ ଦେଖି ସେ ମୂର୍ଚ୍ଛା ହୋଇଯିବ । କିନ୍ତୁ ଏଠି ଯେଉଁ ପରିସ୍ଥିତି, ସେଥିରେ ଯେ ମୂର୍ଚ୍ଛାଟା କିପରି ହୋଇଯିବ । ତାକୁ ଯେ କୌଣସି ଉପାୟରେ ଏମାନଙ୍କ ହାବୁଡ଼ରୁ ଖୁସି ଚାଲିଯିବାକୁ ହିଁ ହେବ ।

 

ବୃଦ୍ଧ ଜଣକ ପୁଣିଥରେ କ’ଣ ନିର୍ଦ୍ଦେଶ ଦେବାରୁ ଜାରୋୟାମାନେ ଟେକି ଆଣିଲେ ଆଉ ଜଣେ ସାହେବକୁ । ଏଥରକ ସବୁ ସାହେବ ଗୁଡ଼ାକ ଏକାବେଳକେ ଚିତ୍କାର କରି ଉଠିଲେ । ସେଟା ଅସଲରେ ଚିତ୍କାର ନା କାନ୍ଦଣା ଜମା ବୁଝି ହେଲାନାହିଁ । ସେ ସାହେବ ଜଣକୁ ବି ନେଇ ଚାଲିଲେ ନିଆଁ ପାଖକୁ ।

 

ସାହେବ ଜଣକ ସେ ବୃଦ୍ଧ ଲୋକଟିଏ କାନ୍ଦି କାନ୍ଦି କହୁଥାଏ—ୟୁ ୟୁ ଆର ନାଟ୍ ଏ ଜାରୋୟା, ୟୁ ଅଣ୍ତରଷ୍ଟାଣ୍ତ ଇଂଲଶ୍ । ପ୍ଲିଜ୍ ଫର୍ ଗିଭ୍‌ମି...ସ୍ପେୟାର ମାଇ ଲାଇଫ । ପ୍ଲିଜ୍–ପ୍ଲିଜ୍–

 

ବୃଦ୍ଧ ଜଣକ କିନ୍ତୁ କିଛି କହୁ ନ ଥିଲା । ଘୃଣାରେ ଥୁ ଥୁ କରି ମାଟିରେ ଛେପ ପକାଇବାକୁ ଲାଗିଲା । ତା’ ପରେ ଆଙ୍ଗୁଳିଟା ନିଆଁ ଆଡ଼କୁ ନିଷ୍ଠୁର ଭାବରେ ଦେଖାଇ ଦେଲା ।

 

ଜାରୋୟମାନେ ଦ୍ୱିତୀୟ ସାହେବଟିକୁ ନିଆଁରେ ପକାଇବା ପାଇଁ ଉପରକୁ ଉଠାଇବା ବେଳେ ଗୁଡ଼ୁମ୍ କରି ଗୋଟିଏ ଶବ୍ଦ ହେଲା । ଜଙ୍ଗଲ ଭିତରୁ ଗୋଟିଏ ଗୁଳି ଛୁଟିଆସି ବାଜିଲା ଜଣେ ଜାରୋୟାର ହାତରେ । ସମସ୍ତେ ସେହି ଆଡ଼କୁ ଅନାଇ ରହିଲେ ।

 

ଦୂରରୁ ସ୍ତମ୍ଭିତ ହୋଇ ସନ୍ତୁ ଦେଖିଲା ରିଭଲଭର୍‌ଟା ହାତରେ ଧରି ଜଙ୍ଗଲ ଭିତରୁ ବାହାରି ଆସି ସେହି ଗୋଲାକାର ନିଆଁ ପାଖକୁ ଚାଲିଛନ୍ତି ତା ଦାଦା । ଗୋଟିଏ ହାତରେ କ୍ରାଚଟା ଧରି ଡେଇଁ ଡେଇଁ ଚାଲିଛନ୍ତି, କିନ୍ତୁ ତାଙ୍କର ରିଭଲ୍‍ଭର୍‌ଟା ଲକ୍ଷ୍ୟ ରହିଥାଏ ବୃଦ୍ଧଜଣକ ଆଡ଼କୁ ।

 

ଦାସଗୁପ୍ତ ବାବୁଙ୍କ ମନଟା ଆଜି ଆଦୌ ଭଲ ନ ଥିଲା । ପୋଲିସ ଏସ. ପିଙ୍କ ନିକଟରୁ ଫେରି ଆସିବା ପରେ ପରେ ସେ ହଠାତ୍‌ ଅହେତୁକ ଚମକି ପଡ଼ୁଛନ୍ତି । ସନ୍ଧ୍ୟା ପ୍ରାୟ ହୋଇଗଲାଣି, ସନ୍ତୁ ଓ ମିଷ୍ଟର ରାୟଚୌଧୁରୀଙ୍କ ଅବସ୍ଥା ଯେ କ’ଣ ହୋଇଥିବ କିଏ ଜାଣେ । ଜାରୋୟାମାନେ କ’ଣ ସେମାନଙ୍କର ସନ୍ଧାନ ଏ ପର୍ଯ୍ୟନ୍ତ ପାଇ ପାରି ନଥିବେ । ଜାରୋୟା ଜାତି କାହାକୁ ପ୍ରାଣରେ ଛାଡ଼ି ଦିଅନ୍ତି ନାହିଁ । ତାଙ୍କୁ କେବଳ ତୀର ଛାଡ଼ିବାର ହିଁ ଜଣା । ଇସ୍, ଅକାରଣରେ ପ୍ରାଣଦିଟା ଏମିତିକା ଚାଲିଯିବ । ମିଃ.ରାୟ ଚୌଧୁରୀ ତ ଆଦୌ ମୋ କଥା ଶୁଣିଲେ ନାହିଁ, ଜୋର ଜବରଦସ୍ତ କରି ଦ୍ୱୀପରେ ଓହ୍ଲାଇ ପଡ଼ିଲେ । ଆପଣା ଛାଏଁ କିଏସେ ସେ ଦ୍ୱୀପକୁ କେବେ ଯାଏ ? ଭଦ୍ରବ୍ୟକ୍ତିଙ୍କର. ଗୋଟିଏ ବୋଲି ଗୋଡ଼, ତଥାପି ସାହାସଟା ତ କମ୍ ନୁହେଁ, ଆଉ ସନ୍ତୁ, ପିଲାଟାଏ, ସେ ମଧ୍ୟ ଦାଦାଙ୍କ ସାଥିରେ ମରିବ । କାଲି ସକାଳେ ଦେଖାଯିବ ସେ ଦିଜଣଙ୍କ ଶବ ଗୁଡ଼ାକ ସମୁଦ୍ରରେ ଭାସୁଛି ।

 

ଏଣେ ଏସ୍. ପି. ସାହେବ ମଧ୍ୟ କିମିତିକିଆ ଏକଜିଦିଆ ଲୋକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଟିକିଏ ଉତ୍ସାହ ଦେଖାଇଲେ ନାହିଁ । ଦିଲ୍ଲୀରୁ ଅର୍ଡର ନ ଆସିବା ପର୍ଯ୍ୟନ୍ତ ସେଠିକୁ ପୋଲିସ ଫୋର୍ସ ପଠାଇବେ ନାହିଁ ବୋଲି ଜିଦ୍‌ଧରି ବସିଲେ । ଦିଲ୍ଲୀରୁ ଅର୍ଡର ଆସିବାକୁ ଅନ୍ତତଃ ପକ୍ଷରେ ତିନି ଚାରିଦିନ ଲାଗିଯାଇପାରେ । ତା’ ମାନେ ସେମାନଙ୍କର ମୃତ ଶରୀରଟା ବି ଖୋଜିଲେ ମିଳିବ ନାହିଁ ।

 

ଦାସଗୁପ୍ତ ଚାଲି ଚାଲି ଆସି ଟୁରିଷ୍ଟ ହୋମ୍‌ର ଡାଇନିଂ ହଲ୍‌ର ଗୋଟିଏ ଚୌକିରେ ଲଥ୍ କିନା ବସି ପଡ଼ିଲେ, ପାଟିଟିଏ କରି ଉଠିଲେ—କିଏ ଅଛରେ ଶୀଘ୍ର ଚା କପେ ଦିଅ ଭଲା ।

 

ବେହେରା କଡ଼କଡ଼ି ଦୌଡ଼ ଆସି କହିଲା—ହାଁ ସାବ୍‌, ଏଇ ଗଳି ଆଉ ଆସିଲା । ଆଉ କିଛି ଖାଇବା ପାଇଁ ଆଣିବ କି ?

 

ଦାସଗୁପ୍ତ କହିଲେ—ଆଉ ଖାଇବି ? ତୋ ମୁଣ୍ତଟା ଖାଇବି ।

 

କଡ଼କଡ଼ ମୁଣ୍ତଟା ଉପରେ ହାତଟା ବୁଲାଇ ଆଣି କହିଲା—ଏଟାକୁ ଖାଇ ପାରିବେ ନାହିଁ ସାବ୍‌, ଏଟା ଖୁବ୍‌ ଟାଣ ।

 

ଦାସଗୁପ୍ତ ପାଟିକରି ଉଠିଲେ—ଯା ବକ୍‌ବକ୍‌ ହୁଅନା । ଚା ନେଇ ଆସେ ।

 

ସେ ବାବୁ ଜଣକ କୁଆଡ଼େ ଗଲେ କି ଆଜ୍ଞା ?

 

କିଏ ଜାଣେ, ସେମାନେ ଆଉ ଏଠିକୁ ଫେରିବା କି ନାହିଁ ।

 

ଆଁ, ସେ କି କଥା ଆଜ୍ଞା । ସେମାନଙ୍କ ଜିନିଷପତ୍ର ଏଇଠି ଅଛି ଯେ । ସ ବୁଢ଼ାବାବୁ କି ପିଲାବାବୁ କିଏହେଲେ ଆଉ ଫେରିବେ ନାହିଁ । କ’ଣ ହେଲାକି ସେମାନଙ୍କର ।

 

ସେମାନଙ୍କୁ ଜାରୋୟାମାନେ ଧରି ନେଇଛନ୍ତି ।

 

ଏକଥା ଶୁଣିବା ମାତ୍ରକେ କଡ଼କଡ଼ି ହାଉଳି ଖାଇଗଲା । ମୁଣ୍ତଟାକୁ ଚାପଡ଼ ମାରି ମାରି କହିଲା—କି ସର୍ବନାଶ, କି ସର୍ବନାଶ ହେଲା ।

 

କଡ଼କଡ଼ିର କାନ୍ଦ ଶୁଣି ରନ୍ଧାଘର ଭିତରୁ ଆହୁରି ଦୁଇ ଚାରିଜଣ ବେହେରା ବାହାରି ଆସିଲେ ପଦାକୁ । ସେମାନେ ଅବାକ ହୋଇଯାଇ କେବଳ କଡ଼କଡ଼ିକୁ ଅନାଇ ରହିଲେ । ଯେତେବେଳେ ଜାଣିଲେ ଯେ, ସନ୍ତୁ ଓ ତା ଦାଦାକୁ ଜାରୋୟାମାନେ ଧରି ନେଇ ଯାଇଛନ୍ତି ବୋଲି, ସେତେବେଳେ କାହାର ପାଟିରୁ ପଦହେଲା କଥା ବାହାରିଲା ନାହିଁ । ଦୁଃଖରେ ମ୍ରିୟମାଣ ହୋଇଗଲେ । ଜାରୋୟାମାନଙ୍କ ହାବୁଡ଼ରେ ପଡ଼ିବା ଅର୍ଥ ପ୍ରାଣଘେନି ଆଉ ନ ଫେରିବା, ଏକଥା ସେଠି ପ୍ରାୟ ସମସ୍ତେ ଜାଣନ୍ତି । ସେମାନେ ସମସ୍ତେ ଦାସଗୁପ୍ତ ବାବୁଙ୍କ ଘେରିଯାଇ ପଚରା ଉଚୁରା କରାଯାଇ କରିବାକୁ ଲାଗିଲେ ।

 

ଏତିକି ବେଳକୁ ଆକାଶଟା ଗର୍ଜନ କରି ଉଠିଲା । ଦାସଗୁପ୍ତ ଚମକିଯାଇ କହିଲେ—କି କଥା । ଏତେବେଳେ ପୁଣି ଏ କି ଶବ୍ଦ !

 

କଡ଼କଡ଼ି କହିଲା—ଗୋଟିଏ ଏରୋପ୍ଲେନ୍‌ ହେବ ବୋଧହୁଏ—ପୋର୍ଟବ୍ଲେୟାରକୁ ଆସୁଛି ।

 

ଦାସଗୁପ୍ତ ଚୌକିଟାକୁ ଫୋପାଡ଼ି ଦେଇ ଠିଆହେଲେ ଯାଇ ବାହାରେ । କହିଲେ—କାହିଁ, ଏରୋପ୍ଲେନ କେଉଁଠି ? ପୁଣି ଏ ସମୟରେ ? ସନ୍ଧ୍ୟାପରେ ଏଠିକୁ କେବେ ଏରୋପ୍ଲେନ ଆସେ ?

 

ଏତିକିବେଳେ କଥାଟାକୁ ସମସ୍ତେ ଭାବି ବସିଲେ, ସତକଥା ତ । ପୋର୍ଟବ୍ଲେୟାରକୁ ପ୍ଲେନ ଆସେ ଦିନବେଳା । ସନ୍ଧ୍ୟା ସମୟରେ କେବେହେଲେ ପ୍ଲେନ ଆସିବା ଜଣାନାହିଁ । ତେବେ ଏ ପ୍ଲେନଟା କାହାର ? କ’ଣ ପାଇଁ ଆସିଛି ?

 

ପ୍ଲେନଟା ଆକାଶରେ ଭଁ ଭଁ କରି ଚକ୍‌କର କାଟୁଛି । ତା’ ମାନେ ଏଇଠି ହିଁ ଓହ୍ଲେଇବ ।

 

ଦାସଗୁପ୍ତ ହାତଗୋଡ଼ ଛାଟି ପାଟି କରିବାକୁ ଲାଗିଲେ—ଟ୍ୟାକ୍‌ସି ମୋର ଗୋଟଏ ଟ୍ୟାକ୍‌ସି ଦରକାର, ଏଇ ମୁହୂର୍ତ୍ତରେ । ବେହେରା ଫୋନ୍ କରେ ଶୀଘ୍ର । ନା ଥାଉ ଫୋନକରି ଟ୍ୟାକ୍‌ସି ଆସୁ ଆସୁ ବହୁତ ଡ଼େରି ହୋଇଯିବା । ମୁଁ ନିଜେ ଯିବ—ଏହା କହି—ଦାସଗୁପ୍ତ ଟୁରିଷ୍ଟ ହୋମର ବାରଣ୍ତାଉପରକୁ ଡେଇଁ ରାସ୍ତାଧରି ଦୌଡ଼ିବାକୁ ଲାଗିଲେ ।

 

ଟିକକ ପରେ ଟ୍ୟାକ୍‌ସିଟିଏ ଆସିବାର ଦେଖାଗଲା । ଦାସଗୁପ୍ତ ରାସ୍ତା ମଝିଟାରେ ହାତ ହଲାଇ ଟ୍ୟାକ୍‌ସିଟିକୁ ଅଟକାଇଲେ । ଦେଖିଲେ ଟ୍ୟାକ୍‌ସିଟା ଖାଲି ନୁହେଁ ଦୁଇଜଣ କିଏ ଯାତ୍ରୀ ବସିଛନ୍ତି । ଦାସଗୁପ୍ତ ସେମାନଙ୍କ ପାଖକୁ ଯାଇ ହାତ ଯୋଡ଼ି ବହୁ ଅନୁନୟ ବିନିୟ ହୋଇ କହିଲେ–ମୋର ଅତ୍ୟନ୍ତ ଜରୁରୀ କାମ ଅଛି, ମୋର ଏବେ ଏୟାରପୋର୍ଟରେ ପହଞ୍ଚିବା ଦରକାର, ଆପଣମାନେ ଯଦି କିଛି ମନେ ନ କରନ୍ତି ଦୟାକରି ଓହ୍ଲାଇ ପଡ଼ିବେ କି ?

 

ଦାସଗୁପ୍ତଙ୍କ ଢଙ୍ଗଢାଙ୍ଗ୍ ଓ କଥାବାର୍ତ୍ତା ଶୁଣି ସତେ ଯେମିତି ମନେହେବ ସେ ପାଗଳ ହୋଇ ଯାଇଛନ୍ତି । ଲୋକ ଦି’ଜଣ ହତଭମ ହୋଇ ଅଗତ୍ୟା ତଳକୁ ଓହ୍ଲାଇ ପଡ଼ିଲେ । ଦାସଗୁପ୍ତ ଟ୍ୟାକ୍‌ସି ଉପରକୁ ଉଠିପଡ଼ି କହିଲେ—ଚଲାଓ ଏୟାରପୋର୍ଟ—ଖୁବ୍ ଜଲଦି ।

 

ଦାସଗୁପ୍ତ ଏୟାରପୋର୍ଟରେ ପହଞ୍ଚିଲା ବେଳକୁ ପ୍ଲେନଟା ଲ୍ୟାଣ୍ତ କରି ସାରିଥିଲା । ଏୟାରପୋର୍ଟରେ ବହୁ ପୋଲିସ ଅଫିସରଙ୍କ ସହିତ ସ୍ୱୟଂ ଏସ୍. ପି. ସାହେବ ମଧ୍ୟ ଉପସ୍ଥିତ ଥିଲେ-। ନିଶ୍ଚୟ କେହି ଜଣେ ଉଚ୍ଚପଦସ୍ଥ ଅଫିସର ଆସିଛନ୍ତି ।

 

ପୋଲିସ୍‌ଟିଏ କହିଲା—ହୋମ୍ ସେକ୍ରେଟାରୀ ଆସିଛନ୍ତି ।

 

ଦାସଗୁପ୍ତ କଥାଟା ଶୁଣ ଆନନ୍ଦରେ ଡେଇଁବାକୁ ଲାଗିଲେ । ଏତେବଡ଼ ସୌଭାଗ୍ୟର କଥା ଚିନ୍ତା ମଧ୍ୟ କରାଯାଇ ପାରେନା । ଏସ୍.ପି. ସାହେବ ଏହି ହୋମ୍ ସେକ୍ରେଟାରୀଙ୍କ ଠାରୁ ଅର୍ଡର ଆଣିବାକୁ କହୁଥିଲେ । ସେହି ହୋମ୍ ସେକ୍ରେଟାରୀ ନିଜେ ଆସି ଏଇଠି ଉପସ୍ଥିତ । କୌଣସି ଗୁରୁତର ଘଟଣା ନିଶ୍ଚୟ ଘଟିଛି ।

 

ହୋମ୍ ସେକ୍ରେଟାରୀ ଦେଖିବାକୁ ଖୁବ୍ ଲମ୍ବା ଲୋକ । ବୟସ ମଝିଲା । ମୁଣ୍ତର ବାଳ ଗୁଡ଼ାକ ଲମ୍ବ ଓ ଟାଆଁସା । ସେ ଖୁବ୍ ଲମ୍ବ ଲମ୍ବ ପାଦ ପକାଇ କାର୍‌ରେ ବସିଗଲେ । ଦାସଗୁପ୍ତ କାର୍ ନିକଟକୁ ଦୌଡ଼ିଲା ବେଳକୁ ଜଣେ ପୋଲିସ ବାଟରେ ଅଟକାଇ ରଖିଦେଲା । କାର୍ ନିକଟକୁ ଯିବାକୁ ଛାଡ଼ିଲା ନାହିଁ ।

 

ଦାସଗୁପ୍ତ ଏସ୍ ପି.ଙ୍କୁ ଲକ୍ଷ୍ୟକରି ଚିତ୍କାର କଲେ—ସାର୍, ସେକ୍ରେଟାରୀଙ୍କ ସହିତ ଦେଖା କରେଇ ଦିଅନ୍ତୁ—ସେହି ଘଟଣାଟା—

 

ଏସ୍. ପି. ମିଃ ସିଂ କହିଲେ, ଟିକିଏ ଅପେକ୍ଷା କରନ୍ତୁ; ତାଙ୍କୁ ଟିକିଏ ବିଶ୍ରାମ କରିବାକୁ ଦିଅନ୍ତୁ । ବର୍ତ୍ତମାନ ତ ଆସି ପହଞ୍ଚିଲେ । ଟିକିଏ ଅପେକ୍ଷା କଲେ ଚଳିବ ନି ।

 

ଦାସଗୁପ୍ତ କହିଲେ—ଟିକିଏ ହେଲେ ସମୟ ନଷ୍ଟ କରାଯାଇପାରେ ନା ସାର୍ । ଆପଣ କିମିତିକା କିଛି ବୁଝି ପାରୁ ନାହାନ୍ତି ?

 

ସେତେବେଳକୁ ହୋମ୍ ସେକ୍ରେଟାରୀଙ୍କୁ ଗାଡ଼ିଟା ଚାଲିଗଲାଣି, ଦାସଗୁପ୍ତ ପାଟିକରି କାର୍ ପଛେ ପଛେ ଦୌଡ଼ିବାକୁ ଲାଗିଲେ ।

 

ରାଗ ଓ ଦୁଃଖରେ ଦାସଗୁପ୍ତଙ୍କ ଆଖିକୁ ଲୁହ ଆସିଗଲା । ଏବେ ସେ ଆଉ କାହାକୁ ଖାତିର କରିବେ ନାହିଁ । ସ୍ୱୟଂ ଏସ୍. ପି. ସାହେବଙ୍କୁ ବି ନୁହେଁ, ତାଙ୍କ ଆଗରେ ଠିଆହୋଇ କଡ଼ା ସ୍ୱରରେ କହିଲେ—ଏହାର ଫଳ ଆପଣଙ୍କୁ ଭୋଗ କରିବାକୁ ପଡ଼ିବ । ଦିଲ୍ଲୀରୁ ଅର୍ଡର ପାଇଛି ଚୌଧୁରୀ ବାବାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ । ତାଙ୍କୁ ଯେପରି ଏଠି କୌଣସି ବିପଦ ନ ପଡ଼େ ସେ କଥା ଦେଖିବାକୁ, କିନ୍ତୁ ଆପଣ ଏଥିରେ ଆମକୁ କିଛି ସାହାର୍ଯ୍ୟ କରୁ ନାହାନ୍ତି । ଏସମସ୍ତ ଘଟଣା ସେକ୍ରେଟାରୀଙ୍କୁ ନିଶ୍ଚୟ କହିବି ।

 

ଏସ୍. ପି କହିଲେ, ଏତେ ବ୍ୟସ୍ତ ହୋଇ ପଡ଼ୁଛନ୍ତି କହିଁ କି ? ହୋମ୍ ସେକ୍ରେଟାରୀ ଯେତେବେଳେ ନିଜେ ଆସି ପହଞ୍ଚିଛନ୍ତି ତାଙ୍କଠାରୁ ଅନୁମତିଟା ପାଇବାଟା କଷ୍ଟକର ହେବନାହିଁ, ତା’ ପରେ ତୁମେ ଯାହା ଚାହିଁବ ସେହି ସାହାଯ୍ୟ ଦେବି ।

 

ଦାସଗୁପ୍ତ କହିଲେ—ପ୍ରତିଟି ସେକେଣ୍ତ ନଷ୍ଟ କରିବା ଅର୍ଥ ଏକ ମସ୍ତବଡ଼ ଭୁଲ କରିବା, ସାର ।

 

ଦିଲ୍ଲୀରୁ କେହି ଉଚ୍ଚ ପଦସ୍ଥ ଅଫିସର ଆସିଲେ ସରକାରୀ ଅତିଥି ଭବନରେ ରହନ୍ତି । ଦାସଗୁପ୍ତ ଏ କଥା ଭଲ ଭାବରେ ଜାଣନ୍ତି । ତେଣୁ ସେ ଟ୍ୟାକ୍‌ସି ଧରି ଚାଲିଲେ ଅତିଥି ଭବନ ।

 

ଅତିଥି ଭବନରେ ମିଃ ସିଂ ଓ ଦାସଗୁପ୍ତ ପ୍ରାୟ ଏକା ସାଙ୍ଗରେ ପହଞ୍ଚିଲେ ବୋଲି ଜାଣ । ଏସ୍. ପି. ସାହେବ ଆଗେ ଆଗେ ଭିତରେ ପଶିଗଲେ କିନ୍ତୁ ଦାସଗୁପ୍ତ ଗଲାବେଳକୁ ଗାର୍ଡ଼ ଅଟକାଇ ରଖିଦେଲା । ଦାସଗୁପ୍ତ ପକେଟରୁ ଗୋଟିଏ କାର୍ଡ ବାହାର କରି କହିଲେ—ଏଇଟା ହୋମ୍ ସେକ୍ରେଟେରୀଙ୍କୁ ଦେଇଦିଅ, ସେ ବୁଝିପାରିବେ ।

 

ହୋମ୍ ସେକ୍ରଟାରୀଙ୍କ ନାଁ’ଟା କୌଶିକ ବର୍ମା । ସେ ସେତେବେଳେ ଗୋଟିଏ ଆରାମ ଚେୟାରରେ ବସି ଚା ଖାଉଥାନ୍ତି ଏବଂ ଏସ୍. ପି. ଙ୍କୁ କହୁଥାନ୍ତି, ଶୁଣନ୍ତୁ, ମୁଁ ଏଠାକୁ ଆସିଛି ଗୋଟିଏ ଜରୁରୀ କାର୍ଯ୍ୟରେ । ମୁଁ ଗୁପ୍ତରେ ରିପୋର୍ଟ ପାଇଛି, ନିୟମିତ ଭାବରେ ଏଠିକୁ ବିଦେଶୀମାନେ ଯିବା ଆସିବା କରୁଛନ୍ତି । ସୋମାନେ କଲିକତା କିମ୍ବା ଦିଲ୍ଲୀରୁ ପାସପୋର୍ଟ ଚୋରିକରି ଭାରତୀୟମାନଙ୍କ ଭଳି ନିଜକୁ ସଜାଇ ଆଣ୍ତାମାନ ଭିତରକୁ ପଶି ଆସୁଛନ୍ତି......ସେମାନଙ୍କର ଯେ ପ୍ରକୃତ ଉଦ୍ଦେଶ୍ୟ କ’ଣ, ସେହି କଥାଟା ଆମର ନିତାନ୍ତ ଦରକାର । ଆଣ୍ତାମାନ ଭଳି ଏକ ସାଧାରଣ ସ୍ଥାନକୁ ବିଦେଶୀଙ୍କ ନଜର କାହିଁକି ପଡ଼ିଲା ?

 

ଏସ୍. ପି. କହିଲେ—ନା, ସାର୍ । ଏଠାକୁ ଅନେକ ଦିନ ଧରି କେହି ବିଦେଶୀ ଆସି ନାହାନ୍ତି । ବିଦେଶୀ ଟୁରିଷ୍ଟ ମୋ ଅନୁମତି ନ ନେଇ ତ ଆଣ୍ତାମାନ ଭିତରକୁ ପଶିପାରିବେ ନାହିଁ ।

 

ମିଃ ବର୍ମା କହିଲେ—ବୁଝିଲ, ସେମାନେ ତ ଆଉ ଟୁରିଷ୍ଟ ସାଜି ଏହା ଭିତରକୁ ଆସିବେ ନାହିଁ । ସେମାନେ ଆସିବେ ଭାରତୀୟ ସାଜି ।

 

ମିଃ ସିଂ କହିଲେ—ନା ସାର୍, ଆସୁଥିଲେ ମୋ ନଜରରେ ନିଶ୍ଚୟ ପଡ଼ିଥାନ୍ତା ।

 

ଠିକ୍ ଏତିକିବେଳେ ଦାସଗୁପ୍ତ ଭିତରକୁ ପଶିଆସି କହିଲେ—ସାର୍, ସେହି ବିଦେଶୀଙ୍କ ବିଷୟରେ କିଛି ଜାଣେ ।

 

ଏସ୍. ପି. ଭୂରୁ ଦିଟା କୁଞ୍ଚିତ କରି ଆଣିଲେ—

 

ମିଃ ବର୍ମା କହିଲେ—ଆପଣଙ୍କ ପରିଚୟ ।

 

ସାର୍, ଅଧୀନ ଆପଣଙ୍କ ଡିପାର୍ଟମେଣ୍ଟରେ କାର୍ଯ୍ୟ କରେ । ଦୁଇବର୍ଷ ହେଲା ଆଣ୍ତାମାନରେ ପୋଷ୍ଟିଂ ହୋଇ ଆସିଛି । ମୋ କାମ ହେଲା ଏଠାର ଅବସ୍ଥା ଉପରେ ନଜର ରଖି ସରକାରଙ୍କୁ ଜଣାଇବା । ବିଦେଶୀ ଗୁପ୍ତଚର କଥା ମୁଁ ବି ପ୍ରଥମେ ବିଶ୍ୱାସ କରୁ ନ ଥିଲି । କିନ୍ତୁ ମିଃ ରାୟଚୌଧୁରୀ ମୋ ଆଖି ଖୋଲି ଦେଇଛନ୍ତି ।

 

ମିଃ ବର୍ମା କହିଲେ—କେଉଁ ରାୟ ଚୌଧୁରୀ ?

 

ସେ ଯେ ରାୟଚୌଧୁରୀ, ଆଗେ ଭାରତ ସରକାରଙ୍କ ଅଧୀନରେ ଚାକିରୀ କରୁଥିଲେ, ଏବେ କିନ୍ତୁ ସେ ରିଟାୟର୍ଡ଼ କରି ରହସ୍ୟ ସନ୍ଧାନ କରିବାରେ ଲାଗିଛନ୍ତି ।

 

କୌଣସି ବର୍ମା ଏକ ପ୍ରକାର ଚମକିପଡ଼ି କହିଲେ—ଓ ଦାଟ୍, ଓ୍ୟାନ୍ ଲେଗ୍‌ଡ଼ ମ୍ୟାନ । ଲୋକଟା କିନ୍ତୁ ଖୁବ୍ ସାହାସୀ । ସେ ଏବେ କେଉଁଠି ? ତାଙ୍କୁ ଦେଖିବାକୁ ମୁଁ ଚାହେଁ ।

 

ଦାସଗୁପ୍ତ କହିଲେ, ସେ ଏବେ ଖୁବ୍ ସାଙ୍ଘାତିକ ବିପଦରେ ପଡ଼ି ଯାଇଛନ୍ତି ସାର୍ ! ବର୍ତ୍ତମାନ ସୁଦ୍ଧା ବଞ୍ଚିରହିଛନ୍ତି କି ନାହିଁ କହି ହେବନାହିଁ ।

 

କ’ଣ ହୋଇଛି ତାଙ୍କର !

 

ସେ ଜାରୋୟାମାନଙ୍କ ହାବୁଡ଼ରେ ପଡ଼ି ଯାଇଛନ୍ତି, ସାର୍ ।

 

ହ୍ୱାଟ୍ ? ଜାରୋୟାମାନଙ୍କ ହାତରେ ? କେମିତି ଧରା ପଡ଼ିଲେ ? ଆପଣମାନେ କିଛି କରି ପାରିଲେ ନାହିଁ ?

 

ଦାସଗୁପ୍ତ ହାତଯୋଡ଼ି କହିଲେ—ସାର୍, ମୁଁ ସ୍ୱୀକାର କରୁଛି ମୋର କିଛିଟା ଭୁଲ୍ ହୋଇଯାଇଛି । ମୁଁ ତାଙ୍କ ସାଙ୍ଗରେ ଥିଲି । କିନ୍ତୁ ମୋତେ ସେ ରିଭଲ୍‍ଭର୍ ଭୟ ଦେଖାଇ ଜୋର୍‌କରି ଜାରୋୟାମାନଙ୍କ ଅଞ୍ଚଳରେ ଓହ୍ଲାଇ ପଡ଼ିଲେ । ତା’ ପରେ ସିକ୍ୟୁରିଟ୍ ଫୋର୍ସ ପଠାଇବା ପାଇଁ ଏସ୍. ପି. ସାହେବଙ୍କୁ ବହୁ ଅନୁରୋଧ କରି ଥକିଗଲି, କିନ୍ତୁ ଏସ୍. ପି. ସାହେବ ଆଦୌ କାନ ଦେଲେ ନାହିଁ ।

 

କୌଶିକ ବର୍ମା ଏସ୍. ପି.ଙ୍କୁ ଚାହିଁଲେ ।

 

ମୁଁ କିନ୍ତୁ କିଛି ଭୁଲ୍ କାମ କରିନାହିଁ ସାର୍ ! ଏଇ ଟିକକ ଆଗରୁ ଦିଲ୍ଲୀକୁ ଟେଲିଗ୍ରାମ କରି ସବୁ ଖବର ଜଣାଇ ଦେଇଛି ।

 

କୌଶିକ ବର୍ମା କହିଲେ, ଦିଲ୍ଲୀରୁ ଆଦେଶ ଆସିବାକୁ ଯଦି ଦୁଇ ତିନି ଲାଗିଯାଏ ତେବେ ସେ ପର୍ଯ୍ୟନ୍ତ ଜଣେ ଲୋକକୁ ଜାରୋୟାମାନଙ୍କ ହାତରେ ଛାଡ଼ିଦେଇ ଆପଣ ନିଶ୍ଚିନ୍ତରେ ଚୁପ୍‌ଚାପ୍ ବସି ରହିବେ ।

 

ମିଃ ସିଂ କହିଲେ, ଏହାଛଡ଼ା ମୁଁ ଆଉ କ’ଣ କରିପାରିଥାନ୍ତି ସାର୍ । ସେ ଅଞ୍ଚଳକୁ ପୋଲିସ ଫୋର୍ସ ପଠାଇବା ମାନେ ଯୁଦ୍ଧ ଅବଶ୍ୟମ୍ଭାବୀ । ଗୁଳି ମାଡ଼ରେ କେତୋଟି ଜାରୋୟା ଖାଲି ମରିଥାନ୍ତେ । ଜଣେ ହେଲେ ଜାରୋୟାକୁ ମାରିବା ପାଇଁ ମୋ ପାଖରେ ଅର୍ଡର ନାହିଁ । ଏହା ଛଡ଼ା ମିଃ ରାୟଚୌଧୁରୀଙ୍କୁ ବଞ୍ଚାଇ ହେବ କି ନାହିଁ ସନ୍ଦେହ । କିଏ କେବେ ଏ ଭଳି ଅବସ୍ଥାରେ ବଞ୍ଚିପାରେ ।

 

କୌଶିକ ବର୍ମା ଚଉକିରୁ ଉଠିପଡ଼ି ଧମକ୍ ଦେଇ କହିଲେ—ତା’ ବୋଲି କୌଣସି ଚେଷ୍ଟା କରିବେ ନାହିଁ । ମିଃ ରାୟଚୌଧୁରୀ କିଏ ଜାଣନ୍ତି ? ଏଭଳି ସାହାସୀ ଦୃଢ଼ ପୁରୁଷ କେବଳ ସାହେବମାନଙ୍କ ଭିତରେ ଦେଖାଯାନ୍ତି । କିନ୍ତୁ ଭାରତୀୟମାନଙ୍କ ଭିତରେ ତାଙ୍କ ପରି ଲୋକ କେତେଜଣ ଅଛନ୍ତି ? ଏଭଳି ଲୋକ ଆମ ଦେଶ ପାଇଁ ଗର୍ବର କଥା । ସେ ଲୋକଟାକୁ ବଞ୍ଚାଇବା ପାଇଁ ବି ଥରେ ହେଲେ ଆମେ ଚେଷ୍ଟା କରିବୁ ନାହିଁ । ଛି—ଛି—କି ଲଜ୍ଜାର କଥା । ଏବେ ସିକ୍ୟୁରିଟ୍ ଫୋର୍ସ ପଠାଇବା ପାଇଁ ଯୋଗାଡ଼ କରନ୍ତୁ । ମୁଁ ବି ସେ ପାର୍ଟି ସହ ଯିବ ।

 

ଏସ୍. ପି. କହିଲେ—ଏଇ ରାତିଟାରେ ସାର୍ ! ତେବେ ତ ଅସମ୍ଭବ ।

 

ଅସମ୍ଭବ । କାହିଁକି ?

 

ମୋଟର ବୋଟ୍‌ ନେଇ ଏତେ ବାଟ ଯିବାକୁ ଅନ୍ତତଃ ତିନି ଚାରି ଘଣ୍ଟାରୁ କମ୍‌ ଲାଗିବ ନାହିଁ । ଏ ସମୟରେ ବଣ ଭିତରଟା ବି ଅସମ୍ଭବ ଭାବରେ ଅନ୍ଧାର ହୋଇଥିବେ । ଏବେ ଯିଏ ତା’ ଭିତରକୁ ଯିବ ଜୀବନ ଧରି ଫେରିବା କଷ୍ଟ । ଆପଣ ସାର୍‌ କ’ଣ ଜାଣନ୍ତି ନାହିଁ, ଚବିଶ ଘଣ୍ଟା ଜାରୋୟାମାନେ ସମୁଦ୍ର ପହରା ଦିଅନ୍ତି ।

କୌଶିକ ବର୍ମା କହିଲେ—ମୋଟର ବୋର୍ଟ ସହିତ ସର୍ଚ୍ଚ୍ ଲାଇଟ୍‌ ଖଞ୍ଜା ଯାଇପାରେ । ସର୍ଚ୍ଚ ଲାଇଟର ଆଲୋକଟା ବହୁଦୂର ପର୍ଯ୍ୟନ୍ତ ପଡ଼ି ପାରିବ । ଅସୁବିଧା କ’ଣ ।

ସାର ଆପଣ ଟିକିଏ ଗଭୀର ଭାବରେ ଚିନ୍ତା କରନ୍ତୁ ସାର୍‌ । ଟର୍ଚ୍ଚ ଲାଇଟ୍‌ର ଆଲୁଅ କେତେ ବାଟ ପର୍ଯ୍ୟନ୍ତ ପଡ଼ିପାରିବ ଭାବିଲେ । ଦ୍ୱୀପଟା ଯେ ଅନେକ ବଡ଼ । ଏହା ଛଡ଼ା ଜାରୋୟାମାନେ ବିନା ଯୁଦ୍ଧରେ ପାଦେ ହେଲେ ପଛକୁ ହଟିବେ ନାହିଁ । ଏଥିରେ ଦୁଇ ପକ୍ଷର ଧନ ଜୀବନ ନଷ୍ଟ ହେବ । ଏ ନୀତି ତ ଆମର ନୁହେଁ ସାର୍‌ ।

କୌଶିକ ବର୍ମା ଗାଲରେ ହାତଦିଟା ଦେଇ କିଛି ଚିନ୍ତା କରିବାକୁ ଲାଗିଲେ ।

ଏଥରକ ଦାସଗୁପ୍ତ କହିଲେ—ସାର୍‌, ମୋ ଛୋଟ କଥା ମାନିବେ ।

ହଉ କୁହନ୍ତୁ ।

ଗୋଟିଏ ଉପାୟରେ ସାହାଯ୍ୟ କରାଯାଇପାରେ । ବୋଟ୍‌ରେ ନ ଯାଇ ଯଦି ଆମେ ହେଲିକେପ୍‍ଟରରେ ଯିବା ତାହାହେଲେ ଶୀଘ୍ର ପହଞ୍ଚି ହେବ । ହେଲିକେପ୍‍ଟର ଉପରୁ ଆଲୁଅ ପକାଇ ସାରା ଦ୍ୱୀପଟାକୁ ଖୋଜାଯାଇ ପାରେ । ଏଥିରେ ଯୁଦ୍ଧ ହେବାର ପ୍ରଶ୍ନ ହିଁ ଉଠିପାରେ ନା । ତା’ ଛଡ଼ା ଜାରୋୟାମାନଙ୍କ ତୀର ହେଲିକେପ୍‍ଟର ପର୍ଯ୍ୟନ୍ତ ଆସି ପାରିବ ନାହିଁ ।

କୌଶିକ ବର୍ମା ହାତଟାକୁ ଟେବୁଲ ଉପରେ ବାଡ଼େଇ ଦେଇ କହିଲେ—ଗୁଡ଼୍‌, ଭେରି ଗୁଡ଼୍‌ । ସେହି ବ୍ୟବସ୍ଥା ହିଁ କରାଯାଉ ।

 

ଦାସଗୁପ୍ତ କହିଲେ—ଆମ ସାଥିରେ ପ୍ରୀତମ୍‌ ସିଂ ଗଲେ ଭଲ ହେବ ସାର୍‌ ।

 

ପ୍ରୀତମ୍‌ ସିଂ ?

 

ସେ ଏଇଠି ପୋଲିସ୍‌ ଇନିସ୍‌ପେକ୍‌ଟର ଥିଲେ । ସେ ଜାରୋୟାମାନଙ୍କ ଭାଷା ମଧ୍ୟ ବୁଝି ପାରନ୍ତି । ହେଲିକେପ୍‍ଟର ଉପରୁ ସେ ଜାରୋୟାମାନଙ୍କ ସାଙ୍ଗରେ କଥାବାର୍ତ୍ତା ମଧ୍ୟ କରି ପାରିବେ । ମିଃ ରାୟଚୌଧୁରୀଙ୍କୁ ଯଦି ନ ମାରି ବନ୍ଦୀ କରି ରଖିଥାନ୍ତି ତେବେ ପ୍ରୀତମ୍‌ ସିଂର କଥାରେ ତାଙ୍କୁ ଛାଡ଼ି ଦେଇ ପାରନ୍ତି । ପ୍ରୀତମ୍‌ ସିଂ ଛଡ଼ା ଆଉ କେହି ଜାରୋୟାଙ୍କ ସହିତ ଆଳାପ ଆଲୋଚନା କରି ପାରିବ ନାହିଁ ।

 

କୌଶିକ ବର୍ମା ଏକାବେଳକେ ଅବାକ୍‌ ହୋଇଯାଇ କହିଲେ—ସେଭଳି ଲୋକ ମଧ୍ୟ ଏଠି ଅଛନ୍ତି । ତେବେ ଆପଣମାନେ କିଛି ଚେଷ୍ଟା କରୁ ନ ଥିଲେ କାହିଁକି ?

 

ମିଃ ମିଂ ଟିକିଏ ଗମ୍ଭୀର ହୋଇଯାଇ କହିଲେ—ହଁ ସାର୍‌ । ପ୍ରୀତମ୍‌ ସିଂଙ୍କୁ ଡକାଇ ତାଙ୍କ ସହିତ ପରାମର୍ଶ କରିଥିଲି କିନ୍ତୁ ପ୍ରୀତମ୍‌ ସିଂ କହିଲେ ଆଉ ଏବେ ଚେଷ୍ଟାକରି କିଛି ଲାଭ ନାହିଁ । ତାଙ୍କୁ ମଧ୍ୟ ଜାରୋୟାମାନେ ଜଙ୍ଗଲ ଭିତରକୁ ଛାଡ଼ିବେ ନାହିଁ ।

 

ପ୍ରୀତମ୍‌ ସିଂ ହେଲିକେପ୍‍ଟର ଭିତରୁ ଜାରୋୟାଙ୍କ ସହିତ କଥାବାର୍ତ୍ତା କରିବାର କିଛି ଅସୁବିଧା ହେବନାହିଁ । ଅନ୍ତତଃ ପ୍ରକୃତ ଘଟଣାଟା ତ ଜାଣିହେବ । ହେଲିକେପ୍‍ଟର କେଉଁଠି ଅଛି, ଚାଲନ୍ତୁ ଯିବା ସେଠିକି ।

 

ଆଜ୍ଞା, ଆମ ଡିପାର୍ଟମେଣ୍ଟରେ ହେଲିକେପ୍‍ଟର ନାହିଁ ତ ।

 

ଦାସଗୁପ୍ତ ପୁଣି ପାଟି ଫିଟାଇ କହିଲେ—ନେଭି ଡିପାର୍ଟମେଣ୍ଟର ଗୋଟିଏ ହେଲିକେପ୍‍ଟର ଅଛି—ଆମେ କହିଲେ ସେଟା ମିଳି ନ ପାରେ । କିନ୍ତୁ ଆପଣ ଚେଷ୍ଟା କଲେ ମିଳିଯାଇ ପାରେ ।

 

ମୁଁ ଏଇକ୍ଷଣି ଅର୍ଡର କରିଦେଉଛି ।

 

କୌଶିକ ବର୍ମା ତାଙ୍କ ସେକ୍ରେଟାରୀକୁ ଡାକି ଅର୍ଡର ପାଇଁ କହିଲେ । ତା’ ପରେ ଏସ୍‌.ପି. ସାହେବଙ୍କୁ ଚାହିଁ କହିଲେ ଜଣେ ଲୋକଦ୍ୱାରା ଚିଠି ଶୀଘ୍ର ପଠାଇ ଦିଅନ୍ତୁ । ତାଙ୍କୁ କହିବେ ଅଧଘଣ୍ଟା ଭିତରେ ହେଲିକେପ୍‍ଟର ମିଳି ପାରିବ କି ନାହିଁ ବୁଝି ଆସି ଖବର ଦେବେ ।

 

ସଙ୍ଗେ ସଙ୍ଗେ ଜଣେ ସିପାହୀ ଚିଠି ଧରି ଦୌଡ଼ିଲା । କିନ୍ତୁ ଅଳ୍ପ ସମୟ ପରେ ଦୁଃସମ୍ୱାଦ ନେଇ ଫେରିଲା ।

 

ନେଭି ଡିପାର୍ଟମେଣ୍ଟର ଦୁଇଟି ମାତ୍ର ହେଲିକେପ୍‍ଟର । ଗୋଟିଏ ଚାଲି ଯାଇଚି ନିକୋବର । ଫେରିବ ତିନି ଚାରିଦିନ ଭିତରେ । ଅନ୍ୟଟା ଖରାପ ହୋଇ ପଡ଼ି ରହିଛି, ସେହିଟାକୁ ସଜାଡ଼ିବାର ଚେଷ୍ଟା ଚାଲିଛି ।

 

କୌଶିକ ବର୍ମା ପାଟିକରି ଉଠିଲେ—ସେ ଗୋଟାକ ଯେମିତି ହେଉ ସଜାଡ଼ି ଦେବାକୁ ହେବ, ଖୁବ୍‌ ଶୀଘ୍ର । ଅଧଘଣ୍ଟାଏ ବା ଘଣ୍ଟାକ ଭିତରେ ।

 

ଦାସଗୁପ୍ତଙ୍କ ମୁହଁ ଖଣ୍ଡକ ଶୁଖିଗଲା । ଏତେ ଚେଷ୍ଟାକରି ମଧ୍ୟ କିଛି ଫଳ ହେଉନାହିଁ । ସବୁ ଫେଲ୍‌ ମାରୁଛି । ହେଲିକେପ୍‍ଟର ବି ଥିଲା ଏତିକିବେଳକୁ ଖରାପ ହୋଇଯିବାକୁ ।

 

କୌଶିକ ବର୍ମା କହିଲେ—ଚାଲନ୍ତୁ, ମୁଁ ଥରେ ହେଲିକେପ୍‌ଟରଟାକୁ ଦେଖିଆସେ ।

 

ଏପଟେ ବଣ ଭିତରେ କେତେ କଥା ଘଟିଲାଣି ।

 

ହଠାତ୍‌ ଗୁଳି ଶବ୍ଦ ତା’ ପରେ ଦାଦା କ୍ରାଚଭରା ଦେଇ ଡେଇଁ ଡେଇଁ ଚାଲିଆସିଲେ ନିଆଁ ନିକଟକୁ । ସେ ଧଣିଥିବା ରିଭର୍‌ଭରଟା ବୃଦ୍ଧଙ୍କ ଛାତିକୁ ଲକ୍ଷ୍ୟ କରି ରହିଯାଏ ।

 

ଘଟଣାଟା ଏତେ ଦ୍ରୁତ ଗତିରେ ଘଟି ଯାଇଥିଲା ଯେ ଜାରୋୟାମାନେ ପ୍ରଥମେ କିଛି ବୁଝି ପାରି ନ ଥିଲେ । ତା ପରେ ଦାଦାଙ୍କୁ ଦେଖିଦେଇ ଏକାବେଳେକେ ଚିତ୍କାର କରି ଉଠିଲେ ।

 

ଦାଦା ବୃଦ୍ଧ ରାଜାଙ୍କୁ ଏଥର ଇଂରାଜୀରେ କହିଲେ—ଆପଣ ଆପଣଙ୍କ ଲୋକମାନଙ୍କୁ କୁହନ୍ତୁ : କିଏ ଯେମିତି ମୋ ଦେହରେ ଟିପ ଦେବାକୁ ଚେଷ୍ଟା ନ କରନ୍ତି । ଯଦି କୌଣସି ଭୁଲ୍‍ବଶତଃ ମୋ ନିକଟକୁ ଆସେ ତେବେ ତା’ ପୂର୍ବରୁ ମୁଁ ଆପଣଙ୍କୁ ଶେଷ କରି ଦେଇଥିବି ।

 

ବୃଦ୍ଧ ରାଜା ଜଣକ ଟିକିଏ ହେଲେ ବି କଥାରେ ବିଚଳିତ ହେଲେ ନାହିଁ । ତାଙ୍କ ପାଚିଲା ଆଖିପତା ତଳେ ଯେମିତି ନିଆଁ ଜଳୁଛି । ସେ କିଛି ସମୟ ପାଇଁ ଦାଦାଙ୍କୁ କେବଳ ଚାହିଁ ରହିଲେ । ତା’ ପରେ ଦୁଇଟାଯାକ ହାତ ମୁଣ୍ଡ ଉପରକୁ ଟେକି ଧରିଲେ । ଜାରୋୟାମାନେ ସଙ୍କେତ ପାଇଁ ସବୁ ଚୁପ୍‌ଚାପ ହୋଇଗଲେ ।

 

ବୃଦ୍ଧରାଜା ଜଣକ ଏଥରକ ଇଂରାଜୀରେ କହିଲେ—ତୁମେ କିଏ ?

 

ଦାଦା କହିଲେ, ତା’ ପୂର୍ବରୁ କୁହନ୍ତୁ—ଆପଣ କିଏ ସେ ? ଆପଣ ତ ଜାରୋୟା ନୁହନ୍ତି, ତାହା ବେଶ୍‌ ଜଣାପଡ଼ି ଯାଉଛି । ଆପଣ ଜଣେ ସଭ୍ୟ ମଣିଷ । ଏ ସାହେବମାନଙ୍କୁ ପୋଡ଼ି ମାରି ଦେଉଛନ୍ତି କାହିଁକି ?

 

ବୃଦ୍ଧ ରାଜା ଜଣକ ଚିକ୍‍କରି ଭୂଇଁରେ କେତେବୁନ୍ଦା ଛେପ ପକାଇବାକୁ ଲାଗିଲେ । ସେ ଏକଲୟରେ ଦାଦାଙ୍କୁ ଚାହିଁ କହିଲେ, ତୁମେ ମୋତେ ଗୁଳି କଲେ ତୁମେ ନିଜେ ମଧ୍ୟ ଜୀବନ ଧରି ଫେରିପାରିବ ନାହିଁ । ତୁମକୁ ଏମାନେ ଶେଷ କରିଦେବେ । ତୁମେ କାହିଁକି ଏଠାକୁ ଆସିଲ ?

 

Unknown

ଦାଦା କହିଲେ—ମୁଁ ଗୁଳି କରିବି କି ନାହିଁ ସେ ପର କଥା: କିନ୍ତୁ ତା’ ପୂର୍ବରୁ ରିଭଲ୍‌ଭର୍‌ଟା ଛଡ଼ାଇ ନେବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏହା କରିବା ପୂର୍ବରୁ ରିଭଲ୍‌ଭର୍‌ରୁ ଗୁଳି ଛୁଟି ସାରିଥିବ ।

 

ବୃଦ୍ଧରାଜା ଜଣକ ଦାଦାଙ୍କ ନିକଟକୁ ଆଗେଇ ଆସିଲେ । ଏବଂ ତାଙ୍କ ଆଖି ସହିତ ଆଖି ମିଳାଇ କହିଲେ—ବଙ୍ଗଳା ଭାଷାରେ । ତୁମେ ଏ ନିଆଁଟାକୁ ଦେଖିବାକୁ ଆସିଛ ? ଏ ନିଆଁଟା ତେବେ ଏଡ଼େ ଦାମିକା ଜିନିଷ । ଠିକ୍‌ ଅଛି, ତୁମ ସମସ୍ତଙ୍କୁ ଏକା ସାଙ୍ଗରେ ତା’ରି ଭିତରକୁ ପଠାଇ ଦେବି ।

 

ଦୂର ଗଛ ଉହାଡ଼ରୁ ରହି ସନ୍ତୁ ସବୁ ଶୁଣୁଛି । ବୃଦ୍ଧ ରାଜା ବଙ୍ଗଳାରେ କହିଲେ, ତୁମେ ଏ ନିଆଁଟାକୁ ଦେଖିବାକୁ ଆସିଛ ?

 

ସନ୍ତୁ ନିଜ କାନ ଦିଟାକୁ ମଧ୍ୟ ବିଶ୍ୱାସ କରି ପାରିଲା ନାହିଁ ।

 

ଦାଦା ଅବାକ୍‌ ହୋଇପଡ଼ି କହିଲେ—ଆପଣ ଜଣେ ବଙ୍ଗାଳୀ ?

 

ବୃଦ୍ଧରାଜା ଏହାର ଉତ୍ତର ଦେବା ପୂର୍ବରୁ ଦାଦାଙ୍କ ହାତରୁ ରିଭଲ୍‌ଭର ଖଣ୍ଡିକ ଝାମ୍ପି ଆଣିବାକୁ ହାତ ବଢ଼ାଇଲେ ।

 

ଦାଦା କହିଲେ, ଖବରଦାର୍‌ ! ସେ ଦୁଃସାହସ କରନ୍ତୁ ନାହିଁ । ଆଉ ପାଦେ ଆଗେଇ ଆସିଲେ ଗୁଳି ଛୁଟିବ । ଏଥିରେ ଭୁଲ୍‍ ହେବନାହିଁ ।

 

ବୃଦ୍ଧରାଜା ଜଣକ ଆଗେଇ ଆସୁଛନ୍ତି ଅଥଚ ଦାଦା ଗୁଳି ମାରି ପାରୁନାହାନ୍ତି । ହାତଟା ଥରୁଛି । ସେ କହିଲେ, ଆପଣଙ୍କୁ ମୁଁ କେବେହେଁ ମାରିଦେବାକୁ ଚାହେଁ ନା । ମୁଁ କେବଳ ଜାଣିବାକୁ ଚାହେଁ, ଆପଣ କିଏ ସେ ?

 

ବୃଦ୍ଧରାଜା ଦାଦାଙ୍କ ଡାହାଣ ହାତଟାକୁ ଜୋର୍‌ରେ ଆଘାତ କଲେ ଓ ଦାଦା ଧରିଥିବା ରିଭଲ୍‌ଭରଟା ଯାଇ ପଡ଼ିଲା ଖଣ୍ଡେ ଦୂରରେ । ଦାଦା ସେଟାକୁ ଉଠାଇବା ପାଇଁ ଭୂଇଁରେ ହାମୁଡ଼ି ପଡ଼ିଲେ । ଦାଦାଙ୍କର ଯେ ଗୋଟିଏ ଗୋଡ଼ ନାହିଁ ସଦାବେଳେ ଏ କଥାଟି ଖିଆଲ ରହେନା । ଦାଦା ତଳେ ପଡ଼ିଯିବାରୁ ବୃଦ୍ଧ ରାଜା ଜଣକ ଦାଦାଙ୍କ ପିଠି ଉପରେ ଗୋଡ଼ଟାକୁ ଚାପିଧରି ଠିଆ ହୋଇଗଲେ ।

 

ଏ ଦୃଶ୍ୟ ଦେଖି ଜାରୋୟାମାନେ ଆନନ୍ଦରେ କୋଳାହଳ କରିବାକୁ ଲାଗିଲେ । ସେମାନେ ଦେଖିଲେ ଯେ, ତାଙ୍କ ବୃଦ୍ଧରାଜା ବନ୍ଧୁକ ବା ଗୁଳିକୁ ମଧ୍ୟ ଖାତିର କରୁ ନାହାନ୍ତି । ଦାଦା ଜୋର୍‌କରି ଉଠିବାକୁ ଚେଷ୍ଟା କରୁଥିବାରୁ ଦୁଇଜଣ ଜାରୋୟା ଆସି ତାଙ୍କୁ ମାଡ଼ି ବସିଲେ ।

 

ହାତ ଗୋଡ଼ ବନ୍ଧା ସାହେବମାନେ ବି ପାଟିକରି ଉଠିଲେ ।

 

ସନ୍ତୁ ଦୂରରେ ଲୁଚିରହି ସବୁ ଦେଖୁଥିଲା, ଏ ଦୃଶ୍ୟ ଦେଖି ତା’ ଦେହ ସେତେବେଳେକୁ ଥଣ୍ଡା ହୋଇ ଆସୁଥାଏ । ଏଥର ତା’ ଦାଦାଙ୍କୁ ମାରିଦେବା ସୁଚିଶ୍ଚିତ । ସନ୍ତୁ ଏକୁଟିଆଟାରେ କିପରି ଦାଦାଙ୍କୁ ବଞ୍ଚାଇବେ ଭାବି ପାରିଲା ନାହିଁ । ସନ୍ତୁ ଏପର୍ଯ୍ୟନ୍ତ ଜାରୋୟାଙ୍କୁ ଦେଖା ଦେଇ ନାହିଁ ।

 

ବୃଦ୍ଧରାଜା ଚିକ୍‌ କରି ଭୂଇଁରେ ଛେପ ପକାଇବାକୁ ଲାଗିଲେ । ତା’ ପରେ ଖୁବ୍‌ କଡ଼ା ଗଳାରେ କହିଲେ, ତୁମ ସମସ୍ତଙ୍କୁ ଏକା ସଙ୍ଗରେ ଯମ ଭୂବନକୁ ପଠାଇ ଦେବି । ଜାରୋୟାମାନେ ତ ସେ ତାଙ୍କର ଶାନ୍ତିରେ ଅଛନ୍ତି, କେବେ ତ କାହାର କୌଣସି କ୍ଷତି କରୁନାହାଁନ୍ତି । ଆପଣମାନେ କାହିଁକି ଯେ ଦଳକୁ ଦଳ ଏଠିକୁ ଆସି ଅଶାନ୍ତି ସୃଷ୍ଟି କରୁଛନ୍ତି, ତାହା ଭଗବାନଙ୍କୁ ହିଁ ଜଣା ।

 

ଦାଦା କହିଲେ, ଆପଣ ଜାରୋୟା ନୁହନ୍ତି, ତାହାହେଲେ ଆପଣଙ୍କ ପରିଚୟ କ’ଣ ।

 

ମୁଁ ଏକ ସମୟରେ ବଙ୍ଗାଳୀ ଥିଲି । ବର୍ତ୍ତମାନ କିନ୍ତୁ ମୁଁ, ଏମାନଙ୍କ ଭିତରୁ ଜଣେ । ଆମେ ତୁମ୍ଭମାନଙ୍କ ପରି ପରାଧୀନ ନୋହୁଁ, ଆମେ ସ୍ୱାଧୀନ ।

 

ଦାଦା କହିଲେ, ଖୁବ୍‌ କଷ୍ଟ ହେଉଛି, ମୋତେ ପ୍ରଥମେ ଉଠିବାକୁ ଦିଅନ୍ତୁ ।

 

ତୁମର ସମସ୍ତ କଷ୍ଟ ଏଇକ୍ଷଣି ଦୂର ହୋଇଯିବ । ଅପେକ୍ଷା କର, ତୁମେ ଏ ନିଆଁଟାକୁ ଦେଖିବାକୁ ଆସିଥିଲ ନା, ଏହି ନିଆଁ ଭିତରେ ହିଁ ତୁମେ ସମସ୍ତେ ବିଲୀନ ହୋଇଯିବ । ତୁମେ ଯେବେ ସବୁ ଜୁଆଚୋର ଦଳ ।

 

ଦାଦା କହିଲେ, ମୁଁ କୌଣସି ଜିନିଷ ଚୋରୀ ଉଦ୍ଦେଶ୍ୟ ନେଇ ଆସି ନ ଥିଲି । ମୋର କେବଳ ଆଗ୍ରହ ଥିଲା ଏ ନିଆଁଟା ସମ୍ୱନ୍ଧରେ ଜାଣିବାକୁ ।

 

ମିଥ୍ୟା କଥା । ଯେଉଁ ପଥରଟା ଏହି ଅଗ୍ନିସ୍ଫୁରଣ ହେଉଛି, ତୁମେ ସବୁ ଆସ ସେହିଟାକୁ ହସ୍ତଗତ କରିବା ପାଇଁ । ଏ କଥା କ’ଣ ମିଛ ? ତୁମ ଆଗରୁ ଏଠାକୁ ବହୁତ ସାହେବ ଆସିଛନ୍ତି କିନ୍ତୁ ସେ ସମସ୍ତେ ଯମଭୁବନକୁ ଚାଲି ଯାଇଛିନ୍ତି । ତୁମେ ଜଣେ ବଙ୍ଗାଳୀ ହୋଇ ମଧ୍ୟ ଏ ସାହେବମାନଙ୍କୁ ବାଟ ଦେଖାଇ ନେଇ ଆସିଛ । ସାହେବମାନେ ପାଷାଣ୍ଡ, ପରାଧୀନ ଦେଶର ମଣିଷ ଏକରକମ କାପୁରୁଷ ବନିଯାଏ ।

 

ମୁଁ ସେମାନଙ୍କ ସାଥିରେ ଆସିନାହିଁ କି ସେମାନଙ୍କର ପଥ ପ୍ରଦର୍ଶକ ହୋଇ ମଧ୍ୟ ଆସିନାହିଁ ।

 

ଚୁପ୍‌ ! ମିଥ୍ୟାକଥା କହୁଛ ।

 

ବୃଦ୍ଧରାଜା ଦାଦାଙ୍କୁ ଆଉ ବେଶି କହିବାକୁ ଦେଲେ ନାହିଁ । ଜାରୋୟାଙ୍କୁ ଚାହିଁ କ’ଣ ଇଙ୍ଗିତ କଲେ । ସଙ୍ଗେ ସଙ୍ଗେ ସେମାନେ ଦାଦାଙ୍କୁ ଟେକି ଧରିନେଲେ । ଏଥର ବୋଧହୁଏ ଅଗ୍ନି ଭିତରକୁ ଠେଲିଦେବେ ।

 

ସନ୍ତୁ ଆଉ ଧୈର୍ଯ୍ୟ ଧରି ଅପେକ୍ଷା କରି ପାରିଲା ନାହିଁ । ତା’ର ଯାହା ହୋଇଯାଉ ପଛେ, ସେ ଦାଦାଙ୍କ ସାଥିରେ ହିଁ ମରିବ ।

 

ସନ୍ତୁ ଦାଦା କହି ତୀର ଭଳି ଛୁଟିବାକୁ ଲାଗିଲା । କୌଣସି ଜାରୋୟା ତାକୁ ଅଟାକଇ ରଖି ପାରିଲେ ନାହିଁ । ସେ ସିଧା ଆସିଗଲା ଦାଦାଙ୍କ ନିକଟକୁ । ସନ୍ତୁକୁ ଦେଖି ଦାଦା ମଧ୍ୟ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଗଲେ । ଧୀରେ କହିଲେ, ତେବେ ତୁ ଯାଇନାହୁଁ, ତୋତେ ତ ମୁଁ କହିଥିଲି.....

 

ବୃଦ୍ଧରାଜା ଜଣକ ସନ୍ତୁକୁ ଏକ ଲୟରେ ଦେଖିବାରେ ଲାଗିଥାନ୍ତି । ଟିକିଏ ପରେ କହିଲେ, ଏ ବାଳକଟି କିଏ ସେ ?

 

ଦାଦା କହିଲେ, ମୋ ପୁତୁରା । ଆପଣ ମୋତେ ମାରିବାକୁ ଚାହୁଁଛନ୍ତି ମାରନ୍ତୁ କିନ୍ତୁ ଏ ପିଲାଟିକୁ ଛାଡ଼ି ଦିଅନ୍ତୁ । ଏତିକି ଅନୁରୋଧ କରୁଛି ।

 

ଏ ଟିକି ପିଲାଟିକୁ ବି ସାହେବଙ୍କ ଗୋଲାମ କରି ରଖିଛ ।

 

ସନ୍ତୁ କାନ୍ଦ କାନ୍ଦ ହୋଇ କହିଲା—ବିଶ୍ୱାସ କରନ୍ତୁ, ଆମେ ଏ ସାହେବମାନଙ୍କ ସାଙ୍ଗରେ ମୋଟେ ଆସିନାହୁଁ । ଆମେ ଅଲଗା ଆସିଛୁ, ଏ ସାହେବମାନେ ବି ଆମକୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ ।

 

ବୃଦ୍ଧରାଜା କହିଲେ—ମୋ ପାଖକୁ ଆ ।

 

ବୃଦ୍ଧରାଜାଙ୍କ ଚକ୍ଷୁଦିଟାକୁ ଦେଖିଲେ ଯେ କୌଣସି ଲୋକ ଭୟ ପାଇଯିବାର କଥା । ତେବେ ସନ୍ତୁ ପାଦେ ପାଦେ ଡରିଡରି ଆଗକୁ ଗଲା । ବୃଦ୍ଧରାଜା ହାତଦିଟା ବଢ଼ାଇ ସନ୍ତୁ ଗାଲଦିଟା ଚିପିବାକୁ ଲାଗିଲେ । ବୃଦ୍ଧଙ୍କର ଦେହର ସମସ୍ତ ଚମଡ଼ା ଓହଳି ପଡ଼ିଛି । ଲମ୍ୱା ଲମ୍ୱା ହାଡ଼ୁଆ ଆଙ୍ଗୁଠି ଗୁଡ଼ାକରେ ଆଉଁସି ଆଣିବାରୁ ସନ୍ତୁର ଶରୀରଟା ଶିତେଇ ଉଠିଲା ।

 

ବୃଦ୍ଧରାଜା କ’ଣ ଭାବି ଆକାଶରୁ କିଛିକ୍ଷଣ ଚାହିଁ ରହିଲେ । ତାଙ୍କ ମୁଖମଣ୍ଡଳରେ ଦୁଃଖର ଛାୟା ଖେଳିଗଲା । ସେ ମନକୁ ମନ କହିଚାଲିଲେ—ମୋର ଠିକ୍‌ ଏ ବୟସରେ ଭାଇଟିଏ ଥିଲା । ସେ ଏବେ ଜୀବିତ ନା ମୃତ ଜାଣି ପାରିନାହିଁ ।

 

ତା’ପରେ ମୁହଁଟାକୁ ତଳକୁ କରି ସନ୍ତୁକୁ ପଚାରିଲେ—ତୋ ନାଁ କ’ଣ କରେ ବାପ ?

 

ସୁନନ୍ଦ ରାୟଚୌଧୁରୀ । ମୋ ଦାଦା ଜଣେ ଖୁବ୍‌ ନାମଜାଦା ଲୋକ । ସେ ମୋଟେ ଚୋର ବା ଡକାୟତ ନୁହଁନ୍ତି ।

 

ଅନେକ ବିଜ୍ଞ ଲୋକ ବି ଦସ୍ୟୁ ବନିଯାଇଛନ୍ତି । କେବଳ ଟଙ୍କା ପାଇଁ ପଇସାର ମୋହରେ ଏମାନେ ସାହେବମାନଙ୍କର ପଦଲେହନ କରିବାକୁ ପଶ୍ଚାଦ୍‌ପଦ ହୁଅନ୍ତି ନାହିଁ ।

 

କିନ୍ତୁ ମୋ ଦାଦା ସେପରି ନୁହଁନ୍ତି ।

 

ତାହାହେଲେ ସାହେବମାନଙ୍କୁ ବଞ୍ଚାଇବା ପାଇଁ ତାଙ୍କର ଏଡ଼େ ଦରଦ କାହିକିଁ ?

 

ଏବେ ଦାଦା ପାଟି ଫିଟାଇ କହିଲେ—କୌଣସି ମଣିଷକୁ ଜୀବନରେ ମାରିଦେବାଟା ମୁଁ ପସନ୍ଦ କରେ ନାହିଁ । ଏମାନଙ୍କୁ ଅନ୍ୟ କୌଣସି ଶାସ୍ତି ମଧ୍ୟ ଦିଆଯାଇପାରେ । କିନ୍ତୁ ଜୀବନ ନଷ୍ଟ କରିଦେବା ସପକ୍ଷରେ ମୁଁ ନୁହେଁ ।

 

ଏମାନେ ଆମର ପନ୍ଦର ଜଣ ଜାରୋୟାଙ୍କୁ ହତ୍ୟା କରିଛନ୍ତି । କାହିଁକି ? କୋଉଥିପାଇଁ-? ଜାରୋୟାମାନେ ସେମାନଙ୍କର କ’ଣ କ୍ଷତି କରୁଥିଲେ । ଜାରୋୟାମାନେ ଏଠି ଶାନ୍ତିରେ ପଡ଼ି ରହିଛନ୍ତି, ଏମାନେ ତ ଅନ୍ୟ କାହାର ଇଲାକା ଭିତରକୁ ପଶି ହତ୍ୟା କରୁ ନାହାନ୍ତି । କହୁନ, ଚୁପ୍‌ କାହିଁକି ?

 

ସତ କଥା, ସାହେବମାନେ ଖୁବ୍‌ ବର୍ବରୋଚିତ କାର୍ଯ୍ୟ କରିଛନ୍ତି, ମୁଁ ସେକଥା ମାନୁଛି । ସେଥିପାଇଁ ସେମାନଙ୍କର ବିଚାର ହେବା ଦରକାର । ଆପଣ ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ଏଭଳି ଅନ୍ୟାୟ କରୁଛନ୍ତି କିଭଳି ?

 

ଚୁପ୍‌କର । ତୁମର ସଭ୍ୟତା ଶିକ୍ଷାଦୀକ୍ଷାକୁ ମୁଁ ଘୃଣା କରେ ।

 

ଦାଦାଙ୍କୁ ଏ ପର୍ଯ୍ୟନ୍ତ ଦୁଇତିନିଜଣ ଜାରୋୟା ଧରି ରଖିଥିଲେ । ନିଆଁଟା ଏହିଠାରେ ଖୁବ୍‌ ନିକଟରେ ଥିବା ଯୋଗୁଁ ନିଆଁର ଧାସ ଗୁଡ଼ାକ ଦେହରେ ବାଜୁଥାଏ । କିନ୍ତୁ ନିଆଁର ବିଭିନ୍ନ ପ୍ରକାର ଆଲୋକ ଯୋଗୁଁ ଦେଖିବାକୁ ଭଲ ଲାଗୁଥାଏ ।

 

ହଠାତ୍‌ କୁଆଡ଼ୁ ବର୍ଷା ଆସିଲା । ଝର ଝର ଶବ୍ଦରେ ବନଭୂମି କମ୍ପି ଉଠିଲା । ଏଠି ତ ଯେତେବଳେ ସେତେବେଳେ ବର୍ଷା ଆସି ପାଣି ଛାଡ଼ିଯାଏ । ସନ୍ତୁ ଭାବିଲା ଏ ବର୍ଷାରେ ନିଆଁଟା ଲିଭିଯିବ । କିନ୍ତୁ ଖୁବ୍‌ ଆଶ୍ଚର୍ଯ୍ୟର ଘଟଣା ନିଆଁଟା ଲିଭିଯିବ କ’ଣ, ବର୍ଷା ପାଣି ଗୁଡ଼ାକ ନିଆଁ ଭିତରେ ପଡ଼ି ଅଗ୍ନିକୁ ସ୍ଫୁଲିଙ୍ଗ ସୃଷ୍ଟି କରୁଥାଏ । ଅଗ୍ନିଶିଖା ଉପରେ ଅସଂଖ୍ୟ ଫୁଲଝରି ଭଳି ଦେଖା ଯାଉଥାଏ । ସନ୍ତୁ ଏ ଭଳି ଦୃଶ୍ୟ କେବେ ଦେଖି ନ ଥିଲା ।

 

ଦାଦା ବିଡ଼ ବିଡ଼ ହୋଇ ମନକୁ ମନ କହିଲେ—ଏ ନିଆଁଟା ପୃଥିବୀର ହୋଇ ନ ପାରେ-। ଏହିଟା ଆସିଛି ଅନ୍ୟ ଏକ ଗ୍ରହରୁ ।

 

ବୃଦ୍ଧ ରାଜା କହିଲେ—ଏ ନିଆଁଟା ବହୁ ବର୍ଷ ହେଲା ଜଳୁଛି କିନ୍ତୁ କେବେ ଲିଭିଯାଏନା-

 

ବର୍ଷା ଆହୁରି ଭୀଷଣ ଆକାର ଧାରଣ କଲା । ବୃଦ୍ଧ ରାଜା ଜାରେୟାମାନଙ୍କୁ କ’ଣ ଆଦେଶ ଦେଇ ପଛେଇ ପଛେଇ ଚାଲିଯିବାକୁ ଲାଗିଲେ । ଜାରୋୟାମାନେ ମଧ୍ୟ ତାଙ୍କ ସାଙ୍ଗରେ ସନ୍ତୁ ଓ ଦାଦାଙ୍କୁ ଧରି ଚାଲିଲେ । ରାଜା ପଶିଗଲେ ଗୋଟିଏ କୁଡ଼ିଆ ଘର ଭିତରକୁ । ସନ୍ତୁ ଓ ଦାଦାଙ୍କୁ ମଧ୍ୟ ସେହି ଘର ଭିତରକୁ ଠେଲିଦେଲେ ।

 

ଘର ଭିତରଟା ସେଭଳି କୌଣସି ବିଶେଷ ଧରଣର ଜିନିଷ ନାହିଁ । ମାଟିର ବେଦୀ ଉପରେ ଶୁଖିଲା ଡାଳପତ୍ର ବିଛାଇ ଦିଆଯାଇଛି । ତା’ ଉପରେ ପାରି ଦିଆ ଯାଇଛି ହରିଣ ଚମଡ଼ାଟିଏ । ଘରର ଗୋଟିଏ କୋଣରେ ଓସ୍ତ ଗଛଟାଏ ଉଠି ଯାଇଛି ଉପରକୁ । ତା’ ଦେହରେ ଝୁଲି ରହିଛି ବାଉଁଶର ଝୁଲଣୀଟିଏ । ଏହା ଭିତରେ ପାଣି ପଶି ରଖା ଯାଇଅଛି । ବୃଦ୍ଧ ରାଜା ଜଣକ ଝୁଲଣୀଟାକୁ ଭିଡ଼ି ଆଣି ଢକ୍‌ ଢକ୍‌ କରି ପାଣି ପିଇବାକୁ ଲାଗିଲେ । ତା’ପରେ ଦାଦାଙ୍କୁ ଚାହିଁ କହିଲେ, ବସ ।

 

ବସିବା ପରେ ଆଉ ଦୁଇଟି ଜିନିଷ ଉପରେ ଦାଦାଙ୍କର ଦୃଷ୍ଟି ପଡ଼ିଲା । ଘରର ଆଉ ଗୋଟିଏ କୋଣରେ ଲାଲ କପଡ଼ା ଗୁଡ଼ାଇ ହୋଇ ରଖା ଯାଇଛି ଖଣ୍ଡିଏ ବହି । ବହିଟାର ମଲାଟ ଉପରେ ‘ଗୀତା’ ଲେଖାଥିବାର ସ୍ପଷ୍ଟ ବାରି ହୋଇ ଯାଉଛି । ଆଉ ତା’ ପାଖରେ ଥୁଆ ହୋଇ ରହିଛି ଲୁହାର ହାତ କଡ଼ାଟାଏ । ପୋଲିସ ଚୋରକୁ ଯେଉଁ ହାତକଡ଼ା ପିନ୍ଧାଏ ଠିକ୍‌ ସେହିଭଳି ।

 

ବହୁ ସମୟ ଧରି ସେହି ଆଡ଼କୁ ଅନାଇ ରହିବାରୁ ବୃଦ୍ଧରାଜା କହିଲେ, ଏ ଦୁଇଟା ଜିନିଷ ହିଁ ମୋର ପୁରୁଣା ସ୍ମୃତି । ଆଉ ମୋ ନିକଟରେ କିଛି ନାହିଁ ।

 

ଦାଦା ପଚାରିଲେ, ଆପଣଙ୍କ ବୟସ କେତେ ହେବ ?

 

ବୃଦ୍ଧରାଜା ହସିଦେଇ କହିଲେ—ତା’ର ହିସାବ ରଖିନାହିଁ । କ’ଣ ଦରକାର ବୟସର ହିସାବ ରଖିବା । ଏମିତିକା କହିଲେ ନବେ କିମ୍ୱା ତା’ ଠାରୁ ବେଶୀ, ଶହେ ବି ହୋଇପାରେ । ଜାଣେନା କେତେଦିନ ଆଗରୁ ଏଠାକୁ ଆସିଥିଲି ।

 

କ’ଣ କହିଲେ, ଆପଣ ନିଶ୍ଚୟ ଗୁଣଦା ତାଲୁକଦାର ହେବେ ।

 

କିଏ ସେ ଗୁଣଦା ତାଲୁକଦାର । ତା’ କଥା ତୁମେ କେମିତିକା ଜାଣିଲ ?

 

ମୁଁ ଆଣ୍ଡାମାନକୁ ଆସିବା ପୂର୍ବରୁ ଏ ସ୍ଥାନଟି ବିଷୟରେ ଯେତେ ବହି ଥିଲା ସବୁଯାକ ପଢ଼ିଛି । ବହୁଦିନ ତଳେ ଆଣ୍ଡାମାନ ଜେଲ୍‌ରୁ ଗୁଣଦା ତାଲୁକଦାର ନାମରେ ଜଣେ ବିପ୍ଳବୀ ଖସି ଚାଲି ଯାଇଥିଲେ । ଏ ପର୍ଯ୍ୟନ୍ତ ଜଣେମାତ୍ର କଏଦୀ ସେ ଜେଲରୁ ଖସି ପଳାଇବାରେ ସମର୍ଥ ହୋଇଥିଲା । କିନ୍ତୁ ସେ ଆଉ ଧରା ପଡ଼ି ନ ଥିଲା । ସମସ୍ତେ ମନେ କଲେ ଗୁଣଦା ତାଲୁକଦାର ସମୁଦ୍ରରେ ବୁଡ଼ି ନିଶ୍ଚିହ୍ନ ହୋଇଯାଇଥିବେ ଆଜି ଏ ହାତକଡ଼ାଟା ଦେଖି ସେହି କଥା ମୋର ମନେ ପଡ଼ିଲା ।

 

ବୃଦ୍ଧରାଜା ଭ୍ରୂକୁଞ୍ଚିତ କରି କଛି ସମୟ ଚାହିଁ ରହିଲେ । ତା’ ପରେ କହିଲେ—ଏ ସମସ୍ତ ଘଟଣା ବହିରେ ଲେଖାଅଛି । ଗୁଣଦା ତାଲୁକଦାରଙ୍କ କଥା ଲୋକେ ଏବେ ବି ମନେ ରଖିଛନ୍ତି ।

 

ଦାଦା କହିଲେ, ହଁ ନିଶ୍ଚୟ । ଆପଣଙ୍କ ଛବି କେତେ ବହିରେ ଛାପା ହୋଇ ମଧ୍ୟ ରହିଛି, ଅବଶ୍ୟ ସେ ସବୁ ଦେଖି ଆପଣଙ୍କୁ ବର୍ତ୍ତମାନ ଚିହ୍ନି ହେବନାହିଁ । ଏପରିକି ଅନେକ ସ୍ଥାନରେ ଆପଣଙ୍କ ଜନ୍ମୋତ୍ସବ ମଧ୍ୟ ପାଳିତ ହୁଏ । ନେତାଜୀଙ୍କୁ ଯେଭଳି ଲୋକେ ଖୋଜି ଖୋଜି ପାଉନାହାନ୍ତି, ଆପଣଙ୍କୁ ବି ସେହିଭଳି ପାଉନାହାନ୍ତି । ଦେଶର ଲୋକେ ଆପଣଙ୍କୁ ଶ୍ରଦ୍ଧା, ଭକ୍ତି କରନ୍ତି ।

 

ନେତାଜୀ, ସେ ପୁଣି କିଏ ?

 

ଏ କ’ଣ ! ଆପଣ କେବେ ନେତାଜୀଙ୍କ କଥା ଶୁଣି ନାହାନ୍ତି । ‘ସୁବାଷ ଚନ୍ଦ୍ର ବସୁ’, ଯେ କି ଆଜାଦ ହିନ୍ଦ୍‌ ଫୌଜ ଗଢ଼ି ଇଂରେଜ ବିରୁଦ୍ଧରେ ଲଢ଼େଇ କରିଥିଲେ ।

 

ସୁବାଷ ବାବୁ ! ସେ ଯୁଦ୍ଧ କରିଛନ୍ତି, କେବେ ?

 

ଆପଣ ଏ ସବୁ ଘଟଣା କିଛି ଜାଣି ନାହାନ୍ତି ।

 

ନା । ମୋ’ ନାଁ ତେବେ ଲୋକେ ମନେ ରଖିଛନ୍ତି । ତା’ ମାନେ ପୋଲିସ ବର୍ତ୍ତମାନ ସୁଦ୍ଧା ମୋତେ ଖୋଜି ଚାଲିଛି ।

 

ପୋଲିସ ! ଆପଣଙ୍କୁ ଖୋଜିବ କାହିଁକି ? ଓଃ ସେଥିପାଇଁ ବୋଧହୁଏ ଆପଣ ଆମକୁ ପରାଧୀନ ମଣିଷ ବୋଲି କହୁଛନ୍ତି । ଆମ ଦେଶ ତ ବହୁତ ଦିନରୁ ସ୍ୱାଧୀନ ହୋଇସାରିଲାଣି, ଏଇ ଯେ ସନ୍ତୁ ସେ ତ ସ୍ୱାଧୀନ ଭାରତର ଜନ୍ମ ହେଇଛି । ଏବେ ଆମ ଦେଶ ପୃଥିବୀରେ ଏକ ପ୍ରଧାନ ଦେଶ ।

 

ସ୍ୱାଧୀନ ହୋଇସାରିଛି ?

 

ହଁ । ଦେଶ ପାଇଁ ଆପଣ କେତେ ଲଢ଼େଇ କରିଛନ୍ତି, ଜେଲ ଭୋଗିଛନ୍ତି ଅଥଚ ଏ ଖୁସି ଖବରଟା ରଖି ପାରି ନାହାନ୍ତି ।

 

ମୁଁ—ଗତ ପଚାଶ କି ଷାଠିଏ ବର୍ଷ ହେଲା ବାହାରର କୌଣସି ସଭ୍ୟ ମଣିଷ ସହିତ ସମ୍ପର୍କ ରଖିନାହିଁ ।

 

ଆପଣଙ୍କ ସମ୍ୱାଦଟା ଦେଶ ଜାଣିଗଲେ ସମସ୍ତେ ଖୁସିରେ ନାଚି ଉଠିବେ । ସାରା ଦେଶ ଉତ୍ସବ ମୁଖରିତ ହୋଇ ଉଠିବ ।

 

ମୁଁ ଏଠି ଶାନ୍ତିରେ ଅଛି । କୁଆଡ଼େ ଯିବାକୁ ଚାହୁଁନାହିଁ ।

 

ଆପଣ ଏଠିକୁ ଆସିଲେ କିମିତି ? ଜାରୋୟାମାନେ ଆପଣଙ୍କୁ ରାଜା ବା କଲେ କିପରି ?

 

ଗୋଟିଏ ଛୋଟ ଭେଳାଟିଏ ଧରି ଭାସି ଚାଲିଥିଲି ମୁଁ । ମୋ ଦୁର୍ଭାଗ୍ୟକୁ ସେହି ଗୋଟାକ ବି ଶେଷକୁ ଦାଉ ସାଧି ଓଲଟି ପଡ଼ିଲା । ମୁଁ ମରିଯାଇ ଥାନ୍ତି କିନ୍ତୁ ନ ମରି ଅଜ୍ଞାନ ଅବସ୍ଥାରେ ଭାସି ଭାସି ଆସି ଏ ଦ୍ୱୀପ କୂଳରେ ଯେ କେମିତି ଲାଗିଲି ମୁଁ କହି ପାରିବି ନାହିଁ । ଜାରୋୟାମାନେ ମୋତେ ନ ମାରି କାହିଁକି ଯେ ବଞ୍ଚାଇ ରଖିଲେ ସେ କଥା ମଧ୍ୟ ମୁଁ ଜାଣେନା । ସେତେବଳକୁ ମୋ ହାତରେ କେବଳ ହାତକଡ଼ାଟି ଝୁଲୁଥିଲା । ଏମାନେ ମୋଟେ ହିଂସ୍ର ନୁହନ୍ତି । ଏମାନଙ୍କୁ କେହି ଶାନ୍ତିଭଙ୍ଗ ନ କଲେ ଅକାରଣରେ ଏମାନେ କାହାର ହେଲେ ଅନିଷ୍ଟ କରନ୍ତି ନାହିଁ-। ଏମାନଙ୍କ ଶୂଶ୍ରୂଷାରେ ମୁଁ ସୁସ୍ଥ ହୋଇଉଠିଲି ।

 

ଆପଣ ଏମାନଙ୍କୁ ସଭ୍ୟ ମାନବ କରି ପାରିଥାନ୍ତେ ?

 

ଚୁପ୍‌ । ସେ କଥା ମୋଟେ କୁହନା । ସଭ୍ୟର ଅର୍ଥ କ’ଣ ଜାଣିଛ । ତୁମ୍ଭେମାନେ କେବଳ ଏକା ସଭ୍ୟ ଆଉ ଏମାନେ ଅସଭ୍ୟ । ଜାଣି ଏଠି କିଏ ଚୋରୀକରେ ନାହିଁ କି ମିଥ୍ୟା ମଧ୍ୟ କୁହେ ନାହିଁ । ସବୁ ଜିନିଷ ଭାଗବାଣ୍ଟି ସମସ୍ତେ ଏକା ସାଥିରେ ଖାଆନ୍ତି । ଏଠି କିଏ କେବେ ଭୋକିଲା ରହିଥିବା କଥା ମୁଁ ଜାଣିନାହିଁ । ରୋଗ ଏମାନେ କ’ଣ ଜାଣନ୍ତି ନାହିଁ । ଏହାଠାରୁ ମଣିଷ ଆଉ କି ସୁଖ ଚାହେଁ ? ମୁଁ ଏମାନଙ୍କୁ ସମ୍ପୂର୍ଣ୍ଣ ମନା କରି ଦେଇଛି ତୁମର ସଭ୍ୟ ମଣିଷଙ୍କ ସହିତ ଯେପରି ନ ମିଶନ୍ତି । ତୁମର ସଭ୍ୟ ସମାଜ ଏମାନଙ୍କର ରଳତାରେ ବିଷ ଭରିଦେବ ।

 

ଆପଣଙ୍କ ଭଳି ଜଣେ ମହାପୁରୁଷ ଏଠି ଏପରି ଅବସ୍ଥାରେ ଲୁଚି ରହିଛନ୍ତି, ଏ କଥା ମୋ ମୁହଁରୁ ଶୁଣିଲେ ମଧ୍ୟ କେହି ବିଶ୍ୱାସ କରିବେ ନାହିଁ ।

 

ତୁମେ ସମସ୍ତେ କାହିଁକି ଏ ଜାରୋୟାମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ଥରକୁ ଥର ଏଠିକୁ ଆସ ? ଶୁଣେ ।

 

ମୁଁ ତ ବନ୍ଧୁତା ପାଇଁ ଆସିଛି ମାତ୍ର ।

 

ତୁମର ମଧ୍ୟ ଏ ପଥରଟା ଉପରେ ଯେ ଲୋଭ ନାହିଁ, ଏ କଥା ଅସ୍ୱୀକାର କରି ପାରିବ-?

 

କେଉଁ ପଥରଟା କଥା କହୁଛନ୍ତି ।

 

ଯେଉଁଟା ସାମନାରେ ଜଳୁଛି ।

 

ଏଇଟା ବିଷୟରେ ମୁଁ ଆଗରୁ ଜାଣି ନ ଥିଲି । ତେବେ ଏଭଳି ଏକ ବହୁମୂଲ୍ୟ ଜିନିଷ ଯେ ଏଠାରେ ଅଛି ସେହି କଥା ବେଶ୍‌ ଅନୁମାନ କରି ପାରିଥିଲି । କିନ୍ତୁ ସାହେବମାନେ ଏହାର ଖବର ବହୁପୂର୍ବରୁ ପାଇ ଯାଇଛନ୍ତି ବୋଧହୁଏ ।

 

ଏ ଜିନିଷଟା ଯେ କ’ଣ, ତୁମେ ବୁଝି ପାରିଛ ?

 

ନିଶ୍ଚୟ ! ଏହିଟା କୌଣସି ଏକ ଉଲ୍‌କା ହେବ । କିମ୍ୱା ଅନ୍ୟ କୌଣସି ଗ୍ରହର ଟୁକୁରା ଖଣ୍ଡ ମଧ୍ୟ ହୋଇପାରେ । ମଝିରେ ମଝିରେ ଏଭଳି ଜିନିଷମାନ ଆସି ପୃଥିବୀ ଉପରେ ପଡ଼ିଥାଏ । ଅଧିକାଂଶ ଖଣ୍ଡ ଗୁଡ଼ିକ ପୃଥିବୀକୁ ଆସୁଥିବା ଅବସ୍ଥାରେ ଜଳି ପାଉଁଶ ହୋଇ ନଷ୍ଟ ହୋଇ ମହାକାଶରେ ହିଁ ବିଲିନ ହୋଇଯାଏ । କିନ୍ତୁ ଏହି ଗୋଟାକ ବହୁବର୍ଷ ଧରି ଜଳି ଚାଲିଛି । ଏହା ଭିତରେ ଏଭଳି ଏକ ଧାତୁ ରହିଛି ଯାହା ଆମ ପୃଥିବୀରେ ନାହିଁ । ଏହି ନୂତନ ଧାତୁର ସନ୍ଧାନ ପାଇଗଲେ ଏହାର ମୂଲ୍ୟ ବହୁଗୁଣ ବଢ଼ିଯବ । ପୃଥିବୀର ବୈଜ୍ଞାନିକ ମହଲରେ ହଇଚଇ ପଡ଼ିଯିବ-

 

ଜାରୋୟାମାନେ ନିଆଁ ଜାଳି ଜାଣିନାହାନ୍ତି । ଏଇ ନିଆଁରେ ସେମାନେ ସମସ୍ତ କାର୍ଯ୍ୟ ଚଳାଇ ନେଇଥାନ୍ତି । ସେଇ ନିଆଁଟାକୁ ଏ ସଭ୍ୟ ମାନବ ଚୋରୀ କରି ନେଇ ଯିବାକୁ ଚାହୁଁଛି କାହିଁକି ?

 

ତା’ ବୋଲି ଗୋଟିଏ ନୂତନ ବୈଜ୍ଞାନିକ ଧାତୁ ଆବିଷ୍କାର ହେବ ନାହିଁ ? ଏହାର ବଦଳରେ ଆମେ ଲକ୍ଷ ଲକ୍ଷ ଦିଆସିଲ୍‌ ଯୋଗାଇ ଦେଇ ପାରୁଁ ।

 

ନା ଏଇଟା ସାମାନଙ୍କୁ ପ୍ରକୃତିର ଦାନ । ସଭ୍ୟ ମାନବଠାରୁ ଜାରୋୟା କିଛି ଆଶା କରେ ନାହିଁ ।

 

ତୁମ ଦୁହିଁଙ୍କୁ ଏକ ସର୍ତ୍ତରେ ଛାଡ଼ି ଦେଇପାରେ । ଏ ନିଆଁଟା ବିଷୟରେ ଯେପରି କେହି ନ ଜାଣନ୍ତି ।

 

କିନ୍ତୁ ଆମେ ଆପଣଙ୍କୁ ମଧ୍ୟ ସାଥିରେ ନେବାକୁ ଚାହୁଁଛୁ ।

 

ମୋତେ ?

 

ଦେଶ ସ୍ୱାଧୀନ ହୋଇଗଲାଣି । ଆପଣ ଥରଟିଏ ହେଲେ ବୁଲି ଆସିବେ ନାହିଁ । ଥରେ ଦିଲ୍ଲୀ କିମ୍ୱା କଲିକତା ଚାଲନ୍ତୁ । ଦେଖିବେ କେତେ କ’ଣ ସବୁ ପରିବର୍ତ୍ତନ ହୋଇଯାଇଛି ।

 

ନା—ନା, ମୁଁ ଯିବାକୁ ଚାହେଁ ନା ।

 

ଏତିକିବେଳେ ବାହାରେ ଖୁବ୍‌ ଗୋଳମାଳ ଶୁଣାଗଲା । ତା’ ପରେ ଗୁଡ଼ୁମ୍‌ ଗୁଡ଼ୁମ୍‌ ଶବ୍ଦ କରି ଗୁଳି ଛୁଟି ଚାଲିଲା ।

 

ତିନିଜଣ ଯାକ ଉଦ୍‌ବିଗ୍ନ ହୋଇ ଉଠିଲେ ।

 

ବୃଦ୍ଧ ରାଜା ଉଠିପଡ଼ି ଦରଜା ନିକଟକୁ ଆସି ଠିଆ ହେଲେ । ଥରେ ବାହାରକୁ ଚାହିଁ ମୁହଁ ଫେରାଇ ଆଣି ଦାଦାଙ୍କୁ କହିଲେ ତୁମ ପାଇଁ ହିଁ ଆମର ସର୍ବନାଶ ଘଟିଲା ।

 

ସନ୍ତୁ ମଧ୍ୟ ଡେଇଁ ଆସି ଠିଆ ହେଲା ବୃଦ୍ଧ ରାଜାଙ୍କ ପାଖରେ । ସେ ଦେଖିଲା, ସାହେବ ଗୁଡ଼ାକ ହାତର ବନ୍ଧା ଦଉଡ଼ି ସବୁ ଖୋଲିଦେଇ ହାତରେ ବନ୍ଧୁକମାନ ଧରି ଠିଆ ହୋଇ ଗୁଳି ଛୁଟେଇବାରେ ଲାଗିଛନ୍ତି ।

 

ବୃଦ୍ଧ ରାଜା କହିଲେ, ଏଥର ସାହେବମାନଙ୍କର ନିସ୍ତାର ନାହିଁ । ଜାରୋୟାମାନେ ସେମାନଙ୍କୁ ହତ୍ୟା କରି ଦେଇପାରନ୍ତି ।

 

ଦାଦା କହିଲେ—ଆପଣ ବାହାରକୁ ଯାଆନ୍ତୁ ନାହିଁ । ଘର ଭିତରକୁ ଚାଲି ଆସନ୍ତୁ ।

 

ଘରେ ରହିଲେ ମଧ୍ୟ ଜୀବନ ରହିବ ନାହିଁ । ସାହେବମାନଙ୍କ ପାଖରେ ଲାଇଟ୍‌ ମେସିନ୍‌ ଗନ୍‌ ଅଛି । ସେମାନେ ଆମ ଲୋକଙ୍କୁ କିପରି ମାରି ଚାଲିଛନ୍ତି ଦେଖୁଛନ୍ତି ତ ?

 

ପ୍ରକୃତ କଥା । କେତୋଟି ଜାରୋୟା ପ୍ରାଣକୁ ଭୟ ନକରି ସାହେବମାନଙ୍କ ପାଖକୁ ଯେତେବେଳେ ମାଡ଼ି ଆସିଲେ, ସେତେବେଳେ ସାହେବମାନଙ୍କ ବନ୍ଧୁକରୁ ଗୁଳି ଛୁଟି ଚାଲିଲା ଓ କେତୋଟି ଜାରୋୟା ସେଇଠି ହିଁ ମାଟିରେ ଢଳି ପଡ଼ିଲେ । ଜାରୋୟାମାନଙ୍କ ତୀର ମଧ୍ୟ ସାହେବମାନଙ୍କର ଦେହରେ ଲାଗି ରହିଥିଲା । କିନ୍ତୁ ଏ ତୀର ଗୁଡ଼ାକ ସେମାନଙ୍କର କିଛି କରି ପାରୁନଥିଲା । ବୋଧହୁଏ ଆଗରୁ ସେମାନେ ବିଷ ପ୍ରତିଷେଧକ ଇଞ୍ଜେକ୍‌ସନ୍‌ ନେଇ ଯାଇଛନ୍ତି ।

 

ବୃଦ୍ଧ ରାଜା ଦାଦାଙ୍କ କଥା କିଛି ଶୁଣିଲେ ନାହିଁ । ତାଙ୍କୁ ଠେଲି ଦେଇ ବାହାରକୁ ବାହାରି ଆସିଲେ । ହାତ ଦିଟାକୁ ଉପରକୁ ଟେକି ପାଟି କରି ଉଠିଲେ—ହୋଲଡ଼୍‌ ଅନ୍‌ ।

 

ସଙ୍ଗେ ସଙ୍ଗେ ଜଣେ ସାହେବ ବୁଲି ପଡ଼ି ପଛକୁ ଦେଖିଲା । ସେ ଧରିଥିଲା ଗୋଟିଏ ଗୋଟିଏ ମୋଟା ଧରଣର ବନ୍ଧୁକ । ସନ୍ତୁ ଭାବିଲା ବୋଧହୁଏ ଏହାର ନାଁ ଲାଇଟ୍‌ ମିସିନ୍‌ ଗନ୍‌ ।

 

ସନ୍ତୁ ଥରି ଉଠିଲା । ସାହେବମାନେ ବୃଦ୍ଧ ରାଜାକୁ ମାରି ଦେଇ ପାରନ୍ତି ।

 

କିନ୍ତୁ ବୃଦ୍ଧ ରାଜାଙ୍କ ଖୁବ୍‌ ସାହସ । ସେ ଠକ୍‌ ଠକ୍‌ କରି ଆଗେଇ କହିଲେ—ତୁମ୍ଭେମାନେ ଆମ ଲୋକମାନଙ୍କୁ ଏଭଳି ହତ୍ୟା କର ନା, ବଂର ତୁମର ଯାହା ଇଚ୍ଛା ନେଇ ଚାଲିଯାଅ ।

 

ଜାରୋୟାଙ୍କୁ ଚାହିଁ ପାଟିରୁ ଗୋଟିଏ ଅସ୍ପଷ୍ଟ ଶବ୍ଦ କଲେ । ଏ ଶବ୍ଦ ଶୁଣିବା ପରେ ଜାରୋୟାମାନେ ଆସ୍ତେ ଆସ୍ତେ ପଛଘୁଞ୍ଚା ଦେଲେ । ଏବଂ ସମସ୍ତେ କିଳାକଳା ପରି ଶବ୍ଦ ମଧ୍ୟ କଲେ ।

 

ଏହାପରେ ଜଣେ ସାହେବ ବୁଢ଼ାରାଜାଙ୍କ ପାଖକୁ ଆଗେଇ ଆସି ଖୁବ୍‌ ଶକ୍ତ ଭାବରେ ପ୍ରଚଣ୍ଡ ଏକ ଚାପଡ଼ା ଠୋ କରି ବସାଇ ଦେଲା ଗାଲରେ । ସେ ପ୍ରସ୍ତୁତ ହୋଇ ନଥିବାରୁ ନିଜକୁ ସମ୍ଭାଳି ନ ପାରି ତଳେ ପଡ଼ିଗଲେ । ସାହବଟି ବୁଢ଼ାରାଜାଙ୍କ ଛାତି ଉପରେ ପାଦଟାଏ ରଖି କହିଲା–ରହିଥା ବୁଢ଼ା, ତୋତେ ଏବେ ଶେଷ କରି ଦେଉଛି । ଏ ବୁଢ଼ାଟା ହିଁ ସବୁ ନାଟର ଗୋବର୍ଦ୍ଧନ-। ଏହାରି ହୁକୁମରେ ହିଁ ଆମ ସାଥି ଭିତରୁ ଜଣକୁ ପୋଡ଼ି ମାରି ଦିଆଗଲା । ମଧ୍ୟ ଏ ଶେଷ କରିଦେଇ ସାରନ୍ତାଣି କିନ୍ତୁ ଆମର ଭାଗ୍ୟ ଭଲ, ବଞ୍ଚିଗଲୁ ।

 

ମିସିନ୍‌ଗନ୍‌ ଧରିଥିବା ସାହେବ ଜଣକ କହିଲା—ଆବେ, ଏ ବୁଢ଼ାଟାକୁ ଏବେ ମାରିବାନି । ଆକୁ ପରେ ଦେଖିଦେବା । ଆ ପାଖରୁ ଆହୁରି ବହୁତ ନୂଆ ନୂଆ କଥା ବାହାର କରିବାକୁ ପଡ଼ିବ ।

 

ଯେଉଁ ଲଇ ଦଉଡ଼ିରେ ସାହେବମାନଙ୍କୁ ବନ୍ଧାଯାଇଥିଲା, ସେହି ଲଇରେ ସାହେବମାନେ ବୁଢ଼ାରାଜାଙ୍କୁ ବାନ୍ଧି ପକେଇଲେ ।

 

ଏହିଭଳି ଦୟନୀୟ ଅବସ୍ଥା ମଧ୍ୟରେ ଥାଇ ବି ବୁଢ଼ାରାଜା କହିଲା—ମୋତେ କେବେହେଲେ ମାରିଦେବାକୁ ଚେଷ୍ଟା କରନାହିଁ । ତାହାହେଲେ ତୁମ ଭିତରୁ ଜଣେ ବି ଜୀବନ ଧରି ଏଇଠୁ ଫେରିଯାଇ ପାରିବ ନାହିଁ । ତୁମେ ସେ ଆଲୁଅଟାକୁ ଚୋରୀକରିବା ଉଦ୍ଦେଶ୍ୟରେ ଯଦି ଆସିଥାଅ, ତେବେ ସେହିଟାକୁ ନେଇଯାଅ । ଆମେ ଆଉ ବାଧା ଦେବୁନାହିଁ ।

 

ଜଣେ ସାହେବ ଏହା ଶୁଣୁ ଶୁଣୁ ଥୁ କରି ବୁଢ଼ାରାଜାଙ୍କ ମୁହଁ ଉପରକୁ ଛେପ ପକାଇବାରେ ଲାଗିଲା ।

 

ସନ୍ତୁ ଦେଖିଲା ତା’ଠାରୁ ଅଳ୍ପ ଦୂରରେ ଦାଦାଙ୍କର ରିଭଲ୍‌ଭର୍‌ଟା ସେଇମିତି ପଡ଼ି ରହିଛି-। କିନ୍ତୁ ଚାରିଜଣଯାକଙ୍କ ହାତରେ ଯେ ବନ୍ଧୁକ, ତାଙ୍କ ଭିତରୁ ଫେରେ ଜଣେ ଲାଇଟଳ ମେସିନଗନ୍‌ ଧରିଛି । ଦାଦା ଗୋଟିଏ ରିଭଲ୍‌ଭର୍‌ ନେଇ କ’ଣ କରିପାରିବେ ।

ଜଣେ ସାହେବ କାନ୍ଧରେ ଝୁଲୁଥିବା ବ୍ୟାଗରୁ ବାହାର କଲା ଗୁଡ଼ାଏ ଜିନିଷ । ନାନା ପ୍ରକାର ଯନ୍ତ୍ରପାତି । ଶେଷକୁ ବାହାର କଲା ସାପଚେକା ମାରିଥିବା ପରି ଗୋଟିଏ ଜିନିଷ । ସେହିଟା ଖୋଲିଦେବାରୁ ଦେଖାଗଲା, ଅସଲରେ ସେହିଟା ପାଣି ପାଇପ୍‌ଟାଏ । ତା’ର ଶେଷ ମୁଣ୍ଡଟାକୁ ଦୁଇଜଣ ସାହେବ ଧରି ଦୌଡ଼ିଲେ ଝରଣା ନିକଟକୁ ।

ଟିକିଏ ପରେ ପାଇପଟା ଫୁଲି ଉଠିଲା ଏବଂ ଅନ୍ୟ ପାଖରେ ଝରଝର ପାଣି ବାହାରି ଆସିଲା । ଏ ପାଖରୁ ଆର ମୁଣ୍ଡଟାକୁ ଦୁଇଜଣ ସାହେବ ଧରି ଚାଲିଲେ ଜଳୁଥିବା ପଥରଟା ପାଖକୁ ।

ଦାଦା ଫିସ୍‌ଫିସ୍‌ କରି କହିଲେ—ଏମାନେ ଝରଣାରୁ ପାଣିଆଣି ନିଆଁଟାକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।

ସନ୍ତୁ ମଧ୍ୟ ଫୁସ୍‌ଫସ୍‌ କରି କହିଲା—ଦାଦା, ଏମାନେ ନିଆଁଟାକୁ ଲିଭାଇ ଦେବାକୁ କାହିଁକି ଚେଷ୍ଟା କରୁଛନ୍ତି ।

ଦାଦା କହିଲେ—ଯେଉଁ ପଥରଟାରୁ ଏ ନିଆଁ ବାହାରୁଛି ତାହା ଖୁବ୍‌ ମୂଲ୍ୟବାନ ପଥର, ଏପରିକି ତା’ର ଦାମ୍‌ କୋଟି କୋଟି ଟଙ୍କା ହୋଇପାରେ । ଏ ସାହେବମାନେ ପଥରଟାକୁ ଚୋରୀକରି ନେଇଯିବା ଉଦ୍ଦେଶ୍ୟରେ ଏଠାକୁ ଆସିଛନ୍ତି । ଏଇଟା ହେଉଛି ଗୋଟିଏ ନୂତନ ପ୍ରକାର ଧାତୁ । କିମ୍ବା ଅନ୍ୟ କୌଣସି ଗ୍ରହଖଣ୍ଡ ମଧ୍ୟ ହୋଇପାରେ । ହୁଏତ ଏହା ଭିତରେ ଏଗଳି ସବୁ ଧାତୁ ରହିଛି ଯାହାକି ପୃଥିବୀର ମଣିଷ କେବେ କେଉଁଠି ଦେଖିନାହିଁ । ଏ ଧାତୁଟା ମିଳିଗଲେ ଆମ ବିଜ୍ଞାନର ଅନେକ ନିୟମ ଓଲଟା ହୋଇଯାଇପାରେ ।

 

ସନ୍ତୁ ପଚାରିଲା—ଏ ପଥରଟା ଯେ ଏହି ଦ୍ୱୀପ ଭିତରେ ଅଛି ଏ ସାହେବମାନେ ବା ଜାଣିଲେ କିପରି ?

 

ଦାଦା କହିଲେ—ପୃଥିବୀ ପୃଷ୍ଠରେ କେବେ କେଉଁଠି ଉଲ୍‌କା-ପାତ ହୁଏ ଅନେକ ବୈଜ୍ଞାନିକ ତା’ରି ଖବର ରଖିଥାନ୍ତି । ସବୁଗୁଡ଼ାକର ସନ୍ଧାନ ମିଳି ସାରିଛି କେବଳ ଏହି ଗୋଟାକୁ ଛାଡ଼ିଦେଲେ । ତେବେଯାହା ଜଣା ପଡ଼ୁଛି, ଏ ସାହେବମାନେ କେବେହେଁ ବୈଜ୍ଞାନିକ ନୁହନ୍ତି । ଏମାନେ ଯେମିତିକା ହିଂସ୍ର ଓ ନିଷ୍ଠୁର ସେଥିରୁ ମନେ ହେଉଛି ଏଗୁଡ଼ାକ ଗୋଟାଏ ଡକାୟତ ଦଳର ଲୋକ । କୌଣସି ବୈଜ୍ଞାନିକଠାରୁ ସମ୍ବାଦ ପାଇ ଆଗୁଆ ଛୁଟି ଆସିଛନ୍ତି ।

 

ତାଙ୍କ ଭିତରେ ଜଣେ ପଞ୍ଜାବୀ ମଧ୍ୟ ଥିଲା ତ ?

 

ହଁ । ଏ ପଞ୍ଜାବୀଟି ଏମାନଙ୍କୁ ବାଟ ଦେଖାଇ ଆଣିଛି । ତାକୁ ବହୁତ ଗୁଡ଼ାଏ ଟଙ୍କା ପଇସାର ଲୋଭ ଦେଖାଇ ହାତ କରି ନେଇଛନ୍ତି ।

 

ଏହାପରେ ସନ୍ତୁ ଓ ଦାଦା ବେଶି କଥାବାର୍ତ୍ତା କରି ପାରିଲେ ନାହିଁ । ନିଆଁ ପଟେ କ’ଣ ସବୁ ଚାଲିଛି ଦେଖିବାକୁ ଲାଗିଲେ ।

 

ସାହେବମାନେ ପାଇପରୁ ଯେତେବେଳେ ନିଆଁଟା ଭିତକୁ ପାଣି ଛାଡ଼ିଲେ ସେତେବେଳେ ଗୋଟିଏ ସୁନ୍ଦର ପରିସ୍ଥିତି ସୃଷ୍ଟି ହେଲା ।

 

ନିଆଁ ଗିତରେ ପାଣି ପଡ଼ିଯିବାକ୍ଷଣି, ସେହି ପାଣି ଲକ୍ଷ ଲକ୍ଷ ରଙ୍ଗିନ ଫୁଲଝରି ଆକାର ଧାରଣ କରି ଉପରକୁ ଉଠିବାକୁ ଲାଗିଲା । ସମସ୍ତ ସ୍ଥାନଟା, ନୀଳ, ଲାଲ, ସବୁଜ ରଙ୍ଗର ଆଲୁଅରେ ଆଲୋକିତ ହୋଇଉଠିଲା । ନିଆଁ ଲିଭିଯିବାର କୌଣସି ସଙ୍କେତ ମିଳିବା ତ ଦୂରରେ ଥାଉ ପରନ୍ତୁ ଖୁବ୍‌ ପ୍ରଜ୍ୱଳିତ ହେବାକୁ ଲାଗିଲା ।

 

ସାହେବମାନେ କିନ୍ତୁ ଏଥିରେ ସାହସ ହରାଇ ନ ଥିଲେ । ସେମାନେ ପୁଣି ଜୋର୍‌ରେ ପାଣି ଛାଟିବାକୁ ଲାଗିଲେ । ଏକା ଲୟରେ ସେହି ଫୁଲଝରିକୁ ଆଶ୍ଚର୍ଯ୍ୟ ଭାବରେ ଅନାଇ ରହିଥାନ୍ତି-। ସନ୍ତୁ ଏଭଳି ସୁନ୍ଦର ଜିନିଷ କେବେ ଦେଖି ନ ଥିଲା । ବର୍ତ୍ତମାନ ତା’ ମନରେ ବିପଦ, ଭୟ କଥା ନାହିଁ, କେବଳ ସବୁ ଭୁଲିଯାଇ ଆଲୁଅର ଖେଳ ଦେଖିବାରେ ଲାଗିଛି ।

 

ଦାଦା କହିଲେ—ଏ ନିଆଁ ପୃଥିବୀର ନୁହେଁ, ତେଣୁ ପୃଥିବୀର ପାଣି ନେଇ ସେଟାକୁ ଲିଭି ଯାଇପାରେ ନା, ଏହି ଅଗ୍ନି-ପଥର ଖଣ୍ଡିକ ଜଳି ଜଳି ଯେତେବେଳେ ପାଉଁଶ ହୋଇଯିବ; କିନ୍ତୁ ବର୍ତ୍ତମାନ ନୁହେଁ ।

 

ସାହେବମାନେ ଏଥରକ ପକେଟ୍‌ରୁ ପାଉଡ଼ର ଗୁଣ୍ଡଭଳି ଗୁଡ଼ାଏ ଗୁଣ୍ଡ ବାହାର କରି ନିଆଁ ଭିତରକୁ ଫୋପାଡ଼ିଲେ । କିନ୍ତୁ ଏଥିରେ ମଧ୍ୟ କିଛି ଫଳ ହେଲା ନାହିଁ । ନିଆଁ ଭିତରେ ଗୁଣ୍ଡ ପଡ଼ିଯିବାକ୍ଷଣି ଭୁଷ୍‌ କରି ଗୋଟିଏ ଅଗ୍ନିଶିଖା ଉପରକୁ ଉଠିଯାଉ ଥାଏ ମାତ୍ର ।

 

ତଥାପି ସାହେବମାନେ ନିରାଶ ହୋଇଯାଇ ନ ଥିଲେ । ପୁଣି ଅନ୍ୟ ଉପାୟରେ ଚେଷ୍ଟା ଚଳାଇଲେ । ଏଥରକ ସେମାନେ ଗୋଟିଏ ଲମ୍ବ ସରୁ ଗଛ ପାଖକୁ ଯାଇ ତା’ ମୂଳକୁ ଲକ୍ଷ୍ୟ କରି ତିରିଶ କି ଚାଳିଶଟା ଗୁଳି ଫୁଟାଇଲେ । ତା’ ପରେ ଟିକିଏ ଧକ୍‌କାରେ ଗଛଟି ଟଳି ପଡ଼ିଲା । ସେମାନେ ଚାରିଜଣଯାକ ଗଛକୁ ଟେକି ଟେକି ଆଣି ଗଛର ଶେଷ ମୁଣ୍ଡଟାକୁ ନିଆଁ ଭିତରେ ଧକ୍‌କା ମାରିଲେ । ଗଛଟା ପଥରଟା ଦେହରେ ବାଜିବାରୁ ଧୁମ୍‌ କରି ଗୋଟିଏ ଶବ୍ଦ ହେଲା ।

 

ଏଥିରେ ସାହେବମାନେ ଆହୁରି ଉତ୍ସାହିତ ହୋଇଯାଇ ଗଛଟାକୁ ନିଆଁରୁ ଭିଡ଼ି ଆଣି ପୁଣି ଥରେ ଧକ୍‌କା ଦେଲେ । ପୁଣି ଥରେ ଧୁମ୍‌ କରି ଶବ୍ଦ ହେଲଶ । ଏଥରକ କିନ୍ତୁ ଅଗ୍ନିଶିଖାଗୁଡ଼ାକ ହଲ୍‌ଚଲ୍‌ ହେବାର ଦେଖାଗଲା ।

 

ସନ୍ତୁ ନିଶ୍ୱାସ ବନ୍ଦ କରି ଏକ ଲୟରେ ଦେଖୁଥାଏ । ସେ ସାହେବମାନଙ୍କ ମତ୍‌ଲବଟା ଜାଣିଗଲାଣି । ସେମାନେ ଗଛ ଗଣ୍ଡିରେ ପଥରଟାକୁ ଧକ୍‌କା ମାରି ନେଇ ଆସିବାକୁ ଚେଷ୍ଟା କରୁଛନ୍ତି । ଏହିପରି ଗଡ଼ାଇ ଗଡ଼ାଇ ନେଇ ଝରଣା ଦେହରେ ପକାଇ ଦେବେ ।

 

କିନ୍ତୁ ଏହା ଭିତରେ ଏକ ସାଙ୍ଘାତିକ ଅଘଟଣ ଘଟିଗଲା । ପଥରଟା ସହଜରେ ଝୁଙ୍କୁ ନ ଥିବା ଦେଖି ଖୁବ୍‌ ଜୋର୍‌ରେ ଧକ୍‌କା ଦେଲେ । ଏହି ଜୋର୍‌ ଧକ୍‌କା ମାରିବା ପରେ ନିଜକୁ ସମ୍ଭାଳି ନ ପାରି ଜଣେ ସାହେବ ଜଣକ ଚୁମ୍ବକରେ ଟାଣିଲା ଭଳି ଟାଣି ହୋଇ ଚାଲିଗଲା ନିଆଁ ଭିତରକୁ । ଆଉ ତା’ ପରେ ନିଆଁ ଭିତରୁ ହାତ ଭଳି ଏକ ନିଆଁ ଶିଖା ଟାଣି ନେଇଗଲା ସାହେବଟାକୁ ସତେ । ସାହେବ ଜଣକ ଏକ ବିଭତ୍ସ ଚିତ୍କାର କରି ବିଲୀନ ହୋଇଗଲା ନିଆଁଟା ଭିତରେ ।

 

ଶେଷ ମୁହୂର୍ତ୍ତରେ ସନ୍ତୁ ଭୟରେ ଆଖି ଦେଲା । ଆଖି ଖୋଲିଲା ବେଳକୁ ଦେଖିଲା ସାହେବମାନେ ଗଛଟାକୁ ସେଇଠି ଫୋପାଡ଼ି ଦେଇ ଭୟରେ ଚାଲି ଆସୁଛନ୍ତି । ଦାଦା ମଧ୍ୟ କପାଳରୁ ଝାଳ ପୋଛିବାକୁ ଲାଗିଲେ ।

 

ସାହେବ ଜଣକ ପୋଡ଼ଯିବା ଦେଖି ଦୂରରେ ଠିଆ ହୋଇଥିବା ଜରୋୟାମାନେ ଚେଁ ଚେଁ କରି ଉଠିଲେ । ସଙ୍ଗେ ସଙ୍ଗେ ମିସିନ୍‌ଗନ୍‌ ଧରିଥିବା ସାହେବ ଜଣକ ସେମାନଙ୍କ ଆଡ଼କୁ ଲକ୍ଷ୍ୟ କରି ଗୁଳି ଫୁଟାଇଲା ।

ବୃଦ୍ଧ ରାଜା ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ହିଁ କହିଲେ—ସେମାନଙ୍କୁ ଅକାରଣରେ ମାରନା । ମୋର ଟିକିଏ ଇଶାରା ପାଇଲେ ତୁମ୍ଭମାନଙ୍କୁ ଶେଷ କରିଦେବେ ।

ସାହେବ ଜଣକ କିନ୍ତୁ ଏ କଥାରେ ଖୁବ୍‌ ଅସମ୍ଭବ ଭାବରେ ରାଗିଗଲା । ସେ ଦାନ୍ତକୁ ଚିପି କଡ଼ମଡ଼ କରି କହିଲା—ବୁଢ଼ା ବଦମାସ୍‌ । ଏଥରକ ତୋତେ ସେ ନିଆଁରେ ପକାଇବି ରହିଥା-। ଏ ଲାରି, ଏ ବୁଢ଼ାଟାକୁ ଉଠାଇ ଦେଇ ନିଆଁଟା ଭିତରେ ଫୋପାଡ଼ି ଦେ ତ ।

ଅନ୍ୟ ସାହେବ ଦୁଇଜଣ ଗୋଟିଏ ଜାଗାରେ ସ୍ଥାଣୁ ହୋଇ ଠିଆ ହୋଇ ରହିଥିଲେ । ତାଙ୍କ ଆଖି ସାମନାରେ ଜଣେ ସାଥି ନିଆଁ ଭିତରକୁ ଚାଲିଗଲା । ଘଟଣାଟିକୁ ଏମାନେ ଯେମିତି ସହ୍ୟ କରି ପାରୁ ନ ଥିଲେ ।

ମିସିନ୍‌ଗନ୍‌ଧାରୀ ସାହେବ ଜଣକ ବୋଧହୁଏ ଏମାନଙ୍କର ସର୍ଦ୍ଦାର । ସେ କିନ୍ତୁ ଏବେ ବି ଦବି ଯାଇ ନାହିଁ । ସେ ପୁଣି ଥରେ ପାଟି କରି କହିଲା—ଏ ଲାରି, ଏ ଆଡ଼କୁ ଆସେ ତ । ଏ ବୁଢ଼ାଟାକୁ ନିଆଁ ଭିତରକୁ ଠେଲି ଦେ ।

ଏପଟୁ ଲାରି ଉତ୍ତର ଦେଲା, ଜ୍ୟାକ୍‌, ପଥରଟା ପାଇବାର କୌଣସି ଆଶା ନାହିଁ । ସେହିଟା ଖୁନ୍‌ ନିଆଁ । ଚାଲେ ଆମେ ଏଥରକ ଏଠୁ ପଳାଇଯିବାର ଚେଷ୍ଟା କରିବା । ନ ହେଲେ ଆମେ ସମସ୍ତେ ଏଇଠି ଶେଷ ହେଇଯିବା ।

 

ଜ୍ୟାକ୍‌ କହିଲା—ପଳାଇ ଯିବା ପୂର୍ବରୁ, ଆମକୁ ପ୍ରତିଶୋଧ ନେବାକୁ ହେବ । ଏ ବୁଢ଼ାଟାକୁ ମୋ ଆଖି ଆଗରେ ପୋଡ଼ି ଦେ ତ । ମୁଁ ଏପାଖରେ ମିସିନ୍‌ଗନ୍‌ ଧରି ଜାରୋୟାମାନଙ୍କୁ ଅଟକାଇ ରଖୁଛି । ତୁ ଶୀଘ୍ର ବୁଢ଼ାକୁ ଫୋପାଡ଼ି ଦେ । ଆଉ ଡେରି କରନା ।

ଲାରି ଆଗେଇ ଆସିଲା ।

ଦାଦା ଫିସ୍‌ଫିସ୍‌ କରି କହିଲେ—ସନ୍ତୁ—ମୋ ରିଭଲ୍‌ଭର୍‌ଟା ।

ସନ୍ତୁ ଶୋଇପଡ଼ି ସାପଭଳି ଲେପଟି ଯିବାକୁ ଲାଗିଲା । ରିଭଲ୍‌ଭର୍‌ଟା ସାହେବ ପାଖରେ ସେଇମିତି ପଡ଼ିରହିଛି । ସନ୍ତୁ ଭାବଛି ସେ ଘୁଷୁରି ଘୁଷୁରି ଚାଲିଗଲେ ତାକୁ କେହି ଲକ୍ଷ୍ୟ କରି ପାରିବେ ନାହିଁ ।

ଦୂରରୁ କାଉମାନଙ୍କର କା କା ଶବ୍ଦ ଭାସି ଆସିଲା ।

ଭୋର୍‌ ହୋଇ ଆସୁଛି ବୋଧହୁଏ । ଫରଚା ହେବାକୁ ଆଉ ଡେରି ନାହିଁ । ଏଥରକ ଅନେକଗୁଡ଼ାଏ ପକ୍ଷୀର କାକଳୀ ଶୁଣାଗଲା । ସନ୍ତୁ ବୁଝି ପାରୁନାହିଁ, ଦାଦା ତାକୁ କ’ଣ କହୁଛନ୍ତ !

ସନ୍ତୁ ରିଭଲ୍‌ଭର୍‌ଟା ଆଣିବାକୁ ସମୟ ପାଇଲା ନାହିଁ ।

ଲାରି ହଠାତ୍‌ ଚାଲିଆସି ବୁଢ଼ାରାଜାଙ୍କୁ ଟେକି ନେଲାବେଳେ ଦାଦା ଆଉ ସମ୍ଭାଳି ରହିପାରିଲେ ନାହିଁ,.ସେ ବାହାରି ଆସିଲେ ବାହାରକୁ । ଡେଇଁ ଡେଇଁ ସୋମାନଙ୍କ ପାଖକୁ ଆସି ଚିତ୍କାର କରି କହିଲେ, ରହ, ତାଙ୍କୁ ମାରନା ।

 

ଜ୍ୟାକ୍‌ ଚମକିପଡ଼ି ବୁଲିପଡ଼ି ଦାଦାଙ୍କୁ ଦେଖିଲା । ଆରେ ହେଇଟି ଏଇଟା ଆଉ ଗୋଟିଏ ସଇତାନ । ଆକୁ ବି ଧର ।

ଦାଦାଙ୍କୁ ଦେଖି ବୁଢ଼ାରାଜା କହିଲେ, ମୁଁ ଇଂରେଜଙ୍କ ହାତରେ କେବେ ମରିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି କେବଳ ତୁମ ଯୋଗୁ ଆଜି ସେହି ଅପମାନଜନକ ମୃତ୍ୟୁରେ ମରିବାକୁ ଯାଉଛି । ତୁମେ ମଧ୍ୟ ବଞ୍ଚି ପାରିବ ନାହିଁ ।

ଦାଦା ଲାରିକୁ ଦେଖି କହିଲେ—ତୁମକୁ ଜଣେ ଜାରୋୟା ନିଆଁରେ ପୋଡ଼ି ମାରିବାକୁ ଯାଉଥିଲା, ସେତେବେଳେ ମୁଁ ପହଞ୍ଚିଯାଇ ତୁମର ଜୀବନ ରକ୍ଷା କରିଥିଲି । ଠିକ୍‌ କି ନୁହେଁ ? ତୁମେ ଏ ବୁଢ଼ାରାଜାଙ୍କୁ ମୋ କଥାରେ ଛାଡ଼ିଦିଅ ।

ଲାରି ଅଗତ୍ୟା ଅନାଇଲା ଜ୍ୟାକ୍‌ ଆଡ଼କୁ । ଜ୍ୟାକ୍‌ କହିଲା, ଏ ଦିଟାଯାକ ବୁଢ଼ାକୁ ନିଆଁ ଭିତରକୁ ଠେଲି ଦେ । ନ ହେଲେ ଆମେ ଏଠୁ ପଳାଇଯିବା ଅସମ୍ଭବ ହୋଇଯିବ । ଏମାନେ ଜାରୋୟାମାନଙ୍କୁ ଆମ ପଛରେ ଲଗେଇଦେବେ ।

ଲାରି ତେବେ ବି ଠିଆଟା ହୋଇ ରହିଥାଏ ।

ଜ୍ୟାକ୍‌ ଧମକ ଦେଇ କହିଲା—ଡେରି କରୁଛୁ କାହିଁକି ? ଦେ ଶୀଘ୍ର ପକେଇ ଦେ ।

ହଠାତ୍‌ ଏତିକିବେଳେ ଆକାଶରେ ଘୁଟ୍‌ଘୁଟ୍‌ ଶବ୍ଦ ହେଲା । ଶବ୍ଦଟା ଦୂରରୁ ନିକଟତର ହୋଇଆସୁଛି । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଆକାଶକୁ ଚାହିଁଲେ । ଗୋଟିଏ ହେଲିକେପ୍‍ଟର ଆସୁଥିଲା ।

 

ଲାରି ପାଟିକରି ଉଠିଲା—ଏ ଜ୍ୟାକ୍‌ ! ଚଞ୍ଚଳ ପଳାଇବା ଚାଳେ । ହେଲିକେପ୍‍ଟର ନେଇ ପୋଲିସ ବୋଧହୁଏ ଆସିଗଲାଣି ।

 

ହେଲିକେପ୍‍ଟର ଦେଖି ସନ୍ତୁର ମନେହେଲା ସତକୁ ସତ ପୋଲିସ ଆମମାନଙ୍କୁ ଉଦ୍ଧାର କରିବାକୁ ଆସଛି । ଆଉ ଚିନ୍ତା ନାହିଁ । ଏଥର ସେ ଉଠି ବସିଗଲା ।

 

ଜ୍ୟାକ୍‌ ଦାନ୍ତ ଚିପିଚିପି କହିଲା, କେବଳ ଗୋଟିଏ ମାତ୍ର ହେଲିକେପ୍‍ଟର ଆସିଛି, ଏଥିରେ ଭୟ ପାଇବାର କ’ଣ ଅଛି ? ମୁଁ ମିସିନଗନ୍‌ ଦ୍ୱାରା ସେଟାକୁ ଉଡ଼େଇ ଦେଉଛି । ତୁ ଭୂଇଁରେ ଶୋଇପଡ଼େ, ନଚେତ କିଛି ହଲଚଲ ନ ହେଲେ ସେମିତି କାଠପରି ଠିଆ ହୋଇ ରହ ।

 

ଦାଦା ପାଟିକରି ଉଠିଲେ—ସନ୍ତୁ !

 

ସନ୍ତୁ ବୁଝି ପାରିଲାନି ଦାଦା ତାକୁ କ’ଣ କହିବାକୁ ଚାହୁଁଛନ୍ତି । ହେଲିକେପ୍‍ଟରଟା ତଳକୁ ତଳକୁ ଖସିବାକୁ ଲାଗିଲା । ଆଉ ଟିକିଏ ତଳକୁ ଆସିଗଲେ ଜ୍ୟାକ୍‌ ଗୁଳି ଚଳାଇବ । ସେମାନଙ୍କର ସମସ୍ତ ଆଶା ଏକାବେଳକେ ସବୁ ପଣ୍ଡ ହୋଇଯିବ ।

 

ସନ୍ତୁ ଆଗରେ ଦାଦାଙ୍କର ରିଭଲ୍‌ଭର୍‌ଟା ପଡ଼ିରହିଛି । ସେ ସେଟାକୁ ହଠାତ୍‌ ଉଠାଇ ଆଣିଲା । କୌଣସି କିଛି ଚିନ୍ତା ନ କରି, ଆଖି ଦିଟା ବୁଜି ଦେଇ ରିଭର୍‌ଭର୍‌ର ଟ୍ରିଗରଟା ଟିପିଦେଲା ଜ୍ୟାକ୍‌ ଉପରକୁ । ଗୁଳି ଫୁଟିବା ଶବ୍ଦରେ ତା’ କାନଦିଟା ତାବଦା ହୋଇଗଲା । ହାତରେ ପ୍ରଚଣ୍ଡ ଧକ୍‌କା ଲାଗିଲା ।

 

ଯେତେବେଳେ ସେ ଆଖି ଖୋଲିଲା ଦେଖିଲା ଜ୍ୟାକ୍‌ ମାଟିରେ ଢଳି ପଡ଼ିଛି । ଆଉ ଦାଦା ଜ୍ୟାକ୍‌ ହାତରୁ ମିସିନଗନ୍‌ଟା ଛଡ଼ାଇ ଆଣି ଧରି ଠିଆ ହୋଇ ରହିଛନ୍ତି । ଦାଦା ମିସିନଗନ୍‌ଟାକୁ ଅନ୍ୟ ସାହେବମାନଙ୍କ ଆଡ଼କୁ ଲକ୍ଷ୍ୟ କରି କହିଲେ—ତୁମେ ସମସ୍ତେ ଯେଉଁଠି ଠିଆହୋଇ ରହିଛ ସେଇଠି ଚୁପ୍‍ ହୋଇ ଠିଆହୋଇ ରହ । ଟିକିଏ ହଲଚଲ ହେଲେ ଗୁଳିକରି ଶେଷ କରିଦେବି ।

 

ହେଲିକେପ୍‌ରଟା ଏଥର ତାଙ୍କ ମୁଣ୍ଡ ଉପରେ ଘଟ୍‌ଘଟ୍‌ ଶବ୍ଦ କରି ବୁଲିବାକୁ ଲାଗିଲା । କିଛି ସମୟ ପରେ ଆଉ ଟିକିଏ ତଳକୁ ଖସିଲା । ଅନେକଟା ତଳକୁ ଖସିବା ପରେ ତା’ ଭିତରୁ ଅଦ୍ଭୁତ ଶବ୍ଦ ଶୁଣାଗଲା । କିଏ ଜଣେ ମାଇକ୍‌ରେ ପାଟିକରି କହୁଥାଏ—ଧାକିଲା, କିଳାକିଳା, ଟୁଂକା ଟାକିଳା, ଆବିଳା କଳିକଳା ଟୁଂକା ଟାକିଲା ।

 

ସନ୍ତୁ ଅବାକ୍‌ ହୋଇ ଚାହିଁ ରହିଛି ଉପରକୁ । ଏଇଟା ପୁଣି କ’ଣ ? ସେହି ଶବ୍ଦ ଶୁଣିବା ମାତ୍ରକେ ସମସ୍ତ ଜାରୋୟା ଏକା ସାଙ୍ଗରେ ପାଟି କରି ଉଠିଲେ—ଟାକିଲା, ଟାକିଲା ।

 

ହେଲିକେପ୍‍ଟର ମଧ୍ୟରୁ ପୁଣି ଥରେ ଭାସି ଆସିଲା—କାକିନା ସୁପି ସୁପି—କାକିନା ସୁପି ସୁପି ।

 

ଏଥର ଜାରୋୟାମାନେ କୌଣସି ଉତ୍ତର ଦେଲେ ନାହିଁ ।

 

ଦାଦା ବୁଢ଼ାରାଜାଙ୍କୁ ପଚାରିଲେ—ହେଲିକେପ୍‍ଟର ଭିତରୁ ସେମାନେ କ’ଣ କହୁଛନ୍ତି ?

 

ବୁଢ଼ାରାଜା କହିଲେ—ସେ ଜିନିଷଟା ଭିତରୁ କିଏ ଜଣେ ଜାରୋୟା ଭାଷାରେ କହୁଛି ମଝି ସ୍ଥାନଟା ଛାଡ଼ି ଦେବାକୁ । ସେହିଟା ବର୍ତ୍ତମାନ ଏଠି ଓହ୍ଲେଇବ ।

 

ଦାଦା କହିଲେ—ଜାଗା ଛାଡ଼ିଦେବା ପାଇଁ ସବୁ ଜାରୋୟାଙ୍କୁ ଆପଣ ଆଦେଶ ଦିଅନ୍ତୁ-

 

ଏଥରକ ହେଲିକେପ୍‍ଟର ଦେହରୁ କିଏ ଜଣେ ଇଂରାଜୀ ପୁଣି କହୁଛି—ମିଃ ରାୟଚୌଧୁରୀ ! ଆର ୟୁ ଦେଆର ? ମିଃ ରାୟଚୌଧୁରୀ ଆର ୟୁ ଦେଆର !

 

ଦାଦା ଚିତ୍କାର କରି ଉଠିଲେ—ଇୟେସ, ଇୟେସ । ଆଇ ଆମ୍‌ ହିଅର୍‌, ରାୟଚୌଧୁରୀ ସ୍ପିକିଂ ।

 

କିନ୍ତୁ ହେଲିକେପ୍‍ଟର ଘଟ୍‌ଘଟ୍‌ ଶବ୍ଦ ଯୋଗୁଁ ବୋଧହୁଏ ତାଙ୍କ କଥାଟା ପହଞ୍ଚି ପାରିଲା ନାହିଁ । କାରଣ ସେମାନେ ସେହି ଏକା କଥା ବାରମ୍ୱାର ଦୋହୋରଉ ଥିଲେ ।

 

ଦାଦା ସାହେବମାନଙ୍କ ଆଡ଼କୁ ମିସିନଗନ୍‌ଟା ଲକ୍ଷ୍ୟରଖି, ସେମାନଙ୍କ ଆଡ଼ୁ ମୁହଁ ନ ଫେରେଇ ସନ୍ତୁକୁ କହିଲେ—ସନ୍ତୁ, ତୋ ପାଖରେ ରୁମାଲ ଅଛି ?

 

ରିଭଲ୍‌ଭର୍‌ ଗୁଳି ଫୁଟାଇ ସନ୍ତୁ ଏକାବେଳକେ ହତବାକ୍‌ ହୋଇ ପଡ଼ିଥିଲା । ହଠାତ୍‌ ସନ୍ତୁ ଡାକରେ ଚମକିପଡ଼ି କହିଲା—ହଁ ଦାଦା, ଅଛି ।

 

ଦାଦା କହିଲେ—ରୁମାଲଟା ବାହାରକରି ମୁଣ୍ଡ ଉପରେ ଉଡ଼ାଇ ଧର ।

 

ସନ୍ତୁ ତା ଧଳା ରୁମାଲଟା ବାହାର କରି ମୁଣ୍ଡ ଉପରେ ପ୍ରାଣ-ପଣେ ଉଡ଼ାଇବାକୁ ଲାଗିଲା ।

 

ଦାଦା କହିଲେ—ତୁମେ ସମସ୍ତେ ଭୂଇଁରେ ବସିପଡ଼ ଓ ହାତ ଦିଟାକୁ ମୁଣ୍ଡ ଉପରେ ଟେକି ଧର ।

 

ଜଣେ ସାହେବ ଭୂଇଁରେ ପଡ଼ି ରହିଥିବା ବନ୍ଧୁକ ଆଡ଼କୁ ହାତଟା ବଢ଼ାଉ ଥିଲା, ଦାଦା ଦେଖିପାରି କହିଲେ—ସାବଧାନ ! ଟିକିଏ ହଲଚଲ ହେଲେ ଗୁଳି ଚଳାଇ ଦେବି ।

 

ହେଲିକେପ୍‍ଟରଟା ଆସ୍ତେ ଆସ୍ତେ ଖାଲି ଜାଗାରେ ଓହ୍ଲାଇଲା । ପ୍ରଥମେ ତା’ ଭିତରୁ ଦାଢ଼ିବାଲା ପଞ୍ଜାବୀ ବାହାରି ଆସିଲେ । ସେ ହାତ ଦି’ଟାକୁ ଉପରକୁ ଟେକି କହିଲେ—ଟୁଂଚା, ସଂଚୁ, ଟୁଂଚା ସଂଚୁ ।

 

ବୁଢ଼ାରାଜା କହିଲେ, ଟୁଂଚା ସଂଚୁ ।

 

ସଙ୍ଗେ ସଙ୍ଗେ ସବୁ ଜାରୋୟାଏକା ସାଙ୍ଗରେ ସେହିକଥା ପୁନରାବୃତ୍ତି କଲେ ।

 

ଶିଖ୍‌ ଜଣକ ହାତ ହଲାଇବାରୁ ହେଲିକେପ୍‍ଟର ଭିତରୁ ଆହୁରି କେତେଜଣ ପଦାକୁ ବାହାରି ଆସିଲେ ।

 

ପ୍ରଥମେ ଓହ୍ଲେଇ ଆସିଲେ ଲମ୍ୱ ଚେହେରା କୌଶିକ ବର୍ମା । ତା’ ପଛକୁ ଗୋଲଗାଲ ଚେହେରା ପରେଶ ଗୁପ୍ତ । ତା’ ପରେ ଯେ ଆସିଲେ ସେ ହେଉଛନ୍ତି ଏସ୍‌.ପି. ମିଃ ସିଂ ଓ ଆଉ ଚାରିଜଣ ପୋଲିସ । ପୋଲିସଙ୍କ ହାତରେ ରହିଛି ମିସିନଗନ୍‌ ।

 

ପରେଶ ଦାସଗୁପ୍ତ ଛୁଟିଆସି ଦାଦାଙ୍କୁ ଖୁସିରେ କୁଣ୍ଢାଇ ପକାଇ କହିଲେ, ମିଃ ରାୟଚୌଧୁରୀ ଆପଣ ବଞ୍ଚିଛନ୍ତି ? ଆଃ କି ଯେ ଆନନ୍ଦ ! ଏଇ ଦେଖନ୍ତୁ ହୋମ୍‌ ସେକ୍ରେଟାରୀ କୌଶିକ ବର୍ମା ନିଜେ ଆସିଛନ୍ତି ଆପଣଙ୍କ ଉଦ୍ଧାର ପାଇଁ ।

 

ଦାଦା ଖୁସୀ ହୋଇ ଯାଇଥିଲେ ମଧ୍ୟ ବାହାରକୁ ତାହା ପ୍ରକାଶ କରି ନ ଥିଲେ । କୌଶିକ ବର୍ମାଙ୍କୁ ଚାହିଁ କହିଲେ—ଆପଣ ପୋଲିସ୍‍ମାନଙ୍କୁ ଆଦେଶ ଦିଅନ୍ତୁ ସାହେବମାନଙ୍କୁ ଘେରି ରହିବେ । ମୁଁ ଆଉ ଏହି ଓଜନିଆ ମିସିନଗନ୍‌ ଧରି ଠିଆ ହୋଇ ରହି ପାରୁନାହିଁ ।

 

କୌଶିକ ବର୍ମା କହିଲେ—ଏମାନେ ସବୁ କିଏ ସେ ?

 

ଦାଦା ସଂକ୍ଷେପରେ ଉତ୍ତର ଦେଲେ—ଏକ ଡକାୟତ ଦଳ ବୋଲି ଭାବି ନିଅନ୍ତୁ ।

 

କୌଶିକ ବର୍ମା ଅବାକ୍‌ ହୋଇଯାଇ କହିଲେ—ଡକାୟତ ଦଳ ! ଜାରୋୟାମାନଙ୍କୁ ଡକାୟତି କରିବାକୁ ଆସିଛନ୍ତି । ଆଶ୍ଚର୍ଯ୍ୟ କଥା । ଏମାନଙ୍କ ପାଖରେ ହୀରା ଅଛି ନା ସୁନା ଅଛି ?

 

ଦାଦା କହିଲେ—ନା, ସେ ସବୁ ଜିନିଷ ନ ଥିଲେ ମଧ୍ୟ ଏହି ଜିନିଷଟା ତ ଏମାନଙ୍କ ପାଖରେ ଅଛି ? ଆଙ୍ଗୁଠି ଦେଖାଇ କୌଶିକ ବର୍ମାଙ୍କୁ ଜଳୁଥିବା ନିଆଁଟାକୁ ଦେଖାଇ ଦେଲେ ।

 

ଦିବସର ଆଲୋକ ଫୁଟି ଉଠିଆସୁଛି । ତଥାପି ନିଆଁର ଆଲୋକର ରଙ୍ଗର କୌଣସି ପରିବର୍ତ୍ତନ ହୋଇନାହିଁ ।

 

କୌଶିକ ବର୍ମା ସେପଟକୁ ବୁଲିପଡ଼ ଦେଖି କହିଲେ—ଖୁବ୍‌ ଆଶ୍ଚର୍ଯ୍ୟ, ଏଭଳି ନିଆଁ ତ ମୁଁ କେଉଁଠି ଦେଖିନାହିଁ । ସାହେବମାନେ ଏହିଟାକୁ ନେବାପାଇଁ ଆସିଛନ୍ତି ? ଏ ଜିନିଷଟା ପୁଣି କି ଜିନିଷ ।

 

ଦାଦା କହିଲେ, ସେ ସମସ୍ତ କଥାପରେ ଶୁଣିବେ । ଆପଣ ଜାରୋୟାମାନଙ୍କ ଦ୍ୱୀପକୁ ଆସିଛନ୍ତି ଯେତେବେଳେ ପ୍ରଥମେ ଏମାନଙ୍କର ରାଜାଙ୍କୁ ଦର୍ଶନ କରନ୍ତୁ । ଏଇ ବୃଦ୍ଧ ହେଉଛନ୍ତି ଜାରୋୟାମାନଙ୍କର ରାଜା ।

 

ହାତରୁ ମିସିନଗନ୍‌ଟା ଫୋପାଡ଼ି ଦେଇ ଦାଦା ବୃଦ୍ଧରାଜାଙ୍କ ନିକଟକୁ ଆସିଲେ ।

 

କୌଶିକ ବର୍ମା ଆହୁରି ଆଶ୍ଚର୍ଯ୍ୟ ହୋଇଯାଇ କହିଲେ—ଏ ହେଉଛନ୍ତି ଏଠାର ରାଜା । ମାଇଁ ଗଡ଼୍‌ । ଏତ ଜାରୋୟା ନୁହନ୍ତି । କୌଶିକ ବର୍ମା ହାତଯୋଡ଼ି ବୁଢ଼ାରାଜାଙ୍କୁ ପ୍ରଣାମ କଲେ ।

 

ଦାଦା କହିଲେ—ନା—ଏ ଜାରୋୟା ନୁହନ୍ତି । ଏହାଙ୍କ ନାମ ଗୁଣଦା ତାଲୁକଦାର ।

 

ବୁଢ଼ାରାଜା ଧୀର ସ୍ୱରରେ କହିଲେ—ପ୍ରଥମେ ଏ ସାହେବମାନଙ୍କୁ ଭଲ ଭାବରେ ବାନ୍ଧି ରଖନ୍ତୁ । ଏମାନେ ଖୁବ୍‌ ସାଙ୍ଘାତିକ । ଆପଣମାନେ ଚାଲନ୍ତୁ ମୋ ଘରେ ବସି କଥାବାର୍ତ୍ତା କରିବେ ।

 

ଦାଦା ଦାସଗୁପ୍ତଙ୍କ କାନ୍ଧରେ ଭରାଦେଇ ବୁଢ଼ାରାଜାଙ୍କ କୁଡ଼ିଆଘର ଆଡ଼କୁ ଚାଲିବାକୁ ଲାଗିଲେ । ବୁଢ଼ାରାଜା ଯାଉ ଯାଉ ହଠାତ୍‌ ଠିଆହୋଇ ସନ୍ତୁକୁ ପାଖକୁ ଟାଣି ଆଣିଲେ । ତା’ ମଥାରେ ସ୍ନେହରେ ହାତଟା ବୁଲାଇ ଆଣି କୌଶିକ ବର୍ମାଙ୍କୁ ଚାହିଁ କହିଲେ—ଏ ପିଲାଟି ନ ଥିଲେ ଆମେ କେହି ଏ ପର୍ଯ୍ୟନ୍ତ ଜୀବିତ ନ ଥାନ୍ତୁ । ଆପଣମାନେ ମଧ୍ୟ ସେହି ଦଶା ଭୋଗିଥାନ୍ତେ ।

 

କୌଶିକ ବର୍ମା କହିଲେ, ସତେ ନା କ’ଣ ? କାହିଁକି ଏ କି କାମ କରିଛି କି ?

 

ବୁଢ଼ାରାଜା କହିଲେ—ଏ ସାହେବଟା ହାତରେ ରହିଥିଲା ମେସିନଗନ୍‌ । ସେ ଗୁଳିମାରି ଆପଣଙ୍କ ଯନ୍ତ୍ରରେ ନିଆଁ ଲଗାଇ ଦେଇଥାନ୍ତା ।

 

ବୁଢ଼ାରାଜା ହେଲିକେପ୍‍ଟର କେବେ ଦେଖି ନାହାନ୍ତି, ତେଣୁ ସେ ତା ନାଁଟା ବା କହିପାରନ୍ତେ କିପରି ।

 

କୌଶିକ ବର୍ମା କହିଲେ—ହୁଁ—ତେବେ ଏମିତିକା କଥା । ସାହେବମାନେ ମିସିନଗନ୍‌ ଧରି ଡକାୟତି କରିବାକୁ ଆସିଛନ୍ତି । ତା’ ପୁଣି ଏ ଜଙ୍ଗଲ ଭିତରେ !

 

ବୁଢ଼ାରାଜା କହିଲେ—ମୋତେ ଓ ତା’ ଦାଦାଙ୍କୁ ନିଆଁ ଭିତରକୁ ପକାଇ ଦେବାକୁ ଯାଉଥିଲେ, ଠିକ୍‌ ଏତିକିବେଳେ ପିଲାଟି ରିଭଲ୍‌ ଭର୍‌ରୁ ଗୁଳି ଗଳାଇ ସାହେବଟା ହାତରୁ ମିସିନ୍‌ଗନ୍‌ଟା ଖସେଇ ଦେଲା । ଏଥିଯୋଗୁଁ ଆମେ ସମସ୍ତେ ବଞ୍ଚିଗଲୁ ।

 

କୌଶିକ ବର୍ମା ପ୍ରଂଶସା ଚକ୍ଷୁରେ ସନ୍ତୁକୁ ଚାହିଁଲେ ।

 

ପାଖକୁ ଚାଲି ଆସି ତା’ କାନ୍ଧ ଉପରଟାରେ ଥାପୁଡ଼େଇ ଥାପୁଡ଼େଇ କହିଲେ—ବ୍ରେଭ୍‌ ବୟ୍‌ । ଏତେ ଟିକି ପିଲାଟି ରିଭଲ୍‍ଭର୍‌ ଚଳାଇ ଜାଣେ । କ’ଣ ମାରିବାକୁ ଭଲ ଲାଗେ ।

 

ସନ୍ତୁ ଲଜ୍ଜାରେ ମୁହଁକୁ ତଳକୁ କଲା । ସେ ତ ଏମିତିକା କିଛି ବଡ଼ କାମଟାଏ କରି ପକାଇ ନାହିଁ । ହାତ ପାଖରେ ପଡ଼ିଥିଲା ଗୋଟାଇ ଆଣି କେବଳ ଟିପି ଦେଇଛି । ଏହା ଆଗରୁ ସେ କେବେ ରିଭଲ୍‍ଭର୍‌ ଚଳାଇ ଜାଣି ନ ଥିଲା । କିନ୍ତୁ ସେ କଥା ଆଉ ପ୍ରକାଶ କଲା ନାହିଁ ।

 

କୌଶିକ ବର୍ମା କହିଲେ—ଦି ସ୍ମାର୍ଟ ଗେଟ୍‌ ଏ ରିଓ୍ୱାର୍ଡ଼ । ଆମେ କେବଳ ଜାରୋୟାମାନଙ୍କୁ ଭୟ କରୁଥିଲୁ । ସାହେବମାନଙ୍କ କଥା ଆଦୌ ଚିନ୍ତା କରି ନାହୁଁ । ସତରେ ଗୋଟିଏ ସାଙ୍ଘାତିକ ଘଟଣା ଘଟି ଯାଇଥାନ୍ତା । କିନ୍ତୁ ଆପଣ ଏଠିକୁ ଆସିଲେ କେମିତି ?

 

କଥାବାର୍ତ୍ତା କରୁ କରୁ ସେମାନେ କୁଡ଼ିଆ ଘରେ ପଶିଲେ । ଘର ଭିତରେ ଗୀତା ସହିତ ହାତକଡ଼ାଟାଏ ରଖାଯାଇଥିବା ଦେଖି କୌଶିକ ବର୍ମା ପୁଣି ଥରେ ଚମକି ଉଠିଲେ । ସେଗୁଡ଼ିକୁ ଥରେ ନଜର ପକାଇ ଆଣି କହିଲେ, ଆମେ ଜାଣୁ ଯେ ସଭ୍ୟ ଜଗତର ମଣିଷ ସହିତ କୌଣସି ଜାରୋୟାର ସମ୍ପର୍କ ନ ଥିଲା ବୋଲି; କିନ୍ତୁ ଏଠି ଆସି ଦେଖୁଛି ତା’ର ରାଜା ଲେଖାପଢ଼ା ଜାଣିଥିବା ଜଣେ ଶିକ୍ଷିତ ବ୍ୟକ୍ତି ।

 

ଦାଦା ତଳେ ବସିପଡ଼ କହିଲେ—ଏହି ଗୁଣଦା ତାଲୁକଦାର ଥିଲେ ଜଣେ ନାମଜାଦା ବିପ୍ଳବୀ । ଆଣ୍ଡାମାନ ଜେଲ୍‌ରୁ ସେ ଖସି ଚାଲିଯା’ନ୍ତି । ଏ ଘଟଣାଟା ବହୁଦିନ ତଳର କଥା । ସମସ୍ତଙ୍କ ଧାରଣା ଏ ବିପ୍ଳବୀର ମୃତ୍ୟୁ ଘଟିଛି । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହାଙ୍କର ନାମ ଉଲ୍ଲେଖ ଅଛି ଓ ଛବି ମଧ୍ୟ ରହିଛି । ଏପରିକି ଏହାଙ୍କର ଜନ୍ମଦିନ ସାରା ଦେଶରେ ପାଳିତ ହୁଏ ।

 

କୌଶିକ ବର୍ମା କହିଲେ, ହଁ ମୋର ଏବେ ମନେ ପଡ଼ିଲା । ଏଟା ତ ଅଦ୍ଭୁତ ଯୋଗାଯୋଗ । ଦିଲ୍ଲୀରେ ଏ ଖବର ପହଞ୍ଚିଯିବା ପରେ ହଇଚଇ ପଡ଼ିଯିବ । କିନ୍ତୁ ଆପଣ ଏଠିକୁ ଆସିଲେ କିପରି ?

 

ବୁଢ଼ାରାଜା କହିଲେ—ହାତକଡ଼ା ବନ୍ଧା ଅବସ୍ଥାରେ ଜେଲରୁ ଖସି ଆସି ସମୁଦ୍ରକୁ ଡେଇଁ ପଡ଼ିଥିଲି । କୁମ୍ଭୀର କିମ୍ୱା ହାଙ୍ଗର ମୋତେ ଅକ୍ଳେଶରେ ଖାଇ ପାରିଥାନ୍ତେ । କିନ୍ତୁ ମୋ ଭାଗ୍ୟବଳରୁ ସେମାନଙ୍କ ଶିକାର ହେଲି ନାହିଁ । ଭାସି ଭାସି ଆସି ଲାଗି ଯାଇଥିଲି ଏ ଦ୍ୱୀପରେ ।

 

ଜାରୋୟାମାନେ ଆପଣଙ୍କୁ ମାରିଦେଲେ ନାହିଁ ?

 

ଜାରୋୟାମାନେ ଅକାରଣରେ କାହାର କେବେ କ୍ଷତି କରନ୍ତି ନାହିଁ । ଏମାନେ ଖୁବ୍‌ ଭଦ୍ର ଓ ଶାନ୍ତ । ତୁମ ସଭ୍ୟମାନବ ହିଁ ଏମାନଙ୍କୁ ହିଂସ୍ର କରି ତୋଳୁଛି ।

 

ସେହି ଦିନଠୁ ଆପଣ ଏହିଠି ହିଁ ରହିଗଲେ ?

 

ହଁ, ମୁଁ ପରାଧୀନ ଭାରତରେ ରହିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି । ତେଣୁ ଏମାନଙ୍କୁ ସାଙ୍ଗରେ ନେଇ ବେଶ୍‌ ସ୍ୱାଧୀନରେ ଅଛି । ମୁଁ ବାହାର ଜଗତର କୌଣସି ଖବର ମଧ୍ୟ ରଖିବାକୁ କୁଣ୍ଠାବୋଧ କଲି ।

 

ଏହି ଆଣ୍ଡାମାନକୁ ନେତାଜୀ ଆସି କିଛିଦିନ ପାଇଁ ସ୍ୱାଧୀନ ରାଜ୍ୟ ସ୍ଥାପନ କରିଥିଲେ । ଏ କଥା ମଧ୍ୟ ଆପଣ ଜାଣନ୍ତି ନାହିଁ ?

 

ଏ ଦ୍ୱୀପ ବାହାରର କଥା ସଂଗ୍ରହ କରିବାର ମୋର ଆଗ୍ରହ ନ ଥିଲା । ମୁଁ ଏଠାରେ ଅଛି, ଏ ଖବର ଇଂରେଜ ପୋଲିସ ପାଇଥିଲେ ପୁଣି ଥରେ ବନ୍ଦୀ ହୋଇ ରହିଥାନ୍ତି । ସୁଭାଷ ବାବୁ, କେବେ ପୁଣି ନେତାଜୀ ହେଲେ ? ସେ କଥା ବି ଜାଣିନାହିଁ ।

 

କୌଶିକ ବର୍ମା କହିଲେ—ଆଶ୍ଚର୍ଯ୍ୟ କଥା, ଭାରତ କେବେଠାରୁ ସ୍ୱାଧୀନ ହୋଇଗଲାଣି ଅଥଚ ଆପଣ ଏ ଖବର ମଧ୍ୟ ରଖି ନାହାନ୍ତି ?

 

ଦାଦା କହିଲେ—ସେ ଏ କଥା ବିଶ୍ୱାସ କରୁ ନାହାନ୍ତି, ତା’ପରେ ବୁଢ଼ାରାଜାଙ୍କ ଉଦ୍ଦେଶ୍ୟରେ କହିଲେ, ଏଇ ଶୁଣନ୍ତୁ କୌଶିକ ବର୍ମା ଗଭର୍ଣ୍ଣମେଣ୍ଟର ଜଣେ ଉଚ୍ଚ ପଦସ୍ତ ଅଫିସର । ଆପଣ ଏହାଙ୍କୁ ପଚାରି ବୁଝନ୍ତୁ ଆମ ଦେଶ ସ୍ୱାଧୀନ ହୋଇସାରିଛି ସତଚାଳିଶ ମସିହାରୁ । ଆପଣ ଜବାହାରଲାଲ ନେହୁରଙ୍କ ନାମ ଶୁଣିଥିଲେ ତ ?

 

ବୁଢ଼ାରାଜା କହିଲେ—ହଁ କାହିଁକି ? ସେ ତ ମୋତିଲାଲ ନେହୁରୁଙ୍କ ପୁଅ, ବାରିଷ୍ଟରି ପଢ଼ିବା ପାଇଁ ବିଲାତ ଯାଇଥିଲେ ।

 

ସେହି ଜବାହାରଲାଲ ନେହୁରୁ ହୋଇଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ତା ମଧ୍ୟ ତିରିଶ ବର୍ଷ ତଳେ ।

 

ଗାନ୍ଧୀ କେଉଁଠି ?

 

ଗାନ୍ଧୀଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି; ସ୍ୱାଧୀନତା ଲାଭ କରିବାର ଏକବର୍ଷ ପରେ । ଆପଣଙ୍କ ସମ ସାମୂହିକ ଲୋକ ଆଉ କେହି ଜୀବିତ ନାହାନ୍ତି । ଆପଣ ଦିଲ୍ଲୀ ଚାଲନ୍ତୁ । ଗଲେ ସବୁ ଶୁଣିବେ । ପ୍ରତ୍ୟକ୍ଷରେ ଦେଖି ଆସିବେ ।

 

ବୁଢ଼ାରାଜା କହିଲେ, ଦିଲ୍ଲୀ କାହିଁକି, ମୁଁ ଏଠୁ କୁଆଡ଼େ ଯିବିନାହିଁ ।

 

ଏ କି କଥା । ଆପଣ ଏଠି ରହିବାକୁ ଚାହୁଁଛନ୍ତି ।

 

ନିଶ୍ଚୟ । ମୁଁ ଜାରୋୟାମାନଙ୍କୁ ନେଇ ଖୁବ୍‌ ଶାନ୍ତିରେ ଅଛି ।

 

ଦେଶ ସ୍ୱାଧୀନ ହୋଇସାରିଛି, ଆପଣ ଥରେ ବୁଲି ଆସିବାକୁ ଇଚ୍ଛା କରନ୍ତି ନାହିଁ । ଆପଣଙ୍କ ଆତ୍ମୀୟସ୍ୱଜନ କେହି କେହି ଏବେ ମଧ୍ୟ ଥାଇ ପାରନ୍ତି । ସେମାନଙ୍କୁ ଦେଖିବାକୁ ମଧ୍ୟ ଆପଣଙ୍କ ଇଚ୍ଛା ହୁଏ ନାହିଁ ।

 

ନା ।

 

ବୁଢ଼ାରାଜା ଜାରୋୟମାନଙ୍କୁ ତ୍ୟାଗକରି ଯିବେ ନାହିଁ ବୋଲି ଦୃଢ଼ ସଂକଳ୍ପ କରି ନେଇଛନ୍ତି । ଦାଦା ଓ କୌଶକି ବର୍ମା ବୁଝାଇ ବୁଝାଇ ଥକି ଗଲେଣି ତଥାପି କୌଣସି ଫଳ ହେଉନାହିଁ ।

 

ଶେଷରେ ବୁଢ଼ାରାଜା ବିରକ୍ତ ହୋଇଯାଇ କହିଲେ—ଆପଣମାନେ ଯଦି ଜୋର ଜବରଦସ୍ତ କରି ବନ୍ଦୀ କରି ନେଇ ଯାଆନ୍ତି, ସେଇଟା ଅଲଗା କଥା । ତେବେ ବି ସାବଧାନ କରି ଦେଉଛି, ଜୋର କରି ନେଇଯିବାକୁ ମୋଟେ ଦୁଃସାହସ କରିବେ ନାହିଁ । ତାହାହେଲେ ସମଗ୍ର ଜାରୋୟା ଜାତି ପ୍ରତିରୋଧ କରିବା ପାଇଁ ଆଗେଇ ଆସିବ । ସେମାନେ ତାଙ୍କର ପ୍ରାଣ ବିନିମୟରେ ମୋତେ ଉଦ୍ଧାର କରିବାକୁ ଚେଷ୍ଟା କରିବେ ।

 

କୌଶିକ ବର୍ମା କହିଲେ—ନା, ନା, ଆପଣ ସେ କଥା କାହିଁକି ଭାବୁଛନ୍ତି ? ଆମେ ଆପଣଙ୍କୁ ଜୋର ଜବରଦସ୍ତ କରି ନେବୁ କାହିଁକି ? ଆପଣ ଆମ୍ଭମାନଙ୍କର ଶ୍ରଦ୍ଧେୟ । ଦେଶ ସ୍ୱାଧୀନ କରିବାରେ ଆପଣଙ୍କ ତ୍ୟାଗ ନିହିତ । ସେଥିପାଇଁ ବହୁ କଷ୍ଟ ବରଣ କରିଛନ୍ତି । କିନ୍ତୁ ଏଠାରେ ଫେରି ଆମେ ଯେତେବେଳେ ଆପଣଙ୍କ କଥା କହିବସିବୁ ସେତେବେଳେ ଆମକୁ କେହି ବିଶ୍ୱାସ କରିବେ ନାହିଁ ।

 

ସନ୍ତୁ ହଠାତ୍‌ କହି ଉଠିଲା—ଛବି ଉଠାଇ ନେଇଗଲେ ସମସ୍ତେ ବିଶ୍ୱାସ କରିଯିବେ ।

 

ଦାଦା ରାଗିଯାଇ ସନ୍ତୁକୁ ଚାହିଁଲେ । ସନ୍ତୁ ମଧ୍ୟ ବୁଝି ପାରିଲା ତା’ର ଭୁଲ କେଉଁଠି ହେଲା ।

 

ଶିଖ୍‌ ଦାଢ଼ିବାଲା ପ୍ରୀତମ ସିଂ ଗୋଟିଏ କଡ଼କୁ ଠିଆହୋଇ ସବୁକଥା ଶୁଣୁଥିଲେ । ଏଥର ସେ ପାଟି ଫିଟାଇ କହିଲେ—ବଡ଼ ଢାଜୁବ୍‌କା ବାତ୍‌ । ମୁଁ ବହୁତ ଥର ଜାରୋୟାମାନଙ୍କ ସହିତ ମିଶି ଗପସପ କରିଛି, କାହିଁ କେବେହେଲେ ସେମାନେ ମୋତେ ଜାଣିବାକୁ ଦେଇନାହାନ୍ତି ଯେ ତାଙ୍କର ଜଣେ ବଙ୍ଗାଳି ରାଜା ଅଛି । ସେଥିଯୋଗୁଁ ବୋଧହୁଏ ଜଙ୍ଗଲ ଭିତରକୁ ଯିବା ପାଇଁ କାହାକୁ ଅନୁମତି ଦିଅନ୍ତି ନାହିଁ ।

 

ବୁଢ଼ାରାଜା କହିଲେ—ତାହାହିଁ ଥିଲା ମୋର ନିର୍ଦ୍ଦେଶ ।

 

ଦାଦା କହିଲେ— ତାହାହେଲେ ଆପଣ ଆମ ସାଥିରେ ଯିବେନାହିଁ ବୋଲି ନିଷ୍ପତ୍ତି କରିଦେଲେ ।

 

ବୁଢ଼ାରାଜା ଚୁପ୍‌ ହୋଇ ରହିଗଲେ ।

 

ସନ୍ତୁ କିଛି ବୁଝି ନ ପାରି ବୁଢ଼ାରାଜାଙ୍କ ହାତ ଦିଟାକୁ ଯାବୁଡ଼ି ଧରି କହିଲା, ଆପଣ ଚାଲନ୍ତୁ ନା ଆମ ସାଥିରେ । ଥରଟିଏ ଯାଇ ସବୁ ଦେଖି ଶୁଣି ପୁଣି ଫେରି ଆସିବେ । ଜାଣନ୍ତି ହାବଡ଼ା ଷ୍ଟେସନର ମାଟି ତଳେ ରାସ୍ତା ହେଲାଣି । ଆପଣ ତ ସେ ସବୁ ଦେଖି ନାହାନ୍ତି ।

 

ବୁଢ଼ାରାଜାଙ୍କ ଆଖି ଦିଟାରେ ଲୁହ ଛଳ ଛଳ ହୋଇ ଉଠିଲା । କାନ୍ଦ କାନ୍ଦ ସ୍ୱରରେ ସନ୍ତୁକୁ କୁଣ୍ଢାଇ ପକାଇ କହିଲେ—ଆରେ ତୁ ମୋତେ ଏକଥା କହିଲୁ କାହିଁକି ? ତୋ ଭଳି ମୋର ଛୋଟ ଭାଇଟିଏ ଥିଲା । ତାକୁ ତୋ ବୟସରେ ଛାଡ଼ି ଦେଇ ଆସିଛି । ତୋତେ ଦେଖିଲେ ମୋ ଭାଇର ମୁହଁ ଜଳଜଳ ହୋଇ ଦିଶୁଛି ।

 

ଦାଦା କହିଲେ—ହୁଏତ, ଆପଣଙ୍କ ସେ ଭାଇଟି ଏବେ ବି ଜୀବିତ ଥାଇପାରନ୍ତି । ଆପଣ ଗଲେ ତାକୁ ଦେଖିପାରିବେ ।

 

ବୁଢ଼ାରାଜା କେତେ ସମୟ ପାଇଁ ଚୁପ୍‌ ହୋଇ ରହିଗଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ଆସିଲା । ଲୁହଗୁଡ଼ାକ ପୋଛି ଆଣି ଦୃଢ଼ ସ୍ୱରରେ କହିଲେ—ଠିକ୍‌ ଅଛି । ମୁଁ ଯିବି । ତେବେ ତା’ ପୂର୍ବରୁ ମୋର କେତୋଟି ସର୍ତ୍ତ ପୂରଣ କରିବାକୁ ହେବ ।

 

ଦାଦା ଆଗ୍ରହ ସହ କହି ଉଠିଲେ—ହଁ ହଁ, କି ପ୍ରତିଜ୍ଞା କରିବାକୁ ହେବ କୁହନ୍ତୁ ।

 

ତୁମ୍ଭମାନଙ୍କୁ କଥା ଦେବାକୁ ହେବ । ଜାରୋୟାମାନଙ୍କର କୌଣସି କ୍ଷତି ହେବନାହିଁ । ଏ ଦ୍ୱୀପ ଭିତରକୁ ଯେପରି କେହି ସଭ୍ୟ ମଣିଷ ଆସି ଏ ନିଆଁଟାକୁ ନେଇଯିବାକୁ ଚେଷ୍ଟା ମଧ୍ୟ କରିବ ନାହିଁ । ସରଳ ଜାରୋୟାମାନେ ଯେଉଁଭଳି ବଞ୍ଚିବାକୁ ଇଚ୍ଛା କରିବେ ସେହିପରି ସେମାନେ ରହି ପାରିବେ—ଏ ସବୁ ପାଳନ କରିବେ ବୋଲି ମୋତେ କଥା ଦିଅନ୍ତୁ ।

 

ଦାଦା କୌଶିକ ବର୍ମାଙ୍କୁ ଚାହିଁଲେ ।

 

କୌଶିକ ବର୍ମା କହିଲେ—ମୁଁ ଭାରତ ସରକାରଙ୍କ ତରଫରୁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଏ ସବୁ ପାଳନ କରାଯିବ । ଆପଣ ଯାହା ଯାହା କହିଲେ, ସେ ସବୁ ତ ଆମ ଦେଶର ନୀତି ।

 

ବୁଢ଼ାରାଜା କହିଲେ, ଠିକ୍‌ ଅଛି, ତେବେ ଚାଳନ୍ତୁ । କିନ୍ତୁ କିଛିଦିନ ପରେ ମୁଁ ପୁଣି ଏଠାକୁ ଫେରି ଆସିବି ।

 

ଦାଦା କହିଲେ—ନିଶ୍ଚୟ, ନିଶ୍ଚୟ, ମୁଁ ସେ ଭାର ନେଲି ।

 

ପ୍ରତ୍ୟେକ ସାହେବଙ୍କର ହାତଗୁଡ଼ିକ ପିଠି ଆଡ଼କୁ ରଖି ସେମାନଙ୍କୁ ଶକ୍ତ ଭାବେ ବାନ୍ଧି ଦିଆଯାଇଥିଲା । ସନ୍ତୁ ଯେଉଁ ସାହେବଟାକୁ ଗୁଳି କରି ଦେଇଥିଲା, ସେ ମରି ନ ଥିଲା । କେବଳ କାନ୍ଧରେ ଗୂଳିବାଜି ତଳେ ପଡ଼ି ଯାଇଥିଲା । ହେଲିକେପ୍‍ଟର ରେ ଥିବା ପ୍ରାଥମିକ ଚିକିତ୍ସା ବାକ୍‌ସରୁ ଔଷଧ ଆଣି ବ୍ୟାଣ୍ଡେଜ ମଧ୍ୟ ହୋଇ ସାରିଥିଲା । ପୋଲିସଙ୍କ ହେପାଜତରେ ସେମାନଙ୍କୁ ସମୁଦ୍ର କୂଳକୁ ପଠାଇ ଦିଆଗଲା । ଖୁବ୍‌ ସାବଧାନରେ ସେମାନଙ୍କୁ ନେବାପାଇଁ କୌଶିକ ବର୍ମା ପୋଲିସଙ୍କୁ ତାଗିଦା କରିଦେଲେ ।

 

ଆଉ ଯିଏ ରହିଗଲା–ସମସ୍ତେ ହେଲିକେପ୍‍ଟରରେ ଯିବେ ।

 

ବୁଢ଼ାରାଜାଙ୍କ ହେଲିକେପ୍‍ଟରରେ ବସିବା ବେଳର କରୁଣ ଦୃଶ୍ୟ ହୃଦୟବିଦାରକ । ଜାରୋୟାମାନେ ଯେତେବେଳେ ଜାଣିପାରିଲେ ଯେ ବୁଢ଼ାରାଜା ସେମାନଙ୍କୁ ଛାଡ଼ିଦେଇ ଚାଲିଯିବେ, ସେତେବେଳେ ସେମାନେ ମାଟିରେ ମୁହଁକୁ ପୋତି କରୁଣ ସ୍ୱରରେ କାନ୍ଦିବାକୁ ଲାଗିଲେ । ଏହିଟା ହେଉଛି ଏମାନଙ୍କର କାନ୍ଦଣା । କାନ୍ଦିବାବେଳେ ମୁହଁ ଦେଖାଇବାଟାକୁ ସେମାନେ ଅଶୁଭ ବୋଲି ମନେ କରନ୍ତି । କେତେଜଣ ଜାରୋୟା ଦୌଡ଼ି ଆସି ବୁଢ଼ାରାଜାଙ୍କୁ କୁଣ୍ଢାଇ ଧରିଲେ । ତାଙ୍କୁ ଜମା ଛାଡ଼ିବେ ନାହିଁ ।

 

ବୁଢ଼ାରାଜା ହାତ ଗୋଡ଼ ହଲାହଲି କରି ବହୁ ସାନ୍ତ୍ୱନା ଦେଲେ । ତାଙ୍କ ଆଖିରୁ ମଧ୍ୟ ଧାରା ଶ୍ରାବଣ ପରି ଲୁହ ଗଡ଼ି ଚାଲିଥାଏ । ମୁହଁମାଡ଼ି ଶୋଇଥିବା ଜାରୋୟାମାନଙ୍କ ପାଖକୁ ଯାଇ ସମସ୍ତଙ୍କ ପିଠିରେ ସ୍ନେହରେ ହାତ ବୁଲାଇ ଆଣିଲେ । କହିଲେ—ମନ କଷ୍ଟ କର ନାହିଁ । କେତେଟା ଦିନ ପରେ ମୁଁ ପୁଣି ତୁମ ପାଖକୁ ଫେରି ଆସିବି ।

 

କୌଶିକ ବର୍ମା କହିଲେ—ମଣିଷକୁ ମଣିଷ ଯେ ଏତେ ନିବିଡ଼ ଭାବେ ଭଲପାଏ ଓ ସ୍ନେହକରେ ମୁଁ କେବେ ଦେଖିନାହିଁ । ଏମାନଙ୍କର ସ୍ନେହ ଓ ଭଲପାଇବା କେତେ ଆନ୍ତରିକତାପୂର୍ଣ୍ଣ-

 

ଦାଦା କେବଳ ହୁଁ ମାରିଲେ ।

 

ତା’ପରେ ପରେ ହେଲିକେପ୍‍ଟର ଆକାଶକୁ ଉଠିବାକୁ ଲାଗିଲା । ସବୁ ଜାରୋୟାମାନେ ଉଠିପଡ଼ି ହାତହଲାଇ ଚିତ୍କାର କରିବାକୁ ଲାଗିଲେ । ବୁଢ଼ାରାଜା ମଧ୍ୟ ତାର ପ୍ରତ୍ୟୁତ୍ତରରେ ହାତ ହଲାଇବାକୁ ଲାଗିଲେ । ଟିକକ ପରେ ହେଲିକେପ୍‍ଟରଟା ସମୁଦ୍ର ଭିତରକୁ ଅଦୃଶ୍ୟ ହୋଇଗଲା ।

 

ପୋର୍ଟବ୍ଳେୟାରରେ ପହଞ୍ଚିବାକୁ ବେଶି ସମୟ ଲାଗିଲା ନାହିଁ । ଉପରୁ ଜେଲ୍‌ଖାନାଟା ଦେଖାଯାଉଛି । ବ୍ରିଟିଶ ଅମଳର ବିଖ୍ୟାତ ସେଲୁଲର ଜେଲ୍‌ । ପୋର୍ଟବ୍ଳେୟାର ସବୁଠାରୁ ଉଚ୍ଚତମ ଘର ହେଉଛି ସେହି ଜେଲ୍‌ । ଆକାଶ ମଧ୍ୟରୁ ସେହି ଜେଲ୍‍ଟାକୁ ବୁଢ଼ାରାଜା ଅନାଇ ରହିଛନ୍ତି । ଦିନେ ଏ ଜେଲ୍‌ ମଧ୍ୟରୁ ସମସ୍ତଙ୍କ ଅଜଣାତରେ ଖସି ଚାଲିଯାଇଥିଲେ । ସତରେ ଆଜି ସେ, ରାଜାଭଳି ଫେରୁଛନ୍ତି ।

 

ପୋର୍ଟବ୍ଳେୟାରରେ ମାତ୍ର ଦିନଟିଏ ରହିବାକୁ ହେଲା । ଏହା ଭିତରେ କଲିକତା, ଦିଲ୍ଲୀ ପ୍ରଭୃତି ସ୍ଥାନମାନଙ୍କୁ ସୁସମ୍ବାଦଟା ଟେଲିଗ୍ରାମ ଦ୍ୱାରା ଜଣାଇ ଦିଆଗଲା । ସ୍ଥିରହେଲା ପ୍ରଥମ ତିନିଦିନ କଲିକତାରେ କଟାଇବେ ଓ ତାପରେ ଯିବେ ଦିଲ୍ଲୀ । ସେଠି ଯେତେଦିନ ଇଚ୍ଛା ସେତେଦିନ ରହି ପାରିବେ । ଯଦି ଫେରିଆସିବାକୁ ଇଚ୍ଛାହୁଏ ଫେରି ଆସିବେ, କିନ୍ତୁ ଫେରିଲାବେଳେ କଲିକତା ଦେଇ ଆସିବେ ।

 

ପରଦିନ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ କଲିକତାରେ ଆସି ପହଞ୍ଚିଲେ । ଦମ୍‌ଦମ୍‌ ଏୟାର୍‌ପୋର୍ଟରେ ସେଦିନ ଯେ କି ଭୀଷଣ ଭିଡ଼ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ହଜାର ହଜାର ନାରୀ ପୁରୁଷ ରୁଣ୍ଡ ହୋଇଛନ୍ତି ଜାରୋୟା ରାଜାଙ୍କୁ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ । ବହୁ ସାମ୍ବାଦିକ ଓ ଫୋଟଗ୍ରାଫ୍‌ର ମଧ୍ୟ ଉପସ୍ଥିତ ଅଛନ୍ତି । ଆଲୁଅର ଝଲକରେ ଫୋଟ ଉଠା ଚାଲିଛି । ଏହାଭିତରେ ସନ୍ତୁର ମଧ୍ୟ କେତୋଟି ଫୋଟ ଉଠି ଗଲାଣି । କାରଣ ବୁଢ଼ାରଜା ତା’ର କାନ୍ଧରେ ଭରାଦେଇ ଚାଲୁଛନ୍ତି ।

 

ବେଳେ ବେଳେ ଧ୍ୱନୀ ଉଠୁଥାଏ— ‘ଗୁଣଦା ତାଲୁକଦାର ଜିନ୍ଦାବାଦ ।’

 

ଏୟାରପୋର୍ଟରେ ସନ୍ତୁର ବାପ, ମା ଓ ଦୁଇ ଭାଇ ସହିତ ଆହୁରି ଅନେକ ସାଙ୍ଗସାଥି ବିନି, ବାବୁଲୁ, ପିଙ୍କୁ ପ୍ରଭୃତି ମଧ୍ୟ ଉପସ୍ଥିତ ଅଛନ୍ତି । ସନ୍ତୁ ଏବେ ଘରକୁ ନ ଫେରି ବୁଢ଼ା ରାଜାଙ୍କ ସହିତ ରାଜଭବନ ଯିବ । ସେଠାରେ ଗଭର୍ଣ୍ଣର ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା କାର୍ଯ୍ୟକ୍ରମ ରହିଛି । ଲାଟ୍‌ସାହେବଙ୍କ ସହିତ ଖାଇବା କଥାଟା ଏମିତିକା ସେମିତିକା ସାଧାରଣ କଥା ନୁହେଁ00 ।

 

ଜନତାର ଫୁଲମାଳର ଭାରରେ ବୁଢ଼ା ରାଜା ଆଗକୁ ଝୁଙ୍କି ପଡ଼ିଲେଣି । ଏ ଲୋକ ଭିଡ଼ରେ ଠେଲାପେଲାରେ ବୁଢ଼ାରାଜାଙ୍କୁ କଷ୍ଟ ହେବା ଜାଣି କୌଶିକ ବର୍ମା ବୁଢ଼ାରାଜାଙ୍କୁ ଘେରରେ ରଖି ଗାଡିରେ ଆଣି ବସାଇ ଦେଲେ । ତାଙ୍କ ସାଙ୍ଗରେ ସନ୍ତୁ ଓ ଦାଦା ମଧ୍ୟ ଯାଇ ବସିଲେ ।

 

ଗାଡ଼ି ଏୟାର୍‌ପୋର୍ଟ ଛାଡ଼ି ସହର ଅଭିମୁଖେ ଚାଲିଲା । କଲିକତା ଫେରିଆସି ପାରିଥିବାରୁ ସନ୍ତୁ ଭାରି ଖୁସି । ସେମାନେ ଯେ କଲିକତା ଜୀବନନେଇ ଫେରି ଆସିବେ ସନ୍ତୁର ସେ ବିଶ୍ୱାସ ନ ଥିଲା ।

 

ସନ୍ତୁ ବୁଢ଼ାରାଜାଙ୍କୁ ବୁଝାଇ ଦେଲା—ଜାଣନ୍ତି ନା, ଏ ରାସ୍ତାଟିର ନାମ ଭି.ଆଇ.ପି. ରାସ୍ତା । ଆପଣଙ୍କ ସମୟରେ ଏ ରାସ୍ତାଟା ନ ଥିଲା ବୋଧେ ।

 

ବୁଢ଼ାରାଜା କୌଣସି ଉତ୍ତର ଦେଲେନାହିଁ ।

 

ଦାଦା କହିଲେ–ସେତେବେଳେ ଏ ସବୁ ସ୍ଥାନ ଜଙ୍ଗଲରେ ପୂର୍ଣ୍ଣଥିଲା ।

 

ଗାଡ଼ି ଚାଲିଥାଏ, ସନ୍ତୁ ନାନା ପ୍ରକାର ସମ୍ବାଦ ବୁଢ଼ାରାଜାଙ୍କୁ ଦେବାରେ ଲାଗିଥାଏ । ଏହିଟା ବିଧାନରାୟଙ୍କ ମୂର୍ତ୍ତି । ଏଇ ଯେ ଏଠି ଶିଶୁ ଉଦ୍ୟାନ । ଆଉ ଦେଖନ୍ତୁ ଏହି ସ୍ଥାନଟାର ନାମ କାକୁର ଗାଛି ।

 

ବୁଢ଼ାରାଜା ପୂର୍ବଭଳି ନୀରବ ରହିଥାନ୍ତି ।

 

ଗାଡ଼ି ଯେତେବେଳେ ମାଣିକତାଲା ପାର ହୋଇ ବିବେକାନନ୍ଦ ରୋଡ଼ ଧରି ଚାଲିଲା ବୁଢ଼ାରାଜା ହଠାତ୍‌ ‘ଉଃ’ କହି ମୁହଁଟାରେ ହାତ ଘୋଡାଇ ଦେଲେ ।

 

କୌଶିକ ବର୍ମା ଓ ଦାଦା ଏକା ସାଙ୍ଗରେ ବ୍ୟସ୍ତ ହୋଇପଡ଼ି କହିଲେ, କ’ଣ ହେଲା ଆଜ୍ଞା ! କ’ଣ ହେଲା ?

 

ବୁଢ଼ାରାଜା ଆଃ, ଆଃ, କହି ସାମନା ଦିଗକୁ ଝୁଙ୍କି ପଡିଲେ ।

 

କୌଶିକ ବର୍ମା କହିଲେ—ଏ କ’ଣ ବୁଢ଼ାରାଜା ଯେ ମୂର୍ଚ୍ଛା ହୋଇଗଲେଣି । ଶୀଘ୍ର ପାଖ ହାସପିଟାଲକୁ ନେଇ ଚାଲ ।

 

ଦାଦା କହିଲେ—ଅଳ୍ପ ଦୂରରେ ମୋର ଜଣେ ଡାକ୍ତର ବନ୍ଧୁଙ୍କର କ୍ଳିନିକ୍‌ ଅଛି—ଏଇଯେ ଲ୍ୟାମ୍ପପୋଷ୍ଟ ଆଗକୁ ଟିକିଏ ଗାଡ଼ି ରଖନ୍ତୁ ।

 

ସମସ୍ତେ ଧରାଧରି କରି ବୁଢ଼ାରାଜାଙ୍କୁ ନେଇ ଚେମ୍ବରରେ ଶୁଆଇ ଦେଲେ ।

 

ଡାକ୍ତରଙ୍କ ଚେଷ୍ଟା ଫଳରେ ବୁଢ଼ାରାଜାଙ୍କ ଚେତା ଫେରି ଆସିଲା । ଡାକ୍ତର କହିଲେ ହାର୍ଟର ଅବସ୍ଥା ସେତେ ଭଲ ନୁହେଁ । କୌଣସି ଏକ ବଡ଼ ହସପିଟାଲକୁ ଶୀଘ୍ର ନେଇ ଯାଆନ୍ତୁ ।

 

ବୁଢ଼ାରଜା ଧୀରଚିତ୍ତରେ କହିଲେ, ‘‘ନା—ନା ।’’

 

ଦାଦା କହିଲେ, ଆପଣଙ୍କୁ ବେଶି କଷ୍ଟ ହେଉଛି ? ହସିପିଟାଲ ଗଲେ ସବୁ ଠିକ୍‌ ହୋଇଯିବ । କଲିକତାରେ ଭଲ ବଲ ବିଶେଷଜ୍ଞ ଅଛନ୍ତି ।

 

ନା–ନା, ମୋତେ ଫେରାଇ ନେଇ ଚାଲ ।

 

ଫେରିଯିବେ ? ହଁ ଫେରିଯିବା ନିଶ୍ଚୟ । କିଛିଦିନ ବିଶ୍ରାମ ପରେ ।

 

ବୁଢାରାଜା କହିଲେ, ନା, ବର୍ତ୍ତମାନ ଫେରିଯିବି । ଏଠି ମୋର ନିଶ୍ୱାସ ନେବାରେ କଷ୍ଟ ହେଉଛି, ଏଠାରେ ବାୟୁ ଏତେ ଦୂଷିତ, ଏତେ ଲୋକ, ଘରଦ୍ୱାର, ଏ ସବୁ ଦେଖି ସହ୍ୟ କରି ପାରୁନାହିଁ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି । ଏତେ ଧୂଳି ପୂରି ରହିଛି ଏଠାରେ ବାୟୁରେ–ଏତେ ଶବ୍ଦ—ନା—ନା—

 

ବୁଢ଼ାରାଜା ଜୋର୍‌ କରି ଉଠିବାକୁ ଚେଷ୍ଟାକରି ପଡ଼ିଗଲେ । ସମସ୍ତେ ବ୍ୟସ୍ତହୋଇ ପଡ଼ି ପୁଣିଥରେ ତାଙ୍କୁ ଶୁଆଇ ଦେଲେ ।

 

ବୁଢ଼ାରଜାଙ୍କ ଚକ୍ଷୁଦେଇ ଜଳ ଗଡ଼ିବାକୁ ଲାଗିଲା । ଖୁବ୍‌ ଧୀରେ ଧୀରେ ମନକୁ ମନ ଗୁଣୁ ଗୁଣୁ ହେବାକୁ ଲାଗିଲେ—ମୁଁ କାହିଁକି ଆସିଲି ? କେତେ ଭଲରେ ଥେଲି ସେଠି । ସେଠାର ବାୟୁ କେତେ ସ୍ୱଚ୍ଛ । ପକ୍ଷୀର କୂଜନ, ଗଛ ପତ୍ରର ମର୍ମର ଶବ୍ଦ, ଝରଣା ସ୍ରୋତର କଳକଳ ନାଦ ବ୍ୟତୀତ ଅନ୍ୟ କୌଣସି ଶବ୍ଦ କାନକୁ ଆସୁ ନ ଥିଲା । ଭିକ୍ଷାବୃତ୍ତି କରିବା କଳ୍ପନାର ବାହାରେ । ଆଃ, ସେଠାରେ କି ଶାନ୍ତି, କି ସରଳ ଜୀବନ, ସେହିଟା ତ ମୋର ସ୍ୱର୍ଗ । କାହିଁକି ମୋତେ ଦୁର୍ବୁର୍ଦ୍ଧି ଦିଶିଲା, ଚାଲି ଆସିଲି । ମୋତେ ଫେରାଇ ନେଇ ଚାଲ, ବର୍ତ୍ତମାନ ଏଇକ୍ଷଣି—ମୁଁ ଚାଲିଯିବ—ଚାଲିଯିବି—ଆଃ !

 

ହଠାତ୍ ବୁଢ଼ାରାଜା ବାକ୍‌ଶକ୍ତି ଲୋପ ପାଇଗଲା ।

 

ଅପେକ୍ଷା କରିଥିବା ଲୋକେ ଗମ୍ଭୀର ହୋଇଉଠିଲେ ।

 

ସନ୍ତୁ କହିଲା—ଦାଦା—ବୁଢ଼ାରାଜାଙ୍କୁ—

 

ଦାଦାଙ୍କ ପାଖରେ କୌଣସି ଉତ୍ତର ନ ଥିଲା । ମୁହଁଟାକୁ ସେ ବୁଢ଼ାରାଜାଙ୍କଠାରୁ ଫେରାଇ ଆଣିଲେ । ସନ୍ତୁ ଜୀବନରେ ଏଇ ପ୍ରଥମଥର ପାଇଁ ଦାଦାଙ୍କ ଆଖିରେ ଲୁହ ଦେଖିଲା ।

 

କୋହ ସମ୍ଭାଳି ନ ପାରି ସେ ମଧ୍ୟ ଭୋ କରି କାନ୍ଦି ଉଠିଲା ।

 

ସବୁ ଶେଷ

Image